ଦେବେନ୍ଦ୍ର ପୃଷ୍ଟି
ମାତୃଭାଷା ମାତୃଭୂମିର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ?
ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ତେବେ ନିଜ ମାତୃଭାଷା।
ଓଡ଼ିଶାର କବି ଏକଥା ଲେଖିଲାବେଳେ ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିରେ ବିପଦର ସମ୍ମୁଖୀନ ହୋଇଥିଲା। ତେଣୁ ସେତେବେଳେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କବି, ଭାବୁକ, ଲେଖକ, ସାହିତ୍ୟିକଙ୍କଠାରୁ ଆରମ୍ଭ କରି ସାମାଜିକ ଓ ରାଜନୀତିକ କର୍ମୀମାନେ ନିଜ ଜାତୀୟ ପରିଚୟ ସୁଦୃଢ଼ କରିବାକୁ କେତେ କ’ଣ ଆନ୍ଦ୍ଳନ କରିଥିଲେ। କେତେ କ’ଣ ସାହିତ୍ୟ ରଚନା କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓଡ଼ିଆ ପିଲାଙ୍କୁ ମୂଳରୁ ପରିଚିତ କରାଇବା ପାଇଁ କେତେ ପାଠ୍ୟ ପୁସ୍ତକ ପ୍ରଣୟନ କରିଥିଲେ। ’ଉଡ଼ିଆ ଏକଟା ଭାଷା ନୟ’ ବୋଲି ଜଣେ ବଙ୍ଗୀୟ ବୁଦ୍ଧିଜୀବୀ କହିଦେବାରୁ ତାହାର ତୀବ୍ର ପ୍ରତିବାଦ କରିଥିଲା ଏ ଜାତି। ତାଙ୍କୁ ଜବାବ ଦେବାକୁ ଯାଇଁ ଆରମ୍ଭ ହୋଇଥିଲା ଓଡ଼ିଆ ଜାତୀୟ ପରିଚୟ ପାଇଁ ଆନ୍ଦୋଳନ। ତାହା ପରେ ଉତ୍ତଳ ସମ୍ମିଳନୀର ରୂପ ନେଲା ଓ ସେଇ ସମ୍ମିଳନୀର ଦାବି ଯୋଗୁଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଗଠିତ ହେଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ।
ଇତିମଧ୍ୟରେ ବିତି ଗଲାଣି ପ୍ରାୟ ୭୪ ବର୍ଷ। ଓଡ଼ିଆ ଏବେ ପୁଣି ଥରେ ସଂକଟରେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବେ ଦ୍ରୁତ ଅବକ୍ଷୟମାନ। ୧୯୩୬ରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ପ୍ରାୟ ୧୮ ବର୍ଷ ପରେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଥିଲାବେଳେ ୧୯୫୪ ମସିହାରେ ପ୍ରଣୀତ ହେଲା ଭାଷା ଆଇନ। ଓଡ଼ିଆରେ ଓଡ଼ିଶା ଶାସନ ଚଳେଇବା ପାଇଁ ଏହି ଆଇନ ପ୍ରଣୀତ ହୋଇଥିଲା। କିନ୍ତୁ ବିଜୁ ପଟ୍ଟନାୟକଙ୍କ ପ୍ରଥମ ଦଫା