Advertisment

ଜଗାବଳିଆଙ୍କ ସ୍ମିତହାସ୍ୟ-ଜୈବିକ ମହାପ୍ରସାଦ

ରାଜ୍ୟରେ ଏବେ ଅସ୍ମିତାର ଜୟଯାତ୍ରା। ଉଭୟ ମୋଦି ଓ ମୋହନ ସରକାର ଜୈବ ଓ ପ୍ରାକୃତିକ କୃଷିକୁ ଚଳିତ ବଜେଟରେ ଗୁରୁତ୍ୱ ଦେଇଛନ୍ତି। ଯୋଗକୁ, ରାଜ୍ୟର ପ୍ରମୁଖ କୃଷି ସଚିବ ପଦରେ ଅଛନ୍ତି ଜଣେ ବିଶିଷ୍ଟ କୃଷି ବୈଜ୍ଞାନିକ। ଆମର ସୌଭାଗ୍ୟକୁ ସେ ମଧ୍ୟ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ। ଏଣୁ ଆଶା ସୃଷ୍ଟି ହୋଇଛି ଯେ, ଶ୍ରୀମନ୍ଦିରର ଦୈନନ୍ଦିନ ରୀତିନୀତିରେ ଜୈବକୃଷିରୁ ଉତ୍ପାଦିତ ସାମଗ୍ରୀର ଆଦର ଓ ବ୍ୟବହାର ବଢ଼ିବ।

author-image
Debendra Prusty
Organic Farming

Organic Farming

ଜାନକୀଶ ବଡ଼ପଣ୍ଡା

ରାଜ୍ୟରେ ଏବେ ଅସ୍ମିତାର ଜୟଯାତ୍ରା। ଉଭୟ ମୋଦି ଓ ମୋହନ ସରକାର ଜୈବ ଓ ପ୍ରାକୃତିକ କୃଷିକୁ ଚଳିତ ବଜେଟରେ ଗୁରୁତ୍ୱ ଦେଇଛନ୍ତି। ଯୋଗକୁ, ରାଜ୍ୟର ପ୍ରମୁଖ କୃଷି ସଚିବ ପଦରେ ଅଛନ୍ତି ଜଣେ ବିଶିଷ୍ଟ କୃଷି ବୈଜ୍ଞାନିକ। ଆମର ସୌଭାଗ୍ୟକୁ ସେ ମଧ୍ୟ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ। ଏଣୁ ଆଶା ସୃଷ୍ଟି ହୋଇଛି ଯେ, ଶ୍ରୀମନ୍ଦିରର ଦୈନନ୍ଦିନ ରୀତିନୀତିରେ ଜୈବକୃଷିରୁ ଉତ୍ପାଦିତ ସାମଗ୍ରୀର ଆଦର ଓ ବ୍ୟବହାର ବଢ଼ିବ।

