ଅମଡ଼ା ବାଟର ନାୟକ କେଦାର

ବାପାଙ୍କ ମୃତ୍ୟୁ ଖବରକୁ ଛାତିରେ ଚାପି ଜାରି ରଖିଥିଲେ ଅଭିନୟ

କେହି କେହି କୁହନ୍ତି ତାଙ୍କୁ ଯଲିଉଡର ଶକ୍ତି କପୁର୍, କାହା ପାଇଁ ସେ ଯାତ୍ରା ଜଗତର ବିଜୟ ମହାନ୍ତି। କେବେ ଖଳନାୟକର ଫ୍ୟୁରିଅସ୍ ଅନ୍ଦାଜରେ ମଞ୍ଚ ଥରାନ୍ତି, ଆଉ କେବେ ଆଦର୍ଶ ବାପା ହୋଇ ଦର୍ଶକଙ୍କୁ ଲୁହରେ ଭିଜାନ୍ତି। ବ୍ୟାଡମ୍ୟାନ୍ ସାଜି ନାୟକ-ନାୟିକାଙ୍କ ମଧ୍ୟରେ ବିଛାନ୍ତି ଚକ୍ରାନ୍ତର ଜାଲ ପୁଣି କାନ୍ଧରେ ବୋହି ପାରନ୍ତି ଯନ୍ତ୍ରଣାର ତମାମ୍ ବୋଝ।

