ଜାନକୀଶ ବଡ଼ପଣ୍ଡା
କ୍ଷୁଧା ଦୁଇ ପ୍ରକାରର। ଜଣେ ପେଟ ପୁରାଇ ଖାଇଲେ ବି ତାଙ୍କୁ ପୁଷ୍ଟିନିରାପତ୍ତା ନମିଳିଲେ, ତାହାକୁ ଲୁକ୍କାୟିତ କ୍ଷୁଧା କୁହାଯିବ ଓ ସେ ଅପପୁଷ୍ଟିର ଶିକାର ହେବେ। ସ୍ଥାୟୀ ପୁଷ୍ଟିନିରାପତ୍ତା ପାଇଁ ସୁଷମ ଖାଦ୍ୟ ସହ ଲୌହ ଏବଂ ଜିଙ୍କ ଭଳି ଅଣୁସାର ଯୁକ୍ତ ଖାଦ୍ୟ ଅତ୍ୟାବଶ୍ୟକ। ଅଣୁସାର ଅଭାବ ଜନିତ ପୁଷ୍ଟିହୀନତା ବିଶ୍ଵର ନିମ୍ନ ଏବଂ ମଧ୍ୟମ ବର୍ଗର ଅର୍ଥନୀତି ସମ୍ପନ୍ନ ଦେଶମାନଙ୍କରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। କେବଳ ଭାରତରେ, ପ୍ରାୟ ୮୦% ଗର୍ଭବତୀ ମହିଳା, ୫୨% ସାଧାରଣ ମହିଳା ଏବଂ ୬-୩୫ ମାସ ବୟସର ୭୪% ପିଲାଙ୍କର ରକ୍ତରେ ଲୌହ, ୫ ବର୍ଷରୁ କମ୍ ବୟସ ଶିଶୁଙ୍କ ମଧ୍ୟରୁ ପ୍ରାୟ ୫୨% ଜିଙ୍କ ଅଭାବରେ ପୀଡ଼ିତ। ଲୌହ ଅଭାବ ହେଲେ ବିଭିନ୍ନ ପ୍ରକାରର ଶାରୀରିକ ଦୁର୍ବଳତା ସହ ଶିକ୍ଷାଗ୍ରହଣ ଓ କାର୍ଯ୍ୟକରିବାର କ୍ଷମତା ହ୍ରାସ ହୁଏ ଏବଂ ଗର୍ଭଧାରଣ ଜଟିଳତା (ଯଥା, ମାତୃ ମୃତ୍ୟୁହାର ଏବଂ କମ୍ ଓଜନ ବିଶିଷ୍ଟ ଶିଶୁ) ସୃଷ୍ଟି କରିଥାଏ। ପିଲାମାନଙ୍କର ଜିଙ୍କ ଅଭାବ କାରଣରୁ ତରଳ ଝାଡ଼ା ଓ ନିମୋନିଆ ହୁଏ ଏବଂ ସଂକ୍ରମଣରୁ ମୃତ୍ୟୁ ମଧ୍ୟ ହୋଇଥାଏ। ଆମର ପ୍ରଚଳିତ ଖାଦ୍ୟାଭ୍ୟାସ କାରଣରୁ ଲୁକ୍କାୟିତ କ୍ଷୁଧାରେ ଅଧିକାଂଶ ଆକ୍ରାନ୍ତ। ଖାଦ୍ୟ ଶୃଙ୍ଖଳରେ ଏହି ଅଭାବକୁ ଦୂର କରିବା ପାଇଁ ବ୍ୟୟବହୁଳ ଉପାୟ ଅପେକ୍ଷା ସ୍ଥାୟୀ ପ୍ରତିକାର ଭାବରେ ପାରମ୍ପରିକ ବାଜରା ଓ ମାଣ୍ଡିଆ ସମେତ ବିଭିନ୍ନ ମିଲେଟକୁ ଶିଶୁଙ୍କଠାରୁ ରୋଗୀଙ୍କ ଯାଏଁ, ଗର୍ଭବତୀଙ୍କଠାରୁ କ୍ରୀଡାବିତଙ୍କ ଯାଏଁ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର କରିବା ଆବଶ୍ୟକ ମନେକରାଯାଉଛି।
