ଏକ ଫିଲ୍ମର ଶୁଟିଂ ବେଳୁ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଟାଣିବା ଅଭ୍ୟାସରେ ପଡ଼ିଯାଇଥିଲେ ସୁଶାନ୍ତ

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍‌ରେ ଫସି ଜେଲ୍‌ରେ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ବମ୍ବେ ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି। ଆଜି ଏହାର ଶୁଣାଣି ହେବାର ଥିଲା। କିନ୍ତୁ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ତେବେ ୟା ମଧ୍ୟରେ ରିଆ ତାଙ୍କ ଜାମିନ ଆବେଦନରେ ଉଲ୍ଲେଖ କରିଥିବା କଥା ଗୁଡ଼ିକ ସାମ୍ନାକୁ ଆସିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।

ରିଆ ତାଙ୍କ ଜାମିନ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ନିଶାରେ ପଡ଼ିଯାଇଥିଲେ। ସେ ଗଞ୍ଜେଇ ସେବନ କରୁଥିଲେ। ସେ ସିଗାରେଟ୍‌ରେ ଗଞ୍ଜେଇ ଭର୍ତ୍ତି କରି ସେବନ କରୁଥିଲେ। ପ୍ରତିଦିନ ସେ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଟାଣୁଥିଲେ। ନିଜ ଘରେ ଥିବା କର୍ମଚାରୀଙ୍କ ମାଧ୍ୟମରେ ସେ ଗଞ୍ଜେଇ ଯୋଗାଡ଼ କରୁଥିଲେ।

ସେହିଭଳି ଏଥିରେ ଉଲ୍ଲେଖ ଅଛି ଯେ ରିଆ ମଧ୍ୟ ବେଳେବେଳେ ତାଙ୍କ ପାଇଁ ଡ୍ରଗ୍ସ କିଣିଛନ୍ତି। କେବେ କେମିତି ସେ ନିଜେ ପଇସା ଦେଇ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣିଛନ୍ତି। କିନ୍ତୁ ସେ କୌଣସି ଡ୍ରଗ୍ସ ସିଣ୍ଡିକେଟ୍‌ ସହିତ ଜଡ଼ିତ ନୁହନ୍ତି।

ଏହା ସହିତ ଜାମିନ ଆବେଦନରେ ରିଆ ଉଲ୍ଲେଖ କରିଛନ୍ତି ଯେ ‘କେଦାରନାଥ’ ଫିଲ୍ମର ଶୁଟିଂ ବେଳଠୁ ସୁଶାନ୍ତ ଅଧିକ ମାତ୍ରାରେ ଗଞ୍ଜେଇ ଭର୍ତ୍ତି ସିଗାରେଟ୍‌ ଟାଣିବା ଅଭ୍ୟାସରେ ପଡ଼ିଯାଇଥିଲେ। ସୁଶାନ୍ତ ନିଜେ ତାଙ୍କୁ ଏକଥା କହିଥିବା ସେ ଜାମିନ ଆବେଦନରେ ଉଲ୍ଲେଖ କରିଛନ୍ତି।