Advertisment

ସ୍ପର୍ମ ଦାନ କରି ୫୦୦ରୁ ଅଧିକ ପିଲାଙ୍କ ବାପା ହୋଇଥିବା ବ୍ୟକ୍ତିଙ୍କ ଉପରେ କୋର୍ଟ କ୍ଷୁବ୍ଧ, ଆଉ ସ୍ପର୍ମ ନ ଦେବାକୁ କଡ଼ା ନିର୍ଦ୍ଦେଶ

ନେଦରଲ୍ୟାଣ୍ଡସର ଆଇନ ଅନୁଯାୟୀ ସ୍ପର୍ମ ଦାନ କରୁଥିବା ଜଣେ ବ୍ୟକ୍ତି ୧୨ଟି ପରିବାରର ୨୫ଟିରୁ ଅଧିକ ପିଲାଙ୍କ ବାପା ହେବା ଉଚିତ ନୁହେଁ।

author-image
Ordigital Desk
ଅଦ୍ୟତନ ହୋଇଛି
Jonathan

Jonathan

ନେଦରଲ୍ୟାଣ୍ଡସର ଏକ କୋର୍ଟ ଜଣେ ବ୍ୟକ୍ତିଙ୍କୁ ସ୍ପର୍ମ ଦାନ କରିବାକୁ ବାରଣ କରିଛନ୍ତି। କାରଣ ସେହି ବ୍ୟକ୍ତି ଜଣଙ୍କ ବର୍ତ୍ତମାନ ସୁଦ୍ଧା ସ୍ପର୍ମ ଦାନ କରି ୫୦୦ରୁ ୬୦୦ ପିଲାଙ୍କ ବାପା ହୋଇସାରିଲେଣି। ସେ ଯଦି ପୁଣି ସ୍ପର୍ମ ଦାନ କରିବାକୁ ପ୍ରୟାସ କରିବେ ତା’ହେଲେ ତାଙ୍କ ଉପରେ ବିପୁଳ ପରିମାଣର ଜରିମାନା ପଡ଼ିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।

Advertisment

ଏହି ବ୍ୟକ୍ତିଙ୍କ ନାଁ ଜନାଥନ। ତାଙ୍କୁ ୪୧ ବର୍ଷ ହୋଇଛି। ସ୍ପର୍ମ ଦାନ କରି ୨୦୧୭ ମସିହା ବେଳକୁ ସେ ୧୦୦ରୁ ଅଧିକ ପିଲାଙ୍କ ବାପା ହୋଇସାରିଥିବା ଜଣାପଡ଼ିଥିଲା। ତା’ପରେ ସେହି ବର୍ଷ ତାଙ୍କ ଉପରେ କଟକଣା ଜାରି କରାଯାଇଥିଲା। ନେଦରଲ୍ୟାଣ୍ଡସର କୌଣସି ଫର୍ଟିଲିଟି କ୍ଲିନିକରେ ସେ ସ୍ପର୍ମ ଦାନ କରିପାରିବେ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ତେବେ ସେ ଏହି ନିର୍ଦ୍ଦେଶକୁ ମାନି ନଥିଲେ। ସେହିପରି ସେ ବିଦେଶରେ ଯାଇ ସ୍ପର୍ମ ଦାନ କରିଥିଲେ। ତା’ସହିତ ସେ ଅନ୍‌ଲାଇନରେ ମଧ୍ୟ ସ୍ପର୍ମ ଦାନ କରିଥିଲେ।

ନେଦରଲ୍ୟାଣ୍ଡସର ‘ଦ ହେଗ’ ସହରର ଜଣେ ମହିଳା (ତାଙ୍କୁ ବି ଜନାଥନ ସ୍ପର୍ମ ଦାନ କରିଥିଲେ) ଓ ଏକ ସଂସ୍ଥା ପକ୍ଷରୁ କୋର୍ଟରେ ମାମଲା ରୁଜୁ କଲା ପରେ ଜନାଥନଙ୍କ କାରନାମା ସାମ୍ନାକୁ ଆସିଥିଲା। ଆଉ କୋର୍ଟ ତାଙ୍କୁ ସ୍ପର୍ମ ଦାନ କରିବାକୁ ବାରଣ କରିଛନ୍ତି। ଏହା ସହିତ ବିଦେଶରେ ଯେଉଁ ସବୁ କ୍ଲିନିକ ଗୁଡ଼ିକରେ ତାଙ୍କ ସ୍ପର୍ମକୁ ସାଇତି ରଖାଯାଇଛି, ସେଗୁଡ଼ିକୁ ନଷ୍ଟ କରି ଦେବା ପାଇଁ ଚିଠି ଲେଖିବାକୁ ଜନାଥନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ନେଦରଲ୍ୟାଣ୍ଡସର ଆଇନ ଅନୁଯାୟୀ ସ୍ପର୍ମ ଦାନ କରୁଥିବା ଜଣେ ବ୍ୟକ୍ତି ୧୨ଟି ପରିବାରର ୨୫ଟିରୁ ଅଧିକ ପିଲାଙ୍କ ବାପା ହେବା ଉଚିତ ନୁହେଁ। କିନ୍ତୁ ସ୍ପର୍ମ ଦାନ କରି ଜନାଥନ ୫୦୦ରୁ ୬୦୦ ପିଲାଙ୍କ ବାପା ହୋଇସାରିଲେଣି। କୋର୍ଟଙ୍କ କହିବା ଅନୁସାରେ ଜନାଥନ ୨୦୦୭ ମସିହାରୁ ସ୍ପର୍ମ ଦାନ କରି ଆସୁଛନ୍ତି।

Sperm Donor Sperm Netherlands