ହେତୁବାଦକୁ ନେଇ ଅହେତୁକ ବିବାଦ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିଦିନ ଧରି ଆମ ରାଜ୍ୟରେ ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ବିବାଦଟି ବେଶ୍ ଚର୍ଚ୍ଚିତ ହୋଇଛି। ଗତ ମାସ ୨୫ ତାରିଖରେ ଅନୁଷ୍ଠିତ ସୂର୍ଯ୍ୟପରାଗ ଓ ନଭେମ୍ବର ଆଠ ତାରିଖର ଚନ୍ଦ୍ରଗ୍ରହଣ ସମୟରେ ପାରମ୍ପାରିକ ପାକତ୍ୟାଗ କାର୍ଯ୍ୟକ୍ରମର ସମାନ୍ତରାଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ ଓ ଆମ୍ବେଦକରବାଦୀମାନଙ୍କ ଦ୍ୱାରା ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦଟି ଭୟଙ୍କର ରୂପ ଧାରଣ କରିଛି। ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ଆମ୍ବେଦକରବାଦୀଙ୍କ […]

Rationalism

Rationalism

Debendra Prusty
  • Published: Tuesday, 22 November 2022
  • Updated: 22 November 2022, 07:00 PM IST

Sports

Latest News

  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ କିଛିଦିନ ଧରି ଆମ ରାଜ୍ୟରେ ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ବିବାଦଟି ବେଶ୍ ଚର୍ଚ୍ଚିତ ହୋଇଛି। ଗତ ମାସ ୨୫ ତାରିଖରେ ଅନୁଷ୍ଠିତ ସୂର୍ଯ୍ୟପରାଗ ଓ ନଭେମ୍ବର ଆଠ ତାରିଖର ଚନ୍ଦ୍ରଗ୍ରହଣ ସମୟରେ ପାରମ୍ପାରିକ ପାକତ୍ୟାଗ କାର୍ଯ୍ୟକ୍ରମର ସମାନ୍ତରାଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ହେତୁବାଦୀ ଓ ଆମ୍ବେଦକରବାଦୀମାନଙ୍କ ଦ୍ୱାରା ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦଟି ଭୟଙ୍କର ରୂପ ଧାରଣ କରିଛି। ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ ଓ ଆମ୍ବେଦକରବାଦୀଙ୍କ ସାମୂହିକ ଭୋଜନ କାର୍ଯ୍ୟକ୍ରମ ଉପରେ ବଜରଙ୍ଗ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଓ ମନ୍ଦିର ସେବାୟତ ସମିତି ପରି ହିନ୍ଦୁତ୍ୱବାଦୀ ସଙ୍ଗଠନମାନଙ୍କ ତରଫରୁ ପ୍ରତିବାଦ ନାଁରେ ହିଂସ୍ର ବିରୋଧ ଦେଖିବାକୁ ମିଳିଛି। ଆଇନକୁ ହାତକୁ ନେଇ ସେମାନେ ଠେଙ୍ଗାବାଡ଼ି, ଟେକାପଥର ଓ ଗୋବର ଧରି ଆକ୍ରମଣ କରିବାର ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଗ୍ରହଣ ଓ ପରାଗ ସମୟରେ ସାମୂହିକ ଭୋଜନ କରି ହେତୁବାଦୀମାନେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି ବୋଲି ଅଭିଯୋଗ କରୁଥିବା ବେଳେ ହେତୁବାଦୀଙ୍କ ଶାନ୍ତିପୂର୍ଣ୍ଣ କାର୍ଯ୍ୟକ୍ରମ ଉପରେ ହିଂସା ଓ ଆକ୍ରମଣ ପାଇଁ ପରମ୍ପରାର ସମର୍ଥକ ବୋଲି କହୁଥିବା ଲୋକଙ୍କ ବିରୁଦ୍ଧରେ ମାମଲା ଦାୟର ହେବା ସହ କିଛି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ତେବେ ଘଟଣା ଯାହା ହେଉନା କାହିଁକି ଏସବୁ ମଧ୍ୟ ଦେଇ ଆଜି “ହେତୁବାଦୀ” ଶବ୍ଦଟି ଓଡ଼ିଶାର କୋଣ ଅନୁକୋଣକୁ ଚାଲିଯାଇଛି। ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଏହି ପ୍ରସଙ୍ଗଟି ଓଡ଼ିଆ ଗଣମାଧ୍ୟମର ସର୍ବାଧିକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିବା ବେଳେ ଘରେ ବାହାରେ ସବୁଠି ଏହାକୁ ନେଇ ଚର୍ଚ୍ଚା ଚାଲିଛି। ପରମ୍ପରାବାଦୀ ଭାବେ ପରିଚିତ କିଛି ପୁରୋହିତ ଏବଂ ଜ୍ୟୋତିଷଙ୍କର ସେମାନଙ୍କୁ ବିରୋଧ ତଥା ମିଡ଼ିଆରେ ଏହାକୁ ନେଇ ଲଗାତାର ଚର୍ଚ୍ଚା ଫଳରେ ହେତୁବାଦୀଙ୍କ ସମ୍ପର୍କରେ ଜାଣିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ଏକରକମ ଉତ୍ସୁକତା ସୃଷ୍ଟି ହୋଇଛି। ଅନେକେ ଏହାକୁ ବିଜ୍ଞାନରେ ବିଶ୍ୱାସୀ ବୋଲି ଭାବୁଥିବା ବେଳେ ଆଉ କିଛି ଏହାକୁ ହିନ୍ଦୁ ଅଥବା ଖ୍ରୀଷ୍ଟିୟାନ ପରି ଏକ ଧର୍ମ କି ବୋଲି ଭାବୁଛନ୍ତି। ଅନ୍ୟ କେହି କେହି ଓଡ଼ିଶାରେ କେହି ହେତୁବାଦୀ ବୋଲି ନଥିଲେ, ହଠାତ୍ ବାହାରିଛନ୍ତି ବୋଲି ଭାବୁଛନ୍ତି। ଏଭଳି ପରିସ୍ଥିତିରେ ହେତୁବାଦ ଓ ହେତୁବାଦୀଙ୍କ ସମ୍ପର୍କରେ ଜାଣିବା ଜରୁରୀ ହୋଇପଡ଼ିଛି।

