ଆଜିକାଲି ଜ୍ୟୋତିଷଶାସ୍ତ୍ର ଉପରେ ବହୁତ ଚର୍ଚ୍ଚା ଚାଲିଛି। ଲୋକଙ୍କ ସରଳ ବିଶ୍ୱାସ ଭିତରେ ଧସେଇ ପଶିଛି ଅନିଶ୍ଚିତତାରେ ଭରା ଜ୍ୟୋତିଷଙ୍କ ଭବିଷ୍ୟବାଣୀ। କାରଣ, ନାନା ମୁନିଙ୍କ ନାନା ମତ ଭଳି କୌଣସି ଏକ ନିର୍ଦ୍ଦିଷ୍ଟ କଥାରେ ଜ୍ୟୋତିଷମାନଙ୍କ ଗଣନାରେ ଅନେକ ପାର୍ଥକ୍ୟ ବା ବିରୋଧାଭାଷ ଦେଖିବାକୁ ମିଳେ। ବିଶେଷତଃ, ମନରେ ହତାଶା ଭାବ ସୃଷ୍ଟି କଲା ଭଳି ଭବିଷ୍ୟବାଣୀ, ଯାହାର କୌଣସି ଯୁକ୍ତିସଙ୍ଗତ ଭିତ୍ତି ନାହିଁ, ସେହି ସିଦ୍ଧାନ୍ତକୁ ଅନ୍ଧ ଭଳି ବିଶ୍ୱାସ କରିବାର ଅର୍ଥ ମରୀଚିକା ପଛରେ ଗୋଡ଼ାଇବା। ଆଉ ତା ସହିତ ନିଜର ଇଚ୍ଛାଶକ୍ତିକୁ ନିରସ୍ତ୍ର କରିଦେବା।
ପଢ଼ନ୍ତୁ ଏହି ସୁନ୍ଦର କାହାଣୀ ଆଉ ବାସ୍ତବତାକୁ ଅନୁଭବ କରନ୍ତୁ।
ପିଲାଟିର ନାଁ ଅବିନାଶ। ତା’ ବାପା ତା’ ନାଁ ଏଥିପାଇଁ ଅବିନାଶ ଦେଇଥିଲେ ଯେମିତି ସେ ଜୀବନରେ କେବେ ବି ହାରିବ ନାହିଁ। ପିଲାବେଳୁ ଭାରି ପ୍ରତିଭାବାନ୍ ଥିଲା ଅବିନାଶ। ଅବିନାଶର ବାପା ଜୀବନସାରା ସଂଘର୍ଷ କରି ସୁଦ୍ଧା କୌଣସି ପରିସ୍ଥିତିରେ ଦାରିଦ୍ର୍ୟ ପାଖରେ ହାରି ନ ଥିଲେ। ଆଉ ସେ ଚାହୁଁଥିଲେ ତାଙ୍କ ପୁଅ ବି ସେମିତି ହେଉ।
ଅବିନାଶର ମାଆ ଥିଲେ ଅଳ୍ପଶିକ୍ଷିତ। କିନ୍ତୁ ସେ ଚୁଲିମୁଣ୍ଡରୁ ହିଁ ଅବିନାଶର ପାଠପଢ଼ା ଆରମ୍ଭ କରିଥିଲେ। ଚୁଲି ପାଖରେ ଡିବିରି ଆଲୁଅରେ ଅବିନାଶର ପାଠପଢ଼ା ଆଉ ସାରା ପରିବାର ପାଇଁ ରୋଷେଇବାସ -ଏକାବେଳକେ ଦୁଇଟିଯାକ କାମ କରୁଥିଲେ ଅବିନାଶର ମା। ଅବିନାଶ ଭଲ ପାଠ ପଢ଼ିଲା ଓ ସ୍କୁଲ୍ରେ ଭଲ ରେଜଲ୍ଟ କଲା। ଶିକ୍ଷକମାନଙ୍କ ପ୍ରିୟପାତ୍ର ହେଲା। ଶିକ୍ଷକମାନେ ତା’ ପ୍ରତିଭା ଓ ପ୍ରଖର ବୁଦ୍ଧି ଦେଖି ଆଶ୍ଚର୍ଯ୍ୟ ଚକିତ ହେଉଥିଲେ।
