ଆଗେ ଥିଲେ ବୈଶାଳୀ, ପରେ ହେଲେ ରୀନା; ତାଙ୍କ ଯାତ୍ରା ଥିଲା ଯନ୍ତ୍ରଣାଶିକ୍ତ

ଅଭିନୟର ନିଶାକୁ ପେସା କରିବା ପଛରେ ସଉକ ନୁହେଁ, ଥିଲା ପାରିବାରିକ ବାଧ୍ୟବାଧ୍ୟକତା। ନିଷ୍ପାପ ଶିଶୁର କୋମଳ ମନ ନେଇ ଆସିଥିଲେ ମଞ୍ଚକୁ। କୈଶୋର ଓ ତାରୁଣ୍ୟରେ ମିଳିଥିଲା ପ୍ରସିଦ୍ଧି। ରାତାରାତି ବଦଳିଗଲା ତାଙ୍କ ନାଁ। ଆଉ ଶିଶୁ କଳାକାରରୁ ଭାୟା ପାର୍ଶ୍ୱ ଚରିତ୍ର ହୋଇ ଏବେ ନାୟିକା ନୁହେଁ ସେ ଖଳନାୟିକା। ସେ ହେଉଛନ୍ତି ରୀନା।

ମଞ୍ଚରେ ତାଙ୍କ ଉଗ୍ର ନେଗେଟିଭ୍ ଚରିତ୍ର ଷ୍ଟୋରୀରେ କେବଳ ଟ୍ୱିଷ୍ଟ ଆଣେନି ବରଂ ଦର୍ଶକଙ୍କୁ ଘାଇଲା ବି କରେ। ନାୟକକୁ ଜବରଦସ୍ତ ପାଇବା ପାଇଁ କେବେ ସେ ସବୁ କିଛି ବାଜିରେ ଲଗାଇ ଦିଅନ୍ତି ତ ଆଉ କେବେ ବୁହାଇ ପାରନ୍ତି ରକ୍ତ ଆଉ ଲୁହର ଝରଣା। ତାଙ୍କ ଡାଏଲଗ ଡେଲିଭରି ଓ ବଡି ଲାଙ୍ଗୁଏଜରେ ନର୍ଭସ ହୋଇ ପଡ଼ନ୍ତି ପ୍ରତିପକ୍ଷ ଅଭିନେତା, ଅଭିନେତ୍ରୀ ପୁଣି ହ୍ୱିସଲ୍ ଓ ତାଳି ମାଡ଼ରେ ଉଚ୍ଛୁଳି ପଡ଼େ ସାରା ପରିବେଶ।

ମା’ର ପଣତକାନି ଓ ଗାଁ ଦାଣ୍ଡର ଧୂଳି ଖେଳ ଛାଡ଼ି ମାତ୍ର ଆଠ ବର୍ଷ ବୟସରରେ ସବୁ ସାମାଜିକ ବାଡ଼ ବନ୍ଧନକୁ ପଛରେ ରଖି ଯଲିଉଡ ଚାଲି ଆସିଥିଲେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅଞ୍ଜି ଗାଁର ବୈଶାଳୀ ସାହୁ। ଅଭିନୟ ନିଶା ତାଙ୍କୁ ରଙ୍ଗମଞ୍ଚର ଦୁନିଆକୁ ଟାଣି ଆଣିଥିଲା ସତ ହେଲେ ଏହା ପଛର ପ୍ରମୁଖ କାରଣ ଥିଲା ପାରିବାରିକ ଅନଟନ ଓ ଯନ୍ତ୍ରଣାସିକ୍ତ ଜୀବନ। ରଙ୍ଗ ଆଲୁଅର ଝିଲମିଲ୍ ଖେଳରେ ସାମିଲ ହେବା ମାତ୍ରେ ହିଁ ବଦଳି ଯାଇଥିଲା ତାଙ୍କ ପିତୃ-ମାତୃଦତ୍ତ ନାଁ। ମାନେ ରାତାରାତି ବୈଶାଳୀ ପାଲଟି ଯାଇଥିଲେ ରୀନା। ଏବେ ଯଲିଉଡର ଜଣାଶୁଣା ଖଳନାୟିକାଙ୍କ ମଧ୍ୟରେ ରୀନା ଜଣେ ଚର୍ଚ୍ଚିତ ନାଁ।

