ବର୍ଦ୍ଧିତ ବେକାରୀ ଓ ରୋଜଗାର ମେଳା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ ଆଠ ବର୍ଷର ଶାସନ କାଳରେ ଦେଶରେ ବେକାରୀର ହାରକୁ ସର୍ବୋଚ୍ଚ ସ୍ତରକୁ ନେଇଥିବା କେନ୍ଦ୍ର ସରକାର ଇତି ମଧ୍ୟରେ ବହୁ ଆଡ଼ମ୍ବର ମଧ୍ୟରେ ଏକ ରୋଜଗାର ମେଳା ଆରମ୍ଭ କରିଛନ୍ତି। ଗତ ଦୀପାବଳୀ ଦିନ ଖବରକାଗଜ ଓ ଟିଭିରେ ବ୍ୟାପକ ପ୍ରଚାର ସହିତ ଦେଶର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ ସରକାରର ୫୦ ଜଣ ମନ୍ତ୍ରୀ ଦେଶର ବିଭିନ୍ନ ସହରରେ ଉପସ୍ଥିତ ରହି ମୋଟ ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି […]

unemployment

unemployment

Debendra Prusty
  • Published: Friday, 28 October 2022
  • Updated: 28 October 2022, 06:46 PM IST

Sports

Latest News

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ ଆଠ ବର୍ଷର ଶାସନ କାଳରେ ଦେଶରେ ବେକାରୀର ହାରକୁ ସର୍ବୋଚ୍ଚ ସ୍ତରକୁ ନେଇଥିବା କେନ୍ଦ୍ର ସରକାର ଇତି ମଧ୍ୟରେ ବହୁ ଆଡ଼ମ୍ବର ମଧ୍ୟରେ ଏକ ରୋଜଗାର ମେଳା ଆରମ୍ଭ କରିଛନ୍ତି। ଗତ ଦୀପାବଳୀ ଦିନ ଖବରକାଗଜ ଓ ଟିଭିରେ ବ୍ୟାପକ ପ୍ରଚାର ସହିତ ଦେଶର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ ସରକାରର ୫୦ ଜଣ ମନ୍ତ୍ରୀ ଦେଶର ବିଭିନ୍ନ ସହରରେ ଉପସ୍ଥିତ ରହି ମୋଟ ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶାରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି କାର୍ଯ୍ୟକ୍ରମରେ ସାମିଲ ଥିଲେ। ଆଗାମୀ କିଛି ଦିନ ମଧ୍ୟରେ ଗୁଜରାଟ ସମେତ ଦେଶର ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ଆଗାମୀ ଦେଢ଼ବର୍ଷ ମଧ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବେକାରୀ ସମସ୍ୟାର ସମାଧାନ ଦିଗରେ ସରକାର ତତ୍ପର ଅଛନ୍ତି ବୋଲି ଦେଖାଇବାକୁ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି।

ଦେଶର ଆର୍ଥିକ ପରିସ୍ଥିତି ଭୟଙ୍କର ହେଉଥିବାରୁ ସାଧାରଣ ମଣିଷର ଜୀବନ ଜୀବିକାର ସ୍ଥିତି ଶୋଚନୀୟ ହେବାରେ ଲାଗିଛି। ମୂଲ୍ୟବୃଦ୍ଧିର ହାର ବିଶେଷ କରି ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ସମାଜର ଏକ ବଡ଼ ଭାଗ ଜନତାଙ୍କ ପାଇଁ ଅସହ୍ୟ ହେବାରେ ଲାଗିଛି। ଏହା ସହିତ ଭୟଙ୍କର ବେକାରୀ ସାଙ୍ଗକୁ ଲୋକଙ୍କର ଆୟହ୍ରାସ ଏବଂ ଟଙ୍କାର ମୂଲ୍ୟହ୍ରାସ ତଥା ବୈଦେଶିକ ମୁଦ୍ର ଭଣ୍ଡାରରେ ହ୍ରାସ ଅର୍ଥନୀତିର ସ୍ଥିତିର ଗମ୍ଭୀର କରିଦେଇଛି। ସାଧାରଣ ମଣିଷର ଜୀବନରେ ଅନିଶ୍ଚିତତା ଓ ଉଦବେଗ ବଢ଼ିବା ସହିତ ସରକାରଙ୍କ ବିରୁଦ୍ଧରେ କ୍ଷୋଭ ଓ ଅସନ୍ତୋଷ ବି ବଢ଼ିଛି। ଅତଏବ ଏଭଳି ପରିସ୍ଥିତିରେ ଲୋକଙ୍କୁ ପ୍ରଶମିତ କରିବାକୁ ସରକାରଙ୍କୁ ରୋଜଗାର ଦେବାର କଥାଟି ମନେ ପଡ଼ିବା ନିଶ୍ଚିତ ଭାବେ ସ୍ୱାଭାବିକ ମନେହୁଏ।

ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦଳ ବାର୍ଷିକ ଦୁଇ କୋଟି ଚାକିରୀ ଦେବାର ପ୍ରତିଶୃତି ଦେଇ ୨୦୧୪ରେ କ୍ଷମତାକୁ ଆସିଥିଲେ। ଯଦି ପ୍ରତିଶୃତି ମୁତାବକ ସରକାର ଚାକିରୀ ଦେଇଥାନ୍ତେ ତାହେଲେ ଏଯାଏଁ ଆଠ ବର୍ଷରେ ୧୬ କୋଟି ଚାକିରୀ ଦେଇ ସାରନ୍ତେଣି। କିନ୍ତୁ ସରକାର ମାତ୍ର ୭୫ ହଜାର ଯାହାକି ମୋଟ ପ୍ରତିଶୃତିର ୧% ରୁ କମ୍ ଚାକିରୀ ହିଁ ଦେଇ ପାରିଛନ୍ତି। କେବଳ ସେତିକି ନୁହେଁ, ଗତ ଆଠ ବର୍ଷ ମଧ୍ୟରେ ସରକାର ସେ ଦିଗରେ କୌଣସି ପଦକ୍ଷେପ ନେବା ଦେଖାଯାଇନି। ବରଂ ବିମୁଦ୍ରୀକରଣ, ଜିଏସଟି ଓ ତରବରିଆ ଲକ୍ଡ଼ାଉନ୍ ପରି ପଦକ୍ଷେପଗୁଡ଼ିକ ଦେଶର ଅର୍ଥନୀତିକୁ ସଙ୍କଟ ଭିତରକୁ ନେଇଯିବା ସହିତ ଲୋକଙ୍କ ଥିବା ରୋଜଗାରକୁ ଛଡ଼େଇ ନେଇଛି। ସରକାର ଖର୍ଚ୍ଚକାଟ ନାଁରେ ପ୍ରତିବର୍ଷ ୧% ସରକାରୀ ପଦବୀ ଉଚ୍ଛେଦ କରୁଥିବା ବେଳେ ବିଭିନ୍ନ ସରକାରୀ ବିଭାଗରେ ଲକ୍ଷ ଲକ୍ଷ ପଦବୀକୁ ନଭରି ଖାଲି ରଖାଯାଇଛି। ପ୍ରତିବର୍ଷ ଜନସଂଖ୍ୟାରେ ବୃଦ୍ଧି ଏବଂ ଲୋକଙ୍କ ଆବଶ୍ୟକତାରେ ମଧ୍ୟ ବୃଦ୍ଧି ହେଉଥିବାରୁ ଅଧିକ ସରକାରୀ ପଦବୀ ସୃଷ୍ଟିର ଆବଶ୍ୟକତା ପଡ଼ୁଥିବା ବେଳେ ସରକାର ତାକୁ ନବଢ଼େଇ ଥିବା ପଦବୀକୁ ଉଚ୍ଛେଦ କରୁଛନ୍ତି ଅଥବା ଖାଲି ରଖୁଛନ୍ତି। ଦେଶରେ ବେକାରୀର ହାରଟି ଗତ ୪୫ ବର୍ଷ ମଧ୍ୟରେ ସର୍ବାଧିକ ହୋଇଛି।

ଦେଶରେ ଯୁବ ସମାଜ (୧୫-୨୪ ବର୍ଷ ବୟସ)ରେ ବେକାରୀ ରେକର୍ଡ଼ ହାରରେ ବଢ଼ିଥିବା ଜଣାପଡ଼ିଛି। ଦିଲ୍ଲୀ ସ୍ଥିତ ଅର୍ଥନୈତିକ ସେଣ୍ଟର ଫର୍ ମନିଟରିଙ୍ଗ୍ ଇଣ୍ଡିଆନ୍ ଇକୋନୋମୀର ସମୀକ୍ଷା ଅନୁଯାୟୀ ଗତ ଅଗଷ୍ଟ ମାସରେ ଏହି ହାର ୩୪%ରେ ପହଂଚିଛି, ଯାହାକି ଏକଦମ୍ ଅଭୂତପୂର୍ବ ଅଟେ। ତେବେ କେବଳ ସିଏମ୍ଆଇଇର ତଥ୍ୟ ହିଁ ନୁହେଁ, ଗତ କିଛି ମାସ ଧରି ଦେଶର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରୁ ଆସୁଥିବା ବିଭିନ୍ନ ପରିମାପକ ମଧ୍ୟ ଭୟାବହ ବେକାରୀର ସୂଚନା ଦେଉଛି।

ସିଏମ୍ଆଇଇ ସଂସ୍ଥାର ତଥ୍ୟ ଅନୁଯାୟୀ ଗତ ଅଗଷ୍ଟ ମାସରେ ଦେଶରେ ବେକାରୀ ହାର ୮.୩% ରହିଥିଲା, ଯାହାକି ଏକ ବର୍ଷ ମଧ୍ୟରେ ସର୍ବାଧିକ। ଗତ ଅଗଷ୍ଟ ମାସରେ ସହରରେ ବେକାରୀର ହାର ୯.୫୭% ରହିଥିବା ବେଳେ ତା’ ପୂର୍ବ ମାସ ଜୁଲାଇରେ ତାହା ୮.୨୧% ରହିଥିଲା। ସେଥିମଧ୍ୟରୁ ୧୫-୨୪ ବର୍ଷ ବୟସର ବ୍ୟକ୍ତିମାନଙ୍କ ମଧ୍ୟରେ ଏହି ହାର ସର୍ବାଧିକ ଅର୍ଥାତ୍ ୩୪% ରହିଥିଲା।

ସିଏମ୍ଆଇଇର ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ପ୍ରତିମାସରେ ଗ୍ରାମ ଓ ସହର ଉଭୟରେ ବେକାରୀର ହାର ବଢ଼ି ଚାଲିଛି। ଗ୍ରାମାଞ୍ଚଳ ଅପେକ୍ଷା ସହରରେ ବେକାରୀର ହାର ଅଧିକ ବୃଦ୍ଧି ପାଇଛି। ଜୁଲାଇ ମାସରେ ଗ୍ରାମରେ ବେକାରୀର ହାର ୬.୧୪% ଥିବା ବେଳେ ଅଗଷ୍ଟ ମାସରେ ତାହା ୭.୬୮%କୁ ବୃଦ୍ଧି ପାଇଛି। ସହରରେ ଜୁଲାଇ ମାସରେ ଏହି ବେକାରୀ ବୃଦ୍ଧିର ହାରଟି ୮.୨୧% ରହିଥିବା ବେଳେ ଅଗଷ୍ଟରେ ତାହା ୯.୫୭%କୁ ବୃଦ୍ଧି ପାଇଛି।