ନବମ ଶ୍ରେଣୀ ପର୍ଯ୍ୟନ୍ତ ଅବିନାଶର ସବୁ କିଛି ଠିକ୍ଠାକ୍ ଥିଲା। କିନ୍ତୁ ଦଶମ ଶ୍ରେଣୀ ବେଳକୁ ଅବିନାଶ ଅସୁସ୍ଥ ହେଲା। ସେ ପାଠପଢ଼ା ପ୍ରତି ଧ୍ୟାନ ଦେଇପାରିଲା ନାହିଁ। ମାଟ୍ରିକ୍ ପରୀକ୍ଷା ଆଉ ତିନି ଚାରିମାସ ଥାଏ। ଏତିକିବେଳେ ଅବିନାଶର ଜେଜେ ଅବିନାଶର ଜନ୍ମ ପତ୍ରିକା ଧରି ଜଣ ବଡ଼ ଜ୍ୟୋତିଷ କାଳୁ ପଣ୍ଡିତ ପାଖକୁ ଗଲେ। କାଳୁ ପଣ୍ଡିତଙ୍କର ଭାରି ଡାକ୍ ସେତେବେଳେ। ସେ କୁଆଡ଼େ ଯାହାକୁ କହୁଥିଲେ ଲୋକଙ୍କର ସେୟା ହିଁ ହେଉଥିଲା। ଜନ୍ମ ପତ୍ରିକା ଧରୁ ଧରୁ ସେ କୁଆଡ଼େ ଅତୀତ ଭବିଷ୍ୟତ ସବୁ ଗାଇଯାଉଥିଲେ।
କାଳୁ ପଣ୍ଡିତେ ଜନ୍ମପତ୍ରିକା ଦେଖି କହିଲେ, ‘ପିଲାଟା ହତଭାଗ୍ୟ। ମାଟ୍ରିକ୍ ପାସ୍ କରିପାରିବ ନାହିଁ।‘ ଅବିନାଶର ଜେଜେ କହିଲେ, ‘ସେ ତ ଭଲ ପାଠ ପଢ଼ୁଛି ଆଉ କ୍ଲାସ୍ରେ ପ୍ରଥମ ହେଉଛି।’
କାଳୁ ପଣ୍ଡିତ ରାଗିଗଲେ ଆଉ ଖଡ଼ି ଗଡ଼େଇ ଦେଇ କହିଲେ, ‘ମୁଁ କହୁନି, ମୋ ପାଠ କହୁଛି। ଏ ପିଲାର ଭାଗ୍ୟାଧିପତି ବୃହସ୍ପତି ନୀଚ ହୋଇ ବ୍ୟୟସ୍ଥାନରେ। ବିଦ୍ୟାଘରର ଗ୍ରହଗୁଡ଼ିକ ନୀଚ, ପୀଡ଼ିତ ଆଉ କର୍ମାଧିପତି ମଙ୍ଗଳ ମଧ୍ୟ ନୀଚ। ଲଗ୍ନସ୍ଥାନରେ ମଧ୍ୟ ନୀଚଗ୍ରହ ଅବସ୍ଥାନ କରିଛନ୍ତି। ଗ୍ରହବଳ ନ ଥିବାରୁ ଏ ପିଲାର ଭବିଷ୍ୟତ ଅନ୍ଧାର। ସେ ମାଟ୍ରିକ୍ ପାସ୍ କରିପାରିବ ନାହିଁ।’
ପଣ୍ଡିତଙ୍କ ନିରାଶାବାଣୀ ଶୁଣି ଜେଜେ ମନ ଦୁଃଖ କରି ପଳାଇଆସିଲେ ଆଉ ତାଙ୍କ ବୋହୂକୁ ସବୁକଥା କହିଲେ।
କଥାଟା ଅବିନାଶ କାନକୁ ଯିବା ପାଇଁ ବେଶୀ ସମୟ ଲାଗିଲା ନାହିଁ। ସେ ବୁଝିଗଲା ଯେ, ତା’ ଭାଗ୍ୟ ଦୁର୍ବଳ। ଭାଗ୍ୟ କ’ଣ ଭଲ ଭାବେ ଜାଣି ନ ଥିବା ପିଲାଟି ପରୀକ୍ଷାରେ ଫେଲ୍ ହେବ ଜାଣି ଭାଙ୍ଗିପଡ଼ିଲା। ପାଠପଢ଼ା ପ୍ରତି ତା’ର ଆଗ୍ରହ କମିଗଲା। ଏମିତି ବି ଭାବିନେଲା, ପରୀକ୍ଷାରେ ତ ଫେଲ୍ ହେବି ଆଉ କାହିଁ ପାଠ ପଢ଼ିବି। ତଥାପି ର’ଠ’ କରି ପରୀକ୍ଷା ଦେଲା ଆଉ ଫେଲ୍ ହୋଇଥିବାର ଖବର ଶୁଣିବା ପାଇଁ ଦିନ ଗଣିଲା।
