ଦେବେନ୍ଦ୍ର ପୃଷ୍ଟି
ମହାରାଷ୍ଟ୍ରରେ ଯାହା ହେବାକୁ ଯାଉଥିଲା ତାହା ଥିଲା ନୀତିହୀନ ରାଜନୀତି। ଏବେ ଯାହା ହେଲା ତାହା ମଧ୍ୟ ନୀତିହୀନ। ତେବେ ନେତାମାନେ ଯାହା ସବୁବେଳେ କହନ୍ତି, ଯୋ ଜିତା ୱହି ସିକନ୍ଦର, ସେଇଆ ହେଲା, କୂଟକପଟର ରାଜନୀତିରେ ପ୍ରବୀଣ ଶରଦ ପାୱାରଙ୍କୁ ବଳିଗଲେ ଭାରତୀୟ ଜନତା ପାର୍ଟିର ଚାଣକ୍ୟ ଅମିତ ଶାହ, ଯଦିଓ ନାଁ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି ଯେ ମୋଦୀ ହୈ ତୋ ମୁମ୍କିନ୍ ହୈ। ମୋଦୀଙ୍କ ଯୋଗୁଁ ରାତାରାତ ବଦଳିଗଲା ମହାରାଷ୍ଟ୍ର ସମୀକରଣ। ଉଦ୍ଧବ ଥାକରେଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା କାର୍ଯ୍ୟକ୍ରମକୁ ଅପେକ୍ଷା କରିଥିବା ଲୋକେ ସକାଳୁ ଟିଭିରେ ଦେଖିଲେ ଦେବେନ୍ଦ୍ର ଫଡ଼ନାବିସ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି।
୨୦୧୯ ନଭେମ୍ବର ୨୨ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଖବର ଥିଲା ଶିବସେନା ପ୍ରମୁଖ ଉଦ୍ଧବ ଥାକରେ ମୁଖ୍ୟମନ୍ତ୍ରୀ ହେବେ। ଶିବସେନାରୁ ୧୬, ଏନସିପିରୁ ୧୪ ଓ କଂଗ୍ରେସରୁ ୧୨ ଜଣ ମନ୍ତ୍ରୀ ହେବେ। କିଏ କେଉଁ ବିଭାଗ ପାଇବେ ତାହା ମଧ୍ୟ ଚୂଡ଼ାନ୍ତ ହୋଇସାରିଥିଲା। ରାତି ପାହିଲେ ତିନି ଦଳର ନେତା ଯାଇଁ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟି ସରକାର ଗଠନ ଦାବି ଜଣାଇଥାନ୍ତେ। କିନ୍ତୁ ସକାଳ ହେଲାରୁ ଜଣାପଡ଼ିଲା ରାତି ପାହି ସଂପୂର୍ଣ୍ଣ ଫର୍ଚ୍ଚା ହେବା ପୂର୍ବରୁ ବିଜେପିର ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଛନ୍ତି। ସମର୍ଥନ ଦେଇଛି ଏନସିପି। ଏହି ଘଟଣାକୁ ନେଇ ୨୦୧୯ ନଭେମ୍ବର ୨୩ ତାରିଖ ଦିନ ତମାମ ଯେଉଁସବୁ ରାଜନୀତିକ ଆକ୍ଷେପ, ପ୍ରତିଆକ୍ଷେପ ଓ କସରତ ଚାଲିଲା ସେଥିରୁ ଜଣାପଡ଼ୁଛି ଯେମିତି ପୁଣି କେତେବେଳେ ସମୀକରଣ ବଦଳିଯାଇପାରେ। ଏନସିପି ପ୍ରମୁଖ ଶରଦ ପାୱାରଙ୍କ ଘରେ ଦଳର ୫୪ରୁ ୪୮ ବିଧାୟକ ଏକଜୁଟ ହେବା ଖବରରୁ ଏପରି ଅନୁମାନ କରାଯାଇପାରେ।
ମହାରାଷ୍ଟ୍ରରେ ବିଜେପି-ଶିବସେନା ମିଶି ବିଧାନସଭା ନିର୍ବାଚନ ଲଢ଼ିଥିଲେ ଓ ସଂଖ୍ୟାଗରିଷ୍ଠତା ପାଇଥିଲେ। ବିଜେପିର ୧୦୫ ଓ ଶିବସେନାର ୫୬ ବିଧାୟକ ମିଶି ୧୬୧ ହେଉଥିଲା। ସରକାର ଗଠନ ପାଇଁ ଆବଶ୍ୟକ ଥିଲେ ୧୪୫ ବିଧାୟକ। ମାତ୍ର, ଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଦଳ ମଧ୍ୟରେ ଟଣାଓଟରା ଚାଲିଲା ଓ ଶେଷରେ କେହି କାହା ସର୍ତ୍ତରେ ରାଜି ନହେବାରୁ ମେଣ୍ଟ ଭାଙ୍ଗିଗଲା। ଏହାରି ଭିତରେ ବିକଳ୍ପ ସରକାର ଗଠନ ପାଇଁ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ଆଲୋଚନା ଚାଲିଲା। ସେମାନେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସରକାର ଗଢ଼ିବା ସର୍ତ୍ତରେ ଏକମତ ନହେବାରୁ ରାଜ୍ୟପାଳଙ୍କ ସୁପାରିଶ ଭିତ୍ତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲା। ନଭେମ୍ବର ୧୨ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ବ୍ରାଜିଲ ଯିବା ପୂର୍ବରୁ କ୍ୟାବିନେଟ ଡକାଇ ରାଷ୍ଟ୍ରପତି ଶାସନ ଜାରି ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହା ଭିତରେ ବିତି ଯାଇଛି ୧୧ ଦିନ ଓ ଏହି ୧୧ ଦିନ ଭିତରେ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ଏକାଧିକ ବୈଠିକ ଅନୁଷ୍ଠିତ ହୋଇ ସରକାର ଗଠନ ନିମନ୍ତେ ସହମତି ପ୍ରକାଶ ପାଇଥିଲା। ଏହି ତିନି ଦଳ ମିଶି ମହା ବିକାଶ ଅଘାଡ଼ି ନାମରେ ଏକ ମେଣ୍ଟ ଗଠନ କରିଥିଲେ। ନଭେମ୍ବର ୨୨୨ ତାରିଖ ମଧ୍ୟ ରାତି ଯାଏଁ ଜଣାଥିଲା ଏହି ମେଣ୍ଟ ସରକାର ଗଠନ କରିବ ଓ ଶିବସେନାର ଉଦ୍ଧବ ଥାକରେ ମୁଖ୍ୟମନ୍ତ୍ରୀ ହେବେ।
ଏହା ଥିଲା ଏକ ସୁବିଧାବାଦୀ ମେଣ୍ଟ। ଅନେକ ଦୃଷ୍ଟିରୁ ଅନୈତିକ। କାରଣ ନିର୍ବାଚନ ସମୟରେ ବିଜେପି-ଶିବସେନା ବିରୋଧରେ ସିଧାସଳଖ ଲଢ଼େଇ କରିଥିଲେ କଂଗ୍ରେସ-ଏନସିପି। ସେଥିପାଇଁ ନିର୍ବାଚନ ପରିବର୍ତ୍ତୀ ସମୀକରଣ ବିରୋଧରେ ସୁପ୍ରିମ କୋର୍ଟରେ ଏକ ମାମଲା ମଧ୍ୟ ଦାୟର ହୋଇଛି। ଏହା ଜନମତର ଉଲ୍ଲଙ୍ଘନ ଓ ଲୋକଙ୍କ ସହ ବିଶ୍ୱାସଘାତ ବୋଲି ବିଜେପି ଯଥାର୍ଥରେ ଅଭିଯୋଗ କରିଛି। ଅବଶ୍ୟ ଏପରି ‘ବିଶ୍ୱାସଘାତ’ ଭାରତୀୟ ରାଜନୀତିରେ ନୂଆ ନୁହେଁ। ବିଜେପିର ମଧ୍ୟ ଏଥିରେ ଅଭିଜ୍ଞତା ଅଛି। ବିହାରରେ ଆରଜେଡି ଓ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନରେ ଜିତି ସରକାର ଗଠନ କରିଥିବା ଜେଡିୟୁ ନେତା ନୀତୀଶ କୁମାର ପରେ ପୁରୁଣା ସାଥୀଙ୍କୁ ଦୂରେଇ ଦେଇ ବିଜେପି ସହିତ ହାତ ମିଳାଇ ସରକାରରେ ଅଛନ୍ତି। ସେଠି ବି ନୀତୀଶ ଓ ବିଜେପି ଜନମତ ସହ ‘ବିଶ୍ୱାସଘାତ’ କରିଥିଲେ। ମହାରାଷ୍ଟ୍ରରେ ସେହିପରି ‘ବିଶ୍ୱାସଘାତ’ ହେବାକୁ ଯାଉଥିଲା ଯଦି ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ହୋଇଥାନ୍ତା।
କିନ୍ତୁ ନଭେମ୍ବର ୨୩ ରାତି ପାହିଲା ବେଳକୁ ଖବର ମିଳିଲା ଯେ କେହି କିଛି ଜାଣିବା ପୂର୍ବରୁ ପାହାନ୍ତା ପହରେ ସବୁ କିଛି ଓଲଟପାଲଟ ହୋଇଯାଇଛି। ଏନସିପି ବିଧାୟକ ଦଳ ନେତା ଅଜିତ ପାୱାର ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି, ସକାଳ ୫.୪୭ ମିନିଟ୍ରେ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟି ଯାଇଛି ଏବଂ ୭.୫୦ ମିନିଟରେ ଦେବେନ୍ଦ୍ର ଫଡ଼ନାବିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି। ଏବେ ଶିବସେନା କହୁଛି ଯେ ଏହା ହେଉଛି ଜନମତର ଉଲ୍ଲଙ୍ଘନ ଓ ଲୋକଙ୍କ ସହିତ ବିଶ୍ୱାସଘାତ। ଗୋଟେ ଦୃଷ୍ଟିରୁ ଏହା ମଧ୍ୟ ସମ୍ବିଧାନ ସହିତ ବିଶ୍ୱାସଘାତ। ବିଧି ଅନୁସାରେ ରାଷ୍ଟ୍ରପତି ଶାସନ ଜାରି ଓ ପ୍ରତ୍ୟାହାର ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟରେ ନିଆଯାଇଥାଏ। ମାତ୍ର, ଏ କ୍ଷେତ୍ରରେ କାର୍ଯ୍ୟବିଧି ବଣ୍ଟନ ନିୟମର ୧୨ ଧାରା ପ୍ରୟୋଗ କରି କେନ୍ଦ୍ର ସରକାର ବିନା କ୍ୟାବିନେଟ ନିଷ୍ପତ୍ତିରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଟାଇ ନୂଆ ସରକାର ଗଠନ ପାଇଁ ବାଟ ଫିଟାଇ ଦେଇଥିଲେ। ନଭେମ୍ବର ୨୨ ରାତି ୧୧ଟା ଓ ନଭେମ୍ବର ୨୩ ସକାଳ ୮ଟା ମଧ୍ୟରେ ସବୁ ସମୀକରଣ ବଦଳି ଯାଇଥିଲା। ରାତାରାତ ରାଷ୍ଟ୍ରପତି ଶାସନ ହଟାଇବା ସଂକ୍ରାନ୍ତ ଫାଇଲ ପ୍ରସ୍ତୁତ ହୋଇ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା, ରାଜ୍ୟପାଳଙ୍କୁ ନୂଆ ସରକାର ଗଠନ କରିବାର ନିର୍ଦ୍ଦେଶ ମିଳି ସାରିଥିଲା। ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ଦାବି କରିବା ପୂର୍ବରୁ ନୂଆ ସରକାର ଗଠିତ ହୋଇସାରିଥିଲା। ଗୋପନରେ, ରାତି ଅନ୍ଧାରରେ ମହାରାଷ୍ଟ୍ରର ରାଜନୀତିକ ଚିତ୍ର ବଦଳିଯାଇଥିଲା। ଯେଉଁ ନିୟମ ଅନୁସାରେ କ୍ୟାବିନେଟ ସୁପାରିଶ ବିନା ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଟିଲା ଠିକ ସେହି ନିୟମ ଅନୁସାରେ ୧୯୭୫ ଜୁନ ୨୫ ତାରିଖରେ କ୍ୟାବିନେଟ ସୁପାରିଶ ବିନା ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର। ତାହା ଥିଲା ସମ୍ବିଧାନ ସହିତ ସବୁଠୁ ବଡ଼ ବିଶ୍ୱାସଘାତ।
