ମୁମ୍ବାଇ: ଫେରିଲା ୧୪ ବର୍ଷର ବିବାଦୀୟ କିସ୍ ମାମଲା। ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି। ୨୦୦୭ରେ ସର୍ବ ସାଧାରଣରେ ଚର୍ଚ୍ଚିତ କିସ୍କୁ କୋର୍ଟ ଆପତ୍ତିଜନକ ବୋଲି କହିଛନ୍ତି। ହଲିଉଡ୍ ଅନେତା ରିଚାର୍ଡ଼ ଗେରେ ତାଙ୍କୁ ଯେଉଁଭଳି ଭାବେ ସର୍ବ ସାଧାରଣରେ କିସ୍ କରିଛନ୍ତି ତାହା ଆପତ୍ତିଜନକ ଏବଂ ଏଥିରେ ଶିଳ୍ପା ପୀଡ଼ିତା ବୋଲି କୋର୍ଟ କହିଛନ୍ତି। ବହୁ ଚର୍ଚ୍ଚିତ ୨୦୦୭ରେ ଏହି କିସ୍ ମମଲାକୁ ନେଇ ଏବେ ମୁମ୍ବାଇ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୦୭ରେ ରାଜସ୍ଥାନରେ ଏକ ଏଡ୍ସ ସଚେତନତା କାର୍ଯ୍ୟକ୍ରମରେ ଖୋଲା ମଞ୍ଚରେ ଶିଳ୍ପା ସେଟ୍ଟିଙ୍କୁ ଅଶ୍ଲୀଳ ଢଙ୍ଗରେ କିସ୍ କରିଥିଲେ ରିଚାର୍ଡ଼। ଏମିତିକି ତାଙ୍କୁ ଅଶାଳୀନ ଢଙ୍ଗରେ ଆଲିଙ୍ଗନ କରି କିସ୍ କରିଥିଲେ। ଶିଳ୍ପାଙ୍କ ଅଜାଣତରେ ଏକ ଅପ୍ରତ୍ୟାଶିତ ଢଙ୍ଗରେ ଏହି ଘଟଣା ଘଟିଥିଲା।
ସେତେବେଳେ ଏହି ଖବର ଗଣମାଧ୍ୟମରେ ଶୀରୋନାମାରେ ରହିଥିଲା। ସର୍ବସାଧାରଣରେ ଏଭଳି ଅଶାଳୀନ ଢଙ୍ଗରେ ଆଲିଙ୍ଗନକୁ ଦେଶ ବ୍ୟାପି ବିରୋଧ କରାଯାଇଥିଲା। ପରେ ମାମଲା ଅଦାଲତକୁ ଯାଇଥିଲା। ହେଲେ ରିଚାର୍ଡ଼ଙ୍କ ବିରୋଧରେ ଶିଳ୍ପା କୌଣସି ଅଭିଯୋଗ ଆଣି ନଥିବା ବେଳେ ଏନେଇ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇ ନଥିଲେ। ଏପରିକି ରିଚାର୍ଡ଼ ଯେତେବେଳେ ତାଙ୍କୁ କିସ୍ କରୁଥିଲେ ଶିଳ୍ପା ତାଙ୍କୁ ବିରୋଧ କରି ନଥିଲେ ବୋଲି ମାମଲା ହୋଇଥିଲା। ସୁପ୍ରିମ କୋର୍ଟର ନିର୍ଦ୍ଦେଶରେ ମାମଲା ରାଜସ୍ଥାନରୁ ମୁମ୍ବାଇ କୋର୍ଟକୁ ସ୍ଥାନାନ୍ତର ହୋଇ ଥିଲା। କୋର୍ଟ ଗତ ଜାନୁଆରୀ ୧୮ରେ ଶିଳ୍ପାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ମେଟ୍ରୋପଲିଟାନ କୋର୍ଟ କହିଛନ୍ତି ଯେ, ଘଟଣାକ୍ରମରୁ ଯାହା ଜଣାପଡ଼ୁଛି ଏଥିରେ ଶିଳ୍ପାଙ୍କର କୌଣସି ଭୁଲ ନାହିଁ। ବରଂ ଶିଳ୍ପା ରିଚାର୍ଡ଼ଙ୍କ ଦ୍ୱାରା ପୀଡ଼ିତା ବୋଲି କୋର୍ଟ କହିଛନ୍ତି। ଏପରିକି ଶିଳ୍ପାଙ୍କ ତରଫରୁ ଏହା ପୂର୍ବପ୍ରସ୍ତୁତି ନଥିଲା କି ଘଟଣାରେ ତାଙ୍କ ତରଫରୁ କୌଣସି ଷଡ଼ଯନ୍ତ୍ରର ଖିଅ ନାହିଁ ବୋଲି କୋର୍ଟ କହିଛନ୍ତି। ସୋମବାର ଏହି କୋର୍ଟ ଅର୍ଡ଼ର ସାଧାରଣରେ ଉପଲବ୍ଧ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।