ଅଭାବ ଅନଟନର ତାଡ଼ନା ନୁହେଁ, ଖାସ୍ ଅଭିନୟ କରିବାର ଝୁଙ୍କରେ ରଙ୍ଗମଞ୍ଚର ରଙ୍ଗିନ୍ ଦୁନିଆରେ ପାଦ ଥାପିଥିଲେ। ନିଜ ପ୍ରତିଭା ଓ ସାଧନା ଯୋଗୁ ଯୌବନରେ ସଫଳତାର ଶିଖର ଛୁଇଁଲେ ତ ବୟସର ଚାପରେ ବଦଳାଇ ଦେଲେ ଚରିତ୍ର। ଆମେ କହୁଛୁ ସେହି ମଦବେପାରୀ ଫେଲୁ ଦାଦାର କଥା, ଯାହାର କୂଟିଳ ଚରିତ୍ରକୁ ପୁଂଜି କରି ନବେ ଦଶକରେ ସାରା ଓଡ଼ିଶାରେ ହିଟ୍ ହୋଇଥିଲା ଶିବାନୀ ଗଣନାଟ୍ୟର ମୋ ପେଁ କାଳି ବଜେଇ ଦେ। ଇଏ ସେହି କେଦାର ନାୟକ, ଯିଏ ମୁହଁରେ ରଙ୍ଗ ବୋଳିବାର ନିଶାରେ ମାତ୍ର କୋଡ଼ିଏ ବର୍ଷ ବୟସରେ ପାଠରେ ଡୋରି ବାନ୍ଧି ଘର ଛାଡ଼ିଥିଲେ। ପ୍ରଥମେ ସୁଯୋଗ ମିଳିଥିଲା ବୀଣାପାଣି କଳାକୁଞ୍ଜ ତାରାପୁର ଅପେରାରେ। ୧୯୭୮ରେ ଆରମ୍ଭ ହୋଇଥିଲା କେଦାରଙ୍କ ଯଲିଉଡ୍ କ୍ୟାରିଅର୍। ହେଲେ ପ୍ରସିଦ୍ଧି ମିଳିଥିଲା ଶିବାନୀ ଗଣନାଟ୍ୟକୁ ଆସିବା ପରେ। ଚର୍ଚ୍ଚିତ ନାଟକ ମୋ ପେଁ କାଳିର ଖଳଚରିତ୍ର, ମଦ ମାଫିଆ ଫେଲୁ ଦାଦାର ଅଭିନୟ ଦେଇଥିଲା ଷ୍ଟାର୍ ଅଭିନେତାର ପ୍ରସିଦ୍ଧି। ଏହିଠାରେ ଆରମ୍ଭ ହୋଇଥିବା ଇମେଜ୍ ବିଲଡିଂ ପରେ ଅନେକ ଅନୁଭବକୁ ସାଥିରେ ଧରି ପାଇଥିଲା ପରିପକ୍ୱତା ଏବଂ ପଛକୁ ଫେରି ଚାହିଁବାର ଫୁରୁସତ୍ ପାଇ ନଥିଲେ କେଦାର। କେବେ ଫେଲୁ ଅବା ପଶୁପତି ପୁଣି କେବେ ବେଲାଳସେନ ଚରିତ୍ରରେ ତାଙ୍କ ଚକ୍ରାନ୍ତର ବୁଢିଆଣୀ ଜାଲରେ ଖାଲି ନାୟକ କି ନାୟିକା ଅଣନିଃଶ୍ୱାସୀ ହୋଇ ପଡ଼ୁ ନଥିଲେ ବରଂ ଘାଇଲା ହୋଇ ଯାଉଥିଲେ ଦର୍ଶକ। ନିଜ ସ୍ଲୋ ପଏଜନ୍ ମାର୍କା ଭିଲିଆନି ଷ୍ଟାଇଲରେ ଯ।ତ୍ରାପ୍ରେମୀଙ୍କୁ କମିଆଁ କରି ଦେଇଥିବା କେଦାରନାଥ ନାୟକ ପରେ ଦେଇ ଚାଲିଲେ ଗୋଟିଏ ପରେ ଅନ୍ୟ ଏକ ହିଟ୍ ବହି। ନିଜ ଅଲକ୍ଷ୍ୟରେ ବନି ଯାଇଥିଲେ ଓଡ଼ିଆ ଯାତ୍ରା ଜଗତର ଅନ୍ୟଜଣେ ସୁପରଷ୍ଟାର୍।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ଯମରା ଗାଁରେ ଜନ୍ମ ହୋଇଥିବା ଏହି ମଞ୍ଚ ମହାରଥୀଙ୍କୁ ଯାତ୍ରା ଦୁନିଆ ଦେଇଛି ଯେତିକି ନେଇଛି ତା ଠାରୁ କାହିଁ କେତେ ଅଧିକ। ୨୦୦୫ରେ ଧାମଗନଗରରେ ଖେଳୁଥିଲା ଶିବାନୀ ଗଣନାଟ୍ୟ। ନିଝୁମ ରାତିର ନେଗେଟିଭ୍‌ ଚରିତ୍ରରେ ଭୟଙ୍କର ହୋଇ ଉଠୁଥିଲେ କେଦାର। ନାୟକ ଓ ନାୟିକାଙ୍କ ପାଇଁ ଚକ୍ରବ୍ୟୂହ ରଚି ନିଜ ଚରିତ୍ର ଭିତରେ ପୂରାପୂରି ମଜି ଯାଇଥିଲେ। ରାତି ପାହିବାକୁ ଥିଲା ଆଉ ଅଳ୍ପ ସମୟ। ସରି ସରି ଆସୁଥିଲା ବହି, କିନ୍ତୁ କେଦାରଙ୍କ ଚରିତ୍ରର ବେଶ୍ କିଛି ସିନ୍ ବାକି ଥିଲା। ଗ୍ରୀନ ରୁମରେ ହଠାତ୍ ଖବର ମିଳିଲା ବାପା ଆଉ ନାହାନ୍ତି। ଛାତି ଫାଟିଗଲା ଭଳି ଖବର ପାଇ ଅମାନିଆ ଲୁହରେ ଆଖି ଭର୍ତ୍ତି ହୋଇ ଗଲାବେଳକୁ ସେପଟେ ମଞ୍ଚରୁ ମିଳିଲା ଡାକରା। ବାସ୍, ବେଦନାର ଅଜସ୍ର କୋହ ଓ ଅସଂଖ୍ୟ ଲୁହ ଧାରକୁ ଲଗାମ୍ ଦେଇ ଅଭିନୟ ଜାରି ରଖିଥିଲେ ବିଲକୁଲ୍ ଶତ ପ୍ରତିଶତ ପ୍ରଫେସନାଲଙ୍କ ଭଳି।

ଇଏ ହୋଇପାରେ ଜୀବନର ସବୁଠାରୁ ବଡ଼ ଦୁଃଖଦ ଘଟଣା। ଏମିତି କିନ୍ତୁ ଛୋଟ ବଡ଼ ଅନେକ ଯନ୍ତ୍ରଣାର କୋହକୁ ଛାତି ତଳେ ଚାପି ରଖି ଗତ ଚାରି ଦଶନ୍ଧି ଧରି କେଦାର ନାୟକ ଯଲିଉଡରେ ମାଡ଼ି ଚାଲିଛନ୍ତି ବହୁ ଅମଡ଼ା ବାଟ। ସୃଷ୍ଟି କରିଛନ୍ତି ଢେର୍ ପ୍ରଶଂସକ ଆଉ ନିଜ ପାଇଁ ସ୍ୱତନ୍ତ୍ର ପରିଚିତି। ଯୌବନର ଉଦ୍ଦାମତା ଝାଉଁଳି ପଡ଼ିବା ପରେ ଆପଣାଇ ନେଇଛନ୍ତି ବୟସ୍କର ତ୍ୟାଗଶୀଳ ଓ ଚାପଗ୍ରସ୍ତ ଭୂମିକାକୁ, କିନ୍ତୁ ଦର୍ଶକଙ୍କ କରତାଳି ତାଙ୍କ ପିଛା ଛାଡ଼ିନି।

ତାରାପୁର ନାରାୟଣୀ ଅପେରା ପରେ ବଳଦେବଜୀଉ ଗଣନାଟ୍ୟ, ଶିବାନୀ ଓ ତାରିଣୀ ହୋଇ ଏବେ କେଦାର ନାୟକ କଳିଙ୍ଗ ଗଣନାଟ୍ୟରେ ନିଜ ଭବିଷ୍ୟତର ରାସ୍ତା ପକ୍କା କରିବାର ସୂତ୍ର ଖୋଜୁଛନ୍ତି ସତ ତଥାପି ତାଙ୍କରି ନାଁକୁ ଖୋଜି ଖୋଜି ଗ୍ୟାଲେରୀକୁ ଟିକେଟ୍ କାଟୁଛନ୍ତି ହଜାର ହରାର କେଦାରପ୍ରେମୀ ଯାତ୍ରା ଅନୁରାଗୀ।

ଗଛରେ ଡାକୁଛି ଟିକି ଚଢ଼େଇ, ମୋ ଗାଁ ମୋ ଦେଶ, ହାତୀ ନେ ଘୋଡ଼ା ନେ ମୋ ପେଁ କାଳି ବଜେଇ ଦେ, ଏ ଦୁନିଆ ଚିଡ଼ିଆଖାନା, ଫୁଲ ବଉଳବେଣୀ, ସଧବା ଓଢ଼ଣୀ ବିଧବା ବୋହୂ, ଠିକଣା ହଜିଛି ଜଗା ଭାଇର, ମୋତେ ଭୁଲିଯିବୁ ତତେ ମୋ ରାଣ, କାହିଁକି କାନ୍ଦୁଛୁ ଶୁଣିବ କିଏ, ସ୍ୱାମୀ ଆସିଥିଲା ରାତିକ ପାଇଁ, ରାଧା ହଜିଗଲା ଅଧା ବାଟରେ, ରଙ୍ଗ ବଜାରରେ ରଙ୍ଗ ଜୋକର, କିଣା ସ୍ୱାମୀ ନେଇ କରିଛି ଘର, କାହିଁକି କାନ୍ଦୁଛୁ ଶୁଣିବ କିଏ ପରି ୧୦୦ରୁ ଅଧିକ ନାଟକରେ ଅଭିନୟ କରି ଯଲିଉଡର ଆଗାମୀ ପିଢି ପାଇଁ କେଦାର ଛାଡ଼ିଛନ୍ତି ସଫଳତାର ମନ୍ତ୍ର ସବୁ, ପାଲଟି ଯାଇଛନ୍ତି ଚଳନ୍ତି କିମ୍ବଦନ୍ତୀ।

ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ, ଓଡ଼ିଶା ରିପୋର୍ଟର୍

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।