ଦେବେନ୍ଦ୍ର ପୃଷ୍ଟି
ଓଡ଼ିଶାର କେତେକ ବଡ଼ ବଡ଼ ଖଣି କମ୍ପାନୀଙ୍କୁ ବେଆଇନ ଖଣି କାରବାର ଅଭିଯୋଗରୁ ମୁକ୍ତ କରିଛନ୍ତି ସୁପ୍ରିମ କୋର୍ଟଙ୍କର ଏକ ତଦନ୍ତ କମିଟି। ବିଚାରପତି ଏଆର ଡାଭେ ଓ ଜିଏସ ସିଂଘଭିଙ୍କୁ ନେଇ ଗଠିତ କମିଟି ତ୍ରିବେଣୀ ଆର୍ଥ ମୁର୍ଭସ, ରୁଙ୍ଗଟା, ସିରାଜୁଦ୍ଦିନ, କେଜେଏସ ଆହ୍ଲୁୱାଲିଆ, ଏସେଲ୍, ଆରପି ସାଓ ଓ ଇନ୍ଦ୍ରାଣୀ ପଟ୍ଟନାୟକ ଆଦି କମ୍ପାନୀଙ୍କୁ ଏହି ଅଭିଯୋଗରୁ ମୁକ୍ତ କରିଛନ୍ତି। ଅଭିଯୋଗ ଅନୁସାରେ ସେମାନେ କୌଣସି ବେଆଇନ କାମ କରି ନାହାନ୍ତି ବୋଲି କମିଟି ମତ ଦେଇଛନ୍ତି। କମିଟିର ଏହି ମତ ଯେତିକି ଅଶ୍ୱସ୍ତିକର ସେତିକି ଆମୋଦ ଦାୟକ। କାରଣ ଏସବୁ କମ୍ପାନୀ ସମେତ ପ୍ରାୟ ୧୫ଟି ଖଣି କମ୍ପାନୀ ଓଡ଼ିଶାରେ ବେଆଇନ ଖଣି କାରବାର କରିଥିଲେ ବୋଲି ପୂର୍ବରୁ ବିଚାରପତି ଏମବି ଶାହା କମିଶନ ରିପୋର୍ଟ ଦେଇଥିଲେ। ଶାହା କମିଶନଙ୍କ ରିପୋର୍ଟ ଆଧାରରେ ସେମାନଙ୍କ ବିରୋଧରେ ସିବିଆଇ ତଦନ୍ତ ହେବା କଥା। କିନ୍ତୁ କମିଶନ ଉପା ସରକାର ଅମଳରେ ତାଙ୍କ ରିପୋର୍ଟ ଦାଖଲ କରିଥିଲେ ବି ସେ ସରକାର ତା’ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ୬ ବର୍ଷ ଧରି କ୍ଷମତାସୀନ ଥିଲେ ମଧ୍ୟ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଅଧିକନ୍ତୁ ଏବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ବିଚାରପତି ସ୍ତରୀୟ କମିଟି ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି। ଏହା ଫଳରେ ଦୀର୍ଘ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ବେଆଇନ ଖଣି କାରବାର ବା ଖଣି ଦୁର୍ନୀତି ପ୍ରସଙ୍ଗ କେବଳ ଦୁର୍ବଳ ହୋଇନାହିଁ, ଭବିଷ୍ୟତରେ ଏପରି ଅଧିକ ଖଣି କାରବାର ପାଇଁ ବାଟ ସଫା କରିଦେଇଛି।
