ଦେବେନ୍ଦ୍ର ପୃଷ୍ଟି
ଭାରତର ମୁସଲମାନ, ବିଶେଷକରି କାଶ୍ମୀର ମୁସଲମାନଙ୍କ ପାଇଁ ପାକିସ୍ତାନ ଦେଖାଉଥିବା ଦରଦ ସତରେ ପ୍ରୀତି ନା ରାଜନୀତି, ଜାଣତରେ ହେଉ ବା ଅଜାଣତରେ ତାହାର ପର୍ଦ୍ଦାଫାଶ କରିଛନ୍ତି ଖୋଦ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ନିକଟରେ ସେ ଦୁଇଟି ବିଦେଶୀ ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ ଯାହା କହିଛନ୍ତି ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ ପାକିସ୍ତାନ ବିଶ୍ୱର ଅନ୍ୟ କୌଣସି ଦେଶରେ ମୁସଲମାନମାନେ ସମ୍ମୁଖୀନ ହେଉଥିବା ନିର୍ଯାତନା ନେଇ ଆଦୌ ଚିନ୍ତିତ ନୁହେଁ, ବରଂ ପାକ୍ ସରକାରଙ୍କ ସ୍ୱାର୍ଥ ପାଇଁ ସେପରି ନିର୍ଯାତନା ପ୍ରତି ପାକିସ୍ତାନ ଆଖିବୁଜି ଦେଇପାରେ, କେବଳ କାଶ୍ମୀର ମୁସଲମାନଙ୍କ ପାଇଁ ପାକିସ୍ତାନ ଦରଦ ପ୍ରକାଶ କରେ। ପାକିସ୍ତାନ ଯେ ମୁସଲମାନଙ୍କ ମଧ୍ୟରେ ପାତର ଅନ୍ତର କରେ ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି।
ଜାନୁଆରୀ ୧୬ ତାରିଖରେ ଜର୍ମାନୀର ଏକ ପତ୍ରିକା ଡଶ୍ଚେ ୱେଲେ ବା ଡିଡବ୍ଲ୍ୟୁକୁ ଏକ ସାକ୍ଷାତକାର ଦେଇଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ତା’ର କେଇ ଦିନ ପରେ ସେ ସୁଇଜରଲାଣ୍ଡର ଡାଭୋସଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୀତି ଫୋରମରେ ଯୋଗ ଦେବା ଅବସରରେ ଫରେନ୍ ପଲିସି ପତ୍ରିକାକୁ ଅନ୍ୟ ଏକ ସାକ୍ଷାତକାର ଦେଇଥିଲେ ଇମ୍ରାନ। ଉଭୟ ସାକ୍ଷାତକାରରେ ପ୍ରଶ୍ନକର୍ତ୍ତା ତାଙ୍କୁ ଚୀନର ଉଇଘୁର ମୁସଲିମଙ୍କ ବିରୋଧରେ ଚୀନ ସରକାର ଚଳାଇଥିବା ନିର୍ଯାତନା ସଂପର୍କରେ ପଚାରିଥିଲେ। ଉଭୟ ସାକ୍ଷାତକାରରେ ଇମ୍ରାନ କହିଥିଲେ ଯେ ଉଇଘୁର ମୁସଲିମଙ୍କ ପ୍ରତି ଚୀନ କ’ଣ କରୁଛି ସେ ସଂପର୍କରେ ସେ ବିଶେଷ କିଛି ଜାଣନ୍ତି ନାହିଁ। ମଝିରେ ମଝିରେ ସେ ଗଣମାଧ୍ୟମରୁ ସେ ସଂପର୍କରେ କିଛି ଖବର ପାଇଥାନ୍ତି। ତେବେ ଚୀନ ହେଉଛି ପାକିସ୍ତାନର ମିତ୍ର ରାଷ୍ଟ୍ର। ପାକିସ୍ତାନର କଷ୍ଟ ସମୟରେ ଚୀନ ସହାୟତା କରିଛି। ତେଣୁ ଉଇଘୁର ମୁସଲମାନଙ୍କ ନିର୍ଯାତନା ବିଷୟରେ ପାକ୍ ସରକାର ଚୀନ ସହିତ ଖୋଲାଖୋଲି କିଛି କଥା ହୁଅନ୍ତି ନାହିଁ। ତେବେ ଏ ନେଇ ଚୀନ ସରକାର ସହିତ ଗୁପ୍ତରେ କିଛି ଆଲୋଚନା ହୁଏ ବୋଲି ପାକ୍ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କାଶ୍ମୀରରେ ମୁସଲମାନଙ୍କୁ ଯେପରି ନିର୍ଯାତନା ଦିଆଯାଉଛି ତାହ ଉଇଘୁର ମୁସଲମାନଙ୍କୁ ଦିଆଯାଉଥିବା ନିର୍ଯାତନା ତୁଳନାରେ କିଛି ନୁହେଁ।
ପାକ୍ ପ୍ରଧାନମନ୍ତ୍ରୀଙ୍କର ଏପରି ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ସେ ବା ପାକ୍ ସରକାରଙ୍କ ମୁସଲମାନ ପ୍ରୀତି କେବଳ ଲୋକ ଦେଖାଣିଆ। ବିଶ୍ୱର ଅନ୍ୟ ଅଞ୍ଚଳର ମୁସଲମାନଙ୍କ ପ୍ରତି ହେଉଥିବା ନିର୍ଯାତନା ନେଇ ପାକ୍ ସରକାର ଆଦୌ ଚିନ୍ତିତ ନୁହନ୍ତି। ଯଦି ନିର୍ଯାତନା ଦେଉଥିବା ଦେଶ ପାକ୍ ସରକାରଙ୍କୁ ଆର୍ଥିକ ସହାୟତା ଦେଉଥାଏ ତେବେ ପାକ୍ ପ୍ରଧାନମନ୍ତ୍ରୀ ସେହି ମୁସଲମାନଙ୍କ ସପକ୍ଷରେ ବାହାରିବେ ନାହିଁ। କିନ୍ତୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ଜଡ଼ିତ ମୁସଲିମ ଗୋଷ୍ଠୀ ବିରୋଧରେ ଭାରତ ସରକାର କିଛି କଟକଣା ଲାଗୁ କଲେ ତାହା ପାକିସ୍ତାନ ପାଇଁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହୋଇଯାଏ।
୨୦୧୯ ଅଗଷ୍ଟ ୫ ତାରିଖରେ ଭାରତ ସରକାର କାଶ୍ମୀର ପ୍ରତି ଲାଗୁ ହେଉଥିବା ଭାରତୀୟ ସମ୍ବିଧାନର ୩୭୦ ଧାରାର ବ୍ୟବସ୍ଥା ଉଚ୍ଛେଦ କଲେ। ଏହି ଧାରାରେ କାଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ରତା ରଦ୍ଦ କରିବା ନେଇ ଭାରତ ସରକାରଙ୍କ ଯୁକ୍ତି ହେଲା ଏହି ଧାରା ଆଢ଼ୁଆଳରେ କାଶ୍ମୀରର କେତେକ ବିଚ୍ଛିନ୍ନତାବାଦୀ ଶକ୍ତି ଆତଙ୍କବାଦ ଚଳେଇଛନ୍ତି। ଏହି ଧାରାର ସୁବିଧା ନେଇ କେତେକ ନେତା ଭାରତ ସରକାର କାଶ୍ମୀର ଜନଗଣଙ୍କ ବିକାଶ ପାଇଁ ପଠାଉଥିବା ଅର୍ଥର ସିଂହଭାଗ ହଡ଼ପ କରୁଛନ୍ତି। ଏହି ଦୁର୍ନୀତି ଓ ଆତଙ୍କର ଧାରା ଭାଙ୍ଗିବା ପାଇଁ ଭାରତ ସରକାର ୩୭୦ ଧାରାରେ ସଂଶୋଧନ କରିଛନ୍ତି। ଏହା ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ଭାରତ ସରକାର କେଉଁ ରାଜ୍ୟ ଓ କେଉଁ ପ୍ରସଙ୍ଗରେ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରିବେ ତାହା ଭାରତର ସାର୍ବଭୌମ ଅଧିକାର। କାଶ୍ମୀର ବିଭାଜନ ମଧ୍ୟ ସେଇ ସାର୍ବଭୌମ ଅଧିକାରର ଏକ ଅଂଶ। ସମ୍ବିଦାନର ୩୭୦ ଧାରା ଉଚ୍ଛେଦ ସହିତ ଭାରତ ସରକାର ଜାମ୍ମୁକାଶ୍ମୀର ରାଜ୍ୟର ପୁନର୍ଗଠନ କରି ଲଦାଖ ଓ ଜାମ୍ମୁକାଶ୍ମୀର ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ସୃଷ୍ଟି କରିଛନ୍ତି। କାଶ୍ମୀର ପୂର୍ବରୁ ଅନ୍ୟ ବହୁ ରାଜ୍ୟ କ୍ଷେତ୍ରରେ ମଧ୍ୟ ଭାରତ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ପୂର୍ବର ବମ୍ବେ ପ୍ରଦେଶ ଏବେ ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ନାମରେ ତିନିଟି ରାଜ୍ୟରେ ପରିଣତ ହୋଇଛି। ପୂର୍ବର ଆନ୍ଧ୍ର ପ୍ରଦେଶକୁ ଦୁଇ ଭାଗ କରାଯାଇ ତେଲେଙ୍ଗାନା ନାମରେ ଅନ୍ୟ ଏକ ପ୍ରଦେଶ ଗଠନ କରାଯାଇଛି। ପୂର୍ବର ମଧ୍ୟ ପ୍ରଦେଶରୁ ଛତିଶଗଡ଼ ଓ ପୂର୍ବର ବିହାରୁ ଝାରଖଣ୍ଡ ରାଜ୍ୟ ସୃଷ୍ଟି ହୋଇଛନ୍ତି। ସେହିପରି ପୂର୍ବର କେନ୍ଦ୍ର ଶାସିତ ଅଞ୍ଚଳ ଗୋଆ ଏବେ ଏକ ପୂର୍ଣ୍ଣାଙ୍ଗ ରାଜ୍ୟ। ପୂର୍ବର କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଏବେ ଏକ ରାଜ୍ୟ। ଏହିପରି ବହୁ ଉଦାହରଣ ରହିଛି। ସେତେବେଳେ କିନ୍ତୁ ପାକିସ୍ତାନ ଏସବୁ ପ୍ରସଙ୍ଗରେ ମୁହଁ ଖୋଲି ନଥିଲା।
କାଶ୍ମୀରର ସ୍ୱତନ୍ତ୍ର ପାହ୍ୟା ରଦ୍ଦ ଓ ବିଭାଜନ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ରାଷ୍ଟ୍ରମତ ସୃଷ୍ଟି କରିବା ପାଇଁ ଲଗାତାର ଉଦ୍ୟମ କରି ବିଫଳ ହୋଇଥିଲେ ମଧ୍ୟ ସେଥିରୁ ଏଯାଏଁ କ୍ଷାନ୍ତ ହୋଇନାହିଁ। ତାହାର କାରଣ, କାଶ୍ମୀରବାସୀଙ୍କ ପ୍ରତି ଦରଦ ନୁହେଁ, ବରଂ କାଶ୍ମୀରକୁ ନେଇ ରାଜନୀତି। ୧୯୪୭ ଅଗଷ୍ଟ ୧୪ ତାରିଖ ପୂର୍ବରୁ ପୂରା ପାକିସ୍ତାନ ହିଁ ଭାରତର ଅଂଶ ଥିଲା। ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ କେତେକ ଧାର୍ମିକ ମୌଳବାଦୀ ନେତାଙ୍କ ଉଚ୍ଚାକାଙ୍କ୍ଷା ଯୋଗୁଁ ଭାରତରେ ହିନ୍ଦୁ-ମୁସଲମାନ ଦୁଇ ରାଷ୍ଟ୍ର ପରିକଳ୍ପନା ଜନ୍ମ ନେଲା। ବ୍ରିଟିଶ ସରକାରଙ୍କ କୂଟନୀତି ସେହି ବିଭାଜନକୁ ଉସ୍କାଇବା ସହିତ ପ୍ରଶସ୍ତ କଲା। ତାହାର ପରିଣାମ ହେଲା ଦେଶ ବିଭାଜନ। ବିଭାଜନ ସମୟରେ ସ୍ୱତନ୍ତ୍ର ରହିଥିବା କାଶ୍ମୀର ଦଖଲ କରିବା ପାଇଁ ପାକିସ୍ତାନ ଆଦିବାସୀ ମୁସଲିମ ଉଗ୍ରବାଦୀଙ୍କ ଜରିଆରେ ଆକ୍ରମଣ କଲା। ସେହି ଉଗ୍ରବାଦୀଙ୍କୁ ଦମନ କରିବାରେ ବିଫଳ ହୋଇ କାଶ୍ମୀରର ତତ୍କାଳୀନ ରାଜା ହରି ସିଂହ ଭାରତ ସହିତ ମିଶ୍ରଣ ଚୁକ୍ତି କଲେ। ସେବେଠାରୁ ସମଗ୍ର କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ଠିକ୍ ସେହି ସମୟରେ ଭାରତ ଦୟା ପରବଶ ହୋଇ ବା ନୂଆ ରାଷ୍ଟ୍ରର ଭବିଷ୍ୟତ ଦୃଷ୍ଟିରୁ ପାକିସ୍ତାନୀ ସୈନ୍ୟ ଓ ଉଗ୍ରବାଦୀ ଆଦିବାସୀ ମୁସଲିମ ଗୋଷ୍ଠୀଙ୍କୁ ପୂରା କାଶ୍ମୀରରୁ ତଡ଼ିବା ପୂର୍ବରୁ ଯୁଦ୍ଧ ବିରତି ଘୋଷଣା କଲେ। ସେଥିଯୋଗୁଁ ସେତେବେଳେ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର ଏକ ବୃହତ ଭାଗ ଏବେ ସୁଦ୍ଧା ପାକିସ୍ତାନ କବ୍ଜାରେ ରହିଯାଇଛି। ତାହା ହେଉଛି ପାକ୍ ଅଧିକୃତ କାଶ୍ମୀର। ସେଠା ଲୋକଙ୍କୁ ସ୍ୱାଧୀନତାର ଗଦ ଶୁଙ୍ଘାଇ ପାକିସ୍ତାନ ବସ୍ତୁତ ସେଠାରେ ଶାସନ କରୁଛି ଆଉ ଭାରତର କାଶ୍ମୀରକୁ ଛଡ଼ାଇ ନେବା ପାଇଁ ପାକିସ୍ତାନର କାଶ୍ମୀର ମୁସଲମାନଙ୍କୁ ଶୂଳି ମୁହଁକୁ ଠେଲି ଚାଲିଛି। ସେମାନଙ୍କୁ ଜନ୍ନତର ସ୍ୱପ୍ନ ଦେଖେଇ ଜିହାଦୀ ସଜଉଛି। ସେମାନେ ପାକ୍ ଅଧିକୃତ କାଶ୍ମୀରର ଭାରତର କାଶ୍ମୀରକୁ ଅନୁପ୍ରବେଶ କରି ପୁଲିସ ଓ ସେନା ହାତରେ ଧରା ପଡ଼ିଲେ ଭାରତରେ ମୁସଲମାନ ସୁରକ୍ଷିତ ନୁହନ୍ତି, ସେମାନଙ୍କର ମାନବାଧିକାର କ୍ଷୁଣ୍ଣ ହେଉଛି ବୋଲି ଅଭିଯୋଗ କରୁଛି।
ଅଥଚ ଚୀନର ଉଇଘୁର ମୁସଲମାନଙ୍କ ପ୍ରତି ଚୀନ ସରକାର ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ବି ପାକିସ୍ତାନ ସରକାର ଚୀନ ବିରୋଧରେ କୌଣସି ଅଭିଯୋଗ କରୁନାହାନ୍ତି। ଉଇଘୁର ମୁସଲମାନଙ୍କୁ ଚୀନ ସରକାର ଡିଟେନ୍ସନ ସେଣ୍ଟର ବା ଅଟକ କେନ୍ଦ୍ରରେ ରଖିଛନ୍ତି। ସେମାନଙ୍କ ଧାର୍ମିକ ଅଧିକାର ରଦ୍ଦ କରାଯାଇଛି। ସେମାନଙ୍କୁ ବିଧର୍ମୀ ହେବାକୁ ବା ଧର୍ମ ଛାଡ଼ିବାକୁ ଜୋରଜବରଦସ୍ତ ଶିକ୍ଷା ଦିଆଯାଉଛି। ଚୀନ ସରକାରଙ୍କ ବିରୋଧରେ ପ୍ରତିବାଦ କରୁଥିବା ଉଇଘୁର ମୁସଲମାନମାନଙ୍କୁ ଗୋପନରେ ନିପାତ କରାଯାଉଛି। ତା’ ବିରୋଧରେ ପାକିସ୍ତାନ ସଂପୂର୍ଣ୍ଣ ମୂକ। ଠିକ ସେହିପରି ପୂର୍ବର ବ୍ରହ୍ମଦେଶ ବା ବର୍ମା ବା ବର୍ତ୍ତମାନର ମ୍ୟାଁମାର୍ରେ ରୋହିଙ୍ଗ୍ୟା ମୁସଲମାନଙ୍କ ବିରୋଧରେ ସେ ଦେଶର ସରକାର ଅମାନବିକ ଅତ୍ୟାଚାର ଅଭିଯାନ ଚଳେଇଥିଲେ ମଧ୍ୟ ପାକିସ୍ତାନ ତାହାର ପ୍ରତିବାଦ କରେ ନାହିଁ। ଇରାକ୍, ଇରାନ୍, ଲିବ୍ୟା ଓ ସିରିଆ ଆଦି ଦେଶରେ ଆମେରିକା ସମର୍ଥନରେ ବିଦେଶୀ ସେନା ହଜାର ହଜାର ମୁସଲମାନଙ୍କୁ ହତ୍ୟା କଲେ ବି ପାକିସ୍ତାନ ଜାତିସଂଘରେ ଆମରିକାକୁ ହିଁ ସମର୍ଥନ କରେ। ଆଇଏସଆଇଏସରୁ ଆରମ୍ଭ କରି ଅଲ୍ କାଏଦା ପରି ଆତଙ୍କବାଦୀ ସଂଗଠନର ଆକ୍ରମଣରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସଂଖ୍ୟାଧିକ ମୁସଲିମ ନିହତ ହେଉଥିଲେ ମଧ୍ୟ ପାକିସ୍ତାନ ଆତଙ୍କବାଦ ବିରୋଧରେ ଯୁଦ୍ଧ କରିବ କ’ଣ ନିଜ ଦେଶରେ ବିନ୍ ଲାଦେନ ଓ ଦାଉଦ ଇବ୍ରାହିମ ପରି ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟ ଯୋଗାଇ ଦିଏ। ଏପରିକି ପାକିସ୍ତାନ ଭିତରେ ବେଲୁଚିସ୍ତାନ, ସିନ୍ଧୁ ପ୍ରଦେଶ ଓ ପାକ୍ ଅଧିକୃତ କାଶ୍ମୀରରେ ପାକ୍ ସେନା ସ୍ୱାଧୀନତା ସପକ୍ଷବାଦୀ ମୁସଲିମମାନଙ୍କୁ କଠୋର ନିର୍ଯାତନା ଦିଏ, ଜେଲ୍ରେ ପୂରାଏ କିମ୍ବା ଗୋପନରେ ହତ୍ୟା କରେ। ପାକିସ୍ତାନରେ ଅନେକ ମୁସଲମାନଙ୍କୁ ମୋହାଜିର ଓ ଅହମଦିଆ କହି ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ବ୍ୟବହାର କରାଯାଏ।
ଏହା କ’ଣ ପାକିସ୍ତାନର ମୁସଲମାନ-ପ୍ରୀତି? ଏହା କେବଳ ନିରୁତା ପ୍ରତାରଣା, କେବଳ ରାଜନୀତି ପାଇଁ। ଗତ ୭୩ ବର୍ଷ ଭିତରେ ପାକ୍ ସରକାର ଓ ପାକ୍ ସେନା ଭଲ ଭାବେ ବୁଝି ଯାଇଛନ୍ତି ଯେ ଭାରତର ମୁସଲମାନମାନେ ପାକିସ୍ତାନର ମୁସଲମାନଙ୍କ ତୁଳନାରେ ଅଧିକ ଆନନ୍ଦରେ ଅଛନ୍ତି, ଅଧିକ ସ୍ୱାଧୀନ ଓ ଅଧିକ ସୁରକ୍ଷିତ। ଏହା ସେମାନଙ୍କ ପାଇଁ ଯେତିକି ଈର୍ଷାର କାରଣ ସେତିକି ଆଶଙ୍କାର। ସେମାନଙ୍କର ଆଶଙ୍କା ଯେ କାଳେ ଭାରତୀୟ ମୁସଲମାନଙ୍କ ସମୃଦ୍ଧି ଓ ସ୍ୱାଧୀନତା ଦେଖି ପାକିସ୍ତାନର ମୁସଲମାନମାନେ ବିଦ୍ରୋହ କରିବେ ଓ ପୁଣି ଥରେ ଭାରତରେ ମିଶିବା ପାଇଁ ଆନ୍ଦୋଳନ କରିବେ! ଏଇ ଆଶଙ୍କା ଯୋଗୁଁ ପାକିସ୍ତାନର ଶାସନ ତନ୍ତ୍ର ଭାରତ ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ କାଶ୍ମୀର ପ୍ରସଙ୍ଗକୁ ଅସ୍ତ୍ର ଭାବେ ବ୍ୟବହାର କରିଚାଲିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।