ମୂଲ୍ୟବାନ ପୁଷ୍ଟିସମୃଦ୍ଧି କାରଣରୁ ମିଲେଟକୁ ସୁବର୍ଣ୍ଣ-ଶସ୍ୟ କହିବା ହୁଏତ ଭୁଲ ନୁହେଁ। ଗାଁ କନିଆ ସିଙ୍ଘାଣିନାକୀ ପରିଗଣିତ ହେଲା ଭଳି ଅନେକ ଲୋକ ମିଲେଟର ଗୁରୁତ୍ୱ ଜାଣନ୍ତି ନାହିଁI ବହୁ ବିଳମ୍ବିତ ହେଲେ ବି ସରକାର ମିଲେଟଗୁଡ଼ିକର ଅନ୍ତର୍ନିହିତ ମୂଲ୍ୟ ହୃଦୟଙ୍ଗମ କରିପାରିଛନ୍ତି, ଯାହାର ଫଳସ୍ୱରୂପ ଓଡ଼ିଶାରେ ମିଲେଟ ମିଶନ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆରମ୍ଭ କରା ଯାଇଛି। ମିଲେଟ କହିଲେ ଆମେ ଓଡ଼ିଶାରେ ମୁଖ୍ୟତଃ ମାଣ୍ଡିଆ, ବାଜରା, କୋଦ ଓ ସୁଆଁକୁ ବୁଝୁ। ଏଗୁଡିକୁ ଲଘୁଶସ୍ୟ ଭାବେ ବା ଗରିବ ଲୋକଙ୍କ ଖାଦ୍ୟ ଭାବେ ଆମେ ବିଚାର କରୁ। ଚାଉଳ ଓ ଗହମରୁ ଅନେକ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ ହେବାର ପରମ୍ପରା ରହିଥିଲା ବେଳେ ମାଣ୍ଡିଆରୁ ପ୍ରସ୍ତୁତ ଜାଉ ଖାଇଲେ ପେଟ ଖରାପ ହେଉଥିବାର ଢଗ ଥିବାରୁ ମାଣ୍ଡିଆ ସମେତ ସମସ୍ତ ମିଲେଟକୁ ରୋହିଙ୍ଗିଆ ଅନୁପ୍ରବେଶକାରୀ ଭାବେ ଦେଖାଯାଏ।
ମାଣ୍ଡିଆ ଶହଶହ ବର୍ଷ ଧରି ଗ୍ରାମାଞ୍ଚଳ ତଥା ମାଳ-ଅଞ୍ଚଳ ଲୋକମାନଙ୍କର ଏକ ପ୍ରିୟ ଖାଦ୍ୟ ରୂପେ ପରିଚିତି ହାସଲ କରି ସାରିଛି। ଏଥିରେ ଅନ୍ତତଃ ଚାରି ପ୍ରକାର ଅତ୍ୟାବଶ୍ୟକୀୟ ଆମିନୋଏସିଡ ସହିତ ମାନବ ଶରୀର ପାଇଁ ଆବଶ୍ୟକୀୟ ପୁଷ୍ଟିସାର, ସ୍ନେହସାର, ଶ୍ଵେତସାର, କ୍ୟାଲସିୟମ୍, ଲୌହ, ଭିଟାମିନ୍-ବି, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ ଭଳି ଖଣିଜ ଲବଣ, ଫସଫରସ ଓ ତନ୍ତୁ ଜାତୀୟ ଖାଦ୍ୟଗୁଣ ଭରପୂର ରହିଛି। ବିଗତ କିଛି ବର୍ଷ ଧରି ଗ୍ଲୁଟେନ୍ ମୁକ୍ତ ଭୋଜନ ଲୋକପ୍ରିୟତା ହାସଲ କରିସାରିଛି; ଯାହାକୁ ଆମେ କହୁଛେ 'ଭେଗାନ୍'। ଏହା ମଧ୍ୟ ଗ୍ଲୁଟେନ୍ ମୁକ୍ତ ଏବଂ ଏଥିରେ କମ୍ ଗ୍ଲାଇସେମିକ୍ ଗୁଣ ଥିବାରୁ କୋଲେଷ୍ଟରଲ ଏବଂ ରକ୍ତ ଶର୍କରା ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଗ୍ଲୁଟେନ୍ ଆଲର୍ଜି ଥିବା ଲୋକଙ୍କ ପାଇଁ ମଧ୍ୟ ମିଲେଟ ଉପାଦେୟ। ଏଣୁ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ମାଣ୍ଡିଆରୁ ପ୍ରସ୍ତୁତ ଭୋଜନ ଦେବାକୁ କୁହାଯାଏ। ବହୁମୂତ୍ର ରୋଗୀମାନଙ୍କ ପାଇଁ ଏହା ଏକ ଉପାଦେୟ ଖାଦ୍ୟ। ମାଣ୍ଡିଆ ଗଛକୁ ସବୁଜ ଅବସ୍ଥାରେ ଘାସଭଳି କାଟି ମାଟି ତଳେ ସାଇଲେଜରେ ସାଇତି ରଖାଯାଇପାରେ ଓ ପରେ ଗୋ-ଖାଦ୍ୟ ରୂପେ ବ୍ୟବହାର କରାଯାଇ ପାରେ। ମାତ୍ର ୪୦-୬୦ ସେ.ମି ଜଳ ଆବଶ୍ୟକ କରୁଥିବା ମାଣ୍ଡିଆ ଫସଲ ମରୁଡ଼ି ସହିପାରେ। ଧାନଫସଲ କିନ୍ତୁ ଆବଶ୍ୟକ କରେ ପ୍ରାୟ ଅଢ଼େଇ ଗୁଣ ଅଧିକ ଜଳ। ଚାଉଳ ଏବଂ ଗହମ ଅପେକ୍ଷା ମିଲେଟସ୍ ପାଞ୍ଚ ଗୁଣ ଅଧିକ ପୁଷ୍ଟିକର ବୋଲି ଖାଦ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଏଥିପାଇଁ ମିଲେଟକୁ ନେଇ ନୂତନ ଆଗ୍ରହ ଓ ଚର୍ଚ୍ଚା। ଏହାର ଉଚ୍ଚ ପୁଷ୍ଟିଗୁଣ ସ୍ୱାସ୍ଥ୍ୟ ସଚେତନ ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରିଛି ଆଗ୍ରହ।
ବର୍ଷର ସବୁ ଋତୁରେ ମାଣ୍ଡିଆ ଚାଷ କରାଯାଇ ପାରେ। ଲଘୁଶସ୍ୟ ବିଶ୍ୱ ଖାଦ୍ୟ ସଙ୍କଟ ଦୂର କରିବାରେ ସାହାଯ୍ୟ କରିପାରିବାର ସମ୍ଭାବନା ସୃଷ୍ଟି ହୋଇଛି। ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ସମଗ୍ର ବିଶ୍ୱ ଗହମ ସଙ୍କଟକୁ ସାମ୍ନା କରୁଛି। ବିଶ୍ଵ ଆମଦାନୀ କରୁଥିବା ସମୁଦାୟ ଗହମର ଏକ ପଞ୍ଚମାଂଶ ଗହମ ଯୋଗାନ୍ତି ଏହି ଦୁଇ ଦେଶ। ଏବେ ଯୁଦ୍ଧ କାରଣରୁ ଅଦୃଶ୍ୟ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି; ଯାହାର ଭରଣା କେବଳ ଅଧିକ ଗହମ ଓ ଚାଉଳ ଉତ୍ପାଦନ କରିବା ସହ, ବିଭିନ୍ନ ଲଘୁଶସ୍ୟ ଉତ୍ପାଦନ ମାଧ୍ୟମରେ କରାଯାଇପାରିବ। ଏହି ସମସ୍ତ କାରଣରୁ କେବଳ ମାଣ୍ଡିଆ ନୁହେଁ, ବାଜରା, ଜବାର ଭଳି ତଥାକଥିତ ଅନେକ ନିକୃଷ୍ଟ ଲଘୁଶସ୍ୟ ଧନୀଲୋକଙ୍କ ନାକଟେକା ସତ୍ତ୍ୱେ ଆଜି ସବୁ ଦିଗରୁ ଉନ୍ନତ ବୋଲି ପରିଗଣିତ ହେଲାଣି।
ଯଦି ଲଘୁଶସ୍ୟଗୁଡିକ ଏତେ ଭଲ ଓ ଉପକାରୀ ଏହାର ଚାଷ କମିଯାଇଛି କାହିଁକି? ଉତ୍ତରରେ କୁହାଯାଇ ପାରେ ଯେ ଏହାକୁ ଗରିବ ଲୋକଙ୍କ ଖାଦ୍ୟ କିମ୍ବା ଅପପୁଷ୍ଟ ଖାଦ୍ୟ ପଦାର୍ଥ ଭାବରେ ଅପନିନ୍ଦା ମିଳି ଆସିଛି। ଫଳରେ ମିଲେଟର ସ୍ଥାନ ଅଧିକାର କରିନେଇଛି ଚାଉଳ ଏବଂ ଗହମ ପରି ଧନୀଲୋକଙ୍କ ଖାଦ୍ୟଶସ୍ୟ। ସବୁଜ ବିପ୍ଳବ ମାଧ୍ୟମରେ ଆମେ ଅଧିକ ଧାନ ଓ ଗହମ ଉତ୍ପାଦନକୁ ପ୍ରାଧାନ୍ୟ ଦେଇଛେ, ମିଲେଟ ଚାଷକୁ ହେଳା କରିଛେ। ସାଧାରଣତଃ ଢିପ ଓ ପଦର ଜମିରେ ଭୂମିହୀନ କୃଷି ଶ୍ରମିକ ଓ ଭାଗଚାଷୀମାନେ ଲଘୁଶସ୍ୟ ଚାଷ କରୁଥିଲେ। ଚାଉଳ ଏବଂ ଗହମରୁ ପ୍ରସ୍ତୁତ ନାନାଦି ପ୍ରକାର ଭୋଜନ ସାମଗ୍ରୀକୁ ଲୋକପ୍ରିୟ କରିଛେ। ଖାଦ୍ୟ ସୁରକ୍ଷା ଯୋଜନାରେ ଆମେ ଚାଉଳ ଓ ଗହମ ଦେଇ ପେଟର ଭୋକ କମାଇଛେ ସିନା, ଲୁକ୍କାୟିତ କ୍ଷୁଧା ଦୂରକରିବାକୁ ପ୍ରୟାସ କରିନେ। ଏବେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମ ଯୋଗାଇ ଦିଆ ଯାଉଥିବାରୁ ସେମାନେ ଲଘୁଶସ୍ୟ ଚାଷ କରିବାକୁ ଅନାଗ୍ରହୀ। ବରଂ ସେହି ଜମିରେ ମିଠାମକା ଚାଷ ଲାଭଜନକ ହେଉଛି। ଅନେକ ବର୍ଷ ଧରି ଲଘୁଶସ୍ୟ ଚାଷ କରିବା ବଦଳରେ ସେଠାରେ ଫଳ ଚାଷ, ଏପରିକି ଶାଗୁଆନ ବୃକ୍ଷ ଲାଗି ସାରିଲାଣି। ଅନେକ ଢିପ ଜମିରେ ଏବେ ଘର ଠିଆ ହୋଇଛି। ଅଧିକାଂଶ ଗ୍ରାମରେ ଏହି ଅବସ୍ଥା। କେବଳ ମାଳ ଅଞ୍ଚଳ ଓ ପାହାଡ଼ ତଳି ଆଦିବାସୀ ଗ୍ରାମମାନଙ୍କରେ କେବଳ ମିଶନ ସହାୟତା ମିଳିଲେ ଲଘୁଶସ୍ୟ ଚାଷ ସମ୍ଭବ।
ଭାରତ ବିଶ୍ୱର ସର୍ବବୃହତ ମିଲେଟ ଉତ୍ପାଦକ, ଯାହାର ୯୦ ପ୍ରତିଶତରୁ ଅଧିକ ଉତ୍ପାଦନ ହୁଏ ରାଜସ୍ଥାନ, କର୍ଣ୍ଣାଟକ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ। ଯୁବ କୃଷକମାନଙ୍କୁ ମିଲେଟ ସମ୍ବନ୍ଧୀୟ ନୂତନ ଜ୍ଞାନ କୌଶଳ ବିଷୟରେ ପ୍ରଶିକ୍ଷିତ କରାଗଲେ ଆମ ଦେଶ ଅନ୍ତର୍ଜାତୀୟ ଖାଦ୍ୟ ବଜାରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବ। ପୁଷ୍ଟିହୀନତା ସ୍ୱାସ୍ଥ୍ୟ ଏବଂ ବିକାଶର ଶତ୍ରୁ। ସମଗ୍ର ବିଶ୍ୱରେ ୨୦୩୦ ସୁଦ୍ଧା ସମସ୍ତ ପ୍ରକାରର ପୁଷ୍ଟିହୀନତାକୁ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜଳବାୟୁ ସହଣୀ ମିଲେଟ ଫସଲ ଉପରେ ଭରସା ବଢ଼ିଛି ଏବଂ ପୁଷ୍ଟିକର ସ୍ମାର୍ଟ ଫସଲ ଭାବରେ ବିବେଚନା କରାଯାଇ ଏହାକୁ ପୁନର୍ଜୀବନ ଦିଆ ଯାଉଛି। ଏଥିପାଇଁ ମିଲେଟର ଅଧିକ ଉତ୍ପାଦନ, ପ୍ରକ୍ରିୟାକରଣ, ମାର୍କେଟିଂ ଏବଂ ବ୍ୟବହାର ଉପରେ ଗୁରୁତ୍ୱ ଦିଆ ଯାଉଛି।
ମିଲେଟ ଫସଲ ଚାଷ ଏବଂ ଖାଦ୍ୟରୂପେ ଏହାର ଶସ୍ୟର ବ୍ୟାପକ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମିଲେଟ ପାଇଁ ଉତ୍କର୍ଷତା କେନ୍ଦ୍ର ଆରମ୍ଭ କରିଛନ୍ତି, ନୀତି ଆୟୋଗଙ୍କ ସହାୟତାରେ ବିଭିନ୍ନ ରାଜ୍ୟରେ ମିଲେଟ ମିଶନ ପ୍ରତିଷ୍ଠା କରିଛନ୍ତି ଏବଂ ଏହାକୁ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ସହିତ ଯୋଡ଼ିବାକୁ ପ୍ରଚେଷ୍ଟା କରୁଛନ୍ତି। ମିଲେଟ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗ୍ରାମ୍ୟ ଗୋଦାମ ସୁବିଧାଥିବା ଅଞ୍ଚଳରେ ନିପାଣିଆ ଢିପଜମିକୁ ଲଘୁଶସ୍ୟ ଚାଷ ପାଇଁ ବ୍ୟବହାର କରାଯାଉଛି ଏବଂ ଏହାକୁ ମୂଲ୍ୟଯୁକ୍ତ କରିବାକୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରାଯାଉଛି। ଚାଷୀମାନଙ୍କୁ କୃଷକ ଉତ୍ପାଦକ ସଂଗଠନ (FPO) ମାଧ୍ୟମରେ ସଂଗଠିତ କରି ଚୁକ୍ତିଭିତ୍ତିକ ମିଲେଟଚାଷ କରାଯାଉଛି।