ଦେଶରେ କେତେ ଶ୍ରମିକ କାମରେ ନିଯୁକ୍ତ ଅଛନ୍ତି ବା କାମର ସନ୍ଧାନରେ ରହିଛନ୍ତି ତାହା ଜାଣିବାକୁ ଶ୍ରମିକ ଅଂଶଗ୍ରହଣର ହାରକୁ ପରିମାପକ ଭାବେ ନିଆଯାଇଥାଏ। ଭାରତରେ ଏହି ହାର ୩୯.୧୭% ରହିଥିବା ବେଳେ ଯୁବ ସମାଜରେ କିନ୍ତୁ ଏହି ହାରଟି ୨୨.୭% ରହିଛି। ଏହାର ଅର୍ଥ ହେଲା, ଦେଶର ମୋଟ କର୍ମକ୍ଷମ ମଣିଷ ମଧ୍ୟରେ ୬୦.୮୭% ନିଯୁକ୍ତିର ବଜାରରୁ ଉତଖାତ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରେ ଗୋଟିଏ ଭାଗ କାମ ଖୋଜୁଥିଲେ ମଧ୍ୟ ବଡ଼ ଅଂଶଟି ଆଉ କାମ ଖୋଜିବାକୁ ଆଗ୍ରହୀ ନୁହଁନ୍ତି। ଯେକୌଣସି ଦେଶର ଅର୍ଥନୀତି ପାଇଁ ଏହି ପ୍ରବଣତାଟି ମାରାତ୍ମକ ହୋଇଥାଏ। ସବୁଠାରୁ ଉଦବେଗଜନକ ବିଷୟ ହେଲା, ଦେଶରେ କାମ ଖୋଜିବା ଛାଡ଼ି ଦେଇଥିବା ମଣିଷଙ୍କ ମଧ୍ୟରେ ସିଂହଭାଗଟି ତରୁଣ ପିଢ଼ିର ଅଟନ୍ତି। ଶିକ୍ଷିତ ବେକାର ଯୁବକ ଯୁବତୀ ନିଜର ଯୋଗ୍ୟତା ଅନୁରୂପ ସମ୍ମାନଜନକ ଚାକିରୀ ପାଉନାହାନ୍ତି।

ଭାରତରେ ଜନସଂଖ୍ୟାର ଅନୁପାତରେ ରୋଜଗାର କରୁଥିବା ଲୋକଙ୍କ ହାର ବିଶ୍ୱର ଅନେକ ଦେଶ ତୁଳନାରେ କମ୍ ରହିବା ସହ ତାହା ଲଗାତାର କମିବାରେ ଲାଗିଛି। ଏହା ଶ୍ରମଶକ୍ତିର ଅଂଶଗ୍ରହଣର ହାରରେ ଦେଖିବାକୁ ମିଳିଥାଏ। ୨୦୨୦ ମସିହାରେ ଏହି ହାର ଭାରତରେ ୪୬% ଥିବା ବେଳେ ଚୀନରେ ୬୭%, ଇଣ୍ଡୋନେସିଆରେ ୬୬%, ମାଲେସିଆରେ ୬୪%, ବ୍ରାଜିଲରେ ୫୯% ଏବଂ ଇଥିଓପିଆ ଓ ଘାନା ପରି ଦେଶମାନଙ୍କରେ ଏହା ଯଥାକ୍ରମେ ୬୭% ଓ ୬୬% ରହିଥିଲା। ୨୦୨୧ ମସିହାରେ ଭାରତରେ ଏହି ହାର ୪୩.୧%କୁ ହ୍ରାସ ପାଇଥିବା ବେଳେ ଗତବର୍ଷ ମହାମାରୀର ଦ୍ୱିତୀୟ ଢେଉ ସମୟରେ ୪୦.୯%କୁ ହ୍ରାସ ପାଇଛି। ଭାରତରେ ଏହି ହାର ବେରୋଜଗାରୀର ଦର ଅପେକ୍ଷା ଅଧିକ ଗୁରୁତ୍ୱବହନ କରୁଛି। କାରଣ ଉପଯୁକ୍ତ ରୋଜଗାର ଅଭାବରୁ ଯାହା ବି କାମ ମିଳୁଛି ତାକୁ କରିବାକୁ ଭାରତର କାମ ଆଶାୟୀ ଲୋକେ ଏକଦମ୍ ବାଧ୍ୟ ହେଉଛନ୍ତି।