ମୁଖ୍ୟମନ୍ତ୍ରିତ୍ୱ ଓ ତାହାର ପ୍ରାୟ ଚାରି ଦଶନ୍ଧି ପରେ ତସ୍ୟ ପୁତ୍ର ନବୀନ ପଟ୍ଟନାୟକଙ୍କ କ୍ରମାଗତ ପାଞ୍ଚ ଥର ମୁଖ୍ୟମନ୍ତ୍ରିତ୍ୱ କାଳରେ ପ୍ରାଶାସନିକ ଷଡ଼ଯନ୍ତ୍ରର ଶିକାର ହୋଇ ‘ଓଡ଼ିଆ’ ଏବେ ‘ଇଂରାଜୀ’ ହେବାକୁ ବସିଛି। ବିଜୁବାବୁଙ୍କ ପ୍ରଥମ ଦଫା ଶାସନ କାଳରେ ଓଡ଼ିଆ ସହ ଇଂରାଜୀ ଭାଷାରେ ଶାସନ ଚାଲିବ ବୋଲି ନିୟମ ପ୍ରଣୀତ ହେଲା ଏବଂ ତାହା ବଳବତ୍ତର ରହିଲା। ବାବୁ ଓ ବାବୁମାନଙ୍କ ପ୍ରଭାବରେ ନେତାମାନେ ଓଡ଼ିଆ ପରିବର୍ତ୍ତେ ଇଂରାଜୀରେ ସରକାର ଚଳେଇଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ସଡ଼ିଆରେ ଶାସନ ପରିଚାଳନା ପାଇଁ କିଛିଟା ଉଦ୍ୟମ ହୋଇଥିଲା। କିନ୍ତୁ ଅଣଓଡ଼ିଆ ବାବୁମାନଙ୍କ ଯୋଗୁଁ ତାହା ସଂପୂର୍ଣ୍ଣ ସଫଳ ହୋଇନଥିଲା। ଅବଶ୍ୟ ଜାନକୀବାବୁ ନିଜେ ଓଡ଼ିଆରେ ନଥି କାମ କରୁଥିଲେ। ନବୀନବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ଓଡ଼ିଶା ଶାସନରେ କେବଳ ଇଂରାଜୀର ଆଧିପତ୍ୟ ରହିଲା।
ଏହି ବିଦେଶୀ ସଂସ୍କାର ବିରୋଧରେ ଅନେକ ଓଡ଼ିଆ ପ୍ରାଣ ନେତା, ଓକିଲ, ସାମ୍ବାଦିକ ଓ ସାମାଜିକ କର୍ମୀ ଆନ୍ଦୋଳନ ଚଳେଇଲେ। ତାହା ଲୋକପ୍ରିୟ ହେବାର ଦେଖି ନବୀନ ପ୍ରଶାସନ ଓଡ଼ିଆ ଭାଷାରେ ଓଡ଼ିଆ ଶାସନ ଚାଲିବ ବୋଲି ପ୍ରତିଶ୍ରୁତି ଦେଲେ, ନିୟମ ପରିବର୍ତ୍ତନ କରିବାକୁ କହିଲେ। କିନ୍ତୁ ଏବେ ବି ଏହି ପ୍ରତିଶ୍ରୁତି ଅପୂରଣୀୟ ରହିଛି। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବହୁ ମନ୍ତ୍ରୀଙ୍କ ବିଭାଗର କାର୍ଯ୍ୟ ଓଡ଼ିଆ ଭାଷାରେ ଚାଲୁ ନାହିଁ। ନବୀନ ସରକାର ଯେଉଁ ନିୟମ ପ୍ରଣୟନ କରିଛନ୍ତି ତାହା ବି ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନାହିଁ। ଏଯାଏଁ ଓଡ଼ିଆ ବ୍ୟବହାର ନକରୁଥିବା କୌଣସି ଅଫିସର ଦଣ୍ଡିତ ହୋଇନାହାନ୍ତି। ଅଧିକନ୍ତୁ ଏବେ ନବୀନ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ଶ୍ରେଣୀରୁ ଓଡ଼ିଆ ପିଲାମାନଙ୍କୁ ସ୍ପୋକନ୍ ଇଂଲିଶ ପଢ଼ାଯିବ। ଅର୍ଥାତ ଓଡ଼ିଆ ପିଲାମାନେ କିପରି ମୂଳରୁ ଇଂରାଜୀ ଭାଷାରେ କଥାବାର୍ତ୍ତା ହେବେ ସରକାର ତା’ ଉପରେ ଜୋର୍ ଦେବେ। ଯେଉଁ ଓଡ଼ିଆ ପିଲା ଯେଉଁ ସରକାରୀ ସ୍କୁଲରେ କେବଳ ଓଡ଼ିଆ ଭାଷା ପଢ଼ୁଥିଲେ ବି ଭଲ ଫଳ ପାଉନାହିଁ, ଅନେକ ସମୟରେ ଫେଲ୍ ହେଉଛି ବା ଭାଷା, ସାହିତ୍ୟ ଓ ସଂସ୍କୃତିରେ ଉତ୍କର୍ଷତା ହାସଲ କରିପାରୁ ନାହିଁ- କାରଣ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଅନେକ ଅଭାବ ଓ ତ୍ରୁଟିକୁ ଅସମାଧିତ ଛାଡ଼ି ଦିଆଯାଇଛି- ସେହି ପିଲା ସେହି ବ୍ୟବସ୍ଥାରେ ଦୁଇଟି ଭାଷା ଶିକ୍ଷା କରିବାରେ ସଫଳ ହେବ ନା ବିଫଳ ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ପିଲାଟି ପ୍ରଥମ ଶ୍ରେଣୀରୁ ଦୁଇଟି ଭାଷା ଶିକ୍ଷା କରିବାର ସାମର୍ଥ୍ୟ ରଖିଛି କି ନାହିଁ, ଏହା ତା’ ପାଇଁ ଶିକ୍ଷା-ବୋଝରେ ପରିଣତ ହେବ କି ନାହିଁ, ଏପରି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ସଂପୃକ୍ତ ପିଲାର ପରିବାରରେ କି ପ୍ରକାର ସମସ୍ୟା ଓ ଅସୁବିଧା ସୃଷ୍ଟି ହେବ, ଏହା ଦୀର୍ଘକାଳୀନ ଭିତ୍ତିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ କି ପ୍ରଭାବ ପକାଇବ, ଏସବୁ ବିଷୟରେ ଅନୁଧ୍ୟାନ ନକରି ଚିରାଚରିତ ହୁଡ଼ୁମୁସିଆ ଢଙ୍ଗରେ ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏପରି ନିଷ୍ପତ୍ତି ନେବା ପୂର୍ବରୁ ଓଡ଼ିଆ ଶିକ୍ଷାବିତ୍, ସାହିତ୍ୟିକ, ସଂସ୍କୃତି ବିଶେଷଜ୍ଞ ଓ ସାମାଜିକ କର୍ମୀମାନଙ୍କ ସହିତ କୌଣସି ପ୍ରକାର ମତ ବିନିମୟ ହୋଇନାହିଁ। ଏ ସଂପର୍କରେ ମଧ୍ୟ ରାଜ୍ୟରେ ଜନମତ ସଂଗ୍ରହ କରାଯାଇନାହିଁ। କେବଳ ବାବୁମାନଙ୍କ ପରାମର୍ଶରେ ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସଦା ବିନମ୍ର ଓ ପ୍ରତିବାଦ ରହିତ ଓଡ଼ିଆ ଜାତି ସରକାରଙ୍କର ଏହି ନିଷ୍ପତ୍ତି ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିବ ନାହିଁ, ଏହାକୁ ମାନି ନେବ। କିନ୍ତୁ ସରକାରଙ୍କର ଏହି ନିଷ୍ପତ୍ତି ଓଡ଼ିଆ ଜାତିର ସାମୂହିକ କଲ୍ୟାଣ କରିବ ନା ଅକଲ୍ୟାଣ? ଏ ପ୍ରଶ୍ନ ଉପରେ ଓଡ଼ିଆ-ପ୍ରାଣ ଲୋକମାନେ ଅଧିକ ଚିନ୍ତା ଓ ଚର୍ଚ୍ଚା କରିବା ଆବଶ୍ୟକ।
ବ୍ରିଟିଶ ଉପନିବେଶବାଦ ଓ ସାମ୍ରାଜ୍ୟବାଦର ସଫଳତା ଯୋଗୁଁ ଇଂରାଜୀ ଆଜି ବିଶ୍ୱର ଏକ ନମ୍ବର ଅନ୍ତର୍ଜାତୀୟ ଭାଷାର ମାନ୍ୟତା ଲାଭ କରିଛି। ଏ ଭାଷା ଶିକ୍ଷା ନକଲେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ନିଯୁକ୍ତି ବଜାରରେ ପ୍ରତିଯୋଗୀ ସଂପନ୍ନ ହେବା ଦୁରୂହ ବ୍ୟାପାର। ତେଣୁ ଯେଉଁମାନେ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟ ବା ଅନ୍ୟ ଦେଶରେ ଉଚ୍ଚ ବେତନର ଚାକିରି କରିବାକୁ ଚାହୁଁଛନ୍ତି, ବିଶ୍ୱ ସ୍ତରୀୟ ଶିକ୍ଷା ଓ ତାଲିମ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ସେଥିପାଇଁ ଆର୍ଥିକ ଦୃଷ୍ଟିରୁ ସମର୍ଥ, ସେମାନେ ଇଂରାଜୀ ଭାଷା ଶିକ୍ଷା କରିବାରେ କୌଣସି ଅସୁବିଧା ନାହିଁ। ସେମାନେ ବିଦ୍ୟାର୍ଥୀ ଜୀବନର ଯେକୌଣସି ସ୍ତରରେ ତାହା ଶିକ୍ଷା କରିପାରିବେ। ଚୀନ, ରୁଷିଆ, ଫ୍ରାନ୍ସ, ଜର୍ମାନୀ, କୋରିଆ ଜାପାନ ଆଦି ପ୍ରଯୁକ୍ତି ଓ ଶିଳ୍ପ କ୍ଷେତ୍ରରେ ବିକାଶଲାଭ କରିଥିବା ପୃଥିବୀର ବହୁ ଦେଶ ପ୍ରାଥମିକ ସ୍ତରରେ ଇଂରାଜୀ ଭାଷା ଶିକ୍ଷା ନକରି ବି ପ୍ରଗତିର ଅନେକେ ପାହାଚ ଚଢ଼ି ସାରିଛନ୍ତି। ଅଧିକନ୍ତୁ ବ୍ରିଟିଶ ଉପନିବେଶବାଦରୁ ମୁକ୍ତ ହୋଇଥିବା ଯେଉଁ ସବୁ ଦେଶ ଇଂରାଜୀକୁ ଆପଣାର କରିଛନ୍ତି ସେସବୁ ଦେଶ ଏବେ ବି ଅନେକ ପଛରେ। ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଆମେରିକା, କାନାଡ଼ା ଆଦି ଅଳ୍ପ କେତେକ ଦେଶ ଇଂରାଜୀ ଭାଷାରେ ଆଗକୁ ବଢ଼ିଛନ୍ତି। ତାହାର କାରଣ ହେଉଛି, ଏହିସବୁ ଦେଶର ସଂଖ୍ୟାଧିକ ନାଗରିକ ହେଲେ ବ୍ରିଟିଶ ମୂଳୋଦ୍ଭବ। ଇଂରାଜୀ ସେମାନଙ୍କର ମାତୃଭାଷା ଥିଲା ଓ ରହିଛି। କିନ୍ତୁ ଏସିଆ ଓ ଆଫ୍ରିକା ମହାଦେଶର ଅନେକ ପୂର୍ବତନ ବ୍ରିଟିଶ ଉପନିବେଶ ଏବେ ବି ବିକାଶ ଓ ସମୃଦ୍ଧିର ଗଣଦୌଡ଼ରେ ଅନେକ ପଛରେ। ତାହାର କାରଣ ହେଲା ମାତୃଭାଷାର ହତାଦର।
ପୃଥିବୀର ବହୁ ଶିକ୍ଷାବିତ୍ ଓ ବୈଜ୍ଞାନିକ ବହୁବାର ମତ ଦେଇସାରିଛନ୍ତି ଯେ ମାତୃଭାଷାରେ ଶିକ୍ଷା ଶିଶୁର ବୌଦ୍ଧିକ ବିକାଶରେ ଅଧିକ ସହାୟକ ହୋଇଥାଏ। ଭାରତରେ ବ୍ରିଟିଶ ଶାସନ ଅବ୍ୟାହତ ରଖିବାକୁ କିରାଣୀ ସୃଷ୍ଟି କରିବାକୁ ଚାହିଁଥିବା ମ୍ୟାକଲେଙ୍କ ପରି ମୁଷ୍ଟିମେୟ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଖୁବ କମ୍ ଲୋକଙ୍କୁ ଛାଡ଼ିଦେଲେ ବ୍ରିଟେନର ବହୁ ବୁଦ୍ଧିଜୀବୀ ବି ମାତୃଭାଷାରେ ଶିକ୍ଷା ସପକ୍ଷରେ ମତ ଦେଇଛନ୍ତି। ଏବେ ବି ମିଳିତ ଜାତିସଂଘର ଶିଶୁ ପାଣ୍ଠି ବା ୟୁନିସେଫ ମାତୃଭାଷାରେ ଶିକ୍ଷା ସପକ୍ଷରେ ବିଶ୍ୱବ୍ୟାପୀ ଅଭିଯାନ ଚଳେଇଛି। ଏପରି ସ୍ଥଳେ ଓଡ଼ିଆ ପିଲାମାନଙ୍କୁ ମୂଳରୁ ଇଂରାଜୀ ଭାଷା ଶିକ୍ଷା ଦିଆଯିବା କେତେଦୂର ଯଥାର୍ଥ? ସରକାରୀ ବିଦ୍ୟାଳୟରେ ଏବେ ବି ଓଡ଼ିଆ ପିଲାମାନେ ଚତୁର୍ଥ ଶ୍ରେଣୀରୁ ଇଂରାଜୀ ପଢ଼ୁଛନ୍ତି। ଚତୁର୍ଥରୁ ସ୍ନାତକ ଯାଏଁ ଇଂରାଜୀ ପଢ଼ି ଯେଉଁ ପିଲାମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ଚାକିରି ପାଇଁ ଯୋଗ୍ୟତା ହାସଲ କରିପାରୁ ନାହାନ୍ତି ସେମାନେ ଆଗରୁ ଆଉ ତିନି ବର୍ଷ ଇଂରାଜୀରେ କଥା ହେଲେ କ’ଣ ଅଧିକ ହାସଲ କରିବେ? ବରଂ ଏହାର ପ୍ରଭାବରେ ପିଲାଟିର ଉଭୟ ଇଂରାଜୀ ଓ ଓଡ଼ିଆ ଜ୍ଞାନ ଦୁର୍ବଳ ହୋଇଯିବାର ଆଶଙ୍କା ରହିଛି। କାରଣ ଇଂରାଜୀ ପଢ଼େଇବା ପାଇଁ ବା ଇଂରାଜୀରେ ପିଲାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସରକାରୀ ବ୍ୟବସ୍ଥାରେ ପ୍ରାଥମିକ ସ୍ତରରେ ଶିକ୍ଷକଙ୍କର ଘୋର ଅଭାବ ରହିଛି। ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶିକ୍ଷକତା କରୁଥିବା କେତେ ଲୋକ ନିର୍ଭୁଲ ଉଚ୍ଚାରଣରେ ଇଂରାଜୀ କହିପାରିବେ? କେତେ ପ୍ରାଥମିକ ଶିକ୍ଷକ ଇଂରାଜୀ ଭାଷାର ବିଭିନ୍ନ ଶବ୍ଦର ନିର୍ଭୁଲ ବନାନ କରିପାରିବେ? ନିର୍ଭୁଲ ଇଂରାଜୀ କହିବା ଓ ପଢ଼େଇବା ପାଇଁ ଯେତେ ଇଂରାଜୀ ଶିକ୍ଷକ ଦରକାର ହେବେ ସେଥିପାଇଁ ସରକାରଙ୍କୁ ପୁଣି ଏକ ଇଂରାଜୀ ଭାଷା ତାଲିମ କେନ୍ଦ୍ର ଖୋଲିବାକୁ ପଡ଼ିପାରେ।
ଇଂରାଜୀ ଭାଷାରେ କଥାବାର୍ତ୍ତା ଓ ଇଂରାଜୀ ଭାଷା ଶିକ୍ଷା ମୂଳତଃ ଏକ ସମସ୍ୟା ନୁହେଁ। ସମସ୍ୟା ହେଉଛି ଇଂରାଜୀ ଭାଷା ଶିକ୍ଷା ଜରିଆରେ ଇଂରାଜୀ ସଂସ୍କୃତିର ପ୍ରସାରଣ। ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କୁ ଯେଉଁ ରାଇମ୍, ଲୋରି ବା ନାନାବାୟା ଗୀତ ପଢ଼ାଯାଉଛି ତାହା ଓଡ଼ିଆ ସଂସ୍କୃତି ଉପରେ ଆଧାରିତ ନୁହେଁ। ଇଂରାଜୀ ଭାଷା ଶିକ୍ଷା ମାଧ୍ୟରେ ଇଂରାଜୀ ଖାଦ୍ୟ, ପୋଷାକ, ବ୍ୟବହାର, ଚଳଣି ଆଦି ଓଡ଼ିଆ ସଂସ୍କୃତିକୁ ପ୍ରଦୂଷିତ କରିଚାଲିଛି। ଏହା ଏକ ସାଂସ୍କୃତିକ ପ୍ରଦୂଷଣରେ ପରିଣତ ହୋଇଛି। ଏହାର ସମାଧାନ ପନ୍ଥା ବାହାର ନକରି ସରକାର ଏଭଳି ସାଂସ୍କୃତିକ ପ୍ରଦୂଷଣକୁ ଅଧିକ ଉତ୍କଟ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଆଦୌ ସ୍ୱାଗତଯୋଗ୍ୟ ନୁହେଁ। ସରକାର ଯଦି ଓଡ଼ିଆ ପିଲାମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକ ଦକ୍ଷ ଓ ପ୍ରତିଯୋଗୀ ସଂପନ୍ନ କରିବାକୁ ଚାହାନ୍ତି ତେବେ ଚତୁର୍ଥ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ଇଂରାଜୀ ପଢ଼ାଇବା ପାଇଁ ପ୍ରତି ସ୍କୁଲରେ ଅଧିକ ଦକ୍ଷ ଇଂରାଜୀ ଶିକ୍ଷକ ନିଯୁକ୍ତ କରନ୍ତୁ। ନବମ ଓ ଦଶମ ଶ୍ରେଣୀର ଓଡ଼ିଆ ପିଲାଙ୍କ ପାଇଁ ମାଗଣା ସ୍ପୋକନ୍ ଇଂଲିଶ କୋଚିଂ ବ୍ୟବସ୍ଥା କରନ୍ତୁ। ଏପରିକି ସ୍ନାତକ ପରେ ମଧ୍ୟ ପିଲାମାନଙ୍କୁ ସରକାରୀ ଖର୍ଚ୍ଚରେ ସ୍ପୋକନ୍ ଇଂଲିଶ ଶିକ୍ଷା ଓ ତାଲିମ ଦିଆଯାଉ। ସେଥିରେ କାହାରି ଆପତ୍ତି ରହିବ ନାହିଁ। ମାତ୍ର, ଭଲ କରି ମାତୃଭାଷା କ’ଣ ଜାଣି ନଥିବା ପିଲାକୁ ପ୍ରଥମ ଶ୍ରେଣୀରୁ ସ୍ପୋକନ୍ ଇଂଲିଶ ଶିକ୍ଷା ଦିଆଯିବା କୌଣସି ଦୃଷ୍ଟିରୁ ଶିଶୁ ଓ ଓଡ଼ିଆ ସଂସ୍କୃତିର ଭବିଷ୍ୟତ ପାଇଁ ମଙ୍ଗଳକର ନୁହେଁ। ସରକାରଙ୍କର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ଚଳେଇବାର ଆଉ କୌଣସି ଆବଶ୍ୟକତା ରହିବ ନାହିଁ। କାରଣ ଓଡ଼ିଶା ଇଂଲିଶସ୍ଥାନରେ ପରିଣତ ହୋଇସାରିଥିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।