ଆମ ଜୀବନରେ ଯାହାଙ୍କର ମହତ ଦାନ ଥାଏ ସେ ହେଉଛନ୍ତି 'ଗୁରୁ'। ଅମୂଲ୍ୟ ସେ ଦାନ ଶିକ୍ଷାକୁ ଦାନ କରି ଜୀବନର ଅନ୍ଧକାରକୁ ଦୂର କରନ୍ତି। ପିଲାଟିର ଜୟ-ପରାଜୟକୁ ସେ ନିଜର ଜୟ-ପରାଜୟ ମଣନ୍ତି। ବାସ୍ ତାଙ୍କୁ ଦିଆଯାଇଥିବା ଆଖ୍ୟାରେ ହିଁ ସବୁକିଛି ଭରି ରହିଛି। 'ଗୁ' ର ଅର୍ଥ ଅନ୍ଧାର ଆଉ 'ରୁ' ଅର୍ଥ ଆଲୋକ। ଯିଏ ଅନ୍ଧାରରୁ ଆଣି ଆଲୋକର ପଥ ଦେଖାନ୍ତି ସେ ହେଉଛନ୍ତି 'ଗୁରୁ'। ଏପରି ଏକ ମଣିଷଟିଏ ନାହିଁ ଯାହାଙ୍କ ଜୀବନରେ ଗୁରୁ ନଥିବେ। ଗୁରୁ ସର୍ବତ୍ର ବିଦ୍ୟମାନ।
ହଁ ଗୁରୁ ସର୍ବତ୍ର ବିଦ୍ୟମାନ ବୋଲି ତାଙ୍କୁ ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କ ସହ ତୁଳନା କରାଯାଇିଛି। ସେଥିପାଇଁ ତ କୁହାଯାଇଛି 'ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର।' ଭଗବାନ ଜନ୍ମଦେଇ ଜ୍ଞାନ ଆହରଣ ନିମନ୍ତେ ଗୁରୁଙ୍କୁ ମାଧ୍ୟମ ରୂପେ ରଖିଛନ୍ତି। ଯଦି ବାପାଙ୍କ ସାଙ୍ଗରେ ଗୁରୁ ଥିବେ ତେବେ ବାପା କହନ୍ତି ପ୍ରଥମେ ଗୁରୁଙ୍କ ପାଦ ସ୍ପର୍ଶ କର, କାରଣ ସେ ତୋତେ ନଇଁବାର ଜ୍ଞାନ ଶିଖାଇଛନ୍ତି। ମୁଖରେ ସୁବଚନ, ମନରେ ସୁଚିନ୍ତନ ଆଉ ହସ୍ତରେ ସୁକର୍ମର ଶିକ୍ଷା ଦିଅନ୍ତି 'ଗୁରୁ'।
ବାପା-ମାଆ ପିଲାଟିକୁ ଗୁରୁଙ୍କ ଦାୟିତ୍ୱରେ ଛାଡି କହନ୍ତି, 'ଆଖି ବୁଜି ବାଡେଇବେ। ତା' ପରେ ଯାଇ ସେ ବାଟକୁ ଆସିବ।' ଆଜ୍ଞା ହଁ ଯେଉଁ ବାପା-ମାଆ ପିଲାଟିର କଷ୍ଟ ଟିକେ ସହିପାରନ୍ତିନି, ସେମାନେ ଆକଟ କରିବାର ସବୁ ଅନୁମତି ଗୁରୁଙ୍କୁ ହିଁ ଦେଇଦିଅନ୍ତି। କାରଣ ସେମାନେ ହିଁ ଜାଣିଥାନ୍ତି ଗୁରୁଙ୍କ ଆକଟରେ, ତାଙ୍କ ଛାଟରେ ବାଟ ଅଛି। ସେ ହିଁ ଜଣେ ଲୋକ ଯିଏ ଜନ୍ମ ନ ଦେଲେ ମଧ୍ୟ ସବୁବେଳେ ପିଲାଟିର ବିଜୟ କାମନା କରନ୍ତି।
ବୃତ୍ତି ପରୀକ୍ଷା ଦେବାକୁ ସାଙ୍ଗରେ ନେଇ ଯାଆନ୍ତି। ଆଉ ଗାଁ ଛକରେ ବରିଷ୍ଠ ଲୋକଙ୍କ ଗହଣରେ ଆଲୋଚନା ସମୟରେ କହନ୍ତି ଏଥର ମୋ ସ୍କୁଲରୁ ଅମକ ଛୁଆ ବୃତ୍ତି ପାଇଛି, ସମକ ଛୁଆ ଜିଲ୍ଲାରେ ଟପ୍ପର ହୋଇଛି ଇତ୍ୟାଦି ଇତ୍ୟାଦି। ଏପରି ବଖାଣିବା ସମୟରେ ଗୁରୁଙ୍କ ମନରେ ଯେଉଁ ଭାବ ଆନ୍ଦୋଳିତ ହୁଏ, ତାହା ହିଁ ବଖାଣେ ତାଙ୍କ ନିଃସ୍ୱାର୍ଥପର ସେବାକୁ।
ଘରେ ବାପା, ମାଆ, ସ୍ତ୍ରୀ, ଛୁଆ, ପିଲା ସଂସାର ଛାଡି ଧାଇଁ ଆସନ୍ତି ପିଲାଙ୍କ ପାଖକୁ। ଆଉ କହନ୍ତି ମୁଁ ଯାଉଛି, ତେଣେ ମୋ ଛୁଆ ମୋତେ ଅପେକ୍ଷା କରିଥିବେ। ତାଙ୍କର ଏ ସେବା ପାଇଁ ଦୁନିଆର ସବୁ ପାରିଶ୍ରମିକ ବୃଥା ପଡ଼ିଯାଏ। ଖାସ୍ ସେଥିପାଇଁ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ତାଙ୍କ ଜନ୍ମ ଜୟନ୍ତୀକୁ ଗୁରୁଙ୍କ ପାଇଁ ଉତ୍ସର୍ଗ କରି ଦେଇଥିଲେ। ପ୍ରତିଟି ମଣିଷର ଜୀବନରେ ଏକ ସ୍ଥାନ ଅଳଙ୍କୃତ କରିଥିବା ଗୁରୁଙ୍କ ପାଇଁ ଦିନଟିଏ ସମର୍ପି ଦେବାର ଆବଶ୍ୟକତା ଥିବା ହୃଦୟଙ୍ଗମ କରିଥିଲେ। ଆଉ ସେବେଠାରୁ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଜୟନ୍ତୀକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି।
୧୮୮୮ ମସିହା ତାମିଲନାଡୁର ତିରୁତନୀଠାରେ ଜନ୍ମ ଗ୍ରହଣ କରିଥିଲେ ସର୍ବପଲ୍ଲୀ। ସେ ଏକାଧାରରେ ଜଣେ ଉତ୍କୃଷ୍ଟ ବକ୍ତା ଓ ହିନ୍ଦୁ ବିଚାରକ ଥିଲେ। ଭାରତୀୟ ସଂସ୍କୃତିରେ ଜଣେ ମହାନ ଶିକ୍ଷକ ଭାବେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲେ। ତାଙ୍କ ମତରେ, ଯଦି ପିଲାଟିକୁ ଉତ୍ତମ ଶିକ୍ଷା ମିଳେ ତେବେ ସେ ନିଜର ଏବଂ ଦେଶର ଭବିଷ୍ୟତ ଉଜ୍ବଳ କରିପାରିବ। ସର୍ବପଲ୍ଲୀ ରାଧାକୃଷ୍ଣନ ବେଦ ଓ ଉପନିଷଦକୁ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ।
ତେବେ ଏହି ଗୁରୁ-ଶିଷ୍ୟ ପରମ୍ପରା ଏବେର ନୁହେଁ। କେଉଁ ପୁରାତନ କାଳରୁ ଏହି ପ୍ରଥା ରହିଆସିଛି। ଗୁରୁ ଦ୍ରୋଣାଚାର୍ଯ୍ୟ, ପର୍ଶୁରାମ ଏପରି ଅନେକ ଗୁରୁଙ୍କ ଗାଥା ପୁରାଣରେ ବର୍ଣ୍ଣିତ ହୋଇଛି। ଆଗକୁ ଏହିପରି ପରମ୍ପାରାକୁ ଜୀବିତ ରଖିବା ଉଦ୍ଦେଶ୍ୟରେ ଗୁରୁଦିବସ ପାଳନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।