୨୦୧୭-୧୮ରେ ପରୀକ୍ଷଣ ଭିତ୍ତିରେ ଖରିଫ ଋତୁରେ ମିଲେଟ ବା ଲଘୁଶସ୍ୟ ଗୁଡିକ ୨୧୬ ହେକ୍ଟରରେ ଚାଷ କରାଯାଇଥିଲା ଏବଂ ପରେ ଏହା ୨୦୧୮-୧୯ରେ ୧,୦୯୧ ହେକ୍ଟରକୁ ବୃଦ୍ଧି କରାଯାଇଥିଲା। ହାରାହାରି ଉତ୍ପାଦନ ୨୦୧୮ରେ ଥିଲା ଏକର ପିଛା ୪ରୁ ୬ କ୍ୱିଣ୍ଟାଲ I ୨୦୧୯-୨୦ ଖରିଫ ଋତୁରେ ଏହି ଲକ୍ଷ୍ୟକୁ ୨,୬୧୦ ହେକ୍ଟରକୁ ବୃଦ୍ଧି କରାଗଲା। ଆଦିବାସୀ ବିକାଶ ସମବାୟ ନିଗମ (ଟିଡିସିସି) ଚାଷୀଙ୍କଠାରୁ ଉତ୍ପାଦିତ ଳଘୁଶସ୍ୟ କିଣିନେବା ପାଇଁ ବନ୍ଦୋବସ୍ତ ହେଲା। ଏହା ବ୍ୟତୀତ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ଆଇସିଡିଏସ୍ ଏବଂ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଅଧୀନରେ ଳଘୁଶସ୍ୟରୁ ପ୍ରସ୍ତୁତ ସ୍ୱାଦିଷ୍ଟ ଭୋଜନ 'ଖେଚେଡ଼ି' ଏବଂ 'ଉପମା' ଦିଆଗଲା। ଭୁବନେଶ୍ୱର ସମେତ ବଭିନ୍ନ ସହରରେ ଳଘୁଶସ୍ୟରୁ ପ୍ରସ୍ତୁତ ରୁଚିକର ଖାଦ୍ୟ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ସେଠାରେ ମିଲେଟ ହାଲୱା, ବରା, ଦୋସା, ପକୋଡ଼ା, ବିସ୍କୁଟ ଏବଂ ପିଠା ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀର ବିକ୍ରି ତଥା ପ୍ରଚାର ପ୍ରସାର କରାଯାଉଥିବାର କୁହାଯାଉଛି।
ମିଲେଟ ମିଶନକୁ ସଫଳ କରିବାକୁ ହେଲେ ଚାଷୀଙ୍କୁ ଅଧିକ ଅମଳକ୍ଷମ ବିହନ ଯୋଗାଇଦେଇ ସେମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସମସ୍ତ ମିଲେଟ କ୍ରୟ କରିବାକୁ ହେବ। ମୂଲ୍ୟ ଉପରେ କିଛି ବୋନସ ଦେଲେ ଭଲ। ମିଲେଟକୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଉତ୍ପାଦନ ପ୍ରୋତ୍ସାହନ ଯୋଜନା (PLI) ଦିଆଯିବା ଦରକାର। ମିଲେଟ-ଆଧାରିତ ଦ୍ରବ୍ୟର ବ୍ରାଣ୍ଡିଂ ଏବଂ ମାର୍କେଟିଂ ପାଇଁ ଭଲଭାବେ ପ୍ୟାକ ହୋଇଥିବା ମିଲେଟ୍ ଇଡଲି /ଦୋସା ବାଟଣ, ସ୍ନାକ୍ସ, କୁକିଜ୍, ଶିଶୁ ଖାଦ୍ୟ ମାଧ୍ୟମରେ ବଜାର ପ୍ରବେଶ କରିବାକୁ ପଡ଼ିବ। ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ସମବାୟ ସମିତିଗୁଡ଼ିକ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦନ ତଥା ବଜାର ବିକ୍ରିବଟାକୁ ଉତ୍ସାହିତ କରି ପାରିବେ। ଏହା ମହିଳା ଉଦ୍ୟୋଗକୁ ବଢ଼ାଇବା ସହ ଗ୍ରାମୀଣ ରୋଜଗାର ବୃଦ୍ଧି କରିପାରିବ। ବଜାରରେ ଏବେ ମଲ୍ଟି ଗ୍ରେନ ଅଟା ଓ ଭଲ ଛତୁଆର ଚାହିଦା ଅଛି, ଯାହାକୁ ବଢ଼ାଇବାକୁ ପଡ଼ିବ। ପିଡ଼ିଏସ ବା କଣ୍ଟ୍ରୋଲ ଦୋକାନରେ ଚାଉଳ, ଗହମ ସହିତ ମିଲେଟ ମଧ୍ୟ ଦେବାକୁ ହେବ। ମିଲେଟରୁ ପ୍ରସ୍ତୁତ ବ୍ୟଞ୍ଜନ ତାରକା ହୋଟେଲରେ ପରଷା ଗଲେ ଗରିବଙ୍କ କାଞ୍ଜି ଧନୀ ଲୋକଙ୍କ ସୁପ ହେଲା ଭଳି ଆଦର ପାଇବ ଓ ସଭିଏଁ ପ୍ରକୃତ ଖାଦ୍ୟ ନିରାପତ୍ତା ପାଇବା ସହିତ ନିରନ୍ତର ବିକାଶକୁ ସୁନିଶ୍ଚିତ କରିପାରିବ।
ସେଥିଲାଗି, ଆମକୁ ଓଡ଼ିଶାରେ ଅନ୍ତତଃ ୭.୫ ଲକ୍ଷ ଏକର ଢିପ ଜମିରେ ମିଲେଟ ଚାଷ କରି, ନୂତନ ପ୍ରଯୁକ୍ତି ଓ କୌଶଳ ବ୍ୟବହାର କରି ଏକର ପିଛା ୫-୬ କୁଇଣ୍ଟାଲ ଶସ୍ୟ ଅମଳ କରିବାକୁ ପଡ଼ିବ। ନୂତନ ପ୍ରଯୁକ୍ତିବିଦ୍ୟା ଆଧାରରେ ବିକଶିତ ପ୍ରଚୁର ଅଣୁସାରଯୁକ୍ତ ନୂଆ ମିଲେଟ କିସମଗୁଡିକୁ ଚାଷୀଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। କେତେକ ରାଜ୍ୟ ଭଳି TPDS, ICDS ଏବଂ MDM କାର୍ଯ୍ୟକ୍ରମରେ ପୁଷ୍ଟିକର ମିଲେଟ୍ ଅନ୍ତର୍ଭୂକ୍ତ କରାଗଲା ଭଳି ଓଡ଼ିଶାର ସମସ୍ତ ଜିଲ୍ଲାରେ କରିବାକୁ ପଡ଼ିବ। ଗ୍ରାମୀଣ ହାଟଗୁଡ଼ିକୁ ଇ-ନାମ ସହିତ ସଂଯୋଗ କରିପାରିଲେ, ଅନେକ ଘରୋଇ କମ୍ପାନୀ, ଅମଳ ହେଉଥିବା ସୁବର୍ଣ୍ଣଶସ୍ୟକୁ ଅଧିକ ଦରରେ କିଣିନେବେ।
ଫୋ-୯୪୩୮୨୯୯୦୩୭
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।