ଆଇନର ଶାସନ, ସଂଖ୍ୟାର ଶାସନ ନୁହେଁ!

ଦେବେନ୍ଦ୍ର ପୃଷ୍ଟି

‘ଆମେ ସମସ୍ତେ ମନେ ରଖିବା ଉଚିତ ଯେ ଭାରତ ହେଉଛି ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଏବଂ ଆମ ସମ୍ବିଧାନ ଆମକୁ ଆଇନର ଶାସନ ଦେଇଛି ସଂଖ୍ୟାଗରିଷ୍ଠତାର ଶାସନ ନୁହେଁ।’

ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ ଏକ ରାୟରେ ଏହି ମତ ପ୍ରକାଶ କରିଛନ୍ତି। ଇଫ୍‌ତେକର ଶେଖ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ବିଚାର କରି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚର ବିଚାରପତି ଟି. ଭି. ନଲବଦେ ଏବଂ ଏମ. ଜି. ଶିବଲିକର ପ୍ରଦାନ କରିଥିବା ରାୟରେ ଏହି ମନ୍ତବ୍ୟ ଉଲ୍ଲେଖ କରାଯାଇଛି। ରାୟରେ ବିଚାରପତି ଦ୍ୱୟ କହିଛନ୍ତି ଯେ ଭାରତରେ ସରକାରଙ୍କୁ ବିରୋଧ କରିବାର ଅଧିକାର ସମସ୍ତଙ୍କର ଅଛି। ସରକାରଙ୍କୁ ବିରୋଧ କରିବାର ଅର୍ଥ ଦେଶଦ୍ରୋହ ନୁହେଁ। କେନ୍ଦ୍ର ସରକାରଙ୍କ ପ୍ରଣୀତ ନାଗରିକତା ସଂଶୋଧନ ଆଇନ ବା ସିଏଏ ବିରୋଧରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ଇଫତେକର ଶେଖଙ୍କୁ ପୁଲିସ ଓ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ ଅନୁମତି ଦେଇ ନଥିଲେ। ଏହା ବିରୋଧରେ ସେ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କ ଆବେଦନର ବିଚାର କରି ତାଙ୍କର ପ୍ରତିବାଦ କରିବାର ସମସ୍ତ ଅଧିକାର ରହିଛି ବୋଲି କହିଛନ୍ତି। ଖଣ୍ଡପୀଠର ସଦସ୍ୟ ବିଚାରପତିଙ୍କ ଭାଷାରେ ସରକାର ପ୍ରଣୟନ କରିଥିବା ଆଇନ ଯଦି ସେମାନଙ୍କ ବିରୋଧରେ ଯାଉଛି ବୋଲି ସେମାନେ ଅନୁଭବ କରୁଛନ୍ତି ତେବେ ତାହା ବିରୋଧରେ ପ୍ରତିବାଦ କରିବାର ଅଧିକାର ସେମାନଙ୍କର ରହିଛି। ଆଇନ ସଂପର୍କରେ ସେମାନଙ୍କ ଧାରଣାକୁ କୋର୍ଟ ପ୍ରଶ୍ନ କରିପାରିବେ ନାହିଁ।

ଅନ୍ୟତ୍ର ଠିକ ଏହିପରି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି ସୁପ୍ରିମ କୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ଗୁଜରାଟର ଅହମଦାବାଦରେ ଆୟୋଜିତ ଏକ ସଭାରେ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସମସ୍ତ ଭିନ୍ନମତକୁ ଦେଶ ବିରୋଧୀ ଓ ଗଣତନ୍ତ୍ର ବିରୋଧୀ ଭାବେ ଗ୍ରହଣ କରିବା ଆମର ସାମ୍ବିଧାନିକ ମୂଲ୍ୟବୋଧ ଓ ବିତର୍କ ଭିତ୍ତିକ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ଦେଇଥିବା ପ୍ରତିଶ୍ରୁତି ପ୍ରତି କୁଠାରଘାତ। ଜଷ୍ଟିସ୍ ପିଡି ଦେସାଇ ସ୍ମାରକୀ ବକ୍ତୃତା ସଭାରେ ଉଦବୋଧନ ଦେଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ହେଉଛି ବିକାଶ ଓ ସମାଜ ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଏକ ବୈଧାନିକ ପଦ୍ଧତି କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହି ସରକାର ଆମର ବିବିଧତାପୂର୍ଣ୍ଣ ସମାଜର ମୂଲ୍ୟବୋଧ ଓ ପରିଚୟ ଉପରେ ଏକଚାଟିଆ ଅଧିକାର ପାଇଛି।