ବୈଶାଳୀଙ୍କୁ ମଞ୍ଚ ଦେଇଛି ଯେତିକି ନେଇଛି ବି ସେତିକି। ପାଖାପାଖି ବର୍ଷେ ତଳେ ଛତିଶଗଡ଼ରେ ଖେଳୁଥିଲା ଶିବାନୀ ଗଣନାଟ୍ୟ। ‘ବୋଉ ଲୋ ମୁଁ ବୋହୂ ହେବି ନି’ ନାଟକର ଖଳନାୟିକା ସୋନୀ ଚରିତ୍ରରେ ମଞ୍ଚ ଦୁଲୁକାଉଥିଲେ ବୈଶାଳୀ ଓରଫ୍ ରୀନା। ତାଙ୍କ ଚରିତ୍ର ଥିଲା ନାୟିକାକୁ ଯାବତୀୟ ଯନ୍ତ୍ରଣା ଦେଇ ନାୟକକୁ ଆକୃଷ୍ଟ କରି ନିଜ କବଜାରେ ରଖିବା। ମଞ୍ଚରେ ବେଶ୍ ଉଗ୍ର ଓ ଭୟାନକ ବି ଲାଗୁଥିଲେ ରୀନା। ବହି ଅଧା ଅଧି ହୋଇ ସାରିଥିଲା ଆଉ ଉଗ୍ର ଆଧୁନିକା ସୋନୀର ହିଂସାତ୍ମକ ଚରିତ୍ରରେ ଏକଦମ୍ ଭିଜି ସାରିଥିଲେ ସେ। କିଛି ସିନ୍ ସରିବା ପରେ ଦୁଲ୍ ଦୁଲ୍ ହୋଇ ଗ୍ରୀନ ରୁମକୁ ଫେରିବା ବେଳେକୁ ଅପେକ୍ଷା କରି ରହିଥିଲା ପରିବାରର ଏକ ଫୋନ୍ କଲ୍। ସେ କଲ୍ କହିଲା ଛାତି ଥରିଯିବା ଭଳି କାହାଣୀ। ଟ୍ରେନରେ କଟି ଯାଇଥିଲା ନିଜ ଭାଇର ଦୁଇ ଗୋଡ଼। ହଠାତ୍ ଥମ୍ ପଡ଼ିଗଲେ ସେତେବେଳକୁ ନିଜ ଭିତରେ ଖଳନାୟିକାର ଦମ୍ ଭରି ସାରିଥିବା ବୈଶାଳୀ। କିଛି ସମୟ ନିର୍ବାକ ରହିବା ପରେ ପ୍ରକୃତିସ୍ଥ ହେଲେ ତ ଆଖିର ଲୁହକୁ ଓଠରେ ପିଇ ହୃଦୟର କୋହକୁ ଛାତିରେ ଚାପି ପୁଣି ମଞ୍ଚରେ ମଜିଗଲେ ରାତି ତମାମ୍ ସୋନୀର ଚରିତ୍ର ଭିତରେ। ସକାଳ ହେବା ପୂର୍ବରୁ ଗାଡ଼ି କରି କଟକ ଆସିଲେ ଦୁର୍ଘଟଣାଗ୍ରସ୍ତ ଭାଇକୁ ଦେଖିବା ପାଇଁ ହେଲେ ଢେର ସମୟ ଅପେକ୍ଷା ସତ୍ତ୍ୱେ ଦେଖିବାର ସୁଯୋଗ ନମିଳିବାରୁ ପୁଣି ସେହି ଭଡ଼ା ଗାଡ଼ିରେ ଫେରିଗଲେ ଛତିଶଗଡ଼। ଏଇଠୁ ବୈଶାଳୀ ଶିଖଥିଲେ କଳାକାର ପାଇଁ ନିଜ ପରିବାର ଅପେକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଓ ଦର୍ଶକ।

କଳିଙ୍ଗରୁ ଶିଶୁ କଳାକାର ଭାବେ ବ୍ରେକ୍ ପାଇଥିବା ରୀନା ପରେ ମୁକ୍ତେଶ୍ୱର, କ୍ଲାସିକ ଗଣନାଟ୍ୟ, ତ୍ରିନାଥ, ଇଷ୍ଟର୍ଣ୍ଣ ପିଙ୍କରୁ ଅଭିଜ୍ଞତା ସାଉଁଟି ଆଗକୁ ବଢ଼ିଲେ। କିନ୍ତୁ ଏବେ ଯେଉଁ ପ୍ରସିଦ୍ଧି ଓ ପରିଚିତି ରୀନା ପାଇଛନ୍ତି, ସେସବୁ ଦେଇଛି ବାଘାଯତୀନ ଲୋକନାଟ୍ୟ, ଯାତ୍ରା ସଚ୍ଚିଦାନନ୍ଦମ୍, ଇନ୍ଦ୍ରଭୁବନ ଓ ଶିବାନୀରେ ତାଙ୍କର ଖଳନାୟିକା ଚରିତ୍ର।

ବୈଶାଳୀଙ୍କ ଚର୍ଚ୍ଚିତ ନାଟକ ଭିତରେ ରହିଛି- ବଦମାସ ମୀନକେତନ, ଗାୟତ୍ରୀ ଅପାର ଗୋପନ କଥା, ବଣରୁ ଫେରିଛି ବଣ ମଣିଷ, ଲିସା ଚନ୍ଦନର ପ୍ରେମ, ଫଗୁଣ ଦେଇଛି ପହିଲି ଚିଠି, ଭାଲୁ ଶାସନରେ ଲାଲୁ ରାଜା ଓ ମିତା ମହାନ୍ତି ମିଛ କହନ୍ତି । ଏହା ସହିତ ସାର୍ଟ ହଜିଗଲା ସନା ଦାସର, ସୁନା ହରିଣୀ, ଏମିତି ଝିଅକୁ ବାହା ହେବା ମନା, ହେ ଈଶ୍ୱର ଆର ଜନମକୁ ମୋତେ ନାରୀ କର, ମଝିଆ ପୁଅ କାହାର ନୁହଁ, ସବୁ ଅଧା ଅଧା ନାଁଟି ରାଧା, ଏ ମୁନି ବଦନାମ ହୋଇ, ଥ୍ୟାଙ୍କ ୟୁ ଡାଡି, ବିଦ୍ରୋହୀ, ବୋଉ ଲୋ ମୁଁ ବୋହୂ ହେବିନି, ରୂପ ରାଇଜର ରାଜ କୁମାରୀ ଓ ରଙ୍ଗ ଲଗାଇଛି ରଙ୍ଗନାଗର।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।