Advertisment

ଈଶ୍ୱରଙ୍କୁ ଦେଖିହୁଏ ନାହିଁ, କିନ୍ତୁ ବିଶ୍ୱାସ କଲେ ସେ ବାଟ ଦେଖାନ୍ତି

ଓମ୍‌ପ୍ରକାଶ ସାହୁ   ଈଶ୍ୱର ସବୁଠି ବିଦ୍ୟମାନ। ତାଙ୍କୁ ଦେଖିହୁଏ ନାହିଁ । କିନ୍ତୁ ଅନୁଭବ କରିହୁଏ। ତେଣୁ ବିଶ୍ୱାସେ ମିଳନ୍ତି ହରି ବୋଲି କୁହାଯାଏ। ଅର୍ଥାତ୍ ମଣିଷ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ନିକଟରେ ସମର୍ପିତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରିପାରିବ ନାହିଁ । ଈଶ୍ୱରୀୟ ସତ୍ତା ଅନୁଭବ କରିବାର ତୃଷ୍ଣା ଯେ ପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ କିଛି ବି ସମ୍ଭବ ନୁହେଁ। ବିନା ବିଶ୍ୱାସରେ ମନ୍ତ୍ର ଉଚ୍ଚାରଣରେ […]

author-image
Sampad Mahapatra
ଅଦ୍ୟତନ ହୋଇଛି
ଈଶ୍ୱରଙ୍କୁ ଦେଖିହୁଏ ନାହିଁ, କିନ୍ତୁ ବିଶ୍ୱାସ କଲେ ସେ ବାଟ ଦେଖାନ୍ତି

Together-We-Chant

  • ଓମ୍‌ପ୍ରକାଶ ସାହୁ  

ଈଶ୍ୱର ସବୁଠି ବିଦ୍ୟମାନ। ତାଙ୍କୁ ଦେଖିହୁଏ ନାହିଁ । କିନ୍ତୁ ଅନୁଭବ କରିହୁଏ। ତେଣୁ ବିଶ୍ୱାସେ ମିଳନ୍ତି ହରି ବୋଲି କୁହାଯାଏ। ଅର୍ଥାତ୍ ମଣିଷ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ନିକଟରେ ସମର୍ପିତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରିପାରିବ ନାହିଁ । ଈଶ୍ୱରୀୟ ସତ୍ତା ଅନୁଭବ କରିବାର ତୃଷ୍ଣା ଯେ ପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ କିଛି ବି ସମ୍ଭବ ନୁହେଁ।

Advertisment

ବିନା ବିଶ୍ୱାସରେ ମନ୍ତ୍ର ଉଚ୍ଚାରଣରେ କିଛି ଲାଭ ହୁଏ ବି ନାହିଁ। କିନ୍ତୁ ଆମେ କହୁ, ମନ୍ତ୍ର କାମ ଦେଉନାହିଁ। କିନ୍ତୁ ବିଶ୍ୱାସ ସହ ମନ୍ତ୍ର ଜପରେ ଏକ ପ୍ରକାର କମ୍ପନ (Vibration)ସୃଷ୍ଟି ହୁଏ ଓ ତାହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ।

ମଣିଷ ଯେତେବେଳେ ବିପଦ ଓ ଦ୍ୱନ୍ଦ୍ୱରେ ପଡ଼େ ଆଉ ସମାଧାନ ରାସ୍ତା ଖୋଜେ ସେତିକି ବେଳେ ସେ ଈଶ୍ୱରଙ୍କୁ ଖୋଜିଥାଏ।

Advertisment

ପଢ଼ନ୍ତୁ ଥାଇଲାଣ୍ଡର ଏହି ସୁନ୍ଦର ଗଳ୍ପ, ହୁଏତ ଆପଣଙ୍କୁ ଏହି ଗଳ୍ପରୁ ଅନେକ ସମସ୍ୟାର ସମାଧାନ ରାସ୍ତା ମିଳିପାରେ।

ଚାଞ୍ଚାଇ ନାମରେ ଜଣେ ଯୁବକ ପାଠପଢ଼ୁଥିବା ବେଳେ ତାଙ୍କ ବାପା ମା’ଙ୍କୁ ହରାଇଲେ। ବହୁ କଷ୍ଟରେ ପାଠ ପଢ଼ା ସରିବା ପରେ ଚାକିରି ନ କରି ନିଜର ପୈତୃକ କପଡ଼ା ବ୍ୟବସାୟକୁ ଚଳାଇଲେ। ତାଙ୍କର କୌଣସି ଅଭିଜ୍ଞତା ନ ଥିବାରୁ ବ୍ୟବସାୟ ଆରମ୍ଭରୁ କ୍ଷତିରେ ଚାଲିଲା। ତେଣୁ ସେ ସବୁବେଳେ ଚିନ୍ତାଗ୍ରସ୍ତ ରହିଲେ।

publive-image

ତାଙ୍କ ପଡ଼ୋଶୀ ଥିଲେ ଚାଓ। ସେ କିଛି କାମ ଧନ୍ଦା କରୁ ନ ଥିଲେ କିନ୍ତୁ ଭଲରେ ଥିଲେ। ସତକଥା ହେଉଛି, ସେ ରାତିରେ ଚୋରି କରିବାକୁ ଯାଉଥିଲେ। ଦିନଯାକ ଘରେ ରହୁଥିଲେ। ଏ କଥା କେହି