ବିଶ୍ୱ ବଜାରରେ ଚାହିଦା ବୃଦ୍ଧି ଯୋଗୁଁ ଯେଉଁ ସମୟରେ ଓଡ଼ିଶାରେ ବ୍ୟାପକ ଖଣି କାରବାର ଚାଲିଥିଲା ସେହି ସମୟରେ ଦେଶରେ ଖଣି ସଂପର୍କରେ ଯେଉଁସବୁ ଆଇନ ଓ ନିୟମ ପ୍ରଚଳିତ ଥିଲା ସେହି ହିସାବରେ ଦେଖିଲେ ରୁଙ୍ଗଟା, ସିରାଜୁଦ୍ଦିନ, ଆରପି ସାଓ, ଶାରଦା ମାଇନ୍ସ, ଇନ୍ଦ୍ରାଣୀ ପଟ୍ଟନାୟକ, କେଜେଏସ ଆହ୍ଲୁୱାଲିଆ ପ୍ରଭୃତି କମ୍ପାନୀ ବେଆଇନ କାର୍ଯ୍ୟ କରିଥିଲେ। ସେହି ସମୟରେ ସେମାନେ ଆଇବିଏମ ଅନୁମୋଦିତ ପରିମାଣଠାରୁ ଯଥେଷ୍ଟ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ, ପରିବହନ ଓ ବିପଣନ କରିଥିଲେ। ଏମସିଆର ୩୭ ଅନୁସାରେ ଖଣି ପଟ୍ଟା ପାଇଥିବା କମ୍ପାନୀ ଖଣିରେ ଠିକାଦାର ନିଯୁକ୍ତ କରିପାରିବେ ନାହିଁ ବା ଖଣି କାର୍ଯ୍ୟକୁ ସବ୍ଲିଜ୍ ଦେଇପାରିବେ ନାହିଁ ବ୍ୟବସ୍ଥା ଥିଲେ ବି ଅନେକ କମ୍ପାନୀ ଏହି ଧାରାର ଉଲ୍ଲଙ୍ଘନ କରି ତ୍ରିବେଣୀ ଆର୍ଥ ମୁର୍ଭସକୁ ଖଣି ଖନନ, ଉତ୍ତୋଳନ, ପରିବହନ ଓ ବିପଣନ ଠିକା ଦେଇଥିଲେ। ଏହା ଫଳରେ ମୂଳ ପଟ୍ଟାଦାର ତାଙ୍କ ଖଣିର ନିୟନ୍ତ୍ରଣ ବା ମାଲିକାନା ଅଂଶ ତୃତୀୟ ପକ୍ଷକୁ ହସ୍ତାନ୍ତର କରିଥିଲେ ବୋଲି ଅଭିଯୋଗ ଥିଲା। ଏମବି ଶାହା କମିଶନ ପୁରୁଣା ଏମଏମଡିଆର ଆଇନ ଓ ଏମସିଆର ଭିତ୍ତିରେ ତାଙ୍କର ରିପୋର୍ଟ ପ୍ରଦାନ କରିଥିଲେ।
କିନ୍ତୁ କେନ୍ଦ୍ରରେ ମନମୋହନ ସିଂହ ସରକାରଙ୍କ ପରେ କ୍ଷମତାସୀନ ହୋଇଥିବା ନରେନ୍ଦ୍ର ମୋଦୀଙ୍କ ସରକାର ଏମଏମଡିଆର ଆଇନ ଓ ଏମସିଆର ସଂଶୋଧନ କରିବା ପରେ ଏଭଳି କେତେକ ବେଆଇନ କାରବାର ବୈଧ ହୋଇଯାଇଛି। ୨୦୧୫ ପରେ ଧାର୍ଯ୍ୟ ପରିମାଣଠାରୁ ଅଧିକ ଖଣିଜ ପଦାର୍ଥ ଉତ୍ତୋଳନ କରିବା ଆଉ ବେଆଇନ ନୁହେଁ। ତୃତୀୟ ପକ୍ଷକୁ ଖଣି ଠିକା ଦେବା ମଧ୍ୟ ଆଉ ବେଆଇନ ନୁହେଁ। ସର୍ବାଧିକ ୧୦ ବର୍ଗ କିଲୋମିଟର ପରିବର୍ତ୍ତେ ୫୦ ବର୍ଗ କିଲୋମିଟର ଖଣି ପଟ୍ଟା ରଖିବା ମଧ୍ୟ ବେଆଇନ ନୁହେଁ। ଏମିତି କେତେକ ସଂଶୋଧନ ଭିତ୍ତିରେ ବିଚାରପତି ଡାଭେ ଓ ସିଂଘଭିଙ୍କ କମିଟି ଏସବୁ ବଡ଼ବଡ଼ କମ୍ପାନୀଙ୍କୁ ଅଭିଯୋଗମୁକ୍ତ କରିଛନ୍ତି। କମିଟି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଓଡ଼ିଶା ସରକାର ଏସବୁ କମ୍ପାନୀ କୌଣସି ବେଆଇନ କାମ କରିନାହାନ୍ତି ବୋଲି ଯୁକ୍ତି କରିଛନ୍ତି। ଏଥିରୁ ବୁଝାପଡ଼ୁଛି ଓଡ଼ିଶା ସରକାର ମଧ୍ୟ ଏସବୁ କମ୍ପାନୀ ଦୋଷମୁକ୍ତ ହୁଅନ୍ତୁ ବୋଲି ଚାହୁଁଥିଲେ।
ବିଚାରପତି ଡାଭେ ଓ ବିଚାରପତି ସିଂଘଭିଙ୍କ ରିପୋର୍ଟ ପରେ ବୁଝିବାକୁ ହେବ ଯେ ଏସବୁ କମ୍ପାନୀ କୌଣସି ବେଆଇନ ଖଣି କାରବାର କରିନାହାନ୍ତି। ତେଣୁ ଏହା ମଧ୍ୟ ବୁଝିବାକୁ ହେବ ଯେ ଓଡ଼ିଶାରେ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଯେତେ ତମ୍ବିତୋଫାନ କରିଥିଲେ ତାହା ସଂପୂର୍ଣ୍ଣ ଅମୂଳକ ଥିଲା। ଯଦି ଏସବୁ କମ୍ପାନୀ କିଛି ବେଆଇନ କାମ କରି ନାହାନ୍ତି ତେବେ ହୋଇଥିବା ଏତେ ହୋହାଲ୍ଲା ହାସ୍ୟାସ୍ପଦ ଥିଲା ବୋଲି ଗ୍ରହଣ କରିବାକୁ ପଡ଼ିବ। ମାତ୍ର, ବାସ୍ତବରେ ତାହା ନୁହେଁ। କାରଣ ଓଡ଼ିଶାରେ ଖଣି ଦୁର୍ନୀତି ଅଭିଯୋଗ ଉଠିବା ପରେ ଖୋଦ ରାଜ୍ୟ ସରକାର ତା’ ଉପରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କେତେକ ଖଣି କାରବାର ସଂକ୍ରାନ୍ତରେ କ୍ରାଇମ ବ୍ରାଞ୍ଚ ମଧ୍ୟ ତଦନ୍ତ କରିଛି। ପୁଲିସ ଓ ଜଙ୍ଗଲ ବିଭାଗ ତରଫରୁ ମଧ୍ୟ ଅନେକ ଖଣିର ବେଆଇନ କାମ ନେଇ ତଦନ୍ତ କରିଛନ୍ତି। ସେ ସବୁ ତଦନ୍ତ ଭିତ୍ତିରେ ଅନେକ ବେଆଇନ କାମ ଧରାପଡ଼ିଛି। ଓଡ଼ିଶା ଖଣି କ୍ଷେତ୍ରରେ ବ୍ୟାପକ ବ୍ୟାପକ ବେଆଇନ କାରବାର ହୋଇଥିବା ଅନୁଭବ କରି ତାହାର ତଦନ୍ତ ପାଇଁ କେନ୍ଦ୍ର ସରକାର ବିଚାରପତି ଶାହା କମିଶନ ଗଠନ କରିଥିଲେ। ପରେ ସୁପ୍ରିମ କୋର୍ଟ ମଧ୍ୟ ଏହି ଉଦ୍ଦେଶ୍ୟରେ ଏକ କ୍ଷମତା ସଂପନ୍ନ କମିଟି ଗଠନ କରିଥିଲେ। ସେହି କମିଟି ବହୁ ଥର ସରଜମିନ ତଦନ୍ତ କରିଥିଲେ ଓ ଅନେକ ଖଣିରେ ବ୍ୟାପକ ପରିବେଶ ଆଇନ ଉଲ୍ଲଙ୍ଘନ ହୋଇଥିବା ଦର୍ଶାଇଥିଲେ। ସେଥିପାଇଁ କମିଟି ସଂପୃକ୍ତ କମ୍ପାନୀଗୁଡ଼ିକ ଉପରେ ଜୋରିମାନା ଧାର୍ଯ୍ୟ କରିଥିଲେ। ଏହି କମିଟିର ସୁପାରିଶ ଭିତ୍ତିରେ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ସରକାର ଅନେକ କମ୍ପାନୀଙ୍କ ଉପରେ ୬୦ ହଜାର କୋଟି ଟଙ୍କା ଉପରେ ଜୋରିମାନା ଧାର୍ଯ୍ୟ କରିଥିଲେ। ଏହି ଜୋରିମାନାର ସିଂହଭାଗ ବି ଆଦାୟ ସରିଛି। ଏହା ପୂର୍ବରୁ ଓଡ଼ିଶା ସରକାର ମଧ୍ୟ ନିଜ ଆଡ଼ୁ ଅନେକ କମ୍ପାନୀଙ୍କ ଉପରେ ଜୋରିମାନା ଧାର୍ଯ୍ୟ କରିଥିଲେ। ସେତେବେଳେ ଓଡ଼ିଶା ସରକାର ହୃଦବୋଧ କରିଥିଲେ ଯେ ଅନେକ କମ୍ପାନୀ ଖଣି କାରବାରରେ ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ, ମାଇନିଂ ପ୍ଲାନ, ପରିବହନ ଓ ବିପଣନ ସଂକ୍ରାନ୍ତ କଟକଣା ଆଦି ଉଲ୍ଲଙ୍ଘନ କରିଛନ୍ତି।
ଏସବୁକୁ ପ୍ରସଙ୍ଗ କରି ଓଡ଼ିଶାର ପ୍ରାୟ ସମସ୍ତ ବିରୋଧୀ ଦଳ ଏବଂ ସାମାଜିକ କର୍ମୀ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଥିଲେ। ଏ ନେଇ ପ୍ରଥମେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା। ସେହି ମାମଲାର ଚୂଡ଼ାନ୍ତ ଶୁଣାଣି ଶେଷ କରିବା ପରେ ରାୟ ପ୍ରକାଶ କରିବା ପୂର୍ବରୁ ତତ୍କାଳୀନ ମୁଖ୍ୟ ବିଚାରପତି ପଦୋନ୍ନତି ପାଇ ସୁପ୍ରିମ କୋର୍ଟରେ ବିଚାରପତି ନିଯୁକ୍ତ ହେଲେ। ତେଣୁ ସେହି ମାମଲାର ଆଇନଗତ ମୃତ୍ୟୁ ହୋଇଗଲା। ପରେ ଓଡ଼ିଶା ଜନ ସମ୍ମିଳନୀ ପକ୍ଷରୁ ଏହାର ସଭାପତି ରବି ଦାସ ସୁପ୍ରିମ କୋର୍ଟରେ ଏକ ମକଦ୍ଦମା ଦାଏର କଲେ। ସେହି ମକଦ୍ଦମା ଭିତ୍ତିରେ ସୁପ୍ରିମ କୋର୍ଟ ସିଇସି ବା କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟି ଗଠନ କରିଥିଲେ। ସେହି କମିଟି ‘ବର୍ତ୍ତମାନ ପରିପ୍ରକ୍ଷୀରେ ସିବିଆଇ ତଦନ୍ତ’ର ଆବଶ୍ୟକତା ନାହିଁ ବୋଲି ମତ ଦେଇଥିଲେ ମଧ୍ୟ ବିପୁଳ ଜୋରିମାନା ଧାର୍ଯ୍ୟ କରିଥିଲେ। ଏହାର ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସାମାଜିକ ସଂଗଠନ କମନ୍ କଜ୍ ତରଫରୁ ଅନ୍ୟ ଏକ ମାମଲା ରୁଜୁ କରିଥିଲେ। ସେହି ମାମଲା ଆଧାରରେ ସୁପ୍ରିମ କୋର୍ଟ ବେଆଇନ କାମର ତଦନ୍ତ ପାଇଁ ବିଚାରପତି ଡାଭେ ଓ ବିଚାରପତି ସିଂଘଭି କମିଟି ଗଠନ କରିଥିଲେ।
ଏତେ ମକଦ୍ଦମା, ବିବାଦ, ଆନ୍ଦୋଳନ ଆଦି ପରେ ଯଦି ରାୟ ପ୍ରକାଶ ପାଏ ଯେ ଓଡ଼ିଶାରେ ବେଆଇନ ଖଣି କାରବାର ହୋଇନାହିଁ ତେବେ ଏ ଦଶ ବର୍ଷ ଧରି ଖଣି କାରବାରକୁ ନେଇ ପ୍ରତିପକ୍ଷ ରାଜନୀତିକ ଦଳ ଏବଂ ସାମାଜିକ କର୍ମୀମାନେ କୁହୁଡ଼ି ପହଁରୁଥିଲେ ବୋଲି ଧରିବାକୁ ହେବ। ନତୁବା, ଖଣି ଦୁର୍ନୀତିକୁ ଖଣି ନୀତିରେ ପରିଣତ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଭାବିତ କରିବାରେ ଖଣି ଲବି ସଫଳ ହୋଇଛି ବୋଲି ଧରିବାକୁ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।