ଦେଶରେ ବେକାରୀର ହାର ଏହିକ୍ଷଣି ୭.୪୩% ରହିଛି। ପୁରୁଷମାନଙ୍କ ମଧ୍ୟରେ ଏହି ହାର ୬.୫୭% ରହିଥିବା ବେଳେ ମହିଳାଙ୍କ ମଧ୍ୟରେ ତାହା ୧୫.୨୦% ରହିଛି। ଗ୍ରାମାଂଚଳରେ ମହିଳାଙ୍କ ମଧ୍ୟରେ ବେକାରୀର ହାର ୧୩% ରହିଥିବା ବେଳେ ସହରାଂଚଳରେ ମହିଳାଙ୍କ ମଧ୍ୟରେ ଏହା ୨୧.୬% ରହିଛି। ପୁରୁଷମାନଙ୍କ ମଧ୍ୟରେ ଏହି ହାର ଗ୍ରାମାଂଚଳ ଓ ସହାରାଂଚଳରେ ଯଥାକ୍ରମେ ୬.୫% ଓ ୬.୭% ରହିଛି। ଦେଶରେ ସବୁଠାରୁ ଶୀର୍ଷରେ ହରିଆନା (୩୭.୩%) ରହିଥିବା ବେଳେ କେରଳ ଓ ପଶ୍ଚିମବଙ୍ଗ ସବୁଠାରୁ ତଳେ ରହିଛି। ଏମାନଙ୍କ ବ୍ୟତିତ ଜମ୍ମୁ କାଶ୍ମୀର (୩୨.୮%),  ରାଜସ୍ଥାନ (୩୧.୪%), ଝାଡ଼ଖଣ୍ଡ (୧୭.୩%) ଓ ତ୍ରିପୁରା (୧୬.୩%)ରେ ମଧ୍ୟ ବେକାରୀର ହାର ଜାତୀୟ ହାରଠାରୁ ଉଚ୍ଚା ରହିଛି। ପ୍ରତିବର୍ଷ ପ୍ରାୟ ୮୦ ଲକ୍ଷ ପୁଅ ଝିଅ ପାଠ ପଢ଼ା ସରାଇ ଅଥବା ଅଧାରୁ ପାଠ ପଢ଼ା ସାରି ଦେଶର ଶ୍ରମ ବଜାରରେ ପ୍ରବେଶ କରୁଛନ୍ତି। କମ୍ ବୟସର ପିଲାଙ୍କ ମଧ୍ୟରେ ବେକାରୀର ହାର ଅଧିକ ଥିବା ବେଳେ ଅଧିକ ବୟସଙ୍କ ମଧ୍ୟରେ ଏହା କମ୍ ରହିଛି। ୧୫-୧୯ ବର୍ଷ ବୟସ୍କଙ୍କ ମଧ୍ୟରେ ୫୮.୫୧% ବେକାର ରହିଥିବା ବେଳେ ୨୦-୨୪ ବର୍ଷ ମଧ୍ୟରେ ୪୩.୩୬% ବେକାର ରହିଛନ୍ତି। ସେହିପରି ୨୫-୨୯ ବର୍ଷ ମଧ୍ୟରେ ୧୨.୨୭% ଓ ୩୦-୩୪ ବର୍ଷ ମଧ୍ୟରେ ୧.୮୫% ଲୋକ ବେକାର ରହିଛନ୍ତି।

ଦେଶରେ ଅର୍ଥନୀତି ଯେଉଁ ଖରାପ ଅବସ୍ଥାରେ ରହିଛି, ସେଥିରେ ବେକାରୀର ହାର ଏପରି ଉଚ୍ଚା ରହିବା ସ୍ୱାଭାବିକ। ସରକାରଙ୍କ ଦାୟୀତ୍ୱ ଥିଲା ଦେଶରେ କର୍ମସଂସ୍ଥାନ ସୃଷ୍ଟି କରି ବେକାରୀକୁ କମାଇ ଦେଶକୁ ସମୃଦ୍ଧି ଦିଗରେ ଆଗକୁ ନେବା। କିନ୍ତୁ ଗତ ଆଠ ବର୍ଷ ଧରି ସରକାର ତା’ର ଓଲଟା ଦିଗରେ ଗତି କରୁଥିବା କମ୍ ସେ କମ୍ ତାଙ୍କର ଅର୍ଥନୀତିରୁ ଜଣାପଡ଼ିଛି। ଦେଶରେ ଶିଳ୍ପ ଉତ୍ପାଦନର ଗତି ମନ୍ଥର ସାଙ୍ଗକୁ ମାନ୍ଦାବସ୍ଥାର ସମ୍ମୁଖୀନ ହେବାକୁ ଯାଉଛି ବୋଲି କଳନା କରାଯାଉଛି। ତିନି ବର୍ଷ ତଳେ ଦେଶରେ ମାନ୍ଦାବସ୍ଥା ରହିଥିବା ବେଳେ କୋଭିଡ଼ ମହାମାରୀ ଅର୍ଥନୀତିକୁ ଭୟଙ୍କର ସଙ୍କଟ ମଧ୍ୟକୁ ନେଇଯାଇଥିଲା। ବର୍ତ୍ତମାନ କୋଭିଡ଼ ପରେ ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଶିଳ୍ପ ଉତ୍ପାଦନରେ ବୃଦ୍ଧି ଦେଖାଯାଉନି। ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏନ୍ଏସ୍ଓ ରିପୋର୍ଟରେ ଜୁଲାଇ ମାସରେ ଶିଳ୍ପ ଉତ୍ପାଦନର ତଥ୍ୟ ପ୍ରକାଶିତ ହୋଇଛି। ଦେଶରେ ଶିଳ୍ପ ଉତ୍ପାଦନ ବୃଦ୍ଧିର ହାର ୨୦୨୨ ଜୁଲାଇ ମାସରେ ୨.୪% ରହିଥିବା ବେଳେ ୨୦୨୧ ମସିହାର ଜୁଲାଇ ମାସରେ ତାହା ୧୧.୫% ରହିଥିଲା। ସର୍ବାଧିକ ନିଯୁକ୍ତି ଦେଉଥିବା ଉତ୍ପାଦନ ଶିଳ୍ପରେ ଏହି ବୃଦ୍ଧି ହାରଟି ମାତ୍ର ୩.୨୩% ରହିଥିବା ବେଳେ ଖଣିଶିଳ୍ପରେ ତାହା -୩.୩%କୁ ହ୍ରାସ ପାଇଥିବା ଜଣାପଡ଼ିଛି। ଦେଶରେ ଶିଳ୍ପ ଅଭିବୃଦ୍ଧିରେ ହ୍ରାସର ପରିଣାମ ସ୍ୱରୂପ ରୋଜଗାରର ସମ୍ଭାବନାଟି ମଧ୍ୟ ହ୍ରାସ ପାଇଛି। ଗତ ଜୁନ୍ ମାସରେ ହିଁ ଦେଶର ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ୪୩ ଲକ୍ଷ ଶ୍ରମିକ କାମ ହରାଇଛନ୍ତି। ତଥ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ଜୁନ୍ ଓ ଜୁଲାଇ ଦୁଇ ମାସ ମଧ୍ୟରେ ଯଥାକ୍ରମେ ୮ ଓ ୨୮ ଲକ୍ଷ ଶ୍ରମିକ କାମ ହରାଇଛନ୍ତି। ଉଭୟ ଶିଳ୍ପ କାରଖାନା ଓ ତଥ୍ୟ ପ୍ରଯୁକ୍ତି କ୍ଷେତ୍ରକୁ ମିଶାଇଲେ ଜୁନ୍ ଓ ଜୁଲାଇ ଦୁଇ ମାସ ମଧ୍ୟରେ ମୋଟ ୮୦ ଲକ୍ଷ ଶ୍ରମିକ କାମ ହରାଇଥିବା ଜଣାପଡ଼ିଛି।