କିନ୍ତୁ ରେଜଲ୍ଟ ବାହାରିଲା ବେଳକୁ ଅବିନାଶ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି। ସେତିକିରେ ସେ ଖୁସି ହୋଇଗଲା ଆଉ ଭାବିଲା ଯଦି କାଳୁ ପଣ୍ଡିତେ କଥାରେ ନ ପଡ଼ି ସେ ଆଉ ଟିକେ ଅଧିକ ପରିଶ୍ରମ କରିଥାନ୍ତା ତ ଆହୁରି ଭଲ ରେଜଲ୍ଟ କରିଥା’ନ୍ତା।
ଏହି ଭଳି ଗୋଟିଏ ନୁହେଁ ଶହ ଶହ ଉଦାହରଣ ରହିଛି।
ଏହି ଗଳ୍ପର ସାରମର୍ମ ହେଉଛି.....
ଜ୍ୟୋତିଷ ଶାସ୍ତ୍ର ହେଉଛି ଏକ ଅଜବ ଶାସ୍ତ୍ର। ଏହି ଶାସ୍ତ୍ରରେ ନାନା ମୁନିଙ୍କର ନାନା ମତ। ଜ୍ୟୋତିଷଶାସ୍ତ୍ରକୁ ଅନ୍ଧ ପରି ବିଶ୍ୱାସ କରିବା ଅର୍ଥ ହେଉଛି ନିଜକୁ ପଛକୁ ଟାଣିନେବା। ଅବିନାଶର ଜେଜେ ଯଦି କାଳୁ ପଣ୍ଡିତେଙ୍କୁ ଜନ୍ମ ପତ୍ରିକା ଦେଖାଇ ନ ଥା’ନ୍ତେ ଅବିନାଶ ବହୁତ ଭଲ ରେଜଲ୍ଟ କରିଥା’ନ୍ତା। କାଳୁପଣ୍ଡିତେଙ୍କ ଖଡ଼ିତତ୍ତ୍ୱ ଅନୁଯାୟୀ, ଅବିନାଶର ଯଦି ଗ୍ରହବଳ ନାହିଁ ତେବେ କ୍ଲାସ୍ରେ ସବୁ ପିଲାଙ୍କ ଅପେକ୍ଷା ଭଲ ନମ୍ବର ରଖୁଥିଲା କେମିତି? ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ଏହି ଅନିଶ୍ଚିତ ଶାସ୍ତ୍ର ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ନିଜକୁ ଅସହାୟ ମଣିବା ଉଚିତ୍ ନୁହେଁ।
ଜୀବନରେ କେବେ ବି ଆସନ୍ତାକାଲି, ଭଲ ବେଳା, ଖରାପ ବେଳା ଉପରେ ବିଶ୍ୱାସ କରନ୍ତୁ ନାହିଁ। ଆସନ୍ତାକାଲି ଉପରେ ବିଶ୍ୱାସ ଆଉ ଭରସା କରି ଦିନ ଗଡ଼ାଇ ଚାଲିବା ଅର୍ଥ ଆତ୍ମବିଶ୍ୱାସର ଅଭାବ। ତା’ ଛଡ଼ା ବର୍ତ୍ତମାନକୁ ନଷ୍ଟ କରି ଆପଣ ଭବିଷ୍ୟତରେ ଲକ୍ଷ୍ୟପଥରେ ପହଞ୍ଚିପାରିବେ ନାହିଁ। ମଣିଷ ଭଲ ବେଳା ଆଉ ଖରାପ ବେଳା ଉଭୟକୁ ସାମ୍ନା କରିବାକୁ ବାଧ୍ୟ। ଭଲ ବେଳାକୁ ଦେଖି କାମ ଆରମ୍ଭ କଲେ ଖରାପ ବେଳା ଆପଣଙ୍କୁ ଛାଡ଼ିଦେବ ନାହିଁ।
ଜ୍ୟୋତିଷ ଶାସ୍ତ୍ର ଆମ ମନ ଭିତରେ ଏକ ‘ମନସ୍ତ୍ୱାତ୍ତ୍ୱିକ ଘଡ଼ି’ ତିଆରି କରେ ଓ ମଣିଷକୁ ପଳାୟନପନ୍ଥୀ କରିଥାଏ। ଯଦି କେହି ବି ନିଜ ଭାଗ୍ୟ ଉପରେ ବିଶ୍ୱାସ କରି କୌଣସି ନିର୍ଦ୍ଦିଷ୍ଟ କାମ କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥା’ନ୍ତି, ପରୀକ୍ଷାମୂଳକ ଭାବେ ସେହି କାମରେ ମନୋନିବେଶ କରନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ। ହୁଏତ ଆପଣ ସଫଳ ହୋଇପାରନ୍ତି।
ଆପଣଙ୍କ ଛଡ଼ା ଆପଣଙ୍କୁ ଅଧିକ କେହି ଜାଣି ନାହାନ୍ତି। ତେଣୁ ଆପଣ କ’ଣ କରିପାରିବେ ତାହା ଆପଣ ଭଲ ଭାବେ ଜାଣିଛନ୍ତି। କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜର ବିବେକ, ବୁଦ୍ଧି ଓ ଜ୍ଞାନ ପ୍ରୟୋଗ କରନ୍ତୁ। ଅଧାପଣ୍ଡିତଙ୍କ ଉପରେ ବିଶ୍ୱାସ ନ କରି ବରଂ ନିଜର ଜ୍ଞାନ ଓ ଦୂରଦୃଷ୍ଟି ବଢ଼ାଇବାକୁ ଯୋଗ, ଧ୍ୟାନ ଓ ଜପତପ କରନ୍ତୁ କିନ୍ତୁ ଏହି ଅବୈଜ୍ଞାନିକ ଭବିଷ୍ୟବାଣୀକୁ ବିଶ୍ୱାସ କରି ହାତ ଟେକି ଦିଅନ୍ତୁ ନାହିଁ।
ଗୌତମବୁଦ୍ଧଙ୍କଠାରୁ ଆରମ୍ଭ କରି ଯୀଶୁଖ୍ରୀଷ୍ଟ, ରାମକୃଷ୍ଣ ପରମହଂସଙ୍କଠାରୁ ଆରମ୍ଭ କରି ବିବେକାନନ୍ଦ କେହି ବି ଏହି ଶାସ୍ତ୍ରକୁ ମାନିବାକୁ ପରାମର୍ଶ ଦେଇନାହାନ୍ତି। ସର୍ବସମ୍ମତ ମତ ହେଉଛି-
"Don’t believe in Astrology, Always believe in yourself. Never Use or implement astrological facts in your life, rather use your inner sense. You better know what you can do and what you can’t."
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।