ଇଂରାଜୀ ଭାଷାରେ ରେସନାଲିଜମ ଶବ୍ଦର ଓଡ଼ିଆ ଅନୁବାଦଟି ହେଉଛି ‘ହେତୁବାଦ’। ଉଭୟ ଅକ୍ସଫୋର୍ଡ଼ ଓ କେମ୍ବ୍ରିଜ୍ ଅଭିଧାନରେ ଧାର୍ମିକ ବିଶ୍ୱାସ କିମ୍ବା ଭାବ ପ୍ରବଣତା ପରିବର୍ତ୍ତେ ତର୍କ ଓ ଜ୍ଞାନର ଆଧାରରେ ନିଜର ମତାମତ ଓ କାର୍ଯ୍ୟ କରିବାର ଅଭ୍ୟାସ କିମ୍ବା ନୀତିକୁ ହେତୁବାଦ ବୋଲି କୁହାଯାଇଛି। ଓଡ଼ିଆ ଭାଷାରେ ବି “ହେତୁ” ଶବ୍ଦର ଅର୍ଥ ହେଉଛି କାରଣ। ଅର୍ଥାତ୍ କୌଣସି ଏକ ଘଟଣା ବା ବିଷୟ ପଛରେ ରହିଥିବା କାରଣକୁ ବୁଝିବା, ବିଜ୍ଞାନ ତଥା ତର୍କର ଆଧାରରେ ତାର ପରୀକ୍ଷା ନିରୀକ୍ଷା କରିବା ଏବଂ ତାପରେ ହିଁ ଯାଇ ତାକୁ ମାନିବା ବା ବିଶ୍ୱାସ କରିବା ହେଉଛି “ହେତୁବାଦ”। ତେବେ ହେତୁବାଦର ସରଳ ସଂଜ୍ଞାଟି ହେଉଛି, ସମସ୍ତ ପ୍ରକାରର ଅହେତୁବାଦୀ ବିଚାରକୁ ଅସ୍ୱୀକାର କରିବା। ଅର୍ଥାତ୍ ସମସ୍ତ ଅବୈଜ୍ଞାନିକ, ଅଯୌକ୍ତିକ ଏବଂ ବିଦ୍ୱେଷପୂର୍ଣ୍ଣ ବିଚାର ବା ଧାରଣାକୁ ଗ୍ରହଣ ନକରିବା। ଅତଏବ ହେତୁବାଦୀମାନେ ସମାଜର ସେହି ଲୋକ, ଯେଉଁମାନେ ଆମ ଚାରି ପାଖରେ ଘଟୁଥିବା ବିଭିନ୍ନ ଘଟଣା ପ୍ରତି ଏକ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ରଖନ୍ତି।

ଆମ ଚାରିପାଖରେ ପ୍ରତିଦିନ ଅନେକ ଗୁଡ଼ିଏ ଘଟଣା ଘଟୁଛି। ଯେମିତି ରାସ୍ତାରେ ଗଲାବେଳେ ବିରାଡ଼ି ଦେଖିଲେ ଲୋକେ ଅଶୁଭ ବୋଲି ଫେରିଯାଆନ୍ତି। ଅନେକ ଲୋକ କଞ୍ଚାଲଙ୍କା ଓ ଲେମ୍ବୁ ବାନ୍ଧିଲେ ଗାଡ଼ିର କୌଣସି ଦୁର୍ଘଟଣା ହେବନି ବୋଲି ଭାବିଥାନ୍ତି। ଝଡ଼ାଫୁଙ୍କା କଲେ ରୋଗ ଭଲ ହେବ ବୋଲି କେତେକଙ୍କର ବିଶ୍ୱାସ ରହିଛି। ଆଜି ବି ଗାଁ ଗହଳରେ କାହାରି ଅସ୍ୱାଭାବିକ ମୃତ୍ୟୁ ହେଲେ ଲୋକେ ଗୁଣି ଗାରେଡ଼ି ହୋଇଛି ବୋଲି ବିଶ୍ୱାସ କରି ଗୁଣିଆକୁ ଡାକି ପୂଜାପାଠ କରନ୍ତି। ସେହିପରି କାହାରି ଚୋରୀ ହୋଇଗଲେ ଆଜି ବି ଲୋକେ ଚୋରର ସନ୍ଧାନ ପାଇଁ ନଖଦର୍ପଣ ଦେଖନ୍ତି। ଯୁବକ ଯୁବତୀମାନେ ଅନ୍ୟର ଖରାପ ନଜରରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ହାତରେ କିମ୍ବା ଗୋଡ଼ରେ ନାଲି କିମ୍ବା କଳାସୁତା ବାନ୍ଧନ୍ତି। ବୈବାହିକ ଜୀବନ ସୁଖମୟ ହେବ ଭାବି ବିବାହ ଆଗରୁ ପୁଅଝିଅଙ୍କ ଜାତକ ମିଳାଇବାକୁ ସବୁଠାରୁ ବେଶୀ ଗୁରୁତ୍ୱ ଦିଆଯାଏ। ବିବାହିତା ମହିଳାମାନେ ସୀମନ୍ତରେ ସିନ୍ଦୁର, ବେକରେ ମଙ୍ଗଳସୂତ୍ର କିମ୍ବା ହାତରେ ଚୁଡ଼ି ପିନ୍ଧନ୍ତି। ସ୍ୱାମୀର ମୃତ୍ୟୁ ପରେ ବିଧବା କୁହାଯାଉଥିବା ମହିଳାଙ୍କ ଉପରେ ଖାଦ୍ୟପେୟଠାରୁ ଆରମ୍ଭ କରି ପରିଧାନ ପର୍ଯ୍ୟନ୍ତ ସମାଜରେ ଅନେକ କଟକଣା ଜାରି କରାଯାଇଥାଏ। ନିଃସନ୍ତାନ ଦମ୍ପତ୍ତିଙ୍କୁ ଏପରିକି ପୁଅ ନଥିବା ଦମ୍ପତ୍ତିଙ୍କୁ ବି ଅଶୁଭ ବୋଲି ବିଚାର କରାଯାଏ। ସନ୍ତାନହୀନ ଲୋକେ ସନ୍ତାନ ପ୍ରାନ୍ତି ପାଇଁ ଓଷା, ବ୍ରତ, ଯଜ୍ଞଠାରୁ ଆରମ୍ଭ କରି ବାବାମାତାଙ୍କ ପାଖକୁ ଯିବା ମଧ୍ୟ ଦେଖାଯାଇଥାଏ। ପିଲାଙ୍କ ପେଟରେ ନିଆଁ ଚେଙ୍କ ଦେଲେ ଆଉ ପେଟରୋଗ ହେବନି ବୋଲି ଅନେକ ଆଦିବାସୀଙ୍କ ମଧ୍ୟରେ ଧାରଣା ରହିଛି। ଏପରିକି ଗୁପ୍ତଧନ ଲୋଭରେ ନରବଳି ଦେବାର ଘଟଣା ମଧ୍ୟ ବେଳେ ବେଳେ ଦେଖିବାକୁ ମିଳିଥାଏ।

ପ୍ରତିଦିନ ଆମ ଆଖି ଆଗରେ ଏଭଳି ଅନେକ ଘଟଣା ଘଟିବାର ଆମେ ଦେଖୁଛେ ଯାହାକୁ ଅନେକ ଲୋକ ବିନା ଯାଞ୍ଚ ଓ ପରୀକ୍ଷାରେ ଆଖିବୁଜି ବିଶ୍ୱାସ କରି ଯାଆନ୍ତି ଏବଂ ବିନା ଦ୍ୱିଧାରେ କାର୍ଯ୍ୟରେ ମଧ୍ୟ ଲଗାଇଥାନ୍ତି। ପ୍ରଥା ଓ ପରମ୍ପରା ନାଁରେ ଆମେ ପ୍ରତିଦିନ ଅନେକ ଅନାବଶ୍ୟକ ତଥା ଅବୈଜ୍ଞାନିକ କଥାକୁ ବିନା ବିଚାର ଓ ବିନା ଯାଞ୍ଚ ପଡ଼ତାଳରେ ଆଖିବୁଜି ମାନି ନେଇଥାଉ। ଏସବୁ ବିଜ୍ଞାନ କିମ୍ବା ତର୍କ ସମ୍ମତ ନୁହେଁ। ବରଂ ଅନ୍ଧବିଶ୍ୱାସ ଓ କୁସଂସ୍କାର କହିବା ଠିକ୍ ହେବ। କାରଣ ରାସ୍ତାରେ ବିରାଡ଼ି ଦେଖିବା ସହିତ ମଣିଷର ଭଲ ଖରାପର କୌଣସି ସମ୍ପର୍କ ନାହିଁ। ସେହିଭଳି ଗାଡ଼ିରେ ଲଙ୍କା ଲେମ୍ବୁ ବାନ୍ଧିବା ସହିତ ଯାତ୍ରାର ସୁରକ୍ଷା ସହିତ ଯେ କିଛି ସମ୍ପର୍କ ନାହିଁ। ଯଦି ଲେମ୍ବୁ କଞ୍ଚାଲଙ୍କା ଓ ନାଲିକନା ବାନ୍ଧି ଦୁର୍ଘଟଣାକୁ ଏଡ଼ାଯାଇ ପାରନ୍ତା ତାହେଲେ ଆମ ଦେଶରେ ବିଶ୍ୱର ସର୍ବାଧିକ ସଡ଼କ ଦୁର୍ଘଟଣା ହେଉ ନଥାନ୍ତା କି ପ୍ରତିବର୍ଷ ହାରାହାରି ଦେଢ଼ ଲକ୍ଷ ଭାରତୀୟ ଏଥିରେ ପ୍ରାଣ ହରାଉ ନଥାନ୍ତେ! ସରକାର ସଡ଼କ ସୁରକ୍ଷା ପାଇଁ ଏତେ କଡ଼ା ନିୟମ ଓ ଆଇନ ସବୁ କରିନଥାନ୍ତେ। ସେହିଭଳି ଜାତକ ମିଶିବା ସହିତ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଭଲ ବୁଝାମଣାର ଯଦି କୌଣସି ସମ୍ପର୍କ ଥାଆନ୍ତା ତହେଲେ ଆମ ସମାଜରେ ବିବାହ ପରେ ଏତେ ସଂଖ୍ୟାରେ ବଧୂ ନିର୍ଯାତନା, ଯୌତୁକ ହତ୍ୟା ଓ ଛାଡ଼ପତ୍ର ହେଉ ନଥାନ୍ତା।

ଆମ ସମାଜରେ ଅଧିକାଂଶ ଲୋକ ନିଜର ବ୍ୟକ୍ତିଗତ ଜୀବନରେ ଅଳ୍ପେ ବହୁତ ଏଭଳି କୁସଂସ୍କାର ଓ ଅନ୍ଧ ବିଶ୍ୱାସର ଶୀକାର ହୋଇଥାନ୍ତି। ଅଶିକ୍ଷିତ ଏବଂ ଅସଚେତନ ଲୋକଙ୍କ କଥା ଛାଡ଼ନ୍ତୁ ସହରୀ ଉଚ୍ଚ ଶିକ୍ଷିତ ଲୋକେ ବି ବୈଜ୍ଞାନିକ ଦୃଷ୍ଟିକୋଣର ଅଭାବରୁ ନିଜକୁ ଅନ୍ଧ ବିଶ୍ୱାସରୁ ମୁକ୍ତ କରି ପାରନ୍ତି ନାହିଁ। ଏମାନେ ହୁଏତ ଶିକ୍ଷିତ ହୋଇପାରନ୍ତି କିନ୍ତୁ ସେମାନଙ୍କଠାରେ ବୈଜ୍ଞାନିକ ମନୋଭବର ଅଭାବ ଅଛି ବୋଲି କୁହାଯାଇପାରେ। ଅନ୍ୟପଟେ ସମାଜରେ ଏପରି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏସବୁ କଥାକୁ ଆଖିବୁଜି ବିଶ୍ୱାସ କରିବା ବଦଳରେ ତା’ର କାରଣ ଖୋଜନ୍ତି ଏବଂ ବିଜ୍ଞାନ ଓ ତର୍କ ଦୃଷ୍ଟିରୁ ଯେଉଁ କଥାକୁ ଠିକ୍ ଭାବିବେ ତାକୁ ହିଁ ବିଶ୍ୱାସ କରନ୍ତି। ଏହିଭଳି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ଘଟଣାର ସତ୍ୟାସତ୍ୟ ପରୀକ୍ଷା କରିବା ପରେ ହିଁ ତାକୁ ଗ୍ରହଣ କରିବା ହିଁ ହେଉଛି ହେତୁବାଦ। ପୂର୍ବ ପୁରୁଷ ଅମଳରୁ ପରମ୍ପରା ରହିଛି କିମ୍ବା କେହି ଜଣେ ବିଶିଷ୍ଟ ବ୍ୟକ୍ତି ବା ଦାର୍ଶନିକ କିମ୍ବା ଧର୍ମଗୁରୁ ବା ବାବା କହିଛନ୍ତି ବୋଲି କହି କୌଣସି କଥାକୁ ବିନା ପ୍ରମାଣରେ ଆଖିବୁଜି ମାନିନେବା ହେଉଛି ହେତୁବାଦୀ ବିଚାରର ବିରୋଧୀ। କହିବାକୁ ଗଲେ ‘ହେତୁବାଦ’ ହେଉଛି ମଣିଷର ଭାବନା ଶକ୍ତିର ଏକ ଉଚ୍ଚତର ପର୍ଯ୍ୟାୟ। ଯେଉଁମାନେ ଏଭଳି ଦୃଷ୍ଟିଭଙ୍ଗୀରେ ବିଶ୍ୱାସ କରନ୍ତି ଏବଂ ତାକୁ ନିଜ ଜୀବନରେ ଲାଗୁ କରିବାକୁ ଚେଷ୍ଟା  କରିଥାନ୍ତି, ସେହି ବ୍ୟକ୍ତିମାନଙ୍କୁ ହିଁ ସାଧାରଣତଃ ହେତୁବାଦୀ ବା ରେସନାଲିଷ୍ଟ ବୋଲି କୁହାଯାଇଥାଏ।

ହେତୁବାଦ କୌଣସି ବାହାରୁ ଆସିଥିବା ବିଚାର ନୁହେଁ, ଏହା ମଣିଷର ସହଜାତ। ଆମେ ପିଲା ବେଳରୁ ହିଁ ନିଜ ଚାରିପାଖର ପରିବେଶରେ ଥିବା ବିଭିନ୍ନ ଘଟଣା ଓ ପ୍ରକ୍ରୀୟାକୁ ଦେଖି କୌତୁହଳୀ ହେବା ସହିତ ଗୁରୁଜନ ଏବଂ ଶିକ୍ଷକମାନଙ୍କୁ ଅନେକ ଗୁଡ଼ିଏ ପ୍ରଶ୍ନ ପଚାରିଥାଉ। କିନ୍ତୁ କୁସଂସ୍କାର ଓ ଅନ୍ଧବିଶ୍ୱାସର ପ୍ରଭାବରେ ରହିଥିବା ଆମ ପରିବାର ଓ ସମାଜ ସାଧାରଣତଃ ଛୋଟ ଛୋଟ ପିଲାଙ୍କ ବିଭିନ୍ନ ସାଧାରଣ ମନେ ହେଉଥିବା ପ୍ରଶ୍ନର ଏକ ବିଜ୍ଞାନସମ୍ମତ ଉତ୍ତର ଦେବା ପରିବର୍ତ୍ତେ ତାକୁ ବିଭିନ୍ନ ଆଳରେ ଏଡ଼େଇ ଯିବାକୁ ଚାହିଁଥାନ୍ତି ଅଥବା ଛୋଟ ପିଲା, ବଡ଼ ହେଲେ ଜାଣିବୁ କହି ଚୁପ୍ କରାଇ ଦେଇଥାନ୍ତି। ଏହା ବ୍ୟତିତ ଅନେକ ଗୁଡ଼ିଏ ମନଗଢ଼ା, ଅବୈଜ୍ଞାନିକ ଧାରଣା ଏବଂ ଅନ୍ଧ ବିଶ୍ୱାସକୁ ସେମାନଙ୍କ ଉପରେ ଆରମ୍ଭରୁ ହିଁ ଲଦି ଦିଆଯାଏ। କଥା ଓ କାହାଣୀ ନାଁରେ ଘରେ ଗୁରୁଜନମାନେ ଭୁତ, ପ୍ରେତ, ଡାହାଣୀ, ଅସୁର ଆଦିର କାଳ୍ପନିକ ଚରିତ୍ରଗୁଡ଼ିକ ଦେଇ ପିଲାଙ୍କ ମୁଣ୍ଡରେ ପୂରେଇ ଦେଇ ତାଙ୍କୁ ପିଲାବେଳରୁ ହିଁ ଭୀରୁ ଓ ଅନ୍ଧ ବିଶ୍ୱାସୀ କରି ଦିଆଯାଏ। ଆମ ପିଲାମାନଙ୍କୁ କୁହାଯାଉଥିବା ଆଇମା କାହାଣୀଗୁଡ଼ିକ ବି ପ୍ରାୟତଃ ଅନ୍ଧବିଶ୍ୱାସ ଓ କାଳ୍ପନିକ ଭୟରେ ଭରପୂର। ଜାତି ଓ ଧର୍ମର କାଳ୍ପନିକ ଧାରଣା ଜରିଆରେ ସେମାନଙ୍କ କୋମଳମତି ମନରେ ମଣିଷ ମଣିଷ ମଧ୍ୟରେ ଭେଦାଭେଦ ଓ ଘୃଣାର ମଞ୍ଜି ପୋତା ଯାଇଥାଏ। ଫଳସ୍ୱରୂପ ଆମ ପିଲାଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି ହେବା ବଦଳରେ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଭରି ହୋଇଯାଏ ଯାହାକି ସମାଜର ପ୍ରଗତି ପଥରେ ବଡ଼ ପ୍ରତିବନ୍ଧକ ହୋଇଥାଏ। ସ୍କୁଲରେ ଜଳଚକ୍ର ପଢ଼ିଥିବା ପିଲାକୁ ଘରେ ଇନ୍ଦ୍ର ଦେବ ବର୍ଷା କରୁଛନ୍ତି ବୋଲି କୁହାଯାଉଥିବା ବେଳେ ମହାକାଶରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ଛାଇ ଆଲୁଅର ଖେଳ ଫଳରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ହେଉଛି ବୋଲି ପଢ଼ାଯାଉଥିବା ବେଳେ ଘରେ ରାହୁ ଓ କେତୁ ଗ୍ରାସର କାଳ୍ପନିକ ଗପ କହି ପିଲାଟିକୁ ବିଭ୍ରାନ୍ତ କରାଯାଇଥାଏ।

ଆମ ପରିବାରରେ ଓ ସମାଜରେ ବିଜ୍ଞାନ ଅପେକ୍ଷା ଅନ୍ଧ ବିଶ୍ୱାସ, କାଳ୍ପନିକ କଥା ଉପରେ ଅଧିକ ଗୁରୁତ୍ୱ ଦେବାର ପରିଣତି ସ୍ୱରୂପ ଆମ ଦେଶ ବିଜ୍ଞାନ ତଥା ଆବିଷ୍କାର କ୍ଷେତ୍ରରେ ଆଜି ବି ବହୁତ ପଛରେ ରହିଛି। ଅନ୍ୟପଟେ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ପରିବର୍ତ୍ତେ ବୈଜ୍ଞାନିକ ମନୋଭାବ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ପାଶ୍ଚାତ୍ୟ ଦେଶମାନଙ୍କରେ ହଜାର ହଜାର ସଂଖ୍ୟାରେ ବୈଜ୍ଞାନିକ ବାହାରି ପାରୁଛନ୍ତି ଏବଂ ପ୍ରତିବର୍ଷ ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଉଦ୍ଭାବନ କରିବା ଦେଖାଯାଉଛି। ଆମେ ବାବା, ମାତାଙ୍କ ଚମତ୍କାର ପଛରେ ଧାଇଁ ଥିବା ବେଳେ ନୋବେଲ ପୁରସ୍କାର ସେମାନଙ୍କ ଭାଗରେ ହିଁ ପଡ଼ୁଛି। ଆମ ଜୀବନକୁ ଅଧିକ ସରଳ, ସୁଖମୟ କରିବାକୁ ସେସବୁ ଦେଶରେ ପ୍ରତିଦିନ ନୂଆ ନୂଆ ଜିନିଷ ଏବଂ ଯନ୍ତ୍ରର ଆବିଷ୍କାର ଓ ଉଦ୍ଭାବନ ହେଉଥିବା ବେଳେ ଆମ ଦେଶର ଉଚ୍ଚ ଶିକ୍ଷିତ ଲୋକେ ବି ନିଜର ବିଭିନ୍ନ ପାର୍ଥିବ ସମସ୍ୟାର ସମାଧାନ ପାଇଁ ଆଖିବୁଜି ଭଣ୍ଡ ବାବା ମାତା, ଗୁଣିଆ, ତାନ୍ତ୍ରିକ, ଜ୍ୟୋତିଷ, ବାସ୍ତୁବିତ୍, ହସ୍ତରେଖା ବିଶାରଦଙ୍କ ପାଖକୁ ଯାଇ ଶେଷରେ ଶୋଷଣ ଏବଂ ଠକାମୀର ଶୀକାର ହେଉଛନ୍ତି। ନିଜର ନ୍ୟସ୍ତସ୍ୱାର୍ଥ ପାଇଁ ସମାଜରେ ଅନ୍ଧ ବିଶ୍ୱାସ ଏବଂ ଅବୈଜ୍ଞାନିକତାର ପ୍ରସାର କଲା ବେଳେ ବିଜ୍ଞାନର ସହାୟତା ନେଉଥିବା ଏହି ବାବା, ମାତା, ଗୁଣିଆମାନେ କୌଣସି ଚମତ୍କାର କରିବା ଦୂରର କଥା ସାମାନ୍ୟତମ ଛୁଞ୍ଚିଟିଏ ବି ଆବିଷ୍କାର କରିଛନ୍ତି କି? ଆଜି ବିଦ୍ୟୁତ୍ ଶକ୍ତିଠାରୁ ଆରମ୍ଭ କରି କଂପ୍ୟୁଟର, ମୋବାଇଲ ଏବଂ ଇଣ୍ଟରନେଟ୍ ପର୍ଯ୍ୟନ୍ତ ସବୁକିଛି ବିଜ୍ଞାନର ଉପଯୋଗ କରି ହିଁ ଆମେ ଉଦ୍ଭାବନ କରି ପାରିଛେ। ଚିକିତ୍ସା ବିଜ୍ଞାନର ବିକାଶ ଯୋଗୁଁ ଆଜି ବସନ୍ତ, ପୋଲିଓ ପରି ଅନେକ ରୋଗକୁ ସବୁଦିନ ପାଇଁ ସମାପ୍ତି କରିଦେବା ସହିତ ଆଧୁନିକ ଯନ୍ତ୍ରପାତିର ଉପଯୋଗ କରି ଜଟିଳରୁ ଜଟିଳତର ଅପରେସନକୁ ସଫଳ କରିପାରୁଛେ। ସମାଜର ରୁଢ଼ିବାଦୀ ଗୋଷ୍ଠୀ ହଜାର ହଜାର ବର୍ଷ ଧରି ବିଭିନ୍ନ କାଳ୍ପନିକ ଶକ୍ତିକୁ ସତ ବୋଲି ପ୍ରମାଣିତ କରିବା ପାଇଁ ନିଷ୍ଫଳ ପ୍ରୟାସ ଚଳାଇଥିବା ବେଳେ ବିଜ୍ଞାନର ଉପଯୋଗ କରି ଗତ ଶହେ ବର୍ଷ ମଧ୍ୟରେ ଆମେ ଆମର ହାରାହାରି ପରମାୟୁକୁ ଦ୍ୱିଗୁଣିତ କରିପାରିଛେ।

ଉଭୟ ବୈଜ୍ଞାନିକ ମନୋଭାବ ଏବଂ ମାନବୀୟ ଗୁଣ ହେଉଛି ହେତୁବାଦୀ ହେବାର ପୂର୍ବସର୍ତ୍ତ ଅଟେ। ତେବେ ହେତୁବାଦ କେବଳ ଏକ ବିଚାର ନୁହେଁ, ଏହା ଏକ ଜୀବନ ଶୈଳୀ ମଧ୍ୟ। କାରଣ ଯେଉଁ ବ୍ୟକ୍ତି ଏହି ବିଚାରରେ ବିଶ୍ୱାସ କରେ ସେ ତାର ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ବି ତାକୁ ଲାଗୁ କରିବା ଦରକାର। ସମାଜରେ ଥିବା ସମସ୍ତ ପ୍ରକାର ଅନ୍ଧ ବିଶ୍ୱାସ, କୁସଂସ୍କାର, ଜାତିବାଦ ଏପରିକି ଲିଙ୍ଗଭେଦ ଓ ସାଂପ୍ରଦାୟିକତାକୁ ବିରୋଧ କରିବା ହେତୁବାଦର ଅଂଶବିଶେଷ। କାରଣ ପ୍ରଥା ଓ ପରମ୍ପରା ନାଁରେ ଆମ ସମାଜରେ ଅନେକ ଗୁଡ଼ିଏ ଅବୈଜ୍ଞାନିକ ଓ ବିଦ୍ୱେଷକାରୀ ନିୟମ ରହିଛି। ଯେମିତି କୌଣସି ବସ୍‌ର ଚାଳକ ପ୍ରତିଦିନ ଯାତ୍ରା ଆରମ୍ଭ କରିବା ସମୟରେ ଅଶୁଭ ଭାବି ପ୍ରଥମେ କୌଣସି ମହିଳା ଯାତ୍ରୀଙ୍କୁ ଚଢ଼େଇ ନଥାଏ। ସେହିପରି ବାହାଘର ସମୟରେ ବାରିକ ସମ୍ପ୍ରଦାୟର ଲୋକ ବରର ଗୋଡ଼ ଧୋଇବାର ପରମ୍ପରା ରହିଛି। ଉପରୋକ୍ତ ପରମ୍ପରାଗୁଡ଼ିକ କେବଳ ଅବୈଜ୍ଞାନିକ ନୁହେଁ ଭେଦଭାବ ମୂଳକ ମଧ୍ୟ। ହେତୁବାଦୀମାନେ ଏସବୁକୁ ପ୍ରଶ୍ନ କରି ତାର ସମାପ୍ତି ପାଇଁ ଉଦ୍ୟମ କରିଥାନ୍ତି।

ସମାଜରେ ରହିଥିବା ପ୍ରଥା ଓ ପରମ୍ପରା କଦାପି ସ୍ଥିର ବା ସ୍ଥାଣୁ ନୁହେଁ ବରଂ ସର୍ବଦା ପରିବର୍ତ୍ତନଶୀଳ। ମଣିଷର ଆବଶ୍ୟକତା, ନୂତନ ଜ୍ଞାନ ଏବଂ ତଥ୍ୟର ଆଧାରରେ ପରମ୍ପରାକୁ ପରିର୍ତ୍ତନ କରାଯାଇପାରେ ଏବଂ ଆବଶ୍ୟକସ୍ଥଳେ ନୂତନ ପରମ୍ପରାକୁ ବି ସୃଷ୍ଟି କରାଯାଇପାରେ। ରାଜା ରାମମୋହନ ରାୟ ସତୀଦାହକୁ ବିରୋଧ କଲାବେଳେ କିମ୍ବା ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର ବାଲ୍ୟ ବିବାହକୁ ବିରୋଧ ଏବଂ ବିଧବା ପୁନଃବିବାହକୁ ପ୍ରଚାରିତ କଲାବେଳେ ଅଥବା ଆମ୍ବେଦକର କିମ୍ବା ମହାତ୍ମା ଜ୍ୟୋତିବା ଫୁଲେ ଜାତି ବ୍ୟବସ୍ଥାର ବିରୋଧ କଲା ବେଳେ ସେତେବେଳେ ପ୍ରଚଳିତ ଥିବା ଲୋକପ୍ରିୟ ପ୍ରଥା ଏବଂ ପରମ୍ପରାର ବିରୋଧରେ ହିଁ ଯାଇଥିଲେ। ସେତେବେଳର ପରମ୍ପରାବାଦୀମାନେ ସେମାନଙ୍କୁ ଭଲ ଚକ୍ଷୁରେ ଦେଖି ନଥିଲେ ଏବଂ ଧର୍ମବିରୋଧି ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛନ୍ତି ବୋଲି କହିଥିଲେ। କିଛି ବର୍ଷ ତଳେ ମହାରାଷ୍ଟ୍ରର ବିଶିଷ୍ଟ ହେତୁବାଦୀ ଡ଼ାଃ ନରେନ୍ଦ୍ର ଡାଭୋଲକର କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ପ୍ରଚାର କରିବା ସହିତ ତାକୁ ରୋକିବାକୁ ଆଇନ ଆଣିବାକୁ ଦାବି କରୁଥିଲେ। ତାଙ୍କ ବିଚାରକୁ ସହ୍ୟ କରି ନପାରି ସାମ୍ପ୍ରଦାୟିକ ଶକ୍ତିମାନେ ତାଙ୍କୁ ୨୦୧୩ ମସିହାରେ ହତ୍ୟା କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ପରେ ସରକାର ସେ ସମ୍ପର୍କିତ ଆଇନକୁ ପ୍ରଣୟନ କରିବା ସହିତ ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ। ଅତଏବ ହେତୁବାଦୀ ଓ ସମାଜ ସଂସ୍କାରକମାନଙ୍କ ଲଢ଼େଇଟି ସମାଜକୁ ପଛକୁ ନେବାକୁ ନୁହେଁ ବରଂ ସମାଜକୁ ଅଧିକ ପ୍ରଗତିଶୀଳ ଓ ଗଣତାନ୍ତ୍ରିକ କରିବାକୁ ଉଦ୍ଦିଷ୍ଟ। ବରଂ ସମାଜ ପ୍ରତି ଅବଦାନ ପାଇଁ ଆମେ ସେମାନଙ୍କୁ ସମାଜ ସଂସ୍କାରକ ବୋଲି କହି ମନେ ଆଜି ପକାଉଛେ।

ହେତୁବାଦକୁ ନେଇ ଚାଲିଥିବା ବିବାଦ ପରିପ୍ରେକ୍ଷୀରେ ଅନେକେ ଓଡ଼ିଶାରେ ହଠାତ୍ ହେତୁବାଦୀମାନେ କୁଆଡ଼ୁ ଆସିଲେ ବୋଲି ପ୍ରଶ୍ନ କରିଛନ୍ତି। ଏହା ସତ ଯେ ଚଳିତ ଗ୍ରହଣ ଓ ପରାଗ ସମୟରେ ହେତୁବାଦୀମାନଙ୍କ ସାମୂହିକ ଭୋଜନର କାର୍ଯ୍ୟକ୍ରମଟି ସେମାନଙ୍କୁ ରାତାରାତି ଲୋକଲୋଚନକୁ ଆଣିଛି। କିନ୍ତୁ ସେମାନଙ୍କ ଉପସ୍ଥିତି ଓଡ଼ିଶାରେ ଆଜି ନୁହେଁ, ଅନେକ ବର୍ଷ ଧରି ରହି ଆସିଛି। ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ହେତୁବାଦୀମାନେ ନିଜର ସଙ୍ଗଠନ ଗଢ଼ି ତାରି ଜରିଆରେ ସାମାଜିକ ସଂସ୍କାର କାର୍ଯ୍ୟକ୍ରମ ଚଳାଇ ଆସିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସେମାନେ ଗୁଣି ଗାରେଡ଼ିଠାରୁ ଆରମ୍ଭ କରି ସାମାଜିକ ବାସନ୍ଦ ପର୍ଯ୍ୟନ୍ତ ସମାଜରେ ରହିଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଲଗାତାର ପ୍ରଚାର କରି ଆସୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ରକ୍ତଦାନ କାର୍ଯ୍ୟକ୍ରମରେ ଏବଂ ଶରୀରଦାନ କାର୍ଯ୍ୟକ୍ରମରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି। ଏହା ବ୍ୟତିତ ବିଭିନ୍ନ ଜାତିଗତ ନିର୍ଯ୍ୟାତନାର ଘଟଣାରେ ସେମାନେ ହସ୍ତକ୍ଷେପ କରି ପିଡ଼ୀତ ଲୋକଙ୍କ ପକ୍ଷରେ ଠିଆହେବା ଦେଖାଯାଇଛି। ରାଜ୍ୟରେ ଗୁଣିଗାରେଡ଼ି ଜନିତ ଅପରାଧକୁ ରୋକିବା ପାଇଁ ୨୦୧୩ ମସିହାରେ ଯେଉଁ ଗୁଣିଗାରେଡ଼ି ନିରୋଧ ଆଇନ ତିଆରି ହୋଇଛି, ତାରି ପଛରେ ଓଡ଼ିଶାର ହେତୁବାଦୀମାନଙ୍କର ପ୍ରମୁଖ ଭୂମିକା ରହିଛି।

ଆମ ସମାଜରେ ବର୍ଷ ବର୍ଷ ଧରି ରହି ଆସିଥିବା ବିଭିନ୍ନ ପ୍ରକାର ଅନ୍ଧ ବିଶ୍ୱାସ, କୁସଂସ୍କାର ଏବଂ ଜାତି, ଲିଙ୍ଗ ନାଁରେ ଭେଦଭାବ ତଥା ଶୋଷଣ ବିରୁଦ୍ଧରେ ନିରନ୍ତର ଭାବେ ସଂଗ୍ରାମ କରି ଏକ ମାନବବାଦୀ ଓ ହେତୁବାଦୀ ସମାଜ ନିର୍ମାଣ କରିବା ହେତୁବାଦୀମାନଙ୍କ ଲକ୍ଷ୍ୟ। ଅବୈଜ୍ଞାନିକ ବିଚାର ଉପରେ ଆଧାରିତ ବିଭିନ୍ନ ସାମାଜିକ କୁରୀତି, ପରମ୍ପରା ଓ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ପ୍ରଚାର ସହିତ ଚର୍ଚ୍ଚା, ଲେଖା, ସାହିତ୍ୟ ଓ ବୈଜ୍ଞାନିକ ପ୍ରଦର୍ଶନ ଜରିଆରେ ଲୋକଙ୍କୁ ସଚେତନ କରିବା, ଏସବୁର ଶୀକାର ଜନତାଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସମର୍ଥନ ଦେବା, ଆବଶ୍ୟକସ୍ଥଳେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବା ସେମାନଙ୍କ ପ୍ରମୁଖ କାମ ହୋଇ ଆସିଛି। ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବିକାଶ ପାଇଁ ସେମାନେ ବିଭିନ୍ନ ସ୍କୁଲ କଲେଜ ଯାଇ ଅନେକ କାର୍ଯ୍ୟକ୍ରମ କରି ଆସିଛନ୍ତି। ହେତୁବାଦୀମାନେ ସର୍ବଦା ବିଜ୍ଞାନ, ତର୍କ ଓ ମାନବିକତାର କଥା କହିଥାନ୍ତି, ଯାହାକି ଯେକୌଣସି ସମାଜର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ଭାରତର ସମ୍ବିଧାନ ମଧ୍ୟ ତା’ର ଧାରା - ୫୧ କ (ଜ)ରେ ମଧ୍ୟ ବୈଜ୍ଞାନିକ ମନୋଭାବ, ପ୍ରଶ୍ନ କରିବା ଓ ସଂସ୍କାର ପାଇଁ କାର୍ଯ୍ୟ କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି କହୁଛି।

ଫୋନ ନଂ – ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story