ବିଶ୍ୱାସେ ମିଳଇ ଧୋକ୍କା !

ଦେବେନ୍ଦ୍ର ପୃଷ୍ଟି

‘ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର।’ ଭଗବତ ବିଶ୍ୱାସୀଙ୍କ ପାଇଁ ଏ କଥାଟି ଅନେକ ଗୁରୁତ୍ୱପୂର୍ଣ୍ଣ। ମୂର୍ତ୍ତିପୂଜା, ଈଶ୍ୱର, ଭଗବତ ପ୍ରେମ ଆଦି ସଂପର୍କରେ ଏ କଥାଟି ବହୁ ପ୍ରଚଳିତ। ପଣ୍ଡିତମାନେ ତର୍କଶାସ୍ତ୍ର ଅନୁସାରେ ଈଶ୍ୱରଙ୍କ ଅବସ୍ଥିତି ନେଇ ବୁଝେଇବାରେ ବିଫଳ ହେଲେ ଏଇ ପଦକ କଥା କହିଥାନ୍ତି। ସେମାନଙ୍କ ମତରେ ବିଶ୍ୱାସ କଲେ ପଥର ବି ଠାକୁର ହୋଇଯାନ୍ତି। ତର୍କ କଲେ ଈଶ୍ୱର ମିଳନ୍ତି ନାହିଁ। ଏ କଥାକୁ ପ୍ରମାଣସିଦ୍ଧ କରିବାକୁ ଯାଇଁ ପଣ୍ଡିତମାନେ ଆଉ ବି ଗୋଟିଏ ରୁଢ଼ି ପ୍ରଚଳନ କରାଇଛନ୍ତି। ତାହା ହେଉଛି, ‘ଦୃଢ଼େ ତରନ୍ତି, ମୂଢ଼େ ତରନ୍ତି, ମଝି ମଝିଆ ବୁଡ଼ି ମରନ୍ତି’। ଜ୍ଞାନବିଜ୍ଞାନ ଆଧାରରେ ଯେଉଁମାନଙ୍କର ବିଶ୍ୱାସ ଦୃଢ଼ ସେମାନେ ଭଗବତ ସନ୍ଧାନ ପାଆନ୍ତି, ଯେଉଁମାନେ କିଛି ନଜାଣି ବି ମୂଢ଼ ଭାବରେ ବିଶ୍ୱାସ କରନ୍ତି ସେମାନେ ମଧ୍ୟ ଭଗବତ ସନ୍ଧାନ ପାଆନ୍ତି। କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ଅଳ୍ପ ଜ୍ଞାନ ନେଇ ଈଶ୍ୱରଙ୍କ ସ୍ଥିତି ସଂପର୍କର ଯୁକ୍ତିତର୍କ କରନ୍ତି, ସନ୍ଦେହ କରନ୍ତି ସେମାନେ ଈଶ୍ୱରଙ୍କ ମାୟାରେ ବୁଡ଼ି ମରନ୍ତି ଅର୍ଥାତ କିଛି ପାଆନ୍ତି ନାହିଁ।

ଯେଉଁ ଲୋକମାନଙ୍କର ଈଶ୍ୱରଙ୍କ ସଂପର୍କରେ ଧାରଣା କମ୍‌ ସେମାନେ ଏକଥାକୁ ସହଜରେ ବିଶ୍ୱାସ କରନ୍ତି। ସାଧାରଣ ଖଟିଖିଆ ଲୋକଙ୍କ ପାଖରେ ଈଶ୍ୱର ଆଦି ଦାର୍ଶନିକ ଓ ଆଧ୍ୟାତ୍ମିକ ପରିକଳ୍ପନା ସଂପର୍କୀତ ତତ୍ତ୍ୱ ଆଦି ବୁଝିବାକୁ ସମୟ ନଥାଏ କି ଜ୍ଞାନ ନଥାଏ। ସମାଜର ତଳ ସ୍ତରର ଲୋକମାନେ ନିଜ ଦୁଃଖଧନ୍ଦା ନେଇ ଏମିତି ବ୍ୟସ୍ତ ଯେ ସେମାନେ ସ୍ୱୟଂ ଈଶ୍ୱର କ’ଣ ଜାଣିବାକୁ ବେଳ ପାଆନ୍ତି ନାହିଁ। ସାଧନା, ତପସ୍ୟା, ଧ୍ୟାନ ଓ ଅଧ୍ୟୟନ ପାଇଁ ସେମାନଙ୍କ ନିକଟରେ ସମୟ ନଥାଏ। ଏଭଳି ଲୋକଙ୍କ ପାଇଁ ଭକ୍ତି ଓ ବିଶ୍ୱାସ ନାମକ ଦୁଇଟି ଉପାୟ ବାହାର କରିଛନ୍ତି ଧର୍ମର ଯାଜକମାନେ। ଭକ୍ତି ଅର୍ଥାତ ବିନା ଯୁକ୍ତିରେ ଆତ୍ମସମର୍ପଣ ଏବଂ ବିଶ୍ୱାସ ଅର୍ଥାତ ବିନା ଯୁକ୍ତିରେ ଆତ୍ମସ୍ଥିତି ବିସର୍ଜନ କରିବାର ମନ୍ତ୍ର ଦେଇ ସଂଖ୍ୟାଲଘୁ ଯାଜକ ଗୋଷ୍ଠୀ ସାଧାରଣ ମଣିଷମାନଙ୍କୁ ଆନୁଷ୍ଠାନିକ ଧର୍ମର ବଳୟ ଭିତରକୁ ଟାଣି ନିଅନ୍ତି। ଥରେ ଲୋକମାନେ ଧର୍ମର ବଳୟ ଭିତରେ ପଶିଗଲେ ଫସିଯାନ୍ତି ଓ ସାରା ଜୀବନ ସେଥିରୁ ମୁକୁଳି ପାରନ୍ତି ନାହିଁ।

ଭକ୍ତି ଓ ବିଶ୍ୱାସର ଦୁଇଟି ଅସ୍ତ୍ରରେ ଯାଜକମାନେ ସାଧାରଣ ଲୋକଙ୍କର ଜ୍ଞାନ ଓ ଚେତନାର ଚେରଚ୍ଛେଦନ କରିବାରେ ସଫଳ ହୁଅନ୍ତି। ଥରେ ଲୋକମାନେ ଏଇ ଦୁଇଟି ଅସ୍ତ୍ର ଦ୍ୱାରା ଆହତ ହେଲେ ତେଣିକି ଯାଜକମାନେ ଯାହା କହନ୍ତି ତାହାକୁ ସତ୍ୟ ଓ ସିଦ୍ଧାନ୍ତ ଭାବେ ଗ୍ରହଣ କରିନିଅନ୍ତି। ଭକ୍ତି ଓ ବିଶ୍ୱାସ ଲୋକମାନଙ୍କ ବୁଦ୍ଧି ଓ ବିଦ୍ୟାକୁ ତୁଚ୍ଛ ଓ ଅପ୍ରାସଙ୍ଗିକ କରିଦିଏ। ସେମାନେ ଅଫିମ ନିଶାରେ ପଡ଼ିଲା ପରି ଯାଜକମାନଙ୍କ ପ୍ରବଚନକୁ ଗୁରୁଜ୍ଞାନ ମନେ କରନ୍ତି। ଏଭଳି ପ୍ରବଚନ-ବିଶ୍ୱାସ ଦ୍ୱାରା ସେମାନେ ଈଶ୍ୱରଙ୍କ ସନ୍ଧାନ ବା ଈଶ୍ୱରଙ୍କ ଉପଲବ୍ଧି ପାଆନ୍ତୁ ବା ନପାଆନ୍ତୁ, ଧର୍ମଯାଜକ ବା ପ୍ରବଚକମାନଙ୍କ ପାଲରେ ନିଶ୍ଚିତ ଭାବରେ ପଡ଼ିଯାଆନ୍ତି। ସମୟାନ୍ତରେ ଲୋକମାନେ ମୂଳ ଈଶ୍ୱରଙକୁ ଭୁଲି ଏଇ ଯାଜକମାନଙ୍କୁ ହିଁ ଈଶ୍ୱର ଜ୍ଞାନରେ ଭକ୍ତି ଓ ବିଶ୍ୱାସ କରନ୍ତି।

ଏଇ ପର୍ଯ୍ୟାୟରେ ଧର୍ମର ବ୍ୟବସାୟ ପାଇଁ ବାଟ ମେଲିଯାଏ। ଧର୍ମ ପ୍ରବଚକ ଓ ପ୍ରବର୍ତ୍ତକମାନଙ୍କ ପାଇଁ ଭକ୍ତି ଓ ବିଶ୍ୱାସ ହେଉଛି ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସ ଭଳି ଏକ ଫାଇଦାଜନକ ପରିବେଶ। ଏହି ଅସ୍ତ୍ରରେ ସେମାନେ ଧର୍ମ ନାଁରେ ଅର୍ଥର ସାମ୍ରାଜ୍ୟ ପ୍ରତିଷ୍ଠା କରିପାରନ୍ତି, ଗୃହସ୍ଥାଶ୍ରମ ଛାଡ଼ିବାର ଅଭିନୟ କରି ବୃହତାଶ୍ରମର ମାଲିକ ହୋଇଯାଆନ୍ତି।

ସବୁ ଧର୍ମରେ ଏପରି ଧାର୍ମିକ ବ୍ୟବସାୟୀମାନେ ଅଛନ୍ତି। ଆଲ୍ଲା ଓ ଜନ୍ନତର ବିଶ୍ୱାସରେ ଅନେକ ମୁସଲମାନ ଯୁବକ ଯେପରି ଜେହାଦକୁ ବାହାରି ପଡ଼ନ୍ତି, ନିଜ ଦେହରେ ବୋମା ଖଞ୍ଜି ଆତ୍ମଘାତୀ ହୁଅନ୍ତି ଖୀରସ୍ତାନ ଧର୍ମରେ ମଧ୍ୟ ସେହିପରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ‘ଆତ୍ମାର ଅମଳ’ କରାଯାଏ। ଏସବୁ ପ୍ରକ୍ରିୟା ଚଳେଇବାକୁ ସୃଷ୍ଟି ହୋଇଛି ଅନେକ ଅନୁଷ୍ଠାନ। ମସଜିଦ ଓ ଚର୍ଚ୍ଚ ଆଦି ଅନୁଷ୍ଠାନ ନାଁରେ ଆଦାୟ ହୁଏ କୋଟି କୋଟି ଟଙ୍କା। ସେ ଟଙ୍କାକୁ ପୁଣି ବ୍ୟବସାୟରେ ଲଗାଯାଏ, ଲାଭ ଅର୍ଜନ ହୁଏ। ଲାଭ ପାଇଁ ଲୋଭ ଯେପରି ମୂଳ, ଧର୍ମର ଧ୍ୱଜା ଉଡ଼େଇବା ବା ଧର୍ମ ସଂପ୍ରଦାୟର ବ୍ୟାପ୍ତି ପାଇଁ ଏଇ ଲୋଭ ହେଉଛି ମୂଳ ପ୍ରଚୋଦନା। ହିନ୍ଦୁ ଧର୍ମରେ ଏପରି ଅନେକ ଯାଜକ ଅଛନ୍ତି ଯେଉଁମାନେ ଲୋଭର ବଶବର୍ତ୍ତୀ ହୋଇ ଲୋକମାନଙ୍କର ଭକ୍ତି ଓ ବିଶ୍ୱାସକୁ ଧର୍ମ-ବ୍ୟବସାୟର ସୁଯୋଗ ଭାବେ ବ୍ୟବହାର କରନ୍ତି ଓ ହଜାର ହଜାର କୋଟି ଟଙ୍କାର ଆର୍ଥିକ ଓ ଆନୁଷ୍ଠାନିକ ସାମ୍ରାଜ୍ୟ ପ୍ରତିଷ୍ଠା କରନ୍ତି।

କଳ୍‌କୀ ଭଗବାନ ହେଉଛନ୍ତି ଏଇପରି ଜଣେ ଧର୍ମ ବ୍ୟବସାୟୀ। ୨୦୧୯ ଅକ୍ଟୋବର ୧୮ ତାରିଖରେ କଳ୍‌କୀ ଭଗବାନଙ୍କର ୪୦ରୁ ଅଧିକ ଆଶ୍ରମ ଓ ପ୍ରତିଷ୍ଠାନ ଉପରେ ଆୟକର ଅଧିକାରୀମାନେ ଚଢ଼ାଉ କରି ୪୦୦ କୋଟି ଉପରେ ଆୟ ବହିର୍ଭୂତ ସଂପତ୍ତିର ସନ୍ଧାନ ପାଇଛନ୍ତି। ଜଣେ ସାଧାରଣ କିରାଣୀରୁ ଭଗବାନ ହୋଇଯାଇଥିବା କଳ୍‌କୀ ବାବାଙ୍କ ଆଶ୍ରମରୁ ୯୦ କିଲୋଗ୍ରାମର ସୁନା ଗହଣା, ପ୍ରାୟ ୧୮୦୦ କ୍ୟାରେଟ୍‌ର ହୀରା, ୧୮ କୋଟି ଟଙ୍କାର ମାର୍କିନ ଡଲାର ଓ ନଗଦ ୪୪ କୋଟି ଟଙ୍କା ଜବତ କରିଛନ୍ତି ଆୟକର ଅଧିକାରୀମାନେ। ଦେଶ ଓ ବିଦେଶରେ ବାବାଙ୍କର ଅନେକ ସଂପତ୍ତି ଓ ବ୍ୟବସାୟ ରହିଛି। ଭକ୍ତମାନଙ୍କଠାରୁ ମିଳୁଥିବା ଦାନ ଓ ଦକ୍ଷିଣାକୁ ନେଇ ସେ ରିୟଲ ଇଷ୍ଟେଟ୍‌ ବ୍ୟବସାୟରେ ନିବେଶ କରିଛନ୍ତି। ତାଙ୍କର ମଧ୍ୟ ଏକ ନିର୍ମାଣ ବା କନ୍‌ଷ୍ଟ୍ରକ୍‌ସନ କମ୍ପାନୀ ଅଛି। ବିଭିନ୍ନ ସହରରେ ଗୁଡ଼ାଏ ଦାମୀ ଘର ଓ ସଂପତ୍ତି କିଣିଛନ୍ତି ବାବା। ଏସବୁ ଉପରେ ସେ ଆୟକର ପଇଠ କରିନାହାନ୍ତି। ଅନେକ ସଂପତ୍ତି ହିସାବ ବହିର୍ଭୂତ।

ଭାରତବର୍ଷରେ କଳ୍‌କୀ ଭଗବାନଙ୍କ ପରି ବାବା କିଛି କମ୍‌ ନାହାନ୍ତି। ଲୋକମାନଙ୍କର ଭକ୍ତି ଓ ବିଶ୍ୱାସକୁ ସୁଯୋଗ ଭାବେ ଗ୍ରହଣ କରି ଡେରା ସଚ୍ଚା ସୌଦାର ବାବା ଗୁରମିତ ରାମ୍‌ ରହିମ, ସତଲୋକ୍‌ ଆଶ୍ରମର ସନ୍ଥ ରାମପାଲ୍‌, ଆଶାରାମ ବାପୁ, ସ୍ୱାମୀ ନିତ୍ୟାନନ୍ଦ, ରାଧେ ମା’, ନିର୍ମଳ ବାବା, ସଚ୍ଚିଦାନନ୍ଦ ଗିରି, ସ୍ୱାମୀ ଓମ୍‌ଜୀ ପ୍ରମୁଖ ବିଶାଳ ଆର୍ଥନୀତିକ ସାମ୍ରାଜ୍ୟର ଅଧିକାର ହୋଇଛନ୍ତି। ଏମାନେ ସମସ୍ତେ ନାନାଦି ବେଆଇନ କାମ କରି ଧରା ପଡ଼ିଛନ୍ତି। ଅନେକେ ଏବେ ଜେଲ୍‌ରେ। ଓଡ଼ିଶାର ସୁର ଓ ସାରଥୀଙ୍କ ପରି ଅନେକ ବାବାଙ୍କ କାହାଣୀ। କିଏ ଭକ୍ତି ଓ ବିଶ୍ୱାସକୁ ଅସ୍ତ୍ର କରି ଅନେକ ମହିଳାଙ୍କ ଇଜ୍ଜତ ଲୁଟିଛି ତ କିଏ ନିଜର ପାପର ପ୍ରମାଣ ନଷ୍ଟ କରିବାକୁ ହତ୍ୟା କରିବାକୁ ବି ପଛାଇ ନାହିଁ। କିଏ ବେଆଇନ ଅର୍ଥ ଆଦାୟ କରିଛି ତ କିଏ ଆଇନ ଫାଙ୍କି ଆୟବୃଦ୍ଧି କରିଛି। କିଏ ଯୋଗର ବ୍ୟବସାୟୀ ତ କିଏ ସ୍ୱାସ୍ଥ୍ୟର ଦୋକାନୀ। କିଏ ଶିଳ୍ପପତି, କିଏ ବ୍ୟବସାୟୀ, କିଏ ପୁଣି ଚନ୍ଦ୍ରାସ୍ୱାମୀଙ୍କ ପରି ଦଲାଲ।

ଏଭଳି ଅପରାଧୀମାନଙ୍କ ଉତ୍ଥାନ ଓ ପ୍ରଗତି ମୂଳରେ ରହିଛି ଲୋକମାନଙ୍କର ଭକ୍ତି ଓ ବିଶ୍ୱାସ। ଲୋକମାନଙ୍କର ଏଇ ଭକ୍ତି ଓ ବିଶ୍ୱାସକୁ ଅନେକ ରାଜନେତା ମଧ୍ୟ ନିଜନିଜ କ୍ଷମତାର ସିଡ଼ି ଭାବେ ବ୍ୟବହାର କରୁଛନ୍ତି। କେତେକ ନେତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ବିଲ୍‌କୁଲ୍‌ କିଛି ନଜାଣି ଲୋକମାନେ ସେମାନଙ୍କୁ ରାଷ୍ଟ୍ର ଓ ସମାଜର ଶୀର୍ଷ ଆସନରେ ବସେଇ ଦେଉଛନ୍ତି। ସେମାନେ ଯାହା କହୁଛନ୍ତି ଲୋକମାନେ ତାହାକୁ ବେଦର ବାଣୀ ଭାବେ ବିଶ୍ୱାସ କରୁଛନ୍ତି। ଭଣ୍ଡ ବାବା ଓ ମାତାମାନେ ଯେପରି ଧର୍ମ ନାର୍ମର ଲୋକଙ୍କୁ ଠକୁଛନ୍ତି ଓ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରୁଛନ୍ତି ସେହିପରି ଏହିପରି ଭଣ୍ଡ ନେତାମାନେ ଦେଶ ଓ ଦେଶବାସୀଙ୍କ ଉନ୍ନତି ନାମରେ ଲୁଟ୍‌ପାଟ୍‌ ଚଳେଇଛନ୍ତି। ତଥାପି ଲୋକେ ସେମାନଙ୍କ ସଂପର୍କରେ ଅଧିକ ଜାଣିବାକୁ ଉଦାସୀନ। ସେମାନଙ୍କ କାର୍ଯ୍ୟର ମୂଲ୍ୟାୟନ କରିବାକୁ ବିମୁଖ। ବରଂ ସେମାନଙ୍କ କଥା ଶୁଣିବାକୁ, ସେମାନଙ୍କ ଗୁଣଗାନ କରିବାକୁ ଏବଂ ସେମାନଙ୍କୁ ଭୋଟ୍‌ ଦେବାକୁ ଲକ୍ଷଲକ୍ଷ ଲୋକଙ୍କର ଭିଡ଼ ଜମେ। ଲୋକେ ବୁଝିଛନ୍ତି, ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର। ଯଦିଓ ଏବକୁ ଏହା ମଧ୍ୟ ଜଣାପଡ଼ିଲାଣି ଯେ ବିଶ୍ୱାସେ ମିଳଇ ଧୋକ୍କା, ତର୍କେ ସ୍ୱର୍ଗସୁଖ। ମାତ୍ର, ଲୋକେ ଲୋକଙ୍କ ଜାଗାରେ ସ୍ଥିର ଓ ଭଣ୍ଡମାନେ ନିଜନିଜ କ୍ଷେତ୍ରରେ ଶକ୍ତିଶାଳୀ।