ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆକାଶଛୁଆଁ ତୈଳ ଦର। ସର୍ବକାଳୀନ ରେକର୍ଡ ଟପିଲା ତେଲ ମୂଲ୍ୟ। ତେଲର ବେଲଗାମ ଦରକୁ ନେଇ ଗ୍ରାହକ ତାତିଲେଣି। ଏପଟେ ତୈଳତାତିକୁ ନେଇ ବିଧାନସଭା ବି ହୁଲସ୍ଥୁଲ। ପେଟ୍ରୋଲ ଓ ଡିଜେଲ ଉପରୁ ନିୟନ୍ତ୍ରଣ ନ ଥିବା କାରଣରୁ ଦାମ୍ ହୁ ହୁ ହୋଇ ବଢୁଥିବା ଅଭିଯୋଗରେ କଂଗ୍ରେସ କେନ୍ଦ୍ରକୁ ନିଶାନା କରି ହୋହାଲ୍ଲା କରିଥିବାବେଳେ ବିଜେଡି ବି ମଉକା ଦେଖି ଗତକାଲି ଶୂନ୍ୟକାଳରେ କେନ୍ଦ୍ର ଉପରେ ବର୍ଷିଥିଲା ।
ଚାରି ମାସ ଭିତରେ ପେଟ୍ରୋଲ ବଢିଲାଣି ୪ ଟଙ୍କା । ଆଉ ଡିଜେଲ ୫ ଟଙ୍କା । ଭୁବନେଶ୍ୱରରେ ପେଟ୍ରୋଲର ଦାମ ରହିଛି ୭୩ ଟଙ୍କା ୧୨ ପଇସା । ଡିଜେଲ ଲିଟର ପିଛା ରହିଛି ୭୦ ଟଙ୍କା୨୪ ପଇସା। ସେପଟେ ମୁମ୍ବାଇରେ ପେଟ୍ରୋଲ ପହଞ୍ଚିଛି ୮୨ ଟଙ୍କା ୦୬ ପଇସାରେ। ୨୦୧୩ ପରୋ ଦିଲ୍ଲୀରେ ପେଟ୍ରୋଲ ଦାମ ସର୍ବକାଳୀନ ରେକର୍ଡ ୭୪ ଟଙ୍କା ୨୧ ପଇସା ଛୁଇଁଛି । କୋଲକତା ଓ ଚେନ୍ନାଇରେ ବି ପେଟ୍ରୋଲ ୭୬ ଟଙ୍କା ଟପିଛି। ଏପଟେ ବଢୁଥିବା ତୈଳଦରକୁ ନେଇ ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା। ତେଲ ଦାମକୁ ନେଇ ଗୃହର ମଧ୍ୟ ଭାଗରେ ଗର୍ଜିଥିଲେ କଂଗ୍ରେସ ବିଧାୟକ। ମନ୍ତ୍ରୀଙ୍କ ବିବୃତି ଦାବିରେ ବାଚସ୍ପତିଙ୍କ ପୋଡିୟମକୁ ଚଢି ମାଇକ ଟାଣିବାକୁ ଚେଷ୍ଟା କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ। ଫଳରେ ଚାଲିପାରି ନଥିଲ ପ୍ରଶ୍ନ କାଳ। ଶୁନ୍ୟକାଳରେ ତଥ୍ୟ ରଖି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ହିସାବ ଦେଲେ ୟୁପିଏ ଥିବା ବେଳେ ଉତ୍ପାଦ ଶୁଳ୍କ ଥିଲା ୩ ଟଙ୍କା ୫୬ ପଇସା ।
ଏବେ ଏହା ୧୭ ଟଙ୍କା ୩୩ ପଇସା ହେଲାଣି। ୪ ବର୍ଷରେ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୩୮୦ ପ୍ରତିଶତ ଓ ପେଟ୍ରୋଲରେ ୧୨୦ ପ୍ରତିଶତ ବୃଦ୍ଧି ହୋଇଛି। ରାଜ୍ୟ ମଧ୍ୟ ଆଦାୟ କରୁଥିବା ୨୬ ପ୍ରତିଶତ ଭାଟ କଥା ଉଠାଇ ଏହାକୁ କମାଇବାକୁ ଦାବି କରିଥିଲେ ନରସିଂହ। ଶୁନ୍ୟ କାଳରେ ବିଜେଡି ବିଜେପି ଶାସିତ ରାଜ୍ୟର ଭାଟର ତୁଳନାତ୍ମକ ତଥ୍ୟ ରଖି କେନ୍ଦ୍ର ଉପରେ ଦୋଷ ଲଦିଥିଲା । ତେଲର ଦାମ ବଢିବା ଓ ଏହାକୁ ଜିଏସଟିରେ ସାମିଲ କରିବାକୁ ନେଇ ରାଜ୍ୟ ଓ କେନ୍ଦ୍ର ଭିତରେ ଟଣାଓଟରା ଲାଗି ରହିଛି। ବିଜେପିର ଦାବି, ରାଜ୍ୟ ଏବେ ଗୋଟିଏ ଲିଟର ପେଟ୍ରୋଲରୁ ଟିକସ ବାବଦରେ ୨୯ ଟଙ୍କା ୨୮ପଇସା ଓ ଡିଜେଲରୁ ୨୫ ଟଙ୍କା ୬୮ ପଇସା ପାଉଛି । କେନ୍ଦ୍ରର ଭାଗ ରହିଛି ପେଟ୍ରୋଲରେ ୪ ଟଙ୍କା ୫୨ ଓ ଡିଜେଲେର ୩ ଟଙ୍କା ୫୬ ପଇସା। ଏସବୁ ଭିତରେ ଜିଏସଟି ଲାଗୁ ହେଲେ ପେଟ୍ରୋଲ ଓ ଡିଜେଲ ପାଖପାଖି ୨୦ରୁ ୨୨ ଟଙ୍କା ଶସ୍ତା ହୋଇଯିବ। ତେବେ ସେ ଯାଏଁ ଖାଉଟି ମହଙ୍ଗାମାଡ଼ରେ କ’ଣ ଆଉଟ ପାଉଟ ହେବେ, ଏହାର ଉତ୍ତର ଦେବାକୁ କେନ୍ଦ୍ର କି ରାଜ୍ୟ କେହି ଯେମିତି ପ୍ରସ୍ତୁତ ନାହାଁନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।