ସରକାର ରୋଜଗାର ଦେବା ନେଇ କେତେ ଗମ୍ଭୀର ତାହା ଖୋଦ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଲକ୍ଷ ଲକ୍ଷ ପଦବୀରୁ ସ୍ପଷ୍ଟ ଜଣାପଡ଼ୁଛି। ସରକାର ସଂସଦରେ ଦେଇଥିବା ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ ସୁଦ୍ଧା କେବଳ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୮.୭୨ ଲକ୍ଷରୁ ଅଧିକ ପଦବୀ ଖାଲି ରହିଛି। ସେଥିମଧ୍ୟରୁ ରେଳବାଇରେ ୨.୬୫ ଲକ୍ଷ, ସେନାବାହିନୀରେ ୧.୨୫ ଲକ୍ଷ, ୧୨ଟି ସରକାରୀ ବ୍ୟାଙ୍କରେ ୪୧,୧୭୭, ଗ୍ରାମୀଣ ସ୍ୱାସ୍ଥ୍ୟକର୍ମୀ କ୍ଷେତ୍ରରେ ୬୩,୯୪୧ଟି ପଦବୀ ଖାଲି ରହିଛି। ଏହା ବ୍ୟତିତ ଦେଶସାରା ପୋଲିସ ବିଭାଗରେ ୫.୩୧ ଲକ୍ଷ ପଦବୀ ଖାଲି ରହିଛି। ଏହା ବ୍ୟତିତ ଦେଶର ବିଚାର ବିଭାଗ, ଶିକ୍ଷା ବିଭାଗ ଆଦିରେ ବି ଲକ୍ଷ ଲକ୍ଷ ସଂଖ୍ୟାରେ ପଦବୀ ଖାଲି ରହିଛି। ଯଦି ଦେଶର ସବୁ ରାଜ୍ୟରେ ଖାଲିଥିବା ସରକାରୀ ପଦବୀକୁ ହିସାବକୁ ନିଆଯିବ ତାହେଲେ ଏହି ସଂଖ୍ୟା କୋଟିଏରୁ ଅଧିକ ହୋଇଯିବ। ତେବେ ଏହି ସଂଖ୍ୟାଟି ପ୍ରତିଦିନ ବଢ଼ିବାରେ ଲାଗିଛି। କାରଣ ଉପରୋକ୍ତ ଶୂନ୍ୟ ପଦବୀ ସବୁ ଆଗରୁ ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଅବସର ନେବା ପରେ ଯାଇ ଶୂନ୍ୟ ହୋଇଛି। ଏସବୁ ପଦବୀ ମୋଦିଙ୍କ ଅମଳରେ ସୃଷ୍ଟି ହୋଇନି। ପୂର୍ବର ସରକାରମାନଙ୍କ ସମୟରେ ସରକାରୀ କାର୍ଯ୍ୟର ଆବଶ୍ୟକତାକୁ ନେଇ ସୃଷ୍ଟି ହୋଇଥିଲା। କିନ୍ତୁ ଜନସଂଖ୍ୟା ଓ କାର୍ଯ୍ୟଭାରରେ ବୃଦ୍ଧି ସତ୍ତ୍ୱେ ତାକୁ ସମ୍ପ୍ରସାରିତ କରାଯାଇନାହିଁ। ସରକାରୀ ସେବାର ପରିଧିକୁ ବଢ଼ାଇ ଅଧିକରୁ ଅଧିକ ନିଯୁକ୍ତି ଦେବା ପରିବର୍ତ୍ତେ ଓଲଟା ଅନେକ ଶୂନ୍ୟପଦକୁ ଉଚ୍ଛେଦ କରିଦିଆଯାଇଛି। ଅତଏବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଚାହିଁଲେ ନିଜ ଅଧୀନରେ ହିଁ ଖାଲି ଥିବା ଉପରୋକ୍ତ ପଦବୀରେ ଚାକିରୀ ଦେଇପାରିଥାନ୍ତେ। କିନ୍ତୁ ସରକାର ଅତିବେଶୀରେ ସେସବୁ ଖାଲି ପଡ଼ିଥିବା ପଦବୀ ଗୁଡ଼ିକରେ ନିୟମିତ ନିଯୁକ୍ତି ନଦେଇ ଠିକା ଓ ଆଉଟସୋରସିଂ ଏଜେନ୍ସି ଜରିଆରେ କମ୍ ଦରମାରେ ଅସ୍ଥାୟୀ ନିଯୁକ୍ତି ଜରିଆରେ କାମ ଚଳାଇବାକୁ ଉଦ୍ୟମ କରୁଛନ୍ତି। ସରକାରଙ୍କ ନିୁଯୁକ୍ତି ସଙ୍କୋଚନ ନୀତିର ସବୁଠାରୁ ବଡ଼ ଉଦାହରଣ ହେଉଛି ଅଗ୍ନିବୀର ଯୋଜନା। ସରକାର ଚାକିରୀ ଆଶୟୀ ଦେଶର ଯୁବକ ଯୁବତୀମାନଙ୍କୁ ସ୍ଥାୟୀ ଓ ସମ୍ମାନଜନକ ନିଯୁକ୍ତି ଦେବାକୁ ଯେ ଆଦୌ ଇଛୁକ ନୁହଁନ୍ତି, କମ୍ ସେ କମ୍ ଏହି ଯୋଜନାରୁ ସ୍ପଷ୍ଟ ଉଜାଗର ହୋଇଯାଇଛି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ୨୦୧୪-୨୨ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦପ୍ତରରେ ଚାକିରୀ ପାଇଁ ମୋଟ ୨୨.୦୫ କୋଟି ଯୁବକ ଯୁବତୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୭.୨୨ ଲକ୍ଷ ହିଁ ନିଯୁକ୍ତି ପାଇଛନ୍ତି। ଯଦି ବର୍ଷୱାରୀ ଆବେଦନର ସଂଖ୍ୟାକୁ ଦେଖିବା ତାହେଲେ ପ୍ରତିବର୍ଷ ଆବେଦନକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ନିଯୁକ୍ତିର ସଂଖ୍ୟା ସାଙ୍ଘାତିକ ଭାବେ କମିବାରେ ଲାଗିଛି। ଗତ ତିନି ବର୍ଷର ତଥ୍ୟରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ ସରକାର ନିଯୁକ୍ତି ବ୍ୟବସ୍ଥାକୁ ଏକଦମ୍ ବନ୍ଦ କରିବାକୁ ଚାହୁଁଛନ୍ତି। ଏହା ନୁହେଁ ଯେ ସରକାରୀ ଦପ୍ତରରେ ଅତିରିକ୍ତ କର୍ମଚାରୀ ରହିଛନ୍ତି। କାରଣ କେବଳ ଗୃପ୍‌ ଡ଼ି ଓ ସି କର୍ମଚାରୀ ହିଁ ନୁହଁନ୍ତି ଆଇଏଏସ୍ ଓ ଆଇପିଏସ୍ ପଦବୀ ସଂଖ୍ୟା ବି ବହୁ ପରିମାଣରେ ଖଲିଥିବା ବେଳେ ସରକାର ବହୁତ କମ୍ ନିଯୁକ୍ତି ଦେଉଛନ୍ତି।