ଭାରତବର୍ଷର ସାଂପ୍ରତିକ ପରିସ୍ଥିତିରେ ହାଇକୋର୍ଟ ଓ ସୁପ୍ରିମ କୋର୍ଟ ବିଚାରପତିମାନଙ୍କର ଏପରି ମତ ନିଶ୍ଚୟ ଭାରତର ସମସ୍ତ ନାଗରିକଙ୍କ ପାଇଁ ଏକ ଆଶ୍ୱାସନା। ଏହା ମଧ୍ୟ ଭାରତର ସରକାରଙ୍କୁ ଚିନ୍ତା କରିବା ପାଇଁ ଯଥେଷ୍ଟ ଖୋରାକ ଯୋଗାଇବ। ସେହିପରି ଜାତୀୟ ଓ ରାଜ୍ୟ ସ୍ତରୀୟ ସରକାର ପରିଚାଳନା କରୁଥିବା ଅଫିସରମାନେ ମଧ୍ୟ ବିଚାରପତିମାନଙ୍କର ଏପରି ମନ୍ତବ୍ୟକୁ ହେଜି ସେହି ଅନୁସାରେ ନିଷ୍ପତ୍ତି ନେବାକୁ ନୈତିକ ଓ ସାମ୍ବିଧାନିକ ସାହସ ଯୋଗାଇବ ବୋଲି ଆଶା କରାଯାଏ।

ଏହା ସତ ଯେ ଭାରତର ସାମ୍ବିଧାନିକ ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠ ଜନମତ ଭିତ୍ତିରେ ସରକାର ଗଠିତ ହୁଏ। ଯେଉଁ ଦଳ ବା ମେଣ୍ଟ ସଂସଦ ବା ବିଧାନସଭାରେ ଅଧିକ ଆସନ ଲାଭ କରେ ସେହି ଦଳ ବା ମେଣ୍ଟ ସରକାର ଗଠନ କରିଥାଏ। ସଂସଦ ଓ ବିଧାନସଭାରେ ମଧ୍ୟ ସଂଖ୍ୟାଗରିଷ୍ଠ ମତ ଆଧାରରେ ଆଇନ ପ୍ରଣୀତ ହୋଇଥାଏ ବା ଆଇନରେ ସଂଶୋଧନ ହୋଇଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ସଂଖ୍ୟାମତ ଭିତ୍ତିରେ ଗଢ଼ା ଯାଇଥିବା ସରକାର ବା ଏପରି ସରକାରଙ୍କର ସମସ୍ତ ନିଷ୍ପତ୍ତିକୁ ଦେଶର ସମସ୍ତ ନାଗରିକ ମାନିବା ପାଇଁ ବାଧ୍ୟ। ସମ୍ବିଧାନ ସେଥିପାଇଁ ନାଗରିକମାନଙ୍କୁ ବାଧ୍ୟ କରିନାହିଁ। ବରଂ ଭାରତୀୟ ସମ୍ବିଧାନରେ ଭିନ୍ନମତ ପୋଷଣକୁ ମୌଳିକ ଅଧିକାରର ମାନ୍ୟତା ମିଳିଛି। ସଂସଦ ଓ ବିଧାନସଭାରେ ଯେପରି ସରକାରଙ୍କ ବିରୋଧରେ ମତ ପ୍ରକାଶ କରିବାର ଅଧିକାର ବିପକ୍ଷ ସଦସ୍ୟମାନଙ୍କର ରହିଛି ଠିକ ସେହିପରି ନାଗରିକମାନେ ମଧ୍ୟ ସରକାରଙ୍କୁ ବିରୋଧ କରିବାର ଅଧିକାର ପ୍ରାପ୍ତ ହୋଇଛନ୍ତି। ଭିନ୍ନମତ ହିଁ ଗଣତନ୍ତ୍ରର ସୁରକ୍ଷା କପାଟ। ଭିନ୍ନମତକୁ ଦମନ କରିବା ବା ଭିନ୍ନମତ ପ୍ରକାଶ ପାଇଁ ସୁଯୋଗ ନଦେବା ଗଣତନ୍ତ୍ର ନୁହେଁ, ଏକଛତ୍ରବାଦ। ଭାରତ ସରକାର ହୁଅନ୍ତୁ ବା ଭାରତର କୌଣସି ରାଜ୍ୟ ସରକାର ସେପରି ଆଚରଣ କରିବା ଉଭୟ ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ।

ସଂପ୍ରତି ସିଏଏ, ଏନଆରସି ଓ ଏନପିଆର ନେଇ ସମଗ୍ର ଦେଶରେ କେତେକ ଜନଗୋଷ୍ଠୀ ତରଫରୁ ସରକାର ବିରୋଧୀ ପ୍ରତିକ୍ରିୟା ପ୍ରକାଶ ପାଉଛି। କେତେକ ସ୍ଥାନରେ ଲୋକେ ସରକାରଙ୍କର ଏପରି ନିଷ୍ପତ୍ତି ଓ ଉଦ୍ଦେଶ୍ୟ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଛନ୍ତି ତ କେଉଁଠି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସି ରହିଛନ୍ତି। ସେମାନଙ୍କର ଏପରି ପ୍ରତିବାଦ ବା ବିରୋଧକୁ ଅନ୍ୟ କେତେକ ଗୋଷ୍ଠୀ ଦେଶଦ୍ରୋହ ଓ ଆତଙ୍କବାଦ ଭାବେ ବର୍ଣ୍ଣନା କରୁଛନ୍ତି। କୌଣସି ନିରପକ୍ଷେ ଓ ସ୍ୱାଧୀନ ନାଗରିକ ସେପରି ମତ ଦେବାରେ ବାଧା ନାହିଁ। କିନ୍ତୁ ସରକାର ସହିତ ଜଡ଼ିତ କୌଣସି ଦଳ ବା ପକ୍ଷର ସକ୍ରିୟ ସଦସ୍ୟ ବା ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତିମାନେ ଏଭଳି ମତ ପ୍ରକାଶ କରିବା ନିଶ୍ଚୟ ସମ୍ବିଧାନ ଓ ଗଣତନ୍ତ୍ରର ମୂଲ୍ୟବୋଧ ବିରୋଧୀ। ଠିକ ସେହିପରି କେନ୍ଦ୍ରରେ ଶାସନ କ୍ଷମତାରେ ରହିଥିବା ଦଳର କୌଣସି ନେତା ବା କେନ୍ଦ୍ର ସରକାରଙ୍କର କୌଣସି ମନ୍ତ୍ରୀ ଯଦି ରାଜ୍ୟରେ କୌଣସି ସଭା ଆୟୋଜନ କରିବାକୁ ଚାହାନ୍ତି ଏବଂ ସେହି ରାଜ୍ୟରେ କେନ୍ଦ୍ରୀୟ ଶାସକ ଦଳର ବିରୋଧୀ ଶାସନରେ ଥାଆନ୍ତି ତେବେ ଅନେକ ସମୟରେ ସେଥିପାଇଁ ଅନୁମତି ଦିଆଯାଉ ନାହିଁ। ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ଏମିତି କେତେ ଥର ହେବାର ନଜୀର ରହିଛି। ଏହା ମଧ୍ୟ ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ।

ଭାରତର ସାମ୍ବିଧାନିକ ଗଣତନ୍ତ୍ର ଆଇନର ଶାସନ ଉପରେ ଜୋର୍‌ ଦିଏ, ସଂଖ୍ୟାର ଶାସନ ଉପରେ ନୁହେଁ। ସଂଖ୍ୟାମତରେ ସରକାର ଗଢ଼ା ଯାଇପାରେ, ଆଇନ ପ୍ରଣୟନ ହୋଇପାରେ, ବିକାଶ ଯୋଜନା ଗ୍ରହଣ କରାଯାଇ ପାରେ। କିନ୍ତୁ ସଂଖ୍ୟାମତରେ ସମ୍ବିଧାନର ମୌଳିକ ଚରିତ୍ରକୁ ବଦଳାଯାଇ ପାରିବ ନାହିଁ। ସଂଖ୍ୟାମତରେ ଭିନ୍ନମତକୁ ଦମନ କରାଯାଇ ପାରିବ ନାହିଁ। ବିବିଧ ପ୍ରକାର ମତ ବା ମତଭେଦ ହେଉଛି ଗଣତନ୍ତ୍ରର ଆଧାର। ଶାସନ କ୍ଷମତାରେ ଥିବା ଦଳଗୁଡ଼ିକ ଏହା ବୁଝିବା ଦରକାର। ଶାସକ ଦଳର ନେତା ଓ ସରକାରୀ ପଦପଦବୀରେ ଥିବା ନେତା ଓ ବାବୁମାନେ ବୁଝିବା ଦରକାର ଯେ ସଂଖ୍ୟାଗରିଷ୍ଠ ଶାସନ ଦିନେ ଏ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲା। ଲୋକେ ସେହି ଶାସନକୁ ହଟେଇଥିଲେ। ସଂଖ୍ୟାମତର ଶାସନ ଯେତେବେଳେ ଏକଛତ୍ରବାଦୀ ବା ସ୍ୱୈରାଚାରୀ ଶାସନରେ ପରିଣତ ହୁଏ ସେତେବେଳେ ସେହି ଶାସନକୁ ଭିନ୍ନମତାବଲମ୍ବୀମାନେ ବିରୋଧ କରିବା ସ୍ୱାଭାବିକ। ଅବଶ୍ୟ ବିରୋଧ ଶାନ୍ତିପୂର୍ଣ୍ଣ ହେବା ଦରକାର। ଗୌତମ ବୁଦ୍ଧ ଓ ମହାତ୍ମା ଗାନ୍ଧୀଙ୍କ ଜରିଆରେ ଭାରତବର୍ଷ ସମଗ୍ର ବିଶ୍ୱକୁ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଛି। ଏବେ ବି ଭାରତବର୍ଷର ଅଧିକାଂଶ ଲୋକ ଶାନ୍ତି ଓ ଅହିଂସାରେ ବିଶ୍ୱାସ କରନ୍ତି। ଯେଉଁମାନେ ହିଂସାରେ ବିଶ୍ୱାସ କରନ୍ତି ଓ ହିଂସ୍ର ଆଚରଣ ପ୍ରଦର୍ଶନ କରନ୍ତି କିମ୍ବା ହିଂସାକାଣ୍ଡ ଭିଆଇବା ପାଇଁ ଉସ୍‌କାନ୍ତି ବା ଉତ୍ତେଜନା ସୃଷ୍ଟି କରନ୍ତି ସେମାନେ ହିଁ ପ୍ରକୃତ ଦେଶଦ୍ରୋହୀ। ସେମାନଙ୍କ ବିରୋଧରେ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ସରକାରମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। କାରଣ ତାହା ଆମର ସଭ୍ୟତା ଓ ସମ୍ବିଧାନ ବିରୋଧୀ।

ସଂଖ୍ୟାଗରିଷ୍ଠ ଶାସନର ଅର୍ଥ ହେଉଛି ଭିଡ଼ତନ୍ତ୍ର। ଅଧିକ ଲୋକେ ଯାହା କହିବେ ତାହା ଯଦି ଆଇନ ହୁଏ ତେବେ ଅନେକ ସମୟରେ ଅଦାଲତର ଆବଶ୍ୟକତା ପଡ଼ିବ ନାହିଁ। ଲୋକେ ଇନ୍‌ଷ୍ଟାଣ୍ଟ ନୁଡ୍‌ଲ ପରି ଇନ୍‌ଷ୍ଟାଣ୍ଟ ଜଷ୍ଟିସ ଦେବେ, କାହାକୁ ବିନା ବିଚାରରେ ହତ୍ୟା କରି, କାହାକୁ ଲେଙ୍ଗଡ଼ା କରି ବା କାହାକୁ ପଥର ମାରି। ପୁଣି ଆଜି ଯାହା ସଂଖ୍ୟାଗରିଷ୍ଠ ମତ କାଲିକୁ ତାହା ସଂଖ୍ୟାଲଘୁ ମତରେ ପରିଣତ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଅଛି। ସାଧାରଣ ଲୋକଙ୍କ ମାନସିକତା ଶିକ୍ଷାଦୀକ୍ଷା ଅନୁସାରେ ବଦଳିଯାଏ। ଆଜି ଲୋକେ ଯାହାକୁ ଭଲ ବୋଲି କହୁଛନ୍ତି କାଲି ତାହାକୁ ଭେଲ ଭାବେ ଗ୍ରହଣ କରିପାରନ୍ତି। ସେପରି ହେଲେ ସରକାର ବଦଳିବା ସହିତ ଆଇନ ସବୁ ବଦଳିବ ଓ ଆଇନର ଶାସନ କାର୍ଯ୍ୟକାରୀ କରିବା କିମ୍ବା ନ୍ୟାୟ ପ୍ରଦାନ କରିବାରେ ନାନାଦି ବିଭ୍ରାଟ ଦେଖାଦେବ। ଏହାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାରମାନେ ପ୍ରଣୟନ କରିଥିବା ସମ୍ବିଧାନରେ ଆଇନର ଶାସନ ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ଜରୁରୀକାଳୀନ ପରିସ୍ଥିତି ପରେ ସୁପ୍ରିମ କୋର୍ଟ ଏହି ସମ୍ବିଧାନର ମୌଳିକ ଚରିତ୍ର ବଦଳିପାରିବ ନାହିଁ ବୋଲି ଶେଷ ଓ ଚୂଡ଼ାନ୍ତ ନିଷ୍ପତ୍ତି ଧାର୍ଯ୍ୟ କରିଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ସଂସଦ ବା ବିଧାନସଭାରେ ସଂଖ୍ୟାଗରିଷ୍ଠ ମତରେ ପ୍ରଣୀତ ଆଇନକୁ ବି କୋର୍ଟ ଅବୈଧ ଓ ଅସାମ୍ବିଧାନିକ ଘୋଷଣା କରିପାରିବେ ଯଦି ତାହା ସମ୍ବିଧାନର ମୌଳିକ ଚରିତ୍ର ଉଲ୍ଲଙ୍ଘନ କରୁଥାଏ। ସଂଖ୍ୟାଗରିଷ୍ଠ ଏକଛତ୍ରବାଦ ବିରୋଧରେ ଏହା ଏକ ସାମ୍ବିଧାନିକ ପ୍ରତିବନ୍ଧକ। ଭାରତୀୟ ଗଣତନ୍ତ୍ରର ସବୁ ପକ୍ଷ ଓ ଅଂଶୀଦାର ଏହା ବୁଝିବା ଉଚିତ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।