Advertisment

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସିକିମ୍ ଆଜି ଦେଶର ଏକମାତ୍ର ସମ୍ପୂର୍ଣ୍ଣ ଜୈବକୃଷି ରାଜ୍ୟ। ସେଠାରେ ଗୁଣାତ୍ମକ ତଥା ପୁଷ୍ଟିକର ଜୈବଖାଦ୍ୟ ଉତ୍ପାଦନ ହେଉଛି ଏବଂ ମୁଖ୍ୟତଃ ସେଇଥିପାଇଁ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଚାଲିଛି। ୨୦୦୩ ମସିହାରେ ଯେତେବେଳେ ସିକିମରେ ଜୈବକୃଷି ମାଧ୍ୟମରେ ଫସଲ ଚାଷ କଥା ଉଠିଥିଲା, କେହି ବି ଭାବି ନଥିଲେ ଯେ, ସେଠାକାର ଲକ୍ଷ ଲକ୍ଷ ଚାଷୀ ଏହାକୁ ଏପରି ଆଦରିନେବେ। ପ୍ରାୟ ୧୫ ବର୍ଷର ନିରନ୍ତର ପ୍ରୟାସ ସିକିମ୍ ରାଜ୍ୟକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିପାରିଲା। ଜୈବକୃଷି କଲେ ଅମଳ କମିବ, ଲାଭ ହେବନି, ରୋଗ ପୋକ ଲାଗିବ- ଏମିତି ଆଶଙ୍କା ଭିତରେ ସରକାର ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇ ଚାଲିଲେ। ଜୈବକୃଷି ନୀତି ପ୍ରଣୟନ ହେଲା, ନୂଆ ଚାଷ ପ୍ରଣାଳୀରେ ଲୋକ ଅଭ୍ୟସ୍ତ ହେଲେ ଓ ସେଠାରେ ଆସିଲା ବୈପ୍ଲବିକ ପରିବର୍ତ୍ତନ। ବଜାରରେ ରାସାୟନିକ ସାର ଓ କୀଟ-ରୋଗ ନାଶକ ପ୍ରୟୋଗ କରାଯାଇ ଅଧିକ ଅମଳ ହେଉଥିବା ପରିବା ଶସ୍ତାରେ ମିଳିଲା ବେଳେ ଚାଷୀମାନେ କ୍ରମଶଃ ଜୈବିକ ଫସଲକୁ ଆଦର କଲେ। ସମୟ ଲାଗିଲା ସତ, ଫଳ କିନ୍ତୁ ଭଲ ହେଲା। ମାଟିର ଗୁଣ ଉନ୍ନତ ହେଲା, କମ୍ପୋଷ୍ଟ, ଗୋବର, ଗୋମୂତ୍ର ପ୍ରୟୋଗ ହେଲା, କୃଷକଙ୍କୁ ଚଢ଼ା ଦାମରେ କିଣିବାକୁ ପଡ଼ିଲାନି ରାସାୟନିକ ସାର, ଔଷଧ। ମାଟି ଜୀବନ୍ୟାସ ପାଇଲା ଯେମିତି। ଜୈବିକ ଚାଷରୁ ଅମଳ ବଢ଼ିବାକୁ ଲାଗିଲାରୁ ଚାଷୀ ଲାଭବାନ୍ ହେଲେ। କିନ୍ତୁ, ଏହି ଜୈବକୃଷି ଯାତ୍ରାପଥ ସୁଗମ ନଥିଲା। ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଚାଷୀଙ୍କ ସହଯୋଗ ପାଇଁ ଏହି ପରିବର୍ତ୍ତନ ସମ୍ଭବ ହୋଇ ପାରିଲା।

ଓଡ଼ିଶା ଭଳି ସିକିମରେ ମଧ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ସଂଖ୍ୟା ଅଧିକ। ସେମାନେ ବି ଅତ୍ୟଧିକ ସାର ପ୍ରୟୋଗ ନକରି ଗୋବର ଖତ ସହିତ ଅଳ୍ପ କିଛି ସାର ବ୍ୟବହାରରେ ଅଭ୍ୟସ୍ତ ଥିଲେ; ପଞ୍ଜାବ ଭଳି ସର୍ବାଧିକ ରସାୟନ ବ୍ୟବହାର କରୁନଥିଲେ। ଚାଷଜମି ଛୋଟ କିଆରିରେ ବିକ୍ଷିପ୍ତ ଭାବେ ଥିଲା। ୨୦୦୪ ମସିହାରେ ସିକିମ୍ ସରକାର ଜୈବକୃଷି ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଜିଆ-ଚାଷ, ଜିଆ ଖତ ପ୍ରସ୍ତୁତି, ଜୈବକୃଷି ଅନୁକୂଳ ବିହନ କିସମ ନିର୍ଦ୍ଧାରଣ, ମାତ୍ର ଶହେଟି ଅଗ୍ରଣୀ ଗ୍ରାମ ଚୟନ, କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ, ଜୈବ ପ୍ରମାଣନ, ଗୋଷ୍ଠୀ ପ୍ରଶିକ୍ଷଣ ଓ ତାଲିମ୍ ତଥା ବ୍ୟାପକ ସଚେତନତା ସୃଷ୍ଟି କରାଗଲା। ସମବାୟ ଆନ୍ଦୋଳନକୁ ମଧ୍ୟ ଏଥିରେ ବ୍ୟବହାର କରାଗଲା। ସିକିମ୍ ରାଜ୍ୟ ଜୈବକୃଷି କ୍ଷେତ୍ରରେ କିପରି ଉତ୍କର୍ଷ ହାସଲ କରିପାରିଲା, ତାହା ନିଶ୍ଚୟ ପ୍ରେରଣାପ୍ରଦ। ତେବେ, ସିକିମ୍ ସହ କୃଷି କ୍ଷେତ୍ରରେ ଓଡ଼ିଶାର ସାମଞ୍ଜସ୍ୟ ଥିବାରୁ ସରକାର, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା କୃଷି ବିଶେଷଜ୍ଞମାନେ ଓଡ଼ିଶାରେ ଜୈବ ଆନ୍ଦୋଳନକୁ ଆଗେଇ ନେବାକୁ ସମର୍ଥ ଏବଂ ଶ୍ରୀମନ୍ଦିର ପ୍ରଶାସନ ଏହାର ନେତୃତ୍ୱ ନେବେ ବୋଲି ଆଶା।

Advertisment

ସିକିମ୍ ରାଜ୍ୟର ଅଧିବାସୀ ଯଦି ଜୈବକୃଷି ପ୍ରଣାଳୀରେ ଉତ୍ପାଦିତ ଖାଦ୍ୟ ଭୋଜନ କରୁଛନ୍ତି, ଆମେ ଶ୍ରୀ ଜଗନ୍ନାଥଙ୍କୁ କାହିଁକି ସାର-କୀଟନାଶକ ଔଷଧ ଦେଇ ଫଳାଉଥିବା କୃଷିଜାତ ଦ୍ରବ୍ୟରୁ ପ୍ରସ୍ତୁତ ବିଷାକ୍ତ ଅନ୍ନ, ଡାଲି, ବେସର, ମହୁର, ଶାଗ ସମର୍ପଣ କରିବା? ଶ୍ରୀମନ୍ଦିର ରୋଷଘରେ ମା’ ଲକ୍ଷ୍ମୀ ରାନ୍ଧୁଥିବା ନାନାଦି ନୈବେଦ୍ୟ ସହିତ ଦୈନିକ ପ୍ରସ୍ତୁତ ହେଉଥିବା ଶ୍ରୀମହାପ୍ରସାଦରେ ବ୍ୟବହୃତ ଚାଉଳ, ଡାଲି, ପନିପରିବାଠୁ ଆରମ୍ଭ କରି, ଚିନି, ଗୁଡ଼, ଘିଅ ଏପରିକି ଲୁଣରେ ବି ବିଷ ରହୁଛି। ଯଦି, ସିକିମ ରାଜ୍ୟରେ ରାସାୟନିକ ସାର ଓ କୀଟ-ରୋଗ ନାଶକ ବ୍ୟବହାର ନକରି ଜୈବିକ କୃଷି ସମ୍ଭବ ହୋଇ ପାରିଛି, ଆମେ ପ୍ରାଥମିକ ଭାବେ କେବଳ ପୁରୀ ଜିଲ୍ଲାର ଶହେଟି ଗ୍ରାମରେ 'ଭୋଗ ପାଇଁ ଜୈବିକ ଫସଲ' ଚାଷ କରିପାରିବାନି କାହିଁକି? ସିକିମ୍ ରାଜ୍ୟରେ ତ ଏହିଭଳି ପ୍ରାରମ୍ଭ ହୋଇଥିଲା ଜୈବ କୃଷି ଆନ୍ଦୋଳନ।

ସିକିମ୍ ରାଜ୍ୟର ଚାଷୀଙ୍କୁ କେବଳ ଗୋବର-କମ୍ପୋଷ୍ଟ ଖତ ପ୍ରୟୋଗ କରି, ବିନା ସାରରେ ପୂର୍ବଠାରୁ ଅଧିକ ଫସଲ ପାଇବାକୁ ଲାଗିଯାଇଥିଲା କୋଡ଼ିଏ ବର୍ଷ। ସେଠାରେ ମାଟି, ପାଣି ଓ ପବନ ଏବେ ବିଷମୁକ୍ତ। ମାଟିକୁ ଫେରିଆସିଛି ଜୀବନ। ଅଧିକ ଫଳୁଥିବା ଉନ୍ନତ ଅଧିକ ଅମଳକ୍ଷମ ଦେଶୀ ବିହନ ଚାଷ ହେଉଛି। ଫସଲର ବାସନା, ସ୍ୱାଦ ଓ ଖାଦ୍ୟଗୁଣ ବଢ଼ିଛି। ପରିବାପତ୍ର ଶୀଘ୍ର ପଚି ନଯାଇ ଅଧିକ ଦିନ ସତେଜ ରହୁଛି। ସିକିମବାସୀଙ୍କ ସ୍ମିତହାସ୍ୟରୁ ବାରି ହୋଇ ପଡୁଛି, ସେମାନଙ୍କ ଜୀବନଧାରଣ-ମାନରେ ଆସିଛି କେତେ ପରିବର୍ତ୍ତନ, ରୂପାନ୍ତରଣ।

ଏହା ସତ୍ୟ ଯେ, ଚାଷ ଏବେ ଲାଭଜନକ ଓ ସମ୍ମାନଜନକ ପେସା ହୋଇ ରହିନାହିଁ। ଆମର ମାଟି ଲାଞ୍ଚୁଆ ହୋଇଯାଇଛି। ସଙ୍କର କିସମ ବିହନ ବ୍ୟବହାର ନକଲେ, ଚାଷରେ କ୍ଷତି ଓ ତହିଁରେ ସାର ନଦେଲେ ନଚଳେ। ସାର, କୀଟ-ରୋଗ ନାଶକର ଦର ବଢ଼ି ଚାଲିଛି। କେଉଁଠି ମରୁଡ଼ି ପଡୁଛି ତ ଆଉ କେଉଁଠି ବର୍ଷ ସାରା ଜମିରେ ଅଣ୍ଟାଏ ପାଣି। ଦେଶୀ ଗାଈ ଅଧିକ ଦୁଧ ଦେଉନି। ଘାସଠୁ ଶସ୍ୟ ଓ ପରିବାପତ୍ର ସବୁ ବିଷାକ୍ତ। ଏସବୁ ଖାଇ ଆମେ ରୋଗଗ୍ରସ୍ତ ରହୁଛେ। ଏମିତି ସମସ୍ୟା ତ ଅନେକ। ଏହାର ସମାଧାନ କ’ଣ?

ଓଡ଼ିଶାକୁ ସିକିମ୍ ଭଳି କରିବା ହୁଏତ ସମୟସାପେକ୍ଷ। କିନ୍ତୁ ଅଜିଠୁ ପ୍ରୟାସ କଲେ ପୁରୀ ସହର ପାଖାପାଖି ଶହେଟି ଆଦର୍ଶ ଗାଁକୁ ପାଞ୍ଚ ବର୍ଷ ଭିତରେ ସିକିମ୍ କରିବା ସମ୍ଭବ। ସେଠାରେ ଜୈବିକ ପ୍ରଣାଳୀରେ କରାଯାଇପାରିବ ଦୁଧିଆଳୀ ଦେଶୀ ଗୋପାଳନ, ଜମିରେ ଫଳିବ ଧାନ, ହରଡ଼, ମୁଗ, ବିରି ଓ ପରିବା, ଚାଷ ହେବ ତୁଳସୀ, ଦୟଣା, ପଦ୍ମ ଓ ବିଭିନ୍ନ ଫୁଲ ଏବଂ କଦଳୀ। ଉତ୍ପାଦନ ହେବ କ୍ଷୀର, ଛେନା, ଗୁଆଘିଅ। ସବୁ କରାଯିବ ଜଗାବଳିଆଙ୍କ ସେବାରେ। ବାସୀ ଫୁଲ ଓ ମନ୍ଦିର ବର୍ଜ୍ୟବସ୍ତୁ ସେହି ସବୁ ଗ୍ରାମରେ କମ୍ପୋଷ୍ଟ ହେବ ଓ ଚାଷବାସରେ ବ୍ୟବହାର ହେବ। ଗୋବର ଗ୍ୟାସ୍ ଉତ୍ପାଦନ ହେବ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତି ମିଳିବ। ସରକାର ଆର୍ଥିକ ସହଯୋଗ ଓ କୃଷି ବିଶ୍ୱବିଦ୍ୟାଳୟ ବୈଷୟିକ ସହାୟତା ଦେବେ। ବିଭୂ-ସମର୍ପିତ ସ୍ଥାନୀୟ ଚାଷୀ ଲାଭଜନକ ଭାବେ କେବଳ ଶ୍ରୀମନ୍ଦିରରେ ଲୋଡ଼ା ଖାଦ୍ୟ, ଫୁଲ-ଫଳ-ପତ୍ର ଚାଷ କରିବେ। ନା ରହିବ ଅଭାବୀ ବିକ୍ରି ନା ବଜାର ସମସ୍ୟା। ଜଗା ମୁହଁରେ ସ୍ମିତ ହାସ୍ୟ ଆହୁରି ନିବିଡ଼ ହେବ। ଜଗାବଳିଆଙ୍କ ସେବା, ଆରାଧନା କଲେ ଚାଷୀ ହସିବ।

ଶ୍ରୀମନ୍ଦିରରେ ବିରାଜିତ ଶ୍ରୀବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ। ସେଥିରେ ପାଗ ଖଇ, ପାଚିଲା କଦଳୀ, ଦହି, ସର, ଖୁଆ, ମଣ୍ଡା, ସେଓ, ପିଜୁଳି, ନଡ଼ିଆ ପାତି, କମଳା, ସପେଟା, କାକୁଡ଼ି ଭଳି ନିସଙ୍ଖୁଡ଼ି ଭୋଗ ଏବଂ ସାଦା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ବିରି ଓ ଅଟା ଜାତୀୟ ପିଠା ଇତ୍ୟାଦି ସଙ୍ଖୁଡ଼ି ଭୋଗ ଲାଗି ହୋଇଥାଏ। ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀମହାପ୍ରସାଦରେ ଦେଶୀ ଆଳୁ, କଖାରୁ, କଞ୍ଚା କଦଳୀ, କଠା ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଅଦା, ଧନିଆପତ୍ର, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀ ଇତ୍ୟାଦିରେ ବ୍ୟବହୃତ ହୋଇଥାଏ। କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତିତ ଅନ୍ୟ କୈଣସି ଶାଗ ବ୍ୟବହାର କରାଯାଏ ନାହିଁ। ଏଥିରେ କେବଳ ଘିଅ ବ୍ୟବହୃତ ହୁଏ। ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ମସଲା ବିଭିନ୍ନ ଭୋଗଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ। ଅନ୍ୟସବୁ ପରିବା ଓ ମସଲା ନିଷିଦ୍ଧ।

ଦୈନିକ ପ୍ରାୟ ପଚାଶ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ରୋଷଘରରେ କାଠ ଚୁଲିରେ ଅନ୍ନ ଓ ଡାଲି ସମେତ ସମସ୍ତ ବ୍ୟଞ୍ଜନ ମାଟି କୁଡୁଆରେ ରଡ଼ନିଆଁ ଓ ଅଙ୍ଗାର ରଖାଯାଇଥିବା 'ଅହିଆ'ରେ ପ୍ରସ୍ତୁତ ହୋଇଥାଏ। ପର୍ବପର୍ବାଣୀ, ଛୁଟିଦିନ ଓ କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଷାଠିଏ ହଜାର ଛୁଇଁଯାଏ। ଯଦି, ପରୀକ୍ଷାମୂଳକ ଭାବେ ମାତ୍ର ୧୬-୧୮ ଶହ ହେକ୍ଟର ଚାଷ ଜମିରେ ମିଶ୍ରିତ ତଥା ଜୈବିକ ଫସଲ ପର୍ଯ୍ୟାୟ ଅନୁସରଣ କରି ଖାଦ୍ୟ ଶସ୍ୟ, ଗୋଖାଦ୍ୟ ଘାସ ଚାଷ, ଜାଳେଣୀ କାଠ ପାଇଁ ଝାଉଁ ଗଛ, ଫୁଲ, ତୁଳସୀ, ଦୟଣା, ପାଣିରେ ବୁଡ଼ି ରହୁଥିବା ଜମିରେ ପଦ୍ମଫୁଲ ଚାଷ କରାଯିବ, ଶ୍ରୀମନ୍ଦିର ପାଇଁ ଆବଶ୍ୟକ ଅଧିକାଂଶ କୃଷି ସାମଗ୍ରୀ ସେଠାରୁ ଉତ୍ପାଦନ ହୋଇପାରିବ। ଲାଭଜନକ ମୂଲ୍ୟରେ, ପ୍ରଥମ ଚାରି ପାଞ୍ଚ ବର୍ଷ ନିଶ୍ଚିତ କ୍ରୟ ଗ୍ୟାରେଣ୍ଟି ମିଳିଲେ ଏହି ଶହେଟି ଗ୍ରାମର ଚାଷୀ ସାରା ଓଡ଼ିଶାକୁ ଆଲୋକ ଦେଖାଇବେ। ଜୈବିକ ଚାଷ ପୋଥି-ବାଇଗଣ ନୁହେଁ; ବାଡ଼ି-ବାଇଗଣ ବୋଲି ପ୍ରମାଣିତ ହେବ। ଏହାକୁ ଏକ ଆହ୍ୱାନ ଭାବେ ସଭିଏଁ ଗ୍ରହଣ କରିବେ ବୋଲି ଆଶା।

ମା’ ଲକ୍ଷ୍ମୀ ରୋଷଘରେ ରନ୍ଧନ କରନ୍ତି ଓ ତାହା ମହାପ୍ରସାଦରେ ରୂପାନ୍ତରିତ ହୁଏ ବୋଲି ରୋଷଘରକୁ ପବିତ୍ର ରଖାଯାଏ। ଶୁଦ୍ଧ, ସଦାଚାରୀ ହୋଇ ପ୍ରସାଦ ରନ୍ଧନ ଭଳି ବିଷମୁକ୍ତ ଶସ୍ୟ ସମେତ ବିଭିନ୍ନ ସାମଗ୍ରୀ, ଫୁଲ ଓ ଜାଳେଣୀ କାଠ ଉତ୍ପାଦନ ଓ ଯୋଗାଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ନୈବେଦ୍ୟ ପ୍ରସ୍ତୁତି ଏକ ମହାଯଜ୍ଞଠାରୁ କିଛି କମ ନୁହେଁ। ଯେତେବେଳେ ପୂର୍ଣ୍ଣ ସମର୍ପଣ ଭାବ ଓ ଆତ୍ମୀୟତାର ସହିତ ନୈବେଦ୍ୟ ପ୍ରସ୍ତୁତ କରାଯାଉଛି ନୈବେଦ୍ୟ ଯୋଗ୍ୟ ଜୈବ-ରୋଷେଇ ସାମଗ୍ରୀ ଜଗାବଳିଆ ଚରଣାଶ୍ରିତ କୃଷକମାନେ କ’ଣ ଉତ୍ପାଦନ କରି ପାରିବେନି? ନିଶ୍ଚୟ ପାରିବେ ବୋଲି ଆଶା ଓ ବିଶ୍ୱାସ। ସମପରିମାଣର ଭରସା ମଧ୍ୟ ରଖାଯାଇପାରେ ବ୍ୟବସ୍ଥା ଉପରେ।

ଫୋ- ୯୪୩୮୨୯୯୦୩୭

Puri Shreemandir Lord Jagannath Shree Mandira Organic Farming