ଅଭିନୟ ନୁହେଁ, କ୍ରିକେଟ୍ ଥିଲା ଇରଫାନ୍ ଖାନଙ୍କ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଭାରତୀୟ ଫିଲ୍ମ ଜଗତର ସବୁଠାରୁ ପ୍ରତିଭାଶାଳୀ ଅଭିନେତା ମଧ୍ୟରେ ପରିଚିତ ଇରଫାନ୍ ଖାନଙ୍କର ବୁଧବାର ସକାଳେ ୫୩ ବର୍ଷ ବୟସରେ ପରଲୋକ ହୋଇଛି। ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ସେ କ୍ୟାନସର୍ ଲଢ଼େଇରେ ହାରିଯାଇଛନ୍ତି। ତାଙ୍କ ପ୍ରଶଂସକ ତାଙ୍କୁ ଜଣେ କଳାକାର ଭାବେ ଜାଣନ୍ତି, କିନ୍ତୁ ବହୁତ କମ୍ ଲୋକେ ଜାଣିଛନ୍ତି ଯେ ତାଙ୍କର ପ୍ରଥମ ପସନ୍ଦ କ୍ରିକେଟ୍‌ ଥିଲା। ମାତ୍ର ୬୦୦ ଟଙ୍କା ଅଭାବରୁ ସେ ବିସିସିଆଇ ଦ୍ୱାରା ପରିଚାଳିତ ୨୩ ବର୍ଷରୁ କମ୍ ସିକେ […]

irfan-khan

irfan-khan

Ranjit Kumar Jena
  • Published: Wednesday, 29 April 2020
  • Updated: 29 April 2020, 04:08 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଫିଲ୍ମ ଜଗତର ସବୁଠାରୁ ପ୍ରତିଭାଶାଳୀ ଅଭିନେତା ମଧ୍ୟରେ ପରିଚିତ ଇରଫାନ୍ ଖାନଙ୍କର ବୁଧବାର ସକାଳେ ୫୩ ବର୍ଷ ବୟସରେ ପରଲୋକ ହୋଇଛି। ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ସେ କ୍ୟାନସର୍ ଲଢ଼େଇରେ ହାରିଯାଇଛନ୍ତି। ତାଙ୍କ ପ୍ରଶଂସକ ତାଙ୍କୁ ଜଣେ କଳାକାର ଭାବେ ଜାଣନ୍ତି, କିନ୍ତୁ ବହୁତ କମ୍ ଲୋକେ ଜାଣିଛନ୍ତି ଯେ ତାଙ୍କର ପ୍ରଥମ ପସନ୍ଦ କ୍ରିକେଟ୍‌ ଥିଲା। ମାତ୍ର ୬୦୦ ଟଙ୍କା ଅଭାବରୁ ସେ ବିସିସିଆଇ ଦ୍ୱାରା ପରିଚାଳିତ ୨୩ ବର୍ଷରୁ କମ୍ ସିକେ ନାଇଡୁ ଟ୍ରଫିରେ ସାମିଲ୍‌ ହୋଇପାରିନଥିଲେ।

୨୦୧୪ରେ ଏକ ଇଣ୍ଟରଭ୍ୟୁରେ ଇରଫାନ୍ ଖୁଲାସା କରିଥିଲେ ଯେ ଯୁବାବସ୍ଥାରେ ସେ କ୍ରିକେଟର୍ ହେବାକୁ ଚାହୁଁଥିଲେ। ଏପରିକି ସିକେ ନାଇଡୁ ଟ୍ରଫି ପାଇଁ ମଧ୍ୟ ତାଙ୍କର ଚୟନ ହୋଇସାରିଥିଲା, କିନ୍ତୁ ଅର୍ଥ ଅଭାବରୁ ସେ ଏଥିରେ ସାମିଲ୍‌ ହୋଇପାରିନଥିଲେ। ଇରଫାନ୍ କହିଥିଲେ, "ମୁଁ କ୍ରିକେଟ୍ ଖେଳୁଥିଲି ଏବଂ କ୍ରିକେଟର୍ ହେବାକୁ ଚାହୁଁଥିଲି। ମୁଁ ଜଣେ ଅଲରାଉଣ୍ଡର ଥିଲି। ଜୟପୁରରେ ନିଜ ଟିମରେ ମୁଁ ସବୁଠାରୁ କନିଷ୍ଠ ଥିଲି ଏବଂ ଏହି ଜୋନ୍ ପକ୍ଷରୁ ମୁଁ ନିଜର କ୍ୟାରିୟର ଗଢ଼ିବାକୁ ଚାହୁଁଥିଲି। ସିକେ ନାଇଡୁ ପାଇଁ ମୋର ଚୟନ ହୋଇଥିଲା। ସେହି ସମୟରେ ମୋତେ ଅର୍ଥର ଆବଶ୍ୟକ ଥିଲା ଏବଂ ଘରର ଅବସ୍ଥା ଶୋଚନୀୟ ଥିବାରୁ ମୁଁ ୬୦୦ ଟଙ୍କା ମାଗିପାରିନଥିଲି। ସେହି ଦିନ ହିଁ ମୁଁ ନିଷ୍ପତ୍ତି ନେଲି ଯେ କ୍ରିକେଟରେ ନିଜର ଭବିଷ୍ୟତ ଗଢ଼ିବି ନାହିଁ।"

ଏହା ପରେ ଇରଫାନ୍ ନ୍ୟାଶନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନଏସଡି)ରେ ଯୋଗଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ୩୦୦ ଟଙ୍କା ଦରକାର ଥିଲା। ତେବେ ତାଙ୍କ ପାଖରେ ୩୦୦ ଟଙ୍କା ନଥିଲା, କିନ୍ତୁ ତାଙ୍କ ଭଉଣୀ ତାଙ୍କ ପାଇଁ ଏହି ଟଙ୍କା ଯୋଗାଡ଼ କରିଥିଲେ। କ୍ରିକେଟ୍ ଓ ଅଭିନୟ ସମ୍ବନ୍ଧରେ ଇରଫାନ୍ କହିଥିଲେ, ମୁଁ ବହୁତ ଚିନ୍ତା କରିବା ପରେ କ୍ରିକେଟ୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି। ତା'ଛଡ଼ା ଫିଲ୍ମ ଇଣ୍ଡଷ୍ଟ୍ରୀରେ କ୍ୟାରିୟର କ୍ରିକେଟ୍ ତୁଳନାରେ ଅଧିକ ଲମ୍ବା ଏବଂ ବ୍ୟାପକ ହୋଇଥାଏ। କ୍ରିକେଟରେ କେବଳ ୧୧ଜଣ ହିଁ ଖେଳିପାରିବେ। କିନ୍ତୁ ଅଭିନେତାଙ୍କ ପାଇଁ କୌଣସି ସୀମା ନାହିଁ। ଆପଣ ଯେତେ ପରିଶ୍ରମ କରିବେ, ସେତେ ନିଖୁଣ ହୋଇପାରିବେ।

ବର୍ତ୍ତମାନ ଟି-୨୦ ଫର୍ମାଟ୍ କ୍ରିକେଟକୁ ଆହୁରି ରୋମାଞ୍ଚକର କରିଛି। କିନ୍ତୁ ଇରଫାନ୍ ଏହି ଛୋଟିଆ ଫର୍ମାଟକୁ ଆଦୌ ପସନ୍ଦ କରନ୍ତି ନାହିଁ। ଇରଫାନଙ୍କ ମତରେ, "ଟି-୨୦ ଫର୍ମାଟ୍ କ୍ରିକେଟକୁ ବହୁତ କ୍ଷତି ପହଞ୍ଚାଇଛି। ମୁଁ କ୍ରିକେଟର ପରମ୍ପରା ଅର୍ଥାତ୍ ଟେଷ୍ଟ କ୍ରିକେଟକୁ ବହୁତ ପସନ୍ଦ କରୁଥିଲି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos