ଦେବେନ୍ଦ୍ର ପୃଷ୍ଟି
ଲୋକମାନେ ଟ୍ରେନ୍ ଓ ବସ୍ରେ ଯିବା ପାଇଁ ଟଙ୍କା ଦେଇ ଟିକେଟ କରିଥାନ୍ତି। ଯାତ୍ରା କଲାବେଳେ ସ୍ୱାଭାବିକ ଭାବେ ଯାତ୍ରୀମାନେ ସାଙ୍ଗରେ କିଛି ଜିନିଷପତ୍ର ନେଇଥାନ୍ତି। ନୀତି ଓ ନ୍ୟାୟ କହୁଛି ଯେ ଯିଏ ଟଙ୍କା ଦେଇ ଟିକେଟ କରିଛି ଯାତ୍ରା ସମୟରେ ତାଙ୍କ ସହିତ ତାଙ୍କ ଜିନିଷପତ୍ରର ସୁରକ୍ଷା ପାଇଁ ମଧ୍ୟ ଟ୍ରେନ୍ ଓ ବସ୍ କର୍ତ୍ତୃପକ୍ଷ ଦାୟୀ ରହିବ। କିନ୍ତୁ ଅନେକ ସମୟରେ ଟ୍ରେନ୍ ଓ ବସ୍ ଭିତରେ ଲେଖାଯାଇଥାଏ, ‘ନିଜ ଜିନିଷପତ୍ର ନିଜ ଦାୟିତ୍ୱରେ ରଖନ୍ତୁ’। ଅନେକ ସାଇକେଲ୍ ଓ ଟୁ ହ୍ୱିଲର ଷ୍ଟାଣ୍ଡରେ ମଧ୍ୟ ସମାନ କଥା ଲେଖାଯାଇଥାଏ। ଗାଡ଼ି ଚୋରୀ ହେଲେ କର୍ତ୍ତୃପକ୍ଷ ଦାୟୀ ନୁହନ୍ତି। ଅଥଚ ଗାଡ଼ି ରଖିବା ପାଇଁ ସେମାନେ ଫି ନେଇଥାନ୍ତି। ପାର୍କିଂ କ୍ଷେତ୍ରରେ ମଧ୍ୟ ସେଇ କଥା। ଟଙ୍କା ଦେଇ ଗାଡ଼ି ପାର୍କିଂ କରିବେ, କିନ୍ତୁ ଚୋରି ହେଲେ ପାର୍କିଂ ଲାଇସେନ୍ସ ନେଇଥିବା ବ୍ୟକ୍ତି ବା କମ୍ପାନୀ କିମ୍ବା ପୌର ସଂସ୍ଥା ଦାୟୀ ରହିବେ ନାହିଁ। ସିନେମା ହଲ୍ ଓ ସରକାରୀ ମେଳା ମଉଚ୍ଛବ ଆଦିରେ ମଧ୍ୟ ଏଇଭଳି ଗୋଟିଏ କଥା ଲେଖାଥାଏ, ‘ପକେଟ୍ମାର୍ ପ୍ରତି ସାବଧାନ’। ଲୋକେ ତ ଟିକେଟ କାଟି ସିନେମା ଦେଖିବାକୁ ଯାଇଥାନ୍ତି। ସିନେମା ହଲ୍ରେ ଯଦି ପକେଟ୍ମାର୍ ହୁଏ ତେବେ ସେଥିପାଇଁ ହଲ୍ ମାଲିକ ଦାୟୀ ରହିବା କଥା। କାରଣ ଟିକେଟ ସେ ହିଁ ବିକ୍ରି କରିଥାଏ। ତାଙ୍କ ସିନେମା ହଲ୍କୁ ପକେଟ୍ମାର୍-ମୁକ୍ତ କରିବା ଦାୟିତ୍ୱ ତାଙ୍କର ହେବା କଥା। ମାତ୍ର, ସେ ସେ ଦାୟିତ୍ୱ ବହନ କରନ୍ତି ନାହିଁ। ସେହିପରି ସମାଜକୁ ଚୋରଡକାୟତ-ମୁକ୍ତ ରଖିବାର ଦାୟିତ୍ୱ ହେଉଛି ସରକାରଙ୍କର। କିନ୍ତୁ ସରକାରଙ୍କ ତରଫରୁ ଯେତେବେଳେ ସରକାରୀ ମେଳା ମଉଚ୍ଛବରେ ‘ପକେଟ୍ମାର୍ ପ୍ରତି ସାବଧାନ୍’ ଲେଖାଯାଏ ସେତେବେଳେ ବୁଝାଯାଏ ସରକାର ଏ ଦାୟିତ୍ୱରେ ବିଫଳ ହୋଇଛନ୍ତି।
ହ୍ୱାଟ୍ସଆପ୍ପ ଜରିଆରେ ଲୋକମାନଙ୍କର ଡାଟା ଡକେଇତି ଠିକ ଏଇଭଳି ଏକ ଘଟଣା। ଲୋକେ ଟଙ୍କା ଦେଇ ମୋବାଇଲ୍ ଫୋନ୍ କିଣିବେ। କଥା ହେବାକୁ ଟଙ୍କା ଦେବେ। କେତେକ ଆପ୍ପ୍ ମାଗଣାରେ ଓ ଆଉ କେତେକ ଆପ୍ପ୍ ଡାଉନ୍ଲୋଡ଼୍ କରିବେ ଫି ଦେଇ। ଫେସ୍ବୁକ୍ ଓ ହ୍ୱାଟ୍ସଆପ୍ପ ମାଗଣା ଆପ୍ପ। କିନ୍ତୁ ଏହାର ବ୍ୟବହାର ଜରିଆରେ କେତେବେଳେ ଆପଟଙ୍କ ଡାଟା ବା ତଥ୍ୟ ଚୋରି ହୋଇଯିବ, ତାହା ଆପଣ ଜାଣିପାରିବେ ନାହିଁ। ଜଣାପଡ଼ିଲେ, ହ୍ୱାଟ୍ସଆପ୍ପ କହିବ, ଆମେ ସରକାରଙ୍କୁ ଜଣେଇଛୁ, ଭବିଷ୍ୟତରେ ଯେପରି ଏପରି ନହେବ ତା’ ଦେଖିବୁ। ସରକାର କହିବେ, ଆମେ କିଛି ଜାଣିନୁ, ହ୍ୱାଟ୍ସଆପ୍ପ ଆଗରୁ କାହିଁକି କହିଲା ନାହିଁ? ବୁଝିଲାବେଳକୁ ମାଗଣା ସେବା ନାଁରେ ଭଲ ବେପାର ହୋଇଯାଇଛି। ଲୋକଙ୍କ ତଥ୍ୟ ପଲିଟିକ୍ସ ଓ କର୍ପୋରେଟ୍ ବଜାରରେ ଚଢ଼ା ଦରରେ ବିକ୍ରି ହୋଇଛି।
ଇଣ୍ଟର୍ନେଟ୍ ଏଇଭଳି ଏକ ନୂଆ ବିପଦ ଓ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିଛି। ଆଜିକାଲି ମୋବାଇଲ୍ ଓ ଆପ୍ପ ବ୍ୟବହାର କରୁଥିବା ଅନେକ ଲୋକଙ୍କର ବ୍ୟକ୍ତିଗତ ଡାଟା ବା ତଥ୍ୟ ସୁରକ୍ଷିତ ନୁହେଁ। ଲୋକେ ସ୍ମାର୍ଟ ଫୋନ୍ରେ ଅନେକ ତଥ୍ୟ ସାଇତିଥାନ୍ତି। ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଏଟିଏମ ପିନ୍, ଇମେଲ୍ ପାସ୍ୱାର୍ଡ଼ ଆଦି ଏଥିରେ ସଂରକ୍ଷିତ ଥାଏ। ଫେସ୍ବୁକ୍, ଟ୍ୱିଟର, ଇନ୍ଷ୍ଟାଗ୍ରାମ ଓ ସ୍କାଇପ୍ ଆଦି ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ସମୟରେ ଲୋକମାନେ ନିଜ ସଂପର୍କରେ ଅନେକ ତଥ୍ୟ ମଧ୍ୟ ପ୍ରକାଶ କରିଥାନ୍ତି। ଫେସ୍ବୁକ୍ ମେସେଞ୍ଜର ଓ ହ୍ୱାଟ୍ସଆପ୍ପ ଜରିଆର ଲୋକମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ବାର୍ତ୍ତା ଆଦାନପ୍ରଦାନ କରିଥାନ୍ତି। ଏସବୁ ବାର୍ତ୍ତାରୁ ସହଜରେ ଲୋକମାନଙ୍କର ଆୟବ୍ୟୟ, ସଂପତ୍ତିବାଡ଼ି, ଜୀବନଶୈଳୀ, ବୃତ୍ତି ଓ ବ୍ୟବସାୟ, ଧର୍ମ ବିଶ୍ୱାସ, ରାଜନୀତିକ ଚିନ୍ତାଧାରା ଆଦି ସଂପର୍କରେ ଅନେକ ସୂଚନା ମିଳେ। ଏସବୁ ସୂଚନା ନିହାତି ବ୍ୟକ୍ତିଗତ। ଜଣେ ଲୋକ ତାଙ୍କ ପ୍ରେମିକା ବା ପତ୍ନୀ କିମ୍ବା କେଉଁ ଅନ୍ତରଙ୍ଗ ବନ୍ଧୁଙ୍କ ଅନେକ ବ୍ୟକ୍ତିଗତ ପ୍ରସଙ୍ଗରେ ନେଟାଳାପ (ଇଣ୍ଟର୍ନେଟ୍+ଆଳାପ ବା ବାର୍ତ୍ତା) କରିଥାନ୍ତି। ସେସବୁ ମଧ୍ୟ ସୁରକ୍ଷିତ ନୁହେଁ। ସଂପୃକ୍ତ ସାମାଜିକ ଗଣମାଧ୍ୟମ, ଆପ୍ପ, ସର୍ଭିସ ପ୍ରୋଭାଇଡର ବା ଯେଉଁ ବ୍ୟବସାୟୀର ନେଟ୍ ଓ ମୋବାଇଲ୍ ସର୍ଭିସ ବ୍ୟବହାର କରାଯାଉଛି ସେ, ସରକାର ଏବଂ ଏପରିକି କୌଣସି ତୃତୀୟ ପକ୍ଷ ଚାହିଁଲେ ମଧ୍ୟ ଲୋକଙ୍କର ଏସବୁ ତଥ୍ୟ ଅତି ସହଜରେ ଚୋରି କରିପାରିବ। ଯିଏ ଏଭଳି ଚୋରି କରିବାକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ସ୍ପାଇୱେୟାର କି ମାଲ୍ୱେୟାର୍ ଇତ୍ୟାଦି ବାହାର କରେ, ଚୋରି କରେ, ସେ ଜାଣିଛି ଡାଟା ଚୋରିରେ କେତେ ଲାଭ ଓ କେତେ କ୍ଷତି? ଲାଭ ନଥିଲେ, ଜଣେ ଅନ୍ୟ ଜଣକର ଡାଟା ଚୋରି କରିବାକୁ ଏତେ ଫନ୍ଦିଫିସାଦ କରିବ କାହିଁକି?
ଏବେ ଭାରତବର୍ଷରେ ହ୍ୱାଟ୍ସଆପ୍ପ ଜରିଆରେ ଇସ୍ରାଏଲ୍ର ଏନ୍ଏସଓ ଗୋଷ୍ଠୀ ସୃଷ୍ଟି କରିଥିବା ପେଗାସସ୍ ସ୍ପାଇୱେୟାର ଜରିଆରେ ହୋଇଥିବା ଡାଟା ଚୋରି ବା ଗୁଇନ୍ଦାଗିରି ନେଇ ବିବାଦ ସୃଷ୍ଟି ହୋଇଛି। ହ୍ୱାଟ୍ସଆପ୍ପ ନିଜ ତରଫରୁ ଲୋକମାନଙ୍କର ଡାଟା ହଡ଼ପ ହୋଇଥିବା ପ୍ରକାଶ କରିଥିଲା। ଏହାକୁ ପ୍ରଥମେ ଭାରତ ସରକାର ବାଏଁ ବାଏଁ ଉଡ଼େଇଦେଲେ। କହିଲେ, ଆଗରୁ କାହିଁକି ହ୍ୱାଟ୍ସଆପ୍ପ ସୂଚନା ଦେଲା ନାହିଁ। କିନ୍ତୁ ସରକାରଙ୍କୁ ବେପ୍ରମାଣିତ କଲା ହ୍ୱାଟ୍ସଆପ୍ପ ଓ ଅନେକ ଇଣ୍ଟର୍ନେଟ ବିଶେଷଜ୍ଞ। ସେମାନଙ୍କ ତଥ୍ୟ ଅନୁସାରେ ସରକାରଙ୍କୁ ୨୦୧୯ ମେ ମାସରୁ ଏ ସଂପର୍କୀତ ତଥ୍ୟ ଦିଆଯାଇଛି। ହ୍ୱାଟ୍ସଆପ୍ପ ବି ସେପ୍ଟେମ୍ବର ମାସରେ ଏକଥା ଜଣେଇଛି। ଏବେ ସରକାର କହୁଛନ୍ତି ଯେ ସେତେବେଳେ ପୂରା ତଥ୍ୟ ମିଳି ନଥିଲା। ସରକାର ଏଭଳି ବଙ୍କାତେଢ଼ା ଉତ୍ତର ଓ ସ୍ପଷ୍ଟୀକରଣ ଦେବାର କାରଣ ହେଉଛି, ଇଣ୍ଟର୍ନେଟ୍କୁ ନିୟନ୍ତ୍ରଣ କରିବା କ୍ଷମତାଟି ତାଙ୍କରି ପାଖରେ ଅଛି। ଇଣ୍ଟର୍ନେଟ୍ ଧନ୍ଦା ବୁଝିବା ପାଇଁ ସରକାରଙ୍କର ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ, ତାହା ହେଉଛି ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ। ସେହି ମନ୍ତ୍ରଣାଳୟ ଅଦୀନରେ କଂପ୍ୟୁଟର ଏମର୍ଜେନ୍ସି ରେସ୍ପନ୍ସ ଟିମ୍ ନାମରେ ଏକ ସ୍ୱତନ୍ତ୍ର ବିଭାଗ ବା ଶାଖା ରହିଛି। ଏହି ମନ୍ତ୍ରଣାଳୟର ଉତ୍ତରଦାୟିତ୍ୱ ହେଉଛି ଇଣ୍ଟର୍ନେଟ୍ରେ ଭାରତୀୟ ନାଗରିକମାନଙ୍କର ଡାଟା ବା ତଥ୍ୟର ସୁରକ୍ଷା। ମନ୍ତ୍ରଣାଳୟ ଏହି ଉତ୍ତରଦାୟିତ୍ୱ ତୁଲେଇବାରେ ଅବହେଳା କରିଥିବାରୁ ଏପରି ବଙ୍କାତେଢ଼ା ଜବାବ ଦେଉଛି ବୋଲି ବୋଧହୁଏ।
ତେବେ ମୁଖ୍ୟ ପ୍ରସଙ୍ଗ ଏହା ନୁହେଁ ଯେ ସରକାର ଡାଟା ଚୋରି ରୋକିଲେ ନାହିଁ କାହିଁକି? ମୁଖ୍ୟ ପ୍ରସଙ୍ଗ ହେଉଛି ଯେ ଇଣ୍ଟର୍ନେଟ୍ ଓ ମୋଇବାଇଲ୍ ଯୁଗରେ ଲୋକମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା, ଗୋପନୀୟତାର ଅଧିକାର ସୁରକ୍ଷିତ ରହିପାରିବ କି? ଇଣ୍ଟର୍ନେଟ୍ ଏମିତି ଏକ ମାଧ୍ୟମ ଯାହା ଯେଉଁଠି ସୃଷ୍ଟି ହୋଇଥିଲା ସେଠି ବି ଅପରାଧୀଙ୍କ ହାତବାରିସି ସାଜିଛି। ଆମେରିକା କଂପ୍ୟୁଟର ଓ ଇଣ୍ଟର୍ନେଟ୍ ପ୍ରଯୁକ୍ତିର ଉତ୍ସ କହିଲେ ଭୁଲ୍ ହେବ ନାହିଁ। ସେଠାରେ ମଧ୍ୟ ସରକାରଙ୍କ ତଥ୍ୟ ଚୋରି ହୋଇଯାଉଛି। ସରକାରଙ୍କ ବିନା ସହଯୋଗ ଓ ସଂପୃକ୍ତିରେ ଆଜିକାଲି ଅନେକ ଘରୋଇ କମ୍ପାନୀ ଲୋକମାନଙ୍କର ତଥ୍ୟ ହଡ଼ପ କରି ତାହାକୁ ବଜାରର ପଣ୍ୟ ଭାବେ ବିକ୍ରି କରୁଛନ୍ତି। ମନେ କରନ୍ତୁ ଆପଣ ଗୋଟେ ଲୁଗା ଦୋକାନରୁ ଲୁଗା କିଣିଲେ। ସେଠି ବିଲ୍ କଟାଯିବ। ସେଥିରେ ଆପଣଙ୍କ ନାଁ, ମୋବାଇଲ୍ ନମ୍ବର, ଠିକଣା ଇତ୍ୟାଦି ରହିବ। ଆପଣଙ୍କର ସେହି ତଥ୍ୟକୁ ସେହି ଦୋକାନୀ ଅନ୍ୟ ଦୋକାନୀକୁ ଦେଇପାରେ। ଆପଣ ତାହା ଜାଣିପାରିବେ ନାହିଁ। କିନ୍ତୁ ସେ ତଥ୍ୟ କିଣିଥିବା ଅନ୍ୟ ଦୋକାନୀ ଆପଣଙ୍କ ମୋବାଇଲ୍ ନମ୍ବରରେ ସୂଚନା ନାଁରେ ଅନେକ ବିଜ୍ଞାପନ ପଠେଇପାରେ, ଆପଣଙ୍କୁ ତାଙ୍କ ଦୋକାନର ଗରାଖ ହେବାକୁ ପ୍ରଲୁବ୍ଧ କରିପାରେ।
ଇଏ ଗୋଟିଏ ସରଳ ଉଦାହରଣ। ଏପରି ତଥ୍ୟ ଚୋରି ଜରିଆରେ ବହୁ ସାଙ୍ଘାତିକ କାମ ମଧ୍ୟ ହୋଇପାରେ। ଆପଣଙ୍କର ରାଜନୀତିକ ଗତିବିଧି ଓ ଚିନ୍ତାଧାରା ସଂପର୍କୀତ ତଥ୍ୟ ଜାଣି ଶାସକ କିମ୍ବା ବିରୋଧୀମାନେ ଆପଣଙ୍କୁ ନିୟନ୍ତ୍ରିତ ବା ପ୍ରଭାବିତ କରିବା ପାଇଁ ଉପାୟ ଅବଲମ୍ବନ କରିପାରନ୍ତି। ଗଣତନ୍ତ୍ରକୁ ପ୍ରଭାବିତ ଓ ନିୟନ୍ତ୍ରିତ କରିବା ପାଇଁ ଏଭଳି ଡାଟା ଚୋରି ବା ଗୁଇନ୍ଦାଗିରି ଆଜିକାଲି ଅନେକ ଦଳ ଓ ସରକାରଙ୍କର ମୁଖ୍ୟ ଆୟୂଧ ହୋଇଯାଇଛି। ଏହା ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଓ ଅବୈଧ।
ଭାରତବର୍ଷରେ ୧୯୯୬ ମସିହା ଯାଏଁ ଟେଲିଫୋନ୍ ଟ୍ୟାପିଂ ବିରୋଧରେ ଆଇନ ନଥିଲା। ସେଯାଏଁ ଶାସକ ବର୍ଗ ବିପକ୍ଷ, ବୁଦ୍ଧିଜୀବୀ ଓ ସାମ୍ବାଦିକ ପ୍ରଭୃତି ବର୍ଗର ଲୋକମାନଙ୍କର ଟେଲିଫୋନ୍ ଟ୍ୟାପ୍ କରି ସେମାନଙ୍କୁ ଓ ସେମାନଙ୍କ ଜରିଆରେ ସମାଜକୁ ନିୟନ୍ତ୍ରଣ କରୁଥିଲେ। ସୁପ୍ରିମ କୋର୍ଟରେ କେସ୍ ହେଲା ପରେ ଟେଲିଫୋନ୍ ଟ୍ୟାପିଂ ଉପରେ କିଛିଟା କଟକଣା ଜାରି ହୋଇଛି। କୋର୍ଟଙ୍କ ମତରେ ଏହା ଥିଲା ବ୍ୟକ୍ତିଗତ ସ୍ୱାଧୀନତାର ଉଲ୍ଲଙ୍ଘନ। ସେହିପରି ୨୦୧୭ ମସିହା ଯାଏଁ ଇଣ୍ଟର୍ନେଟ୍ ଜରିଆରେ ତଥ୍ୟ ଚୋରି ନେଇ ବିଶେଷ କିଛି କଟକଣା ନଥିଲା। ୨୦୧୭ ମସିହାରେ ବ୍ୟକ୍ତିଗତ ଗୋପନୀୟତାକୁ ସୁପ୍ରିମ କୋର୍ଟ ଏକ ମୌଳିକ ଅଧିକାର ମାନ୍ୟତା ଦେବା ପରେ ଇଣ୍ଟର୍ନେଟ୍ ଜରିଆରେ ଆପଣଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରବେଶ କରିବା ଏହି ଅଧିକାରର ଉଲ୍ଲଙ୍ଘନ ଭାବେ ବିବେଚିତ ହେଉଛି। ଲୋକମାନଙ୍କର ବିନା ଅନୁମତିରେ ସେମାନଙ୍କ ସଂପର୍କୀତ ତଥ୍ୟର ଆଦାନପ୍ରଦାନ, ବ୍ୟବସାୟ ବା ବ୍ୟବହାର ଏହି ଦୃଷ୍ଟିରୁ ଅସାମ୍ବିଧାନିକ ଓ ଅବୈଧ। ଏହା ଏକ ଗୁରୁତର ଅପରାଧ।
ସରକାର ଏବେ ସକ୍ରିୟ ହେବା ଜରୁରୀ। ଏଭଳି ଡକେଇତି ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡ ଧାର୍ଯ୍ୟ ହେବା ଉଚିତ। ସେହିପରି ଲୋକମାନେ ମଧ୍ୟ ସଚେତନ ହେବା ଜରୁରୀ। ସେମାନେ ‘ରଙ୍କୁଣି ପାଇଛି ଇଲିସି ନା କଣ୍ଟାମଣ୍ଟା କରି ଗିଳୁଛି’ ପରି ମୋବାଇଲ୍ ଓ ଇଣ୍ଟର୍ନେଟ୍ର ଅନାବଶ୍ୟକ ବ୍ୟବହାର କଲେ ନିଜେ ହିଁ କ୍ଷତିଗ୍ରସ୍ତ ହେବେ, ଏହା ବୁଝିବା ଦରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।