ପୁତୁରା ଅଜିତ ପାୱାର ତାଙ୍କ ସହିତ ବିଶ୍ୱାସଘାତ କରିଛନ୍ତି ବୋଲି ଏବେ ଦାବି କରୁଥିବା ଶରଦ ପାୱାର ପୂର୍ବରୁ ଏଭଳି କେତେ ଥର ଅନ୍ୟମାନଙ୍କ ସହିତ ବିଶ୍ୱାସଘାତ କରିସାରିଛନ୍ତି। ୧୯୭୮ ମସିହାରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବସନ୍ତଦାଦା ପାଟିଲଙ୍କ ସହିତ ବିଶ୍ୱାସଘାତ କରି ସରକାର ଭାଙ୍ଗିଥିଲେ ଓ ପରେ ବିଭିନ୍ନ ଦଳ ବିଭାଜିତ କରାଇ ନିଜେ ୩୮ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରେ ସେ ସୋନିଆ ଗାନ୍ଧୀଙ୍କୁ ବିଦେଶୀ କହି କଂଗ୍ରେସ ଛାଡ଼ି ଏନସିପି ଗଠନ କରିଥିଲେ। ମାତ୍ର, ପୁଣି ସୁଯୋଗ ଉଣ୍ଡି କଂଗ୍ରେସ ସହିତ ମେଣ୍ଟ ବାନ୍ଧିଥିଲେ। ମଝିରେ ସେ ମହାରାଷ୍ଟ୍ରରେ ବିଜେପି ସରକାରକୁ ମଧ୍ୟ ସମର୍ଥନ ଦେଇଥିଲେ। ଏସବୁ ଥିଲା ଜନମତ ସହିତ ତାଙ୍କର ବିଶ୍ୱାସଘାତ ରାଜନୀତି। ଘଟଣାକ୍ରମେ ଏବେ ସେହି ବିଶ୍ୱାସଘାତ ରାଜନୀତିର ସ୍ୱାଦ ତାଙ୍କୁ ଚାଖିବାକୁ ପଡ଼ୁଛି। ଏହି ସ୍ୱାଦ ବି ଚାଖୁଛି ଶିବସେନା। ଏହି ଦଳ ୨୫ ବର୍ଷ ଧରି ବିଜେପି ସହିତ ମିଶି ଭାରତବର୍ଷରେ ହିନ୍ଦୁତ୍ୱ ରାଜନୀତି କରିଆସିଛି। ଏବେ କେବଳ କ୍ଷମତା ପାଇଁ ଦଳ ଧର୍ମନିରପେକ୍ଷ ରାଜନୀତିର ଦ୍ୱାହି ଦେଉଥିବା କଂଗ୍ରେସ ଓ ଏନସିପି ସହିତ ମେଣ୍ଟ ବାନ୍ଧିଥିଲା। ଏହା ମଧ୍ୟ ଥିଲା ଦଳର ମୂଳ ନୀତି ଓ ଆଦର୍ଶ ସହିତ ବିଶ୍ୱାସଘାତ। ଏପରି ବିଶ୍ୱାସଘାତ ରାଜନୀତିରେ କଂଗ୍ରେସ ପାର୍ଟିର ବି ଐତିହ୍ୟ ରହିଛି। ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କ ବିରୋଧରେ ଚରଣ ସିଂହଙ୍କୁ ସମର୍ଥନ କରି ଅଳ୍ପ କେଇଦିନରେ ଓହରିଯିବା, ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ବିରୋଧରେ ଚନ୍ଦ୍ର ଶେଖରଙ୍କୁ ସମର୍ଥନ କରି କେଇ ଦିନ ଭିତରେ ପ୍ରତ୍ୟାହାର କରିବା ଓ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ସରକାରକୁ ଭାଙ୍ଗିବାରେ ସଫଳ ହୋଇ ଇନ୍ଦ୍ର କୁମାର ଗୁଜରାଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ ଦେବା ଓ ତାଙ୍କ ସରକାରକୁ ମଧ୍ୟ ଭାଙ୍ଗିବା ଭଳି ବିଶ୍ୱାସ ସେବା ଓ ବିଶ୍ୱାସ ଭାଙ୍ଗିବାର ଅନେକ ଅଭିଜ୍ଞତା କଂଗ୍ରେସ ନିକଟରେ ଅଛି।
ଜଣାପଡ଼ୁଛି ଯେମିତି ଭାରତୀୟ ରାଜନୀତି ହେଉଛି ଏହିପରି ଅନେକ ବିଶ୍ୱାସଘାତ ବା ବିଶ୍ୱାସଭଙ୍ଗର ଇତିହାସ। ମହାରାଷ୍ଟ୍ରରେ ତାହାର ଏକ ନୂତନ ଅଧ୍ୟାୟ ଲେଖାଯାଇଛି ଯାହା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।