ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଁ ଅଗ୍ନି। ଜଳିବା ମୋର ଧର୍ମ। ଜାଳିବା ମୋ କର୍ମ। ଆଉ ଧ୍ୱଂସ କରିବା ମୋର ଅଭ୍ୟାସ।.... ଜୀବନଟା ତ’ ଜଞ୍ଜାଳ। ନଈ ପଠାର ତତଲା ବାଲି। ହେଲେ ଏଠି ମୃତ୍ୟୁର କୋମଳ ଛୁଆଁ...। ମେରୁ ପାହାଡ଼ର ବରଫଠାରୁ ଆହୁରି ଶୀତଳ ଆହୁରୀ କୋମଳ। ଗୁରୁଗମ୍ଭୀରର ସ୍ୱରରେ ଏ ସବୁ ସଂଳାପ କହିଲା ବେଳେ ତାଙ୍କ ଆଖି ଲୁହରେ ଛଳ ଛଳ ହୋଇଯାଉଥିଲା। ଠପ୍ ଠପ୍ ହୋଇ ବୋହି ଯାଉଥିବା ଅଶ୍ରୁ କୌଣସି ମିଛ ଅଭିନୟ ନଥିଲା। ବରଂ ଥିଲା ବାସ୍ତବ।
ସବୁ କାହାଣୀ ନୂଆ ମୋଡ଼ ନେବା ଭଳି ତାଙ୍କ ପ୍ରକୃତ ଜୀବନ ନାଟକର କାହାଣୀ ମଧ୍ୟ ବଦଳି ଯାଇଛି। ଆଉ ସେଇ କହାଣୀର ନିର୍ଦ୍ଦେଶକ ‘କରୋନା’ ଆଜି ଜ୍ଞାନ ରଞ୍ଜନ ସାହୁଙ୍କୁ ଯାତ୍ରା ଅଭିନେତାରୁ ୱେଲ୍ଡିଂ ଦୋକାନୀ ସଜାଇ ଦେଇଛି। ବଦଳାଇ ଦେଇଛି ତାଙ୍କ ଚରିତ୍ର। ଯିଏ ମଞ୍ଚରେ ଜାଳିବା, ଜଳେଇବା ଓ ଧ୍ୱଂସ ବିଧ୍ୱଂସର ଛାତିଥରା ଡାଇଲଗ୍ ମାରି ମଞ୍ଚ ଥରାଇ ନିଆଁ କରି ଦେଉଥିଲେ ସିଏ ଆଜି ପେଟ ପାଇଁ ନିଜେ ଜଳୁଛନ୍ତି। ପରିସ୍ଥିତି ଓ ଭୋକର ଜ୍ୱାଳା ତାଙ୍କ ବୃତ୍ତିକୁ ବଦଳାଇଦେଇଛି। ତଥାପି ଜୀବନ ଯାତ୍ରାରେ ସେ ଥକି ପଡ଼ିନାହାନ୍ତି।
https://www.facebook.com/OdishaReporter/videos/292214552000921/
ଯିଏ ଅଭିନୟ ଜଗତର ଓସ୍ତାଦ ତାଙ୍କୁ କ’ଣ ଅଜଣା ଜୀବନ ଯାତ୍ରା ମଧ୍ୟ ଏକ ନାଟକ ବୋଲି । ଆଉ ସେଇ ଯାତ୍ରାପଥରେ କେଉଁଠି ସମତଳ, ଖାଲ ଢ଼ିପ ପୁଣି ଏମିତି କେତେ କଣ ପଡ଼ିବ। ଉଠାଣି ଓ ଗଡ଼ାଣି ଦେଇ ଜୀବନ ଯେତେବେଳେ ଗତିଶୀଳ ହେଉଛି ସେଥିରେ ଜ୍ଞାନ କାହିଁକି ଥକିପଡ଼ିବେ। ତେଣୁ ସେ ଏବେ ଜୀବିକା ପାଇଁ ନୂଆ ଚରିତ୍ରରେ ଅବତୀର୍ଣ୍ଣ ହୋଇ ଜୀବନର ଗାଡ଼ିକୁ ଆଗକୁ ଗଡ଼େଇ ଚାଲିଛନ୍ତି।
ଢେଙ୍କାନାଳ ଜିଲ୍ଲାରେ ଯାତ୍ରା ଜଗତର ପ୍ରସିଦ୍ଧ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କ ଘର। କରୋନା ଯୋଗୁ ଏବେ ଯାତ୍ରା ବନ୍ଦ ଥିବାରୁ ଜ୍ଞାନ ୱେଲ୍ଡିଂ ଦୋକାନ କରି ପେଟ ପୋଷୁଛନ୍ତି। ସେ କୁହନ୍ତି ୧୫ ବର୍ଷ ହେଲା ମୁଁ ଯାତ୍ରା କରିଛି। ପ୍ରଥମ ଯାତ୍ରା ପାର୍ଟି ହେଉଛି ଶିବାନୀ ଗଣନାଟ୍ୟ। ସେଠାରେ ୬ ବର୍ଷ ପରେ ଧଉଳି। ଏମିତି ଇଷ୍ଟର୍ଣ୍ଣ ରେଡ୍ ଓ ତୁଳସୀରେ ଦୁଇ ବର୍ଷ ଅଭିନୟ କରିଛନ୍ତି ଜ୍ଞାନ। ଯାତ୍ରାକୁ ନିଶା ଭାବି ଯାଇଥିଲେ। ପରେ ତାହା ପେଶା ପାଲଟିଗଲା। ମାର୍ଚ୍ଚ ୧୧ରେ ଯାତ୍ରା ବନ୍ଦ ହୋଇଗଲା ବୋଲି କୁହନ୍ତି ଜ୍ଞାନ। ମ୍ୟାନେଜମେଣ୍ଟ କହିଲେ ୧୫ ଦିନ ପରେ ଆସିବ। ହେଲେ କେବେ ବିଶ୍ୱାସ କରିନଥିଲୁ ଏତେ ଦିନ ଘରେ ରହିଯିବୁ। ଶେଷରେ ଘରେ ବସିବା ପରେ କାମ ନମିଳିବାରୁ ଏହି ଦୋକାନ ହିଁ ମୋର ସାହାରା ପାଲଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।