-ଓମ୍ପ୍ରକାଶ ସାହୁ
ମଣିଷ ଜୀବନ ସାରା ବହୁତ ଭୁଲ୍ କରିଥାଏ। ହେଲେ ଗୋଟିଏ ଗୋଟିଏ ଭୁଲ୍ ପାଇଁ ସାରା ଜୀବନ ପସ୍ତାଇବାକୁ ପଡ଼ିଥାଏ। ଭୁଲ୍ ଠିକ୍ ବିଚାର କରିବାର ଶକ୍ତି ମଣିଷର ଥିବାରୁ ତାକୁ ସବୁଠୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ। ତଥାପି ମଣିଷ ଏମିତି ଭୁଲ୍ ପରେ ଭୁଲ୍ କରି ଚାଲିଛି।
ମଣିଷ ଜନ୍ମ ଦୁର୍ଲଭ। ଅନ୍ତତଃ କାହାର କିଛି କ୍ଷତି କରିବା, କାହାକୁ ଠକିବା ପୂର୍ବରୁ, କିଛି ଅନ୍ୟାୟ ଅନୀତି କରିବା ପୂର୍ବରୁ ଦୁଇ ଥର ଚିନ୍ତା କରନ୍ତୁ, ନ ହେଲେ ପଶ୍ଚାତାପ ଆଉ ବଞ୍ଚି ଥାଉ ଥାଉ ଯମଦଣ୍ଡ ନିଶ୍ଚିତ। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।
ପଢ଼ନ୍ତୁ ଏହି ସୁନ୍ଦର କାହାଣୀ ଯାହା ଆପଣଙ୍କୁ ସଚେତନ ଆଉ ସତର୍କ କରିଦେବ।
ହରିବାବୁ ଥିଲେ ଜଣେ ସରକାରୀ କର୍ମଚାରୀ। ସେ ଥିଲେ ଆଧ୍ୟାତ୍ମିକତାବାଦୀ। ବଡ଼ି ଭୋରୁ ଉଠି ପୂଜାର୍ଚ୍ଚନା ସାଙ୍ଗକୁ ଭାଗବତ ପୁରାଣ ଆଦି ପାଠରେ ୫ ଘଣ୍ଟା ବିତିଯାଏ। କିନ୍ତୁ ସେ ଜୀବନରେ ଗୋଟିଏ ଭୁଲ୍ କରିଥିଲେ ଯେଉଁଥିପାଇଁ ସେ ମୃତ୍ୟୁ ପର୍ଯ୍ୟନ୍ତ ପଶ୍ଚାତାପ କରିଥିଲେ।
ହରିବାବୁ ଭାରି ମେଳାପୀ ଲୋକ। ଚାକିରି ଖଣ୍ଡେ କରିଥିବାରୁ ଚାରି ଚାରି ଖଣ୍ଡ ଗାଁର ଲୋକଙ୍କର ତାଙ୍କ ଉପରେ ନଜର। ସେତେବେଳେ ଗାଡ଼ି ଘୋଡ଼ା ନ ଥିଲା। ହରିବାବୁ ଯୁଆଡ଼େ ଯାଉଥିଲେ ସାଇକେଲ ତାଙ୍କ ସାଙ୍ଗରେ ରହୁଥିଲା।
ଦେଖିବାକୁ ଭାରି ସୁନ୍ଦର ହୋଇଥିବାରୁ ଗାଁର ବହୁ ଝିଅ ତାଙ୍କୁ ବାହା ହେବାର ସ୍ୱପ୍ନ ଦେଖିଥିଲେ। ଆଉ କିଛି ଝିଅର ବାପା ମା ମଧ୍ୟ ହରିବାବୁଙ୍କୁ ଜ୍ୱାଇଁ କରିବାକୁ ସ୍ୱପ୍ନ ଦେଖିଥିଲେ। ଶେଷରେ ହରିବାବୁ ତାଙ୍କ ପସନ୍ଦର ଝିଅକୁ ବାହା ହେଲେ ଯିଏ ତାଙ୍କଠାରୁ ୧୫ ବର୍ଷ ସାନ।
ବାହା ହେବା ପରେ ସଂସାର ବଢ଼ିଲା। ଚାରି ଚାରିଟି ପିଲା। ଦୁଇ ପୁଅ, ଦୁଇ ଝିଅ। କିନ୍ତୁ ଯେତେବେଳେ ତାଙ୍କର ସ୍ତ୍ରୀ ପଞ୍ଚମ ଥର ପାଇଁ ଗର୍ଭବତୀ ହେଲେ ସେ ଚିନ୍ତାରେ ପଡ଼ିଲେ। ଭାବିଲେ ଯଦି ପୁଅ ଥିବ ରଖିବି ଆଉ ଝିଅ ଥିଲେ ନଷ୍ଟ କରିଦେବି।
