ମଲାଇକାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଆଇଟମ ଗର୍ଲ ମଲାଇକା ଅରୋରା ଆଜି ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ କାର୍‌ରେ ଯାଉଥିବା ବେଳେ ମୁମ୍ବାଇ ନିକଟସ୍ଥ ପନଭେଲ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଏକାଧିକ ଷ୍ଟିଜ୍‌ କରାଯାଇଥିବା ମଧ୍ୟ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ମଲାଇକାଙ୍କ କାର୍‌ ତାଙ୍କ ଡ୍ରାଇଭର ଚଳାଉଥିବା ବେଳେ ସେ ଏଥିରେ ବସିଥିଲେ। ତେବେ ଏକ୍ସପ୍ରେସ ୱେରେ ହଠାତ୍‌ ଡ୍ରାଇଭର ଜଣଙ୍କ କାର୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ରାସ୍ତାରେ ଯାଉଥିବା ଆଉ ୨ଟି କାର୍‌ ସହ ପିଟି ହୋଇଯାଇଥିଲା।

ଘଟଣାରେ ମଲାଇକାଙ୍କ ମୁଣ୍ଡ ଓ ଆଖିରେ ଆଘାତ ଲାଗିଛି। ଦୁର୍ଘଟଣା ପରେ ତାଙ୍କୁ ଏକ୍ସପ୍ରେସ ୱେରୁ ତୁରନ୍ତ ନାଭି ମୁମ୍ବାଇରେ ଥିବା ଆପୋଲୋ ହସ୍ପିଟାଲରେ ଆଡମିଟ କରାଯାଇଛି।

ମଲାଇକାଙ୍କ ଜଣେ ବନ୍ଧୁ ନିଜ ନାଁ ଗୋପନ ରଖି କହିଛନ୍ତି ଯେ “ମୁମ୍ବାଇ –ପୁଣେ ଏକ୍ସପ୍ରେସ ୱେର ଖୋପୋଲି ଠାରେ ମଲାଇକା ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାରେ ସେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ। କିନ୍ତୁ ଏବେ ସେ ଧୀରେ ଧୀରେ ଠିକ୍‌ ହେଉଛନ୍ତି। ତାଙ୍କ ଶରୀରରେ ଏକାଧିକ ଷ୍ଟିଚ୍‌ ପଡ଼ିଛି। ହେଲେ ତାଙ୍କ ମୁଣ୍ଡରେ କୌଣସି ଗଭୀର ଆଘାତ ଲାଗିନି। ତେଣୁ ରବିବାର ମଧ୍ୟାହ୍ନ ସୁଦ୍ଧା ସେ ଘରକୁ ଫେରି ଆସିବେ।”

ମଲାଇକା ନିଜର ରେଞ୍ଜ ରୋଭର କାର୍‌ ଯୋଗେ ଗୋଟିଏ ଫ୍ୟାଶନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଏହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ପୁଲିସ୍‌ ଘଟଣାରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।