Advertisment

ସାମ୍ବାଦିକ ସୌମ୍ୟାଙ୍କ ହତ୍ୟାକାରୀଙ୍କୁ ମିଳିଲା ଆଜୀବନ ଜେଲଦଣ୍ଡ

ସୌମ୍ୟାଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ଆଜୀନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

author-image
Hemant Lenka
soumya

soumya

ବହୁ ଚର୍ଚ୍ଚିତ ୨୦୦୮ ମସିହା ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ଘଟଣାରେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ବଡ଼ ରାୟ ଦେଇଛନ୍ତି। ସୌମ୍ୟାଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ଆଜୀନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ୫ମ ଦୋଷୀ ଜେଲରେ ଯେତିକି ଦିନ ରହିଛି, ତା’ର ଦଣ୍ଡାଦେଶ ସେତିକି ରହିବ ବୋଲି କୋର୍ଟ କହିଛନ୍ତି।

Advertisment

ଦୋଷୀ ସାବ୍ୟସ୍ତ ହୋଇଥିବା ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଓ ଅଜୟ କୁମାରକୁ କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୨୫ ହଜାର ଟଙ୍କା ଲେଖାଏ ଜୋରିମାନା ଲଗାଇଛନ୍ତି। ଏହାବାଦ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ(ମୋକୋକା) ବଳରେ ସମସ୍ତ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଫାଇନ ମଧ୍ୟ ଲଗାଯାଇଛି।

୫ମ ଦୋଷୀ ଅଜୟ ସେଠୀ ଉପରେ କୋର୍ଟ ୭.୫ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି। କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ୪ ଦୋଷୀଙ୍କ ଉପରେ ଲାଗୁ ହୋଇଥିବା ଫାଇନରୁ ୧.୨୦ ଲକ୍ଷ ଟଙ୍କା ସୌମ୍ୟାଙ୍କ ପରିବାର ଲୋକଙ୍କୁ ଦିଆଯିବ।

Advertisment

ସେହିପରି ଅଜୟ ସେଠୀଙ୍କ ଉପରେ ଲାଗୁଥିବା ହୋଇଥିବା ୭.୫ ଲକ୍ଷ ଜୋରିମାନାରୁ ସୌମ୍ୟାଙ୍କ ପରିବାର ୭.୨୦ ଲକ୍ଷ ଟଙ୍କା ପାଇବେ। ଆଜୀବ ଜେଲଦଣ୍ଡ ପାଇଥିବା ୪ ଦୋଷୀ ସିଧାସଳଖ ହତ୍ୟାକାଣ୍ଡରେ ସାମିଲ ଥିଲେ। ଅଜୟ ସେଠୀ କେବଳ ଲୁଟ ହୋଇଥିବା ଜିନିଷ କିଣିଥିଲେ।  

ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଆଜି ଦିଲ୍ଲୀର ସାକେତ କୋର୍ଟ ଏପରି ଦଣ୍ଡାଦେଶ ଦେଇଛନ୍ତି। ରାୟ ପ୍ରକାଶ ବେଳେ କୋର୍ଟ କହିଛନ୍ତି ଯେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ଅପରାଧ ବିରଳରୁ ଅତି ବିରଳ ପର୍ଯ୍ୟାୟରେ ଆସୁନାହିଁ। ତେଣୁ ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇ ପାରିବ ନାହିଁ। 

ଇଣ୍ଡିଆ ଟୁଡେ ଗ୍ରୁପର ହେଡଲାଇନ୍ସ ଟୁଡେ ନାମକ ନ୍ୟୁଜ ଚ୍ୟାନେଲରେ ସୌମ୍ୟା କାମ କରୁଥିଲେ। ୨୦୦୮ ମସିହା ସେପ୍ଟେମ୍ବର ୩୦ରେ ସେ ଅଫିସରୁ କାମ ସାରି ଘରକୁ ଫେରୁଥିଲେ। କିନ୍ତୁ ତାଙ୍କୁ ଦିଲ୍ଲୀର ନେଲସନ ମାଣ୍ଡେଲା ମାର୍ଗରେ ଗୁଳି କରି ହତ୍ୟା କରାଯାଇଥିଲା। ଯୁବ ସାମ୍ବାଦିକ ସୌମ୍ୟାଙ୍କ ମୃତଦେହ ତାଙ୍କ କାର ଭିତରୁ ମିଳିଥିଲା।

ପ୍ରାଥମିକ ଭାବେ ଏହି ଘଟଣାକୁ କାର୍‌ ଦୁର୍ଘଟଣା ଜନିତ ମାମଲା ଭାବେ ବିବେଚନା କରାଯାଇଥିଲା। ହେଲେ ଫରେନ୍ସିକ ଯାଞ୍ଚ ପରେ ସୌମ୍ୟାଙ୍କ ମୁଣ୍ଡରେ ଗୁଳି ମାଡ଼ର ଚିହ୍ନ ଥିବା ଜଣାପଡ଼ିଥିଲା। ଫଳରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଥିଲା।

ପୁଲିସ୍‌ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା ଯେ ଘଟଣା ଦିନ ସୌମ୍ୟାଙ୍କ କାର୍‌କୁ ଆଉ ଗୋଟିଏ ଗାଡ଼ି ଅନୁସରଣ କରୁଥିଲା। ତା’କୁ ଆଧାର କରି ପୁଲିସ୍‌ ରବି କପୁର ଓ ଅମିତ ଶୁକ୍ଳାକୁ ଧରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପୂର୍ବରୁ ମଧ୍ୟ ଏହି ଦୁଇ ଜଣ ସମାନ ଢଙ୍ଗରେ ଗୋଟିଏ କଲ ସେଣ୍ଟର୍‌ର ଅଫିସରଙ୍କୁ ହତ୍ୟା କରିଥିଲେ।

ଜେରା ବେଳେ ଅମିତ ଓ ରବି ସେପ୍ଟେମ୍ବର ୩୦ରେ ସୌମ୍ୟାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏଥିସହ ଅଜୟ କୁମାର, ବଲଜୀତ ମଲିକ ଓ ଅଜୟ ସେଠୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା।

ପୁଲିସ୍‌ ୨୦୧୦ ମସିହା ଜୁନରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ସୌମ୍ୟାଙ୍କ ହତ୍ୟା ପଛରେ ଲୁଟ ହିଁ ଏକମାତ୍ର କାରଣ ଥିଲା ବୋଲି କହିଥିଲା। ସମସ୍ତଙ୍କୁ ପୁଲିସ୍‌ ଗିରଫ ମଧ୍ୟ କରିଥିଲା। ୨୦୧୦ ନଭେମ୍ବର ମାସରୁ ଘଟଣାର ଶୁଣାଣି ଆରମ୍ଭ ହୋଇଥିଲା।

୨୦୧୬ ଜୁଲାଇ ମାସରେ ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ ରହିଥିଲା। ଅକ୍ଟୋବର ୧୮ରେ କୋର୍ଟ ଏହି ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଘଣ୍ଟାରେ କୋର୍ଟ ୪ ଜଣଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏମାନେ ସମସ୍ତେ ୨୦୧୦ରୁ ଜେଲରେ ରହିଛନ୍ତି।

Delhi Journalist Attacked