ଭ୍ରୁଣ ହତ୍ୟା ମହାପାପ ବୋଲି ଜାଣିଥିଲେ ମଧ୍ୟ ସେତେବେଳକୁ ତାହା କେଜାଣି କାହିଁକି ତାଙ୍କର ମୁଣ୍ଡରେ ପଶୁ ନ ଥିଲା। ସେତେବେଳେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଏକ ଅପରାଧ ନ ଥିଲା। ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କରିବା ବେଳକୁ ଗର୍ଭସ୍ଥ ଶିଶୁ ଝିଅ ବୋଲି ଜଣାପଡ଼ିଥିଲା। ବାସ୍, ଭ୍ରୁଣକୁ ନଷ୍ଟ କରିବାର ନିଷ୍ପତ୍ତି ଉଭୟ ସ୍ୱାମୀ ସ୍ତ୍ରୀ ନେଲେ ଆଉ କାମ ସାରିଦେଲେ।
ହେଲେ ପାପ କରିସାରିବା ପରେ ଧର୍ମ କଥା ମନେପଡ଼ିଗଲା ହରିବାବୁଙ୍କର।
ରାତିରେ ଆଉ ଶାନ୍ତିରେ ଶୋଇପାରିଲେନି ହରିବାବୁ। ଖଟ ଉପରେ ପଡ଼ି ଖାଲି ଛାଟିପିଟି ହେଲେ। ଟିକେ ଆଖି ଲାଖି ଯାଇଛି କି ନାହିଁ ରାତିରେ ଏକ ସ୍ୱପ୍ନ ଦେଖିଲେ....
ଗୋଟିଏ ଝିଅ କାନ୍ଦି କାନ୍ଦି କହୁଥିଲା “ସମସ୍ତଙ୍କୁ ଜନ୍ମଦେଲ, ପାଳିପୋଷି ବଡ଼ କଲ। ପୂର୍ବ ଜନ୍ମରେ ଭାବିଥିଲି ତୁମ କୋଳରେ ଜନ୍ମ ନେବି ଆଉ କେତେ ଠାକୁରଙ୍କୁ ଡାକିଥିଲି ତୁମକୁ ବାପା ଭାବେ ପାଇବାକୁ। ମୋ ଜନ୍ମ ଜନ୍ମର ଅପେକ୍ଷାର ଫଳ କ’ଣ ଏୟା....ମୁଁ ତୁମର କ’ଣ ଦୋଷ କରିଥିଲି? କାହିଁକି ମୋତେ ଦୁନିଆର ଆଲୋକ ଦେଖିବା ପୂର୍ବରୁ ମାରିଦେଲ....ଉତ୍ତର ଦିଅ ବାପା....ଉତ୍ତର ଦିଅ....!”
ନିଦ ଭାଙ୍ଗିଗଲା ହରିବାବୁଙ୍କର। ଆଉ ତା’ ପରେ କ’ଣ ହେଲା ପଢ଼ନ୍ତୁ......
ବାସ୍ ସେଇଦିନୁ ହରିବାବୁ ଯେତେ ଭୁଲିବାକୁ ଚାହିଁଲେ ସେହି ସ୍ୱପ୍ନକୁ ଆଉ ଭୁଲିପାରିଲେ ନାହିଁ। ମାସରେ ଥରେ ଦୁଇ ଥର ସେହି ଏକା ସ୍ୱପ୍ନ ହିଁ ସେ ଦେଖିଲେ। ଆଉ ଝିଅର କାନ୍ଦ ତାଙ୍କ ହୃଦୟରେ ଉଦ୍ବେଳନ ସୃଷ୍ଟି କଲା। ଧୀରେ ଧୀରେ ତାଙ୍କ ଜୀବନ ଆକାଶରେ ବିପଦ ଘୋଟି ଆସିଲା।
ହରିବାବୁଙ୍କ ବଡ଼ ପୁଅ ଯାହା ଉପରେ ହରିବାକୁ ବେଶୀ ବିଶ୍ୱାସ କରୁଥିଲେ ଆଉ ଭଲ ପାଉଥିଲେ ସେ ନିଶାଖୋର ପାଲଟିଗଲା। ବାପାଙ୍କ ପକେଟ୍ରୁ ପଇସା ଚୋରି କରିବା ନିତିଦିନିଆ ହୋଇଗଲା। ଥରେ ହରିବାବୁ ବିରକ୍ତ ହେବାରୁ ଅଧାରୁ ପାଠପଢ଼ା ଛାଡ଼ି ପଳାଇଗଲା ସହରକୁ।