ଚଳିତ ବର୍ଷର ଦୁଇ ଦୁଇଟି ଘଟଣା ଦେଶରେ ବେକାରୀର ଭୟବହତାକୁ ଉଜାଗର କରିଛି। ଗତ ଜାନୁଆରୀ ମାସରେ ରେଳବାଇ ଭର୍ତ୍ତି ପରୀକ୍ଷାକୁ କେନ୍ଦ୍ର କରି ବିହାରର ପାଟନାଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶର ପ୍ରୟାଗରାଜ ପର୍ଯ୍ୟନ୍ତ ବେରୋଜଗାର ଯୁବକ ଯୁବତୀଙ୍କ ରଣହୁଙ୍କାର ସାରା ଦେଶକୁ ଆଲୋଡ଼ିତ କରିଥିବା ବେଳେ ଗତ କିଛି ମାସ ତଳେ ସେନା ବାହିନୀରେ ସରକାରଙ୍କ ଅଗ୍ନିବୀର ଯୋଜନାକୁ କେନ୍ଦ୍ର କରି ଚାକିରୀ ଆଶାୟୀ ଯୁବକଙ୍କ ହିଂସାତ୍ମକ ଆନ୍ଦୋଳନ ଦେଶକୁ ଦୋହଲାଇ ଦେଇଥିଲା। ଉପରୋକ୍ତ ଦୁଇଟି ଯାକ ଘଟଣାକୁ କେନ୍ଦ୍ର ସରକାର ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିଥିଲେ। ସରକାର ଯୁବକ ଯୁବତୀମାନଙ୍କ ଦାବିକୁ ବିଚାର କରିବା ପରିବର୍ତ୍ତେ ତାଙ୍କ ପଦକ୍ଷେପକୁ ଅବ୍ୟାହତ ରଖିବା ଦେଖିବାକୁ ମିଳିଲା।

ରେଳବାଇ ଭର୍ତ୍ତି ପରୀକ୍ଷାରେ ଅନିୟମିତତାକୁ ନେଇ ଯୁବକ ଯୁବତୀମାନଙ୍କ ଉପରୋକ୍ତ ପ୍ରତିବାଦଟି ଅସ୍ୱାଭାବିକ ନଥିଲା। ବର୍ଷ ବର୍ଷ ଧରି ନୂଆ ଚାକିରୀ ନବାହାରିବା, ଚାକିରୀ ପାଇଁ ଭର୍ତ୍ତି ପରୀକ୍ଷାରେ ଅନିଶ୍ଚିତତା, ଚୟନ ପ୍ରକ୍ରୀୟାରେ ବ୍ୟାପକ ଅନିୟମିତତା, ପରୀକ୍ଷା ଦେବା ପରେ ବର୍ଷ ବର୍ଷ ଧରି ତା’ର ଫଳ ନବାହାରିବା, ଏପରିକି ଚାକିରୀ ପାଇଁ ଚୟନ ହେବା ପରେ ବି ବର୍ଷ ବର୍ଷ ଧରି ନିଯୁକ୍ତି ନମିଳିବା ଆଦି ସାଙ୍ଗକୁ ବେରୋଜଗାରୀର ବର୍ଦ୍ଧିତ ଜ୍ୱାଳା ଦେଶର ଚାକିରୀ ଆଶାୟୀ କୋଟି କୋଟି ଯୁବକ ଯୁବତୀଙ୍କୁ ଏକଦମ୍ ହତାଶ କରିଆସିଛି। କେବଳ ରେଳବାଇ ନୁହେଁ, ସରକାରଙ୍କ ସମସ୍ତ ଭର୍ତ୍ତି ବୋର୍ଡ଼ରେ ଏଭଳି ଅନିୟମିତତା, ଭ୍ରଷ୍ଟାଚାର ଓ ସମ୍ବେଦନହୀନତା ଚାକିରୀ ଆଶୟୀମାନଙ୍କୁ ଲଗାତାର ପ୍ରତାରିତ କରିଛି। ବେରୋଜଗାରୀର ସ୍ଥିତି ଏତେ ଉତ୍କଟ ହୋଇଛି ଯେ ସାଧାରଣ ଚପରାସୀ କିମ୍ବା ସଫେଇ କର୍ମଚାରୀ ପଦବୀ ପାଇଁ ବି ହଜାର ହଜାର ସଂଖ୍ୟାରେ ସ୍ନାତକ, ସ୍ନାତକୋତ୍ତର ଏପରିକି ବିଟେକ୍, ଏମ୍ବିଏ ପାସ୍ କରିଥିବା ପିଲା ବି ଆବେଦନ କରିବା ଦେଖାଯାଉଛି।

ଦେଶରେ ବେରୋଜଗାରୀର ସ୍ଥିତି ଯେ ଅତ୍ୟନ୍ତ ଭୟଙ୍କର, ଏହାର ସ୍ପଷ୍ଟ ସଙ୍କେତ ବିଭିନ୍ନ କ୍ଷେତ୍ରରୁ ମିଳୁଛି। ନିକଟରେ କେନ୍ଦ୍ର ସରକାରଙ୍କ ଜାତୀୟ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ ବେରୋଜଗାର କାରଣରୁ ଯୁବକ ଯୁବତୀଙ୍କ ମଧ୍ୟରେ ଆତ୍ମହତ୍ୟାର ହାର ବି ଲଗାତାର ବଢ଼ିବାରେ ଲାଗିଛି। ବେରୋଜଗାର କାରଣରୁ ୨୦୨୧ରେ ୧୩,୭୧୪ ଜଣ ଯୁବକ ଯୁବତୀ ଆତ୍ମହତ୍ୟା କରିଛନ୍ତି।

ନିକଟରେ ଅଗ୍ନିବୀର ନାଁରେ ସେନାରେ ଅସ୍ଥାୟୀ ଓ ଠିକା ଚାକିରୀକୁ ପ୍ରଶୟ ଦେଇ ସରକାର ନିଜର ନୀତିକୁ ସ୍ପଷ୍ଟ କରି ସାରିଛନ୍ତି। ଶ୍ରମ ଆଇନକୁ ଉଚ୍ଛେଦ କରି ସରକାର ଯେଉଁ ଶ୍ରମ କୋଡ଼୍ ଆଣିଛନ୍ତି ସେଥିରୁ ବି ଅସ୍ଥାୟୀ ଓ ଠିକା ଚାକିରୀ ପ୍ରତି ସରକାରଙ୍କ ଗୁରୁତ୍ୱ ସ୍ପଷ୍ଟ ହୋଇଯାଉଛି। ତେବେ ସରକାରୀ କ୍ଷେତ୍ରରେ ଯାହା ବି ଚାକିରୀ ଦେଉଛନ୍ତି ତାହା ନିୟମିତ ହେବା ଦରକାର। କାରଣ ଠିକା କିମ୍ବା ଅସ୍ଥାୟୀ ଚାକିରୀ ଲୋକଙ୍କୁ ଆର୍ଥିକ ଦୁଃରବସ୍ଥା ସାଙ୍ଗକୁ ଅନିଶ୍ଚିତତା ମଧ୍ୟକୁ ଠେଲିଦେବାର ସମ୍ଭାବନା ରହିଛି।

ଆମ ଦେଶକୁ ବିଶ୍ୱଗୁରୁରେ ପରିଣତ କରିବାକୁ ସ୍ୱପ୍ନ ଦେଖୁଥିବା ଦେଶର ଶାସକମାନେ ସବୁବେଳେ ଜନସଂଖ୍ୟାଗତ ଲାଭାଂଶର କଥା କହି ଆସିଛନ୍ତି। ଆମ ଦେଶର ବିଶାଳ ଯୁବ ଗୋଷ୍ଠୀ ଆମ ପାଇଁ ଲାଭଜନକ ବୋଲି ବାହାସ୍ଫୋଟ ମରାଯାଉଛି। ମିଳିତ ଜାତିସଂଘ ଦ୍ୱାରା ୨୦୧୪ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତ ବିଶ୍ୱର ସବୁଠାରୁ ବଡ଼ ଯୁବ ଦେଶରେ ପରିଣତ ହୋଇଛି, ଯାହାର ୩୫.୬ କୋଟି ଜନତା ଯୁବଗୋଷ୍ଠୀରେ ରହିଛନ୍ତି। ବର୍ତ୍ତମାନ ଏହି ସଂଖ୍ୟାଟି ଆହୁରି ଅଧିକ ଅର୍ଥାତ୍ ୪୫ କୋଟି ହେବ ବୋଲି ଅନୁମାନ କରାଯାଉଛି। ୨୦୧୧ର ଜନଗଣନା ଅନୁଯାୟୀ ବି ଦେଶର ୪୧% ଜନତା ୨୦ ବର୍ଷରୁ କମ୍ ବୟସର ଥିବା ବେଳେ ୫୦%ରୁ କମ୍ ବୟସର ୨୫ ବର୍ଷରୁ କମ୍ ଏବଂ ୩୫ ବର୍ଷ ମଧ୍ୟରେ ୬୫% ଜନତା ରହିଛନ୍ତି। ପ୍ରତିବର୍ଷ ୪୭.୫ ଲକ୍ଷ ନୂତନ ଯୁବକ ଯୁବତୀ ଶ୍ରମ ବଜାରରେ ପ୍ରବେଶ କରୁଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତିର ସୁଯୋଗ ମିଳୁନି। ଦେଶରେ କାମ କରିବାକୁ ଯୋଗ୍ୟ ଏକ ବଡ଼ ଯୁବ ଗୋଷ୍ଠୀ ରହିଥିଲେ ମଧ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଦେଶର ନିର୍ମାଣ ଓ ଉତ୍ପାଦନରେ ସେମାନଙ୍କ ଉପଯୋଗ ହୋଇପାରୁନି।

ଦେଶରେ ବେରୋଜଗାରୀ ସମସ୍ୟାର ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ନେବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ସମ୍ବେଦନହୀନତାକୁ ହିଁ ପ୍ରଦର୍ଶନ କରାଯାଇଛି। ସରକାର ନିଜର ଅପାରଗତା ଉଜାଗର ହେବା ଭୟରେ ବେରୋଜଗାରୀର ବାର୍ଷିକ ତଥ୍ୟ ଆଉ ପ୍ରକାଶ କରୁନାହାଁନ୍ତି। ଆମେରିକା ପରି ଉନ୍ନତ ଦେଶମାନେ ସପ୍ତାହରେ ଦୁଇ ତିନି ଥର ବେକାରୀର ତଥ୍ୟ ପ୍ରକାଶ କରି ତା’ର ସମାଧାନ ପାଇଁ ପଦକ୍ଷେପ ନେଉଥିବା ବେଳେ ଆମ ସରକାର ବେକାରୀର ତଥ୍ୟକୁ ଲୁଚେଇ ବୋଧେ ତା’ର ସମାଧାନ ବୋଲି ବିଶ୍ୱାସ କରୁଛନ୍ତି। ଖୋଦ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏନେଇ ଲଗାତାର ଅତ୍ୟନ୍ତ ସମ୍ବେଦନହୀନ ମନ୍ତବ୍ୟ ଦେବା ଦେଖିବାକୁ ମିଳିଛି। ବେରୋଜଗାରୀ ପ୍ରସଙ୍ଗକୁ ହାଲୁକା କରିବା ପାଇଁ ପ୍ରଧାନମନ୍ତ୍ରୀ କେତେବେଳେ ରାସ୍ତାକଡ଼ରେ ପକୋଡ଼ା ଛାଣିବାକୁ ବି ରୋଜଗାର ବୋଲି କହିଥିବା ବେଳେ କେତେବେଳେ ରୋଜଗାର ଆଶାୟୀ ହେବା ପରିବର୍ତ୍ତେ ରୋଜଗାର ପ୍ରଦାନକାରୀ ହେବାକୁ ଦେଶର ଯୁବ ସମ୍ପ୍ରଦାୟକୁ ପରାମର୍ଶ ଦେବାକୁ ଭୁଲିନାହାନ୍ତି। ସତକଥାଟି ହେଲା, ଏପରି କହି ସରକାର ଦେଶରେ ରୋଜଗାର ସୃଷ୍ଟି ପାଇଁ ନିଜର ଦାୟୀତ୍ୱ ଓ ପ୍ରତିବଦ୍ଧତାକୁ ଏଡ଼େଇଯିବାକୁ ଚାହୁଁଥିବା ବୁଝି ହେଉଛି।

ପିପୁଲସ୍ କମିଶନ୍ ଅନ୍ ଏମ୍ପ୍‌ଲୟମେଣ୍ଟ୍ ଆଣ୍ଡ ଅନ୍‌ଏମ୍ପଲୟଇମେଣ୍ଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ସରକାର ଜଡ଼ିପିର ମାତ୍ର ୫% ଅର୍ଥାତ୍ ପ୍ରାୟ ୧୩.୨ ଲକ୍ଷ କୋଟି ଯଦି ବିନିଯୋଗ କରନ୍ତେ ତାହେଲେ ଦେଶର ସବୁ ବେକାରୀ ଯୁବକ ନିଯୁକ୍ତି ପାଇପାରନ୍ତେ। କିନ୍ତୁ ଦେଶରେ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇବାକୁ ହେଲେ ସରକାର ନିର୍ଦ୍ଧିଷ୍ଟ ନୀତି ଆପଣେଇବା ଦରକାର। ତେବେ ସରକାର ସ୍ୱୀକାର କରନ୍ତୁ ବା ନାହିଁ, ବେକାରୀ ସମସ୍ୟା ଦେଶର ଏକ ଜ୍ୱଳନ୍ତ ପ୍ରସଙ୍ଗ ଅଟେ। ଏହା ଦେଶର ସଂଖ୍ୟାଗରିଷ୍ଠ ଲୋକଙ୍କ ପ୍ରସଙ୍ଗ। ଅତଏବ ସରକାର କେବଳ ନିର୍ବାଚନୀ ସ୍ୱାର୍ଥରେ କିଛି ଲୋକ ଦେଖାଣିଆ ଘୋଷଣା ନକରି ଏ ଦିଗରେ ଠୋସ୍ ପଦକ୍ଷେପ ନେବା ଜରୁରୀ।

ଫୋନ - ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos