ଆଜି ଏପ୍ରିଲ ୨୧ ତାରିଖ ସକାଳେ ତ୍ରିଲୋଚନ କାନୁନଗୋଙ୍କର ଆପୋଲ ହସ୍ପିଟାଲରେ ଦେହାନ୍ତ ହେବା ଖବର ଓଡ଼ିଶାରେ ତାଙ୍କୁ ଜାଣିଥିବା ବା ତାଙ୍କ ସଂପର୍କରେ ବ୍ୟକ୍ତିଗତ ସୂଚନା ଥିବା ସବୁ ଶ୍ରେଣୀର ଲୋକମାନଙ୍କ ଭିତରେ ଏକ ଦୁଃଖର ବାର୍ତ୍ତା ଖେଳାଇ ଦେଇଛି। ତ୍ରିଲୋଚନ କାନୁନଗୋ ଜଣେ ସାଧାରଣ ରାଜନେତା ନଥିଲେ। ଛାତ୍ର ଅବସ୍ଥାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ସବୁବେଳେ ଜ୍ଞାନର ସନ୍ଧାନରେ ଲାଗି ରହିଥିଲେ। ଜ୍ଞାନ ଓ ବିବେକ ସହିତ ଲୋକମାନଙ୍କ ପାଇଁ କାମ କରିବା ଭିତରେ ସେ ଏକ ମୂଲ୍ୟବୋଧ ଭିତ୍ତିକ ରାଜନୀତି, ଜନସେବା ଓ ଶିକ୍ଷାନୁଷ୍ଠାନର ଏକ ନୂତନ ଦିଗନ୍ତ ସୃଷ୍ଟି କରିଯାଇଛନ୍ତି।
ନିମ୍ନ ମଧ୍ୟବିତ୍ତ ଶ୍ରେଣୀରେ ଜନ୍ମ ହୋଇଥିବା ତ୍ରିଲୋଚନ କାନୁନଗୋ କିଛିଦିନ ପାଇଁ ପାଠ ଛାଡ଼ି ଶିକ୍ଷକତା କଲା ପରେ ଗଣିତ ଶାସ୍ତ୍ରରେ ପୋଷ୍ଟ ଗ୍ରାଜୁଏଟ୍ ପାଇଁ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ ଏବଂ ସେଠାରେ ରାଜନୀତି ପ୍ରତି ଆକୃଷ୍ଟ ହୋଇ ୧୯୬୫ ମସିହାରେ ରେଭେନ୍ସା କଲେଜ୍ ଛାତ୍ର ୟୁନିଅନର ସଭାପତି ହୋଇଥିଲେ। ସିଧାସଳଖ କଲେଜରୁ ଯାଇ ସେ ୧୯୬୭ ମସିହାରେ ଯେତେବେଳେ ସାରା ଓଡ଼ିଶାରେ ଏକ କଂଗ୍ରେସ ବିରୋଧୀ ବାତାବରଣ ଥିଲା ସେତେବେଳେ ବିଧାନସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କଲେ। ସେହି ନିର୍ବାଚନରେ ପରାଜୟ ତାଙ୍କ ଭିତରେ ଗୋବିନ୍ଦପୁର ବିଧାନସଭା ଆସନରେ ପ୍ରତ୍ୟେକ ଶ୍ରେଣୀର ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନିଷ୍ଠା ଓ ଅଙ୍ଗୀକାରବଦ୍ଧତା ଦେଖାଦେଇଥିଲା। ୧୯୭୧ ନିର୍ବାଚନ ପୂର୍ବରୁ ଗୋବିନ୍ଦପୁର ବିଧାନସଭା ଅଞ୍ଚଳର ପ୍ରତ୍ୟେକ ଗାଁ ଓ ପରିବାରକୁ ବ୍ୟକ୍ତିଗତ ଭାବେ ସାଇକେଲରେ ଯାଇ ଯୋଗାଯୋଗ କରିବା ଓ ଲୋକମାନଙ୍କ ଦୁଇଟି ମୁଖ୍ୟ ସମସ୍ୟା ବସ୍ ଓ ଗାଈ କ୍ଷୀର ଯୋଗାଣରେ ଅବ୍ୟବସ୍ଥା ଦୂର କରିବା ପାଇଁ ଆନ୍ଦୋଳନ ମଧ୍ୟ କଲେ। ବାସ୍ତବରେ ୧୯୭୧ ନିର୍ବାଚନ ପୂର୍ବରୁ ଗୋବିନ୍ଦପୁରବାସୀଙ୍କ ମନ ଭିତରେ ତାଙ୍କ ପ୍ରତି ଅପୂର୍ବ ଶ୍ରଦ୍ଧା ଓ ସମ୍ମାନ ଆସିଥିଲା, ଯାହାକି ୧୯୭୧ ନିର୍ବାଚନ ଫଳାଫଳରେ ପ୍ରକାଶିତ ହେଲା।
ସେହି ସମୟରେ କଂଗ୍ରେସ ଯୁବଗୋଷ୍ଠୀର ସେ ଜଣେ ପ୍ରମୁଖ ବ୍ୟକ୍ତି ହୋଇଥିଲେ। ଏହାକୁ ଲକ୍ଷ୍ୟ କରି ସେତେବେଳେ ଜନ କଂଗ୍ରେସରୁ ଆସି ପୁନର୍ବାର କଂଗ୍ରେସରେ ଯୋଗ ଦେଇଥିବା ହରେକୃଷ୍ଣ ମହତାବଙ୍କୁ ସେ ବହୁମାତ୍ରାରେ ପ୍ରଭାବିତ କରିଥିଲେ। ଫଳରେ ନିର୍ବାଚନ ପରେ ହରେକୃଷ୍ଣ ମହତାବ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହେବାପରେ ତ୍ରିଲୋଚନ କାନୁନଗୋ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିଲେ ମଧ୍ୟ ତାଙ୍କୁ ବିଧାୟକ ଦଳର ସଚିବ ଭାବରେ ନିଯୁକ୍ତ ଦେଇଥିଲେ। ସେତେବେଳେ ସରକାର ଗଠନ କରିବା ପାଇଁ କଂଗ୍ରେସ ହାତରେ ସଂଖ୍ୟା ନଥିଲା। ସେତେବେଳେ ଥିବା ମୋଟ ୧୪୭ ବିଧାନସଭା ଆସନରୁ ୫୧ଟି କଂଗ୍ରେସ ହାତରେ ଥିବା ସମୟରେ ୩୩ଟି ବିଜୁ ପଟ୍ଟନାୟକଙ୍କ ଉତ୍କଳ କଂଗ୍ରେସ ହାତରେ ଥିଲା। ବାକି ଅନ୍ୟ ଆସନରୁ ୩୬ଟିରେ ସ୍ୱତନ୍ତ୍ର ପାର୍ଟି, ୪ଟିରେ ଝାଡ଼ଖଣ୍ଡ, ୪ ସିପିଆଇ, ୪ ପ୍ରଜା ସୋସିଆଲିଷ୍ଟ ପାର୍ଟି, ସିପିଆଇ(ଏମ୍)ରୁ ୨, ସଂଗଠନ କଂଗ୍ରେସ ୧, ଜନ କଂଗ୍ରେସ ୧ ଓ ଅନ୍ୟମାନେ ସ୍ୱାଧୀନ ଥିଲେ। ଏଣୁ କଂଗ୍ରେସ ଦଳ ସରକାର ଗଠନ ପାଇଁ ବିଶେଷ ଭାବରେ ଉତ୍କଳ କଂଗ୍ରେସ ଓ ଅନ୍ୟମାନଙ୍କ ଉପରେ ନିର୍ଭର କରିବା ଲକ୍ଷ୍ୟରେ ହରେକୃଷ୍ଣ ମହତାବଙ୍କୁ ଦଳର ନେତା ଭାବରେ ମନୋନୀତ କରାଯାଇଥିଲା। ଏଥିପାଇଁ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଅନୁମତି ଆଣିବା ପାଇଁ ହରେକୃଷ୍ଣ ମହତାବ ଦିଲ୍ଲୀ ଯିବା ସମୟରେ ତ୍ରିଲୋଚନ କାନୁନଗୋଙ୍କୁ ସାଙ୍ଗରେ ନେଇଥିଲେ। ସେଠାରେ ହରେକୃଷ୍ଣ ମହତାବ ଯେତେବେଳେ ଇନ୍ଦିରା ଗାନ୍ଧିଙ୍କୁ ସାକ୍ଷାତ କରିବାକୁ ଗଲେ ସେତେବେଳେ ପିଟିଆଇର ଜଣେ ପ୍ରତିନିଧି ଓଡ଼ିଶା ଭବନକୁ ଆସି ସରକାର ଗଠନ ନେଇ ମହତାବ ବାବୁ କ’ଣ କରୁଛନ୍ତି ବୋଲି ପଚାରିବାରୁ କାନୁନଗୋ କହିଥିଲେ ଯେ ମହତାବଙ୍କ ସହିତ ଗୋଟିଏ ବିମାନରେ ଭୁବନେଶ୍ୱରରୁ ଆସିଛି ଓ ସେହି ବିମାନରେ ତାଙ୍କ ସହିତ ଫେରିବି। କିନ୍ତୁ ଆମେ ଦୁଇଜଣ ପରସ୍ପର ଭିନ୍ନ ସ୍ତରର। ଏହି ପିଟିଆଇ ସୂତ୍ରକୁ ଉଦ୍ଧାର କରି ଦିଲ୍ଲୀର ସାନ୍ଧ୍ୟ ଖବରରେ ଯାହା ପ୍ରକାଶ ପାଇଲା, ତାହାକୁ ନେଇ ହରେକୃଷ୍ଣ ମହତାବ ସେହି କାଗଜଟିକୁ ଧରି ଓଡ଼ିଶା ଭବନ ଆସିଲେ। ତାଙ୍କ ଅନୁପସ୍ଥିତିରେ କାହାରି ସହିତ ଓଡ଼ିଶାରେ ସରକାର ଗଠନ ନେଇ ସେ ଆଲୋଚନା କରିଛନ୍ତି କି ବୋଲି ମହତାବବାବୁ ପ୍ରଶ୍ନ କରି ସାନ୍ଧ୍ୟ ଖବରକାଗଜଟି ବଢ଼ାଇ ଦେଇଥିଲେ। ବାସ୍ତବରେ ଇନ୍ଦିରା ଗାନ୍ଧି ମଧ୍ୟ ଏଥିପାଇଁ ସିଧା ଅନୁମତି ନଦେଇ ନନ୍ଦିନୀ ଶତପଥୀଙ୍କୁ ସାକ୍ଷାତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ମହତାବବାବୁଙ୍କୁ ଭଲ ଲାଗିନଥିଲା ଓ ସେ ଅନୁଭବ କଲେ ଯେ ଓଡ଼ିଶାରେ ସମ୍ଭବତଃ ସରକାର ଗଠନ ପାଇଁ ଇନ୍ଦିରା ଗାନ୍ଧି ଆଗ୍ରହୀ ନୁହନ୍ତି। ପରେ ହରେକୃଷ୍ଣ ମହତାବ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ। ଫଳରେ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ସ୍ୱତନ୍ତ୍ର, ଉତ୍କଳ କଂଗ୍ରେସ ଓ ଝାଡ଼ଖଣ୍ଡ ମିଳିତ ମନ୍ତ୍ରିମଣ୍ଡଳ ଓଡ଼ିଶାରେ ପ୍ରତିଷ୍ଠିତ ହେଲା।
ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ସ୍ୱତନ୍ତ୍ର ପାର୍ଟିରୁ କିଛି ସଦସ୍ୟ ବିଦ୍ରୋହ କରି କଂଗ୍ରେସ ଆଡ଼କୁ ଆସିଲେ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟି କଂଗ୍ରେସରେ ମିଶିବା ପାଇଁ ନିଷ୍ପତ୍ତି ନେଲା ସେତେବେଳେ ଇନ୍ଦିରା ଗାନ୍ଧି ଓଡ଼ିଶାରେ କଂଗ୍ରେସ ସରକାର ଗଠନ ନିମନ୍ତେ ପୂର୍ଣ୍ଣ ବହୁମତକୁ ଦେଖି କେନ୍ଦ୍ରରେ ମନ୍ତ୍ରୀ ଥିବା ନନ୍ଦିନୀ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପଠାଇବା ପାଇଁ ନିଷ୍ପତ୍ତି ନେଲେ। ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଏଆଇସିସିରୁ ପର୍ଯ୍ୟବେକ୍ଷକ ଭାବରେ ଚନ୍ଦ୍ରଜିତ୍ ଯାଦବ ଆସିଥିଲେ। କିନ୍ତୁ ତା’ ପୂର୍ବରୁ କଂଗ୍ରେସରୁ ଗୋଟିଏ ଗୋଷ୍ଠୀ କଟକରୁ ବିଧାୟକ ଥିବା ଭୈରବ ମହାନ୍ତିଙ୍କ ଘରେ ଏକାଠି ହୋଇ ନନ୍ଦିନୀଙ୍କୁ ଗ୍ରହଣ ନକରି ବିଧାୟକମାନଙ୍କ ଭିତରୁ ଜଣେ ମୁଖ୍ୟତଃ ବିନାୟକ ଆଚାର୍ଯ୍ୟ ବା ଭୈରବ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ନିଷ୍ପତ୍ତି ନେଇଥିଲେ। ସେହି ବୈଠକରେ ତ୍ରିଲୋଚନ କାନୁନଗୋ ଉପସ୍ଥିତ ଥିଲେ। କିନ୍ତୁ ଚନ୍ଦ୍ରଜିତ୍ ଯାଦବ ତାଙ୍କର କୌଶଳ ପ୍ରୟୋଗ କରି ଉତ୍କଳ କଂଗ୍ରେସ ଗୋଷ୍ଠୀ ନେତା ନୀଳମଣି ରାଉତରାୟ, ବିନାୟକ ଆଚାର୍ଯ୍ୟ ଓ ଭୈରବ ମହାନ୍ତିଙ୍କ ସହିତ ଆଲୋଚନା କରି ସର୍ବସମ୍ମତ ନେତା ପାଇଁ ନିଷ୍ପତ୍ତି ନେଇଗଲେ। କିନ୍ତୁ ତ୍ରିଲୋଚନ କାନୁନଗୋ ପୂର୍ବ ବୈଠକ ନିଷ୍ପତ୍ତି ଅନୁସାରେ ଦିଲ୍ଲୀରୁ ନେତା ଲଦାଯିବା ନୀତିକୁ ବିରୋଧ କରି ବିଧାୟକ ଦଳ ବୈଠକରେ ଏକୁଟିଆ ଛିଡ଼ାହୋଇ ଏହାର ପ୍ରତିବାଦ କଲେ। କିନ୍ତୁ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ହେଲେ। ସେତେବେଳେ ତ୍ରିଲୋଚନ କାନୁନଗୋ ଯୁବକମାନଙ୍କ ପାଇଁ ଏକ ପ୍ରେରଣା ଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀ କରାଗଲା ନାହିଁ।
୧୯୭୨ରେ ସରକାରର ପତନ ଘଟିବା ପରେ ନନ୍ଦିନୀ ଶତପଥୀ ରାଜ୍ୟ କଂଗ୍ରେସର ସଭାପତି ଦାୟିତ୍ୱ ନେଲେ ଓ ତ୍ରିଲୋଚନ କାନୁନଗୋଙ୍କ ବିରୋଧରେ ତାଙ୍କର ଅସନ୍ତୋଷ ଯୋଗୁ ୧୯୭୪ ମସିହା ନିର୍ବାଚନରେ ତାଙ୍କୁ ଗୋବିନ୍ଦପୁର ଟିକେଟ୍ ଦେଲେ ନାହିଁ। ବହୁ ଦାବି ପରେ ତ୍ରିଲୋଚନ କାନୁନଗୋଙ୍କୁ କଟକ ସଦରରୁ ପ୍ରାର୍ଥୀ କରାଗଲା ଓ ସେ ବିପୁଳ ବ୍ୟବଧାନରେ ସେଠାରୁ ବିଜୟୀ ହେଲେ ଓ ତାଙ୍କ ଉଦ୍ୟମ ଯୋଗୁ ଗୋବିନ୍ଦପୁରରେ ଜଣେ ନୂଆ ପ୍ରାର୍ଥୀ ମଧ୍ୟ କଂଗ୍ରେସ ଟିକେଟରେ ନିର୍ବାଚିତ ହେଲେ। ନନ୍ଦିନୀ ଏଥର ମଧ୍ୟ ତାଙ୍କୁ ମନ୍ତ୍ରୀ କଲେନାହିଁ। ୧୯୭୫ ମସିହାରେ ଯେତେବେଳେ ଜରୁରୀ ପରିସ୍ଥିତି ଜାରି ହେଲା, ସେତେବେଳେ ଯେଉଁମାନେ କଂଗ୍ରେସ ଦଳ ଭିତରେ ଏହାକୁ ପସନ୍ଦ କରୁନଥିଲେ ସେମାନଙ୍କର ଏକ ବୈଠକ କଟକ ସର୍କିଟ୍ ହାଉସଠାରେ ହୋଇଥିଲା। ସେଥିରେ କେବଳ ଶ୍ୟାମସୁନ୍ଦର ମହାପାତ୍ର ଜରୁରୀ ପରିସ୍ଥିତିକୁ ସମର୍ଥନ କରିଥିବା ବେଳେ ବନମାଳୀ ପଟ୍ଟନାୟକ, ସୁରେନ୍ଦ୍ର ଦ୍ୱିବେଦୀ, ପ୍ରଦ୍ୟୁମ୍ନ ବଳ ଓ ତ୍ରିଲୋଚନ କାନୁନଗୋ ପ୍ରମୁଖ ଜରୁରୀ ପରିସ୍ଥିତି ବିରୋଧରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ବନମାଳୀ ପଟ୍ଟନାୟକ ପାର୍ଲାମେଂଟ ସଦସ୍ୟ ଥିଲେ ଓ ସୁରେନ୍ଦ୍ର ଦ୍ୱିବେଦୀଙ୍କୁ ଇନ୍ଦିରା ଗାନ୍ଧି ଦିଲ୍ଲୀରେ ଭୂ-ସଂସ୍କାର ସଂକ୍ରାନ୍ତୀୟ ଏକ କମିଟିର ମୁଖ୍ୟ ଭାବରେ ନିଯୁକ୍ତି ଦେଇଦେଲେ। ଯେହେତୁ ଖବରକାଗଜଗୁଡ଼ିକ ସେନ୍ସରସିପ୍ ଯୋଗୁ ସରକାରୀ ନିୟନ୍ତ୍ରଣକୁ ଚାଲିଯାଇଥିଲା, ତେଣୁ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଜରୁରୀ ପରିସ୍ଥିତି ବିରୋଧରେ ଏକ ପ୍ରାଚୀରପତ୍ର କ୍ରମାଗତ ଭାବରେ ପ୍ରକାଶିତ ହେବ ଏବଂ ଏହି ଲେଖକଙ୍କୁ ସେହି ପ୍ରାଚୀରପତ୍ରର ସଂପାଦନ ଦାୟିତ୍ୱ ଦିଆଗଲା। ପରେ ପରେ ତ୍ରିଲୋଚନ କାନୁନଗୋଙ୍କୁ ପୋଲିସ ଗିରଫ କଲା। ପ୍ରଦ୍ୟୁମ୍ନ ବଳ ଓଡ଼ିଶା ଛାଡ଼ି କଲିକତାରେ ଆତ୍ମଗୋପନ କଲେ। ପ୍ରାଚୀରପତ୍ରର ଯେଉଁ ତିନୋଟି ସଂଖ୍ୟା ବାହାରିଲା, ସେଥିରେ ଏହାକୁ ବଂଟନ କରୁଥିବା ସେତେବେଳର ଯୁବନେତା ଯଥା- ପଞ୍ଚାନନ କାନୁନଗୋ, ଅଜୟ ମିଶ୍ର ଓ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ପୋଲିସ ଦ୍ୱାରା ଗିରଫ ହେଲେ।
ଜରୁରୀ ପରିସ୍ଥିତିରେ ଦୁଇବର୍ଷ ଜେଲ୍ ଯାଇଥିବା ସତ୍ତ୍ୱେ ତ୍ରିଲୋଚନ କାନୁନଗୋ କଂଗ୍ରେସରେ ହିଁ ରହିଲେ। ସେ ନିଜେ ମଧ୍ୟ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବରେ ପରାଜିତ ହୋଇଥିଲେ। କଂଗ୍ରେସ ବିଭାଜନ ପରେ ସେ ଇନ୍ଦିରା ଗାନ୍ଧି ବିରୋଧୀ ମୁଖ୍ୟ କଂଗ୍ରେସ ଦଳରେ ରହିଲେ। କିନ୍ତୁ ଏହି ଗୋଷ୍ଠୀର ଦୁର୍ବଳତାକୁ ଦେଖି ସେ କଟକ ସହରରୁ ପୌରାଧ୍ୟକ୍ଷ ଭାବରେ ସ୍ୱାଧୀନ ଭାବେ ସିଧାସଳଖ ନିର୍ବାଚନ ଲଢ଼ିଲେ ଓ ବିଜୟ ହାସଲ କଲେ। କିନ୍ତୁ ୧୯୮୦ ନିର୍ବାଚନରେ ଜନତା ଦଳ ଓ କଂଗ୍ରେସ (ଏସ୍) ଭିତରେ ଏକ ମେଂଟ ହୋଇ ତ୍ରିଲୋଚନ କାନୁନଗୋଙ୍କୁ କଟକରେ ଲୋକସଭା ପ୍ରାର୍ଥୀ କରାଗଲା। କିନ୍ତୁ ସେହି ନିର୍ବାଚନରେ ଇନ୍ଦିରା ଗାନ୍ଧି ଗୋଷ୍ଠୀର ସଭାପତି ଜାନକୀବଲ୍ଲଭ ପଟ୍ଟନାୟକ ନିର୍ବାଚିତ ହେଲେ। କିନ୍ତୁ କଟକ ସହରରୁ ତାଙ୍କର ଭୋଟ୍ କିଛି କମିଯିବାରୁ ତାଙ୍କର ପୌରାଧ୍ୟକ୍ଷ କାର୍ଯ୍ୟକାଳ ଆହୁରି ୩ ବର୍ଷ ଥିଲେ ମଧ୍ୟ ସେ ନିଜ ଆଡୁ ଇସ୍ତଫା ଦେଇଥିଲେ।
ମୋଟାମୋଟି ଭାବରେ ତ୍ରିଲୋଚନ କାନୁନଗୋ ଏକ ନୀତିବାନ୍ ଓ ମୂଲ୍ୟବୋଧ ଭିତ୍ତିକ ଆଦର୍ଶରେ ବିଶ୍ୱାସ କରୁଥିବା ରାଜନେତା। ତାଙ୍କର ଦୀର୍ଘଦିନ ରାଜନୈତିକ କାର୍ଯ୍ୟକଳାପରେ ଅସାଧୁତା କୌଣସିଠାରେ ତାଙ୍କୁ ଛୁଇଁପାରି ନାହିଁ। ୧୯୯୦ରେ ଜନତା ଦଳ ପ୍ରାର୍ଥୀ ଭାବରେ ଗୋବିନ୍ଦପୁରରୁ ସେ ଏକ ଷଡ଼ଯନ୍ତ୍ର ଯୋଗୁ ପରାସ୍ତ ହେବା ପରେ ପୁଣି ଥରେ କଟକ ପୌରପରିଷଦର ସିଧାସଳଖ ଅଧ୍ୟକ୍ଷ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଗଠନ ସମୟରେ ଦଳର ସମ୍ବିଧାନ ଓ ନୀତି ପ୍ରଣୟନରେ ତାଙ୍କୁ ଗୁରୁତ୍ୱ ଦିଆଯାଇଥିଲା ଓ ଦଳର ଗୁରୁତ୍ୱପୂର୍ଣ୍ଣ ପଲିଟିକାଲ୍ ଆଫାୟର୍ସ କମିଟିର ୧୨ ଜଣ ସଦସ୍ୟଙ୍କ ଭିତରୁ ସେ ଜଣେ ରହିଥିଲେ। ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ଜଗତସିଂହପୁର ଲୋକସଭା ସଦସ୍ୟ ଭାବରେ କାମ କରିଥିଲେ ଓ ସେହି ସମୟରେ ସଂସଦୀୟ ଦଳରେ ଯେଉଁ ବିଦ୍ରୋହ ହୋଇଥିଲା ତାହାକୁ ରୋକି ନବୀନଙ୍କ ପ୍ରତି ସମର୍ଥନ ଯୋଗାଡ଼ରେ ପ୍ରମୁଖ ଭୂମିକା ନେଇଥିଲେ। ଦଳର କେତେଗୁଡ଼ିଏ କାର୍ଯ୍ୟକଳାପ ଓ ବିଶେଷ ଭାବେ ସଂସଦରେ କେଉଁ ବିଷୟରେ କିଏ କିପରି ମତ ଉପସ୍ଥାପିତ କରିବ ସେ ସଂକ୍ରାନ୍ତରେ ହେଉଥିବା ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ୨୦୦୪ ନିର୍ବାଚନରେ ସେ ଦଳର ପ୍ରାର୍ଥୀହେବେ ନାହିଁ ବୋଲି ଆଗୁଆ ଚିଠି ଲେଖି ନବୀନ ପଟ୍ଟନାୟକଙ୍କୁ ଜଣାଇ ଦେଇଥିଲେ।
ସେହିଠାରୁ ହିଁ ତ୍ରିଲୋଚନ କାନୁନଗୋଙ୍କ ଆଉ ଏକ ଅଧ୍ୟାୟ ଜନସାଧାରଣ ଦେଖିପାରିଲେ। ସେ ନିଜ ଅଞ୍ଚଳ ଅଡ଼ଶପୁରରେ ଏପରି ଏକ ବିଦ୍ୟାମନ୍ଦିର ସୃଷ୍ଟି କଲେ ଯାହା ସାରା ଓଡ଼ିଶାକୁ ଆକର୍ଷିତ କରିଛି। ଏହା ସମ୍ଭବତଃ ସାରା ଓଡ଼ିଶାରେ ହେଉଥିବା ବେସରକାରୀ ଶିକ୍ଷାନୁଷ୍ଠାନ ଭିତରେ ସ୍ୱତନ୍ତ୍ର। ଏହି ଅନୁଷ୍ଠାନରେ ଶିକ୍ଷାକୁ ବେପାର ଭାବେ ଗ୍ରହଣ କରିବା ପାଇଁ ସେ ସୁଯୋଗ ଦେଇନାହାନ୍ତି। ବାସ୍ତବରେ ଏହି ବିଦ୍ୟାମନ୍ଦିର ଏପରି ଏକ ଅନୁଷ୍ଠାନରେ ପରିଣତ ହୋଇଛି, ଯାହା ଏକ ବିଶ୍ୱବିଦ୍ୟାଳୟଠାରୁ ମଧ୍ୟ କମ୍ ନୁହେଁ। ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ସବୁ ବିଭାଗରେ ସମସ୍ତ ବିଷୟରେ ପୋଷ୍ଟ ଗ୍ରାଜୁଏଟ୍ ପର୍ଯ୍ୟନ୍ତ ଶିକ୍ଷା ସହିତ ଗବେଷଣା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି। ସେଠାରେ ଛାତ୍ରଛାତ୍ରୀଙ୍କ ରହିବା ଓ କ୍ରୀଡ଼ା ବିକାଶ କ୍ଷେତ୍ରରେ ଯାହାସବୁ ଆବଶ୍ୟକ ତାହାକୁ ପୂରଣ କରାଯାଇ ସମୁଦାୟ ଶିକ୍ଷାନୁଷ୍ଠାନ କ୍ଷେତ୍ରକୁ ଏକ ସବୁଜ କ୍ଷେତ୍ରରେ ପରିଣତ କରାଯାଇଛି। ସେଠାରେ ଥିବା ବୃକ୍ଷଲତା ଓ ପରିବେଶ ଯେ କୌଣସି ଲୋକକୁ ସେହି ଅନୁଷ୍ଠାନକୁ ଯିବା ପାଇଁ ବାରମ୍ବାର ପ୍ରେରିତ କରିବ। ଜ୍ଞାନ ଆହରଣ ପ୍ରତି ତ୍ରିଲୋଚନ କାନୁନଗୋଙ୍କ ପ୍ରଥମରୁ ଯେଉଁ ନିଷ୍ଠା ରହିଥିଲା ତାହା ଶେଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଥିଲା। ସେଥିପାଇଁ ଅନୁଷ୍ଠାନର ଅଧ୍ୟାପକ ଓ କର୍ମଚାରୀମାନେ ପ୍ରେରଣା ପାଉଥିଲେ ଓ ଛାତ୍ରଛାତ୍ରୀଙ୍କ ଭିତରେ ଜ୍ଞାନ ଆହରଣ ପାଇଁ ବରାବର ଆଗ୍ରହ ପରିଲକ୍ଷିତ ହେଉଥିଲା। ରାଜନୈତିକ ଜୀବନରେ ରହି ସାଧୁତା ରକ୍ଷା କରିବା ସହିତ ଜ୍ଞାନର ପରିସୀମାକୁ ବଢ଼ାଇବା ଦିଗରେ ସେ ଏକ ଉଦାହରଣ। ବିଧାନସଭାରେ ମୁଁ ଦେଖିବାରେ ଯେତେ ସଦସ୍ୟ ଆସିଛନ୍ତି, ସେଥିରେ ବିଧାନସଭାର ନିୟମ କାନୁନ୍ ସଂପର୍କରେ ଅଧ୍ୟୟନରତ ଜ୍ଞାନ ଅର୍ଜନ କରିଥିବା ବ୍ୟକ୍ତିମାନଙ୍କ ଭିତରେ କାନୁନଗୋ ନିଶ୍ଚିତ ଭାବରେ ଅଗ୍ରଣୀ।
ରବି ଦାସ, ବରିଷ୍ଠ ସାମ୍ବାଦିକ
ମୋ-୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।