ସେଠି ସେ କାମଦାମ କରି ଯାହା କିଛି ଅର୍ଜନ କଲା ସବୁ କିଛି କେବଳ ନିଶା ଖାଇବାରେ ହିଁ ଉଡ଼ାଇଲା। ଆଉ ସେଇଠି ବି ବାହା ହୋଇଗଲା ଯାହାର ଜାତିଗୋତ୍ର ଜାଣିବାର ଅବକାଶ ହରିବାବୁଙ୍କର ନ ଥିଲା।
ଏବେ ଆସିଲା ବଡ଼ ଝିଅର କଥା। ହରିବାବୁ ବଡ଼ ଝିଅକୁ ଏମିତି ଏକ ଭଲ ଜାଗାରେ ବାହା ଦେଲେ। ଜ୍ୱାଇଁ ସତେ ଯେମିତି ରଜାପୁଅ। କିନ୍ତୁ ବିବାହର ଅଳ୍ପ ଦିନ ମଧ୍ୟରେ ଝିଅର ଦାମ୍ପତ୍ୟ ଜୀବନରେ ଆସିଲା ଝଡ଼। ଯାହା ହରିବାବୁଙ୍କୁ ଚିନ୍ତାଗ୍ରସ୍ତ କରି ପକାଇଲା।
ସାନ ଝିଅର ଅବସ୍ଥା ମଧ୍ୟ ସେୟା ହେଲା। ବିବାହ ପରେ ଜ୍ୱାଇଁ ସାନ ଝିଅକୁ ଘରୁ ବିଦା କରିଦେଲା ଆଉ ମଦୁଆ ହୋଇ ବୁଲିଲା। ଦୀର୍ଘ ଦିନ ସ୍ୱାମୀ ପରିତ୍ୟକ୍ତା ହେବା ପରେ କୋର୍ଟ କଚେରୀରେ ଲଢ଼ି ଶେଷରେ ଅଲିଅଳ ଝିଅକୁ ପୁଣି ସେଇ ମଦୁଆ ପାଖରେ ଜୁଟାଇଲେ ହରିବାବୁ।
ସାନପୁଅ ମଧ୍ୟ ବଡ଼ ଭାଇର ପଦାଙ୍କ ଅନୁସରଣ କଲା। ବାପା ପାଠୁଆ, ପୁଅ କିନ୍ତୁ ଅପାଠୁଆ ହୋଇଗଲା। ସିଏ ହାତରୁ ଖସିଗଲା ଆଉ ବାରବୁଲା ଚରିତ୍ରହୀନ ହୋଇ ଏମିତି ସବୁ କୁକର୍ମ କଲା ଯେ ହରିବାବୁଙ୍କୁ ଇଜ୍ଜତ ଗଲା।
ବାଟଘାଟରେ ହରିବାବୁ ଆଉ ଚାଲିପାରିଲେ ନାହିଁ।
ଦୀର୍ଘ ବର୍ଷ ଧରି ହରିବାବୁ ଏହି ଯନ୍ତ୍ରଣା ଭୋଗ କରିପାରିବା ପରେ ନିଜ ପତ୍ନୀଙ୍କୁ କହିଲେ, ‘ଆଜି ଯଦି ମୁଁ ଏତେ ଦଣ୍ଡ ଭୋଗୁଛି କେବଳ ନିଜ କୃତକର୍ମ ପାଇଁ । ଜୀବନରେ ସେହି ଭୁଲ୍ ପାଇଁ ସାରା ଜୀବନ ମୋତେ ପଶ୍ଚାତାପ କରିବାକୁ ପଡ଼ୁଛି। ସେହି କଅଁଳା ଛୁଆର ଜୀବନ ନେଇ ମୁଁ ଯେଉଁ ଭୁଲ୍ କରିଛି ଏ ଜନ୍ମରେ ଦଣ୍ଡ ସରିବ ନାହିଁ।
ହରିବାବୁ ଯାହା ଭାବୁଥିଲେ ତାହା ହିଁ ହେଲା।
ଚାକିରି ସରିବାର ଅଳ୍ପ କିଛି ବର୍ଷ ଥାଏ । ସେ ପଦୋନ୍ନତିକୁ ଆଶା କରିଥା’ନ୍ତି। ସେତକ ମଧ୍ୟ ହାତରୁ ଚାଲିଗଲା। ବିନା ପଦୋନ୍ନତିରେ ସେ ଅବସର ନେଲେ।
ଚାକିରି ସରିବା ପରେ ହରିବାବୁ ଘରୋଇ କମ୍ପାନୀରେ କାମ କରିବାକୁ ନିଷ୍ପତ୍ତି ନେଲେ ଆଉ ଇଣ୍ଟରଭ୍ୟୁ ଦେଇ ସଫଳ ହେଲେ। କିନ୍ତୁ ନୂଆ ଚାକିରିର ପ୍ରଥମ ଦିନ କାମ ସାରି ଏକ ଗଡ଼ାଣି ରାସ୍ତାରେ ଘରକୁ ଫେରୁଥିବା ବେଳେ ଜଣେ ସାଇକେଲ ଚାଳକ ତାଙ୍କ ଉପରେ ସାଇକେଲ ଚଢ଼ାଉଦେଲା। ଆଉ କହିଲା, ‘ସାର୍ ଭୁଲ୍ ହେଇଗଲା। ହରିବାବୁ କହିଲେ,‘ନାଇଁ ଆଜ୍ଞା, ଆପଣଙ୍କର କିଛି ଦୋଷ ନାହିଁ । ମୋର ଏତକ ଭୋଗିବା ବାକି ଥିଲା।’
ସତେ ଯେମିତି ହରିବାବୁ ଦଣ୍ଡ ଭୋଗିବାକୁ ଆଗରୁ ପ୍ରସ୍ତୁତ ହୋଇ ରହିଥିଲେ। ଦୁର୍ଘଟଣା ଘଟାଇଥିବା ସାଇକେଲ ଚାଳକ କିଛି ବୁଝିପାରିଲେ ନାହିଁ । ଆଉ ସନ୍ତର୍ପଣର ସହ ଜାଗା ଛାଡ଼ି ପଳାଇଲେ।
ଛୋଟେଇ ଛୋଟେଇ ହରିବାବୁ ଘରେ ପହଞ୍ଚିଲେ। ଚିକିତ୍ସା ପରେ ଗୋଡ଼ର ଘାଆ ଶୁଖିଗଲା ସିନା ସେହିଦିନୁ ଛୋଟା ହୋଇଗଲେ ହରିବାବୁ। ଆଉ ସବୁଠୁ ଦୁଃଖର କଥା ହେଉଛି ହରିବାବୁ ଯେଉଁଦିନ ଆଖି ବୁଜିଲେ ସେଦିନ ତାଙ୍କ ପାଖରେ ତାଙ୍କର କେହି ପୁଅ ଝିଅ ନ ଥିଲେ। ସମ୍ଭବତଃ ଏହା ଥିଲା ସେହି କଅଁଳା ଶିଶୁର ଅଭିଶାପ ତା ବାପା ଉପରେ।
ହରିବାବୁ ଗୋଟିଏ କନ୍ୟା ସନ୍ତାନକୁ ମାରି ଅନ୍ୟମାନଙ୍କ ସହ ଭଲରେ ରହିବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଗୋଟିଏ ଅଭିଶାପରେ ଧୂଳିସାତ୍ ହୋଇଗଲା। ନା ସିଏ ଭଲରେ ରହିଲେ ନା ତାଙ୍କ ପୁଅ ଝିଅ।
ଏହି ଗଳ୍ପର ସାରମର୍ମ ହେଉଛି...
କନ୍ୟା ହେଉଛି ସରଗର ସୁନ୍ଦର କଢ଼ିଟିଏ। ତାକୁ ଆପଣଙ୍କ କୋଳରେ ଫୁଟିବାକୁ ଦିଅନ୍ତୁ। ତାକୁ ଯତ୍ନ କରି ରତ୍ନ ପାଆନ୍ତୁ। ନ ହେଲେ ଭସ୍ମ ହେବା ନିଶ୍ଚିତ। ନିଷ୍ପାପ ଜୀବର ଜୀବନ ନେଲେ କୋଟିଏ ଗୋଦାନ କଲେ ମଧ୍ୟ ପାପ ସରେ ନାହିଁ।
ପାପର ପ୍ରାୟଶ୍ଚିତ ଏତେ ସହଜ ନୁହେଁ। ଏ ଥିଲା ହରିବାବୁଙ୍କ କର୍ମଫଳ। ଆପଣଙ୍କ ଚାରିପାଖରେ ଏହି ଭଳି ଅନେକ ଉଦାହରଣ ରହିଛି। ସବୁ ପାପର ପ୍ରାୟଶ୍ଚିତ ସମୟ ଭିନ୍ନ ଭିନ୍ନ। ହରିବାବୁଙ୍କ ପାପ ସରିଗଲା କି ଆର ଜନ୍ମକୁ ବାକି ରହିଲା ତାହା କହି ହେବ ନାହିଁ।
ହେ ଈଶ୍ୱର! ଏ କନ୍ୟାରତ୍ନକୁ ରକ୍ଷା କର।
ସର୍ବେ ଭବନ୍ତୁ ସୁଖୀନଃ॥ ସର୍ବେସନ୍ତୁ ନିରାମୟଃ॥ ସର୍ବେ ଭଦ୍ରାଣି ପଶ୍ୟନ୍ତୁ॥ ମା କଶ୍ଚିତ୍ ଦୁଃଖଭାଗ୍ଭବେତ୍॥
ଓଁ ଶାନ୍ତିଃ॥ ଶାନ୍ତିଃ॥ ଶାନ୍ତିଃ॥
Image Credit- SlideShare
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।