- ଜାନକୀଶ ବଡ଼ପଣ୍ଡା
କୋରାପୁଟ ଜିଲ୍ଲାର ବଡ଼ସହର ଜୟପୁର ପୁଣିଥରେ ଆକାଶପଥରେ ଯୋଡ଼ି ହୋଇଛି। ଏହା ଅବିଭକ୍ତ କୋରାପୁଟବାସୀଙ୍କ ପାଇଁ ଯେତିକି ଆନନ୍ଦର କଥା, ତାହାଠୁ ଅଧିକ ସୁଖର କଥା ସମଗ୍ର ଓଡ଼ିଶାବାସୀ ଓ ସୀମାନ୍ତ ଆନ୍ଧ୍ର, ଛତିଶଗଡ଼ ଅଧିବାସୀଙ୍କ ପାଇଁ । ସେମାନେ ଏବେ କେବଳ ଦେଶବିଦେଶକୁ ଯାତ୍ରାକରିବା ଶସ୍ତା ଓ ସୁବିଧାଜନକ ହେବନି, ବରଂ ଏହି ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକ ଆସିବେ ଓ ଏଠାରେ ଚାଷ ହେଉଥିବା କଫିର ମହକ ପାଇବ ସମଗ୍ର ବିଶ୍ୱ ।
କେନ୍ଦ୍ର ସରକାର ଜାତୀୟ ବେସାମରିକ ବିମାନ ଚଳାଚଳ ନୀତି ଘୋଷଣା କଲାବେଳେ ଉଡାନ ଯୋଜନା ମାଧ୍ୟମରେ ଆକାଶ ପଥରେ ଦେଶର ସମସ୍ତ ଅଞ୍ଚଳକୁ ଯୋଡିବାର ପରିକଳ୍ପନା କରିଥିଲେ । 'ଉଡ଼େ ଦେଶକା ଆମ ନାଗରୀକ' ବା ସଂକ୍ଷେପରେ 'ଉଡାନ' ଯୋଜନାକୁ ୨୦୧୬ ଜୁନ ୧୫ରେ ଜାତୀୟ ନୀତିର ମାନ୍ୟତା ଦେଇ ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ସେହିବର୍ଷ ଅକ୍ଟୋବର ୨୧ ତାରିଖରେ ଲୋକାର୍ପିତ କରିଥିଲେ । ସେବେଠୁ ପ୍ରତିବର୍ଷ ୨୧ ଅକ୍ଟୋବର'କୁ ଉଡାନ ଦିବସ ରୂପେ ପାଳନ କରାଯାଉଛି।
ପକେଟକୁ ସୁହାଇବା ଭଳି ଟିକେଟ ମୂଲ୍ୟ, ଦେଶର ସବୁ ଅଞ୍ଚଳସହ ଆକାଶପଥରେ ସଂଯୋଗ ସ୍ଥାପନ, ବିମାନବନ୍ଦର ଗୁଡିକର ଭିତ୍ତିଭୂମି ବିକାଶ, ନିଯୁକ୍ତି ସୁଯୋଗ ସହ ଆଞ୍ଚଳିକ ବୈଷମ୍ୟ ହ୍ରାସ ହେଉଛି ଉଡାନ ଯୋଜନାର ଉଦ୍ଦେଶ୍ୟ । ଓଡ଼ିଶା ଭଳି ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ରାଜ୍ୟପାଇଁ 'ଉଡାନ' ଆଣିଦେଲା ଏକ ଅପୂର୍ବ ସୁଯୋଗ । ଏହି କେନ୍ଦ୍ରୀୟ ଯୋଜନାକୁ ଉପଯୋଗ କରି କିଛି ରାଜ୍ୟ ତତ୍କାଳ ପଦକ୍ଷେପ ନେବାକୁ ଆରମ୍ଭ କଲେ ।
ଫଳରେ ୨୦୧୭ ଏପ୍ରିଲ ୨୭ରେ ଦିଲ୍ଲୀରୁ ହିମାଚଳ ପ୍ରଦେଶର ସିମଲାକୁ ବିମାନ ଉଡାଣ ହେବା ସହ ଆନ୍ଧ୍ର ପ୍ରଦେଶର କଡପ୍ପା ଓ ମହାରାଷ୍ଟ୍ରର ନାନ୍ଦେଦସହର ହାଇଦ୍ରାବାଦସହ ଆକାଶ ପଥରେ ଯୋଡିହୋଇଗଲେ । ଏହି ଯୋଜନାରେ ଆଜିଯାଏଁ ଦେଶର ୫୮ଟି ବିମାନଘାଟି, ୮ଟି ହେଲିପୋର୍ଟ, ଓ ୨ଟି ଜଳ-ବିମାନବନ୍ଦର କାର୍ଯ୍ୟକାରୀ ହୋଇ ସାରିଲାଣି । ଏଥି ମଧ୍ୟରେ ଓଡ଼ିଶାର ଅଛି ମାତ୍ର ଗୋଟିଏ - ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର। ରାଉରକେଲା ବିମାନବନ୍ଦରକୁ ବହୁ ପୂର୍ବରୁ ଓ ଗତ ୨୦ ତାରିଖରେ ଜୟପୁର ବିମାନବନ୍ଦରକୁ ବେସାମରିକ ବିମାନଚାଳନା ମହାନିର୍ଦ୍ଦେଶକ (ଡିଜିସିଏ) ଲାଇସେନ୍ସ ପ୍ରଦାନ କରିସାରିଛନ୍ତି ଓ ଉତ୍କେଲା ବିମାନଘାଟି ଆଜିସୁଦ୍ଧା ସର୍ବନିମ୍ନ ଆବଶ୍ୟକତା ପୂରଣ କରିପାରି ନଥିବାରୁ ଲାଇସେନ୍ସ ପାଇପାରିନାହିଁ ।
ରାଜ୍ୟରେ ଥିବା ୧୭ଟି ବିମାନଘାଟି ଓ ୧୬ଟି ହେଲିପ୍ୟାଡର ତାଲିକା ଓଡିଶା ସରକାର କେନ୍ଦ୍ର ମନ୍ତ୍ରଣାଳୟକୁ ପ୍ରଦାନ କଲାବେଳେ ଉଡାଣ ଯୋଜନାରେ ମାତ୍ର ୬ ଗୋଟି ବିମାନବନ୍ଦରକୁ ସାମିଲ କରିବାକୁ ୨୦୧୬ ସେପ୍ଟେମ୍ବର ୩ ତାରିଖରେ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ । ସେଗୁଡିକ ଥିଲା - ରାଉରକେଲା, ଜୟପୁର, ସମ୍ବଲପୁରର ଜମାଦାରପଲ୍ଲୀ, ବଲାଙ୍ଗୀରର ତୁଷୁରା, କଳାହାଣ୍ଡିର ଉତ୍କେଲା ଓ ଗଞ୍ଜାମର ରଙ୍ଗେଇଲୁଣ୍ଡା । ଚିଠିରେ ଏକଥା ବି ଲେଖିଥିଲେ ଯେ ଏହି ଛଅ'ଟି ଯାକ ସ୍ଥାନରେ ରନୱେ ଲମ୍ବ କମ ଥିବାରୁ ଏହିସବୁ ସ୍ଥାନରୁ ଜେଟବିମାନ ଉଡାଣ ସମ୍ଭବ ନୁହେଁ । ଏଣୁ ଏହିସବୁ ପ୍ରସ୍ତାବିତ ବିମାନବନ୍ଦରରୁ ଏଟିଆର-୪୨ ଓ ଟରବୋପ୍ରପ ବିମାନ ଚଳାଚଳ ବ୍ୟବସ୍ଥା କରାଯାଉ ।
ଚିଠିରେ ଉଲ୍ଲେଖିତ ପ୍ରସ୍ତାବିତ ବିମାନବନ୍ଦର ନାମତାଲିକା ଦେଖିଲେ, ଏଥିରୁ ବାସ୍ତବତା ଅପେକ୍ଷା ଲୋକଙ୍କୁ ଖୁସି କରିବାର ଉଦ୍ଦେଶ୍ୟ ବାରି ହୋଇଯାଏ । ଏସବୁ ସ୍ଥାନରେ ଆଜିଯାଏଁ କେବଳ ବିମାନଘାଟି ଗୁଡିକର ରନୱେ ମରାମତି ଓ ପୁନଃନିର୍ମାଣ, ପାଚେରୀ ଓ ଗେଟ ନିର୍ମାଣ ଇତ୍ୟାଦିରେ ଅଜସ୍ର ଅର୍ଥ ବ୍ୟୟ ହୋଇଥିଲେବି ଏଠାରୁ କେତେବେଳେ କେମିତି ରାଜ୍ୟ ସରକାରଙ୍କ ବିମାନ ଉଡୁଛି ସିନା, ହାୱାଇ ଚପଲ ପିନ୍ଧୁଥିବା ସାଧାରଣଲୋକମାନେ ଏଠାରୁ ବିମାନଯାତ୍ରା କରିବା ସମ୍ଭବ ହୋଇ ପାରିଲାନି ।
ଏକ ଚମତ୍କାର କେନ୍ଦ୍ରୀୟ ଯୋଜନାରୁ ଓଡିଶା ଲାଭ ଉଠାଇ ନ ପାରିବା ନିଶ୍ଚୟ ଚିନ୍ତାଜନକ । କେନ୍ଦ୍ର ବେସାମରିକ ବିମାନ ସେବା ମନ୍ତ୍ରଣାଳୟର ଜଏଣ୍ଟ ସେକ୍ରେଟାରୀ ଥିବା ଓଡ଼ିଆ ବୋହୂ ଶ୍ରୀମତି ଉଷା ପାଢ଼ୀଙ୍କୁ ଧନ୍ୟବାଦ ଦେବାକୁ ହେବ ଯେ, ଏହି କେନ୍ଦ୍ରୀୟ ଯୋଜନାକୁ ବ୍ୟକ୍ତିଗତ ଆଗ୍ରହ ସହିତ ବାରମ୍ବାର ତଦାରଖ କରିବାରୁ ଆଜିଠୁ ରାଜ୍ୟର ତୃତୀୟ ବିମାନ ବନ୍ଦର ଭାବେ ଜୟପୁରରୁ ଯାତ୍ରୀବାହୀ ବିମାନସେବା ଆରମ୍ଭ ହେବାକୁ ଯାଉଛି ।
ଝାରସୁଗୁଡା ବିମାନବନ୍ଦରକୁ କେନ୍ଦ୍ରସରକାର ନିଜ ଆଡୁ ଉଡାନ ଯୋଜନାରେ ସାମିଲ କରି ସେଠାରୁ ନିୟମିତ ବିମାନସେବା ଆରମ୍ଭ କରିବାକୁ ପ୍ରାଧାନ୍ୟ ଦେବାଫଳରେ ୨୦୧୭ ମାର୍ଚ୍ଚ ୧ ତାରିଖରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହେଲା । ଏଥିରେ, ପ୍ରଥମ ଦଫାରେ ଝାରସୁଗୁଡା, ରାଉରକେଲା, ଉତ୍କେଲା ଓ ଜୟପୁରକୁ ସାମିଲ କରାଗଲା । ଇତିମଧ୍ୟରେ ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ୨୦୧୮ ସେପ୍ଟେମ୍ବର ୨୨ରୁ ନିୟମିତ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହୋଇସାରିଛି ।
ବହୁ ପୂର୍ବରୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଏହାକୁ ହାତକୁ ନେଇ କଂକ୍ରିଟ-ରନୱେର ଲମ୍ବକୁ ୭୮୪୪ ଫୁଟ ଯାଏଁ ବଢ଼େଇ ଥିବାରୁ ଏଠାରୁ ଜେଟ ବିମାନ ଉଡିବା ସମ୍ଭବ ହୋଇପାରିଲା । ରାଉରକେଲାରେ ଥିବା ବିମାନଘାଟି ରନୱେର ଲମ୍ବ ମାତ୍ର ୬ ହଜାର ଫୁଟ ଓ ଏହା ଇସ୍ପାତ ମନ୍ତ୍ରଣାଳୟ ଅଧିନରେ ରହି ଭିଆଇପିମାନଙ୍କୁ ଉଡାଣ ସୁଯୋଗ ଦେଉଥିଲାବେଳେ ସାଧାରଣଲୋକମାନେ ଏଠାରୁ ଉଡିବା ଏକ ସ୍ଵପ୍ନ ହୋଇ ରହିଛି । ତେବେ, ଏହି ବିମାନ ଘାଟିକୁ ୨୦୧୯ ଜାନୁଆରୀ ମାସରୁ ବାଣିଜ୍ୟିକ ବିମାନ ଉଡାଣ ଅନୁମତି ମିଳିଯାଇଥିବାରୁ, ବୋଧହୁଏ ଭୁବନେଶ୍ୱର ଓ ରାଉରକେଲାଠାରେ ବିଶ୍ୱକପ ହକି ପ୍ରତିଯୋଗିତା ଅବ୍ୟବହିତ ପୂର୍ବରୁ ଏଠାରୁ ନିୟମିତ ଉଡାଣ ସମ୍ଭବ ହେବ।
ଏବେ ଯୁଦ୍ଧକାଳୀନ ଭିତ୍ତିରେ ବିମାନ ବନ୍ଦର ପ୍ରାଧିକରଣ ରାଉରକେଲା ଇସ୍ପାତ କାରଖାନା ହାତରୁ ଏହି ବିମାନବନ୍ଦରକୁ ନିଜର ନିୟନ୍ତ୍ରଣକୁ ନେଇ ଅଧିକ ସମ୍ପ୍ରସାରଣ କରୁଥିବାରୁ ଏଠାରୁ ବୋଇଙ୍ଗ ବିମାନ ଚଳାଚଳ କରିପାରିବ । ଏହି ଦୁଇ ଶିଳ୍ପସହର ଆକାଶ ପଥରେ ଯୋଡିହେଲେ, ଲାଭଜନକ ଯାତ୍ରୀସେବାପ୍ରଦାନ କରିପାରିବେ।
ଆଜିକୁ ୩୫ ବର୍ଷ ତଳେ ଵାୟୁଦୂତ ବାଣିଜ୍ୟିକ ବିମାନ ନିୟମିତ ଉଡୁଥିଲା ଜୟପୁରରୁ । ଏହାର ରନୱେ ଲମ୍ବ ମାତ୍ର ୩ହଜାର ଫୁଟ ଓ ଆୟତନ ୬୦ ଏକର । ଏହା ରାଜ୍ୟସରକାରଙ୍କ ଅଧୀନରେ ରହିବାକୁ ଥିବା ଏକ ଆଞ୍ଚଳିକ ବିମାନବନ୍ଦର । ଭୁବନେଶ୍ୱର ଓ ଝାରସୁଗୁଡା ଭଳି ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ନୁହେଁ ।
ଜୟପୁର ସହରର ଉତ୍ତର-ପଶ୍ଚିମ ଦିଗରେ ତିନି କିଲୋମିଟର ଦୂରରେ ଅବସ୍ଥିତ ଏହି ବିମାନ ବନ୍ଦର ୧୯୬୨ ମସିହାରେ ସୁନାବେଡାଠାରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ) କାରଖାନା ପ୍ରତିଷ୍ଠା ସମୟରେ ନିର୍ମାଣ କରାଯାଇଥିଲା। ସୁନାବେଡାଠାରୁ ଏହାର ଦୂରତା ଜାତୀୟ ରାଜପଥ-୨୬ରେ ପ୍ରାୟ ୪୩ କିଲୋମିଟର । ୧୯୮୦ ଦଶକରେ ଇଣ୍ଡିଆନ ଏୟାରଲାଇନ୍ସ ଅଧୀନରେ ଥିବା 'ବାୟୁଦୂତ' ବିମାନ ଏଠାରୁ ପ୍ରତିଦିନ ବିଶାଖାପଟ୍ଟନମ୍ ଓ ଭୁବନେଶ୍ୱରକୁ ପ୍ରାୟ ଦୁଇବର୍ଷ ଉଡାଣ କଲାପରେ, ବିମାନସେବା ବନ୍ଦ ହୋଇ ଯାଇଥିଲା ।
୨୦୧୧ ମସିହାରେ, ରାଜ୍ୟ ସରକାରଙ୍କ ପିଡବ୍ଲ୍ୟୁଡି ବିଭାଗ ବିମାନ ଘାଟୀର ନବୀକରଣ କରିବା ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ସେଥିରେ ଆଧୁନିକ ସୁବିଧା ସହିତ ଟର୍ମିନାଲ୍ ବିଲ୍ଡିଂର ନବୀକରଣ, ରନୱେର ଲମ୍ବା ଓ ଓସାର ବୃଦ୍ଧି, ଜାତୀୟ ରାଜପଥସହ ସଂଯୋଗୀକରଣ ସହ ପ୍ରାଚୀର ନିର୍ମାଣ ପ୍ରସ୍ତାବ ଦେଇଥିଲେ ।
୨୦୧୩ରେ, ରାଜ୍ୟ ସରକାର ଏୟାରଷ୍ଟ୍ରିପ୍ ବଢାଇବା ପାଇଁ ଅଧିକ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲେ। ରନୱେକୁ ବଢ଼ାଯାଇଥିଲା ଏବଂ ୨.୫ କିଲୋମିଟର ପ୍ରାଚୀର ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୫୫ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।୨୦୧୪ ମସିହାରେ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ କର୍ତ୍ତୃପକ୍ଷ ଜୟପୁରଠାରୁ ବିମାନ ଯୋଗେ ମିଗ ଯୁଦ୍ଧବିମାନ ଇଞ୍ଜିନ ପରିବହନ କରିବା ପାଇଁ ବିମାନ ବନ୍ଦରର ନବୀକରଣ କରିବାକୁ ଅନୁରୋଧ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଆଜିଯାଏଁ ସୁନାବେଡ଼ାରେ ତିଆରି ଇଞ୍ଜିନ୍ ସଡକ ପଥରେ ବିଶାଖାପଟ୍ଟନମ୍ ପଠାଯାଉଛି ଓ ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଆକାଶ ପଥରେ ପରିବହନ କରା ଯାଉଛି । ସଡକପଥରେ ପ୍ରତିରକ୍ଷା ସାମଗ୍ରୀ ପରିବହନ ଯେତିକି କଷ୍ଟଦାୟକ ସେତିକି ସମୟସାପେକ୍ଷ । ତେବେ ଉଡାନ ଯୋଜନା ଆସିବାର ବହୁବର୍ଷ ପରେ ଅକ୍ଟୋବର ୨୦୧୯ରେ, ରନୱେକୁ ୫ ହଜାର ଫୁଟ ଯାଏଁ ବଢାଇବା ପ୍ରସ୍ତାବ ଦେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ବିମାନ ବନ୍ଦର ପ୍ରାଧିକରଣ (AAI)ଙ୍କୁ ଅନୁରୋଧ କରିବା ପରେ ପରେ ଜୟପୁର ବିମାନ ବନ୍ଦର ସମ୍ପ୍ରସାରଣ କାମ ଆଗେଇ ଚାଲିଲା।
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୨୦୧୭ରେ ଉଡାନ ଯୋଜନାରେ ଜୟପୁର ବିମାନଘାଟୀକୁ ଚୟନ କରିଥିଲେ ଓ ୨୦୧୯ରେବିକାଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟସରକାରଙ୍କ ପିଡ଼ବ୍ଲ୍ୟୁଡି ବିଭାଗ ପକ୍ଷରୁ କରାଯାଉଥିବା ସମ୍ପ୍ରସାରଣ ଓ ନିର୍ମାଣ କାମର ଅନେକ ଥର ଯାଞ୍ଚ କରାଯିବା ପରେ ୨୦୨୨, ଅକ୍ଟୋବର ୧୫ ତାରିଖରେ ଚୂଡ଼ାନ୍ତ ଯାଞ୍ଚ ପାଇଁ ଡିଜିସିଏର ଦୁଇଟି ଟିମ୍ ଏହି ବିମାନବନ୍ଦର ପରିଦର୍ଶନ କରି ଅକ୍ଟୋବର ୧୯ରେ ଉଡାଣ ଲାଇସେନ୍ସ ପ୍ରଦାନ କରିଛନ୍ତି ।
ଏବେ ଜୟପୁର ବିମାନବନ୍ଦର ରନୱେର ଲମ୍ବ ୯୧୫ ମିଟର ବା ୩ ହଜାର ଫୁଟ ଓ ଓସାର ୨୩ ମିଟର ବା ୭୫ ଫୁଟ । ଏହା ବି-୨ ଶ୍ରେଣୀର କ୍ଷୁଦ୍ର ବିମାନ ବନ୍ଦର, ଯେଉଁଠାରୁ ମାତ୍ର ୯ ଯାତ୍ରୀ ବସିପାରୁଥିବା ଛୋଟ ବିମାନ ଯାତାୟାତ କରିପାରିବ । ଏଠାରୁ ଉଡାଣ ଆରମ୍ଭ କରିବାକୁ ଗୁଜରାଟ ଅହମ୍ମଦାବାଦ କମ୍ପାନୀ "ଇଣ୍ଡିଆ ୱାନ୍ ଏୟାର" କିଣିଥିବା ନିଜର '୨୦୮ ବି ଗ୍ରାଣ୍ଡ କାରାଭାନ ଇଏକ୍ସ' ଶ୍ରେଣୀର ଛୋଟ ବିମାନ ବ୍ୟବହାର କରିବ। ଏହି ବିମାନର ଗୋଟିଏ ମାତ୍ର ଇଞ୍ଜିନ ଓ ଜଣେମାତ୍ର ବିମାନ ଚାଳକ । ୯ଜଣ ଯାତ୍ରୀଙ୍କ ସହ ୪୫ ମିନିଟ ମଧ୍ୟରେ ଭୁବନେଶ୍ୱରରୁ ଜୟପୁର ଯାଇ ପାରିବେ ।
ଜୟପୁରକୁ ଛୋଟ ବୋଇଙ୍ଗ ଓ ଜେଟ ବିମାନ ଚଳାଚଳ ଉପଯୋଗୀ କରିବାକୁ ହେଲେ ଏହାର ରନୱେକୁ ଅନ୍ତତଃ ଦୁଇରୁ ତିନିଗୁଣ ବଢାଇବାକୁ ପଡିବ । ଏହି ବିମାନ କମ୍ପାନୀ ଆଗାମୀ ଦିନରେ ଆଉ ଦୁଇଟି ବିମାନ କିଣି, ଭୁବନେଶ୍ୱର, ଜୟପୁର, ଉତ୍କେଲା, ବିଶାଖାପଟ୍ଟନମ, ରାୟପୁର, ଜାମସେଦପୁର, କୁଚ୍ ବେହାର ଓ କୋଲକାତାକୁ ଉଡାଣ କରିବାକୁ ଲକ୍ଷ୍ୟ ରଖିଛି । ଫଳରେ, ଜଣେ ଚାହିଁଲେ, ଜୟପୁରଠାରୁ ଭୁବନେଶ୍ୱର/ କୋଲକାତା/ ବିଶାଖାପଟ୍ଟନମ କିମ୍ବା ରାୟପୁର ଦେଇ ବିଦେଶକୁ ଗୋଟିଏ ଟିକେଟରେ ଯାତ୍ରା କରିବାକୁ ସକ୍ଷମ ହେବେ ।
ଉଡାନ ଯୋଜନାରେ ଓଡିଶାରୁ ସାମିଲ ହୋଇଥିବା ଝାରସୁଗୁଡା ପରେ ଏହା ଦ୍ଵିତୀୟ ବିମାନ ବନ୍ଦର, ଯେଉଁଠୁ ଉଡାଣ ଆରମ୍ଭ ହୋଇଛି। ବଡ଼କଥା ଯେ, ଯାତ୍ରୀଙ୍କୁ ସର୍ବାଧିକ ଏକଘଣ୍ଟା ଉଡାଣ ପାଇଁ ରିହାତି ଦରରେ ସର୍ବାଧିକ ମାତ୍ର ୨,୫୦୦ ଟଙ୍କା ଦେବାକୁ ପଡିବ । ଅବଶ୍ୟ ଆଗାମୀ କିଛିଦିନ ପାଇଁ ମାତ୍ର ୯୯୯ ଟଙ୍କାରେ ଯାତ୍ରା କରିବାର ସୁବିଧା ମିଳିବ ବୋଲି ଜଣାଯାଇଛି ।
ଜୟପୁର ପ୍ରକୃତି ରାଣୀ କୋଳରେ ସଯତ୍ନରେ ରହିଥିବା ଏକ ସୁନ୍ଦର ସହର । ସେପ୍ଟେମ୍ବରଠାରୁ ଫେବୃଆରୀ ମାସ ଯାଏଁ ଏହାର ଅପରୂପ ସୌନ୍ଦର୍ଯ୍ୟକୁ ଅନେକେ ସ୍ୱିଜରଲ୍ୟାଣ୍ଡ ସହ ତୁଳନା କରନ୍ତି । ଜିଲ୍ଲାର ସଦର ମହକୁମା କୋରାପୁଟ ସହର ଠାରୁ ମାତ୍ର ୨୪ କିଲୋମିଟର, ନାଲକୋ ସହର ଦାମନଯୋଡି ଠାରୁ ୫୧, ରମଣୀୟ ଆରାକୁ ଉପତ୍ୟକାଠାରୁ ଶହେ, ଡୁମୁଡୁମା ଜଳପ୍ରପାତ ଠାରୁ ୬୨ ଏବଂ ଓଡ଼ିଶାର ସର୍ବୋଚ୍ଚ ଗିରି ଦେଓମାଳୀ ଠାରୁ ୮୫ କିଲୋମିଟର ଦୂରରେ ଅବସ୍ଥିତ ଏହି ବିମାନ ବନ୍ଦର ପର୍ଯ୍ୟଟନ ଓ ଶିଳ୍ପାୟନ ପାଇଁ ଖୁବ ଲାଭଜନକ ହେବ ।
ଅନତି ଦୂରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଯେଭଳି ସରସ୍ୱତୀଙ୍କ ଆସ୍ଥାନ। ସେହିପରି ସେଠାରେ ଉତ୍ପାଦିତ ଗୋଲମରିଚ, କଫି ଏବଂ କାଜୁ ବିଶ୍ୱ ପ୍ରସିଦ୍ଧ । ସ୍ଥାନୀୟ ଆଦିବାସୀଙ୍କ ଜୀବନଚର୍ଯ୍ୟା ଅଧ୍ୟୟନ ପାଇଁ, ଦେଶ ବିଦେଶରୁ ଗବେଷକମାନେ ଏଠିକି ଆସିବା ଏବେ ସୁବିଧାଜନକ ହୋଇ ପାରିବ । ଆଶା, ଏହି ବିମାନ ବନ୍ଦରକୁ ଅଧିକ ଯାତ୍ରୀ ଯେପରି ବ୍ୟବହାର କରି ପାରିବେ ଓ ଏଠାରୁ ଫଳ, ପନି ପରିବା, ଗୋଲମରିଚ, କଫି ଏବଂ କାଜୁ ଇତ୍ୟାଦିକୁ ସିଧାସଳଖ ଦେଶ ବିଦେଶକୁ ରପ୍ତାନୀ କରି ପାରିବେ, ସେ ଦିଗରେ ଓଡ଼ିଶାର ଯୁବ ଷ୍ଟାର୍ଟଅପ ତଥା ରପ୍ତାନୀକାରୀମାନେ ଉଦ୍ୟମ କରିବେ ।
ଆଗାମୀ ଦିନରେ, ରନୱେ ଲମ୍ବ ଓ ଓସାର ବୃଦ୍ଧି ନିଶ୍ଚିତ ଆବଶ୍ୟକ ହେବ । ସେଥିପାଇଁ ଅନ୍ତତଃ ଏକ ହଜାର ଏକର ଜମି ଆଗୁଆ ଅଧିଗ୍ରହଣ କରି ନରଖିଲେ, ବିମାନ ବନ୍ଦରଟିକୁ ହୁଏତ କିଛିବର୍ଷ ପରେ ଆର୍ଥିକ କାରଣରୁ ପୁନର୍ବାର ବନ୍ଦ ହୋଇଯିବା ଅସମ୍ଭବ ନୁହେଁ।
୯୪୩୮୨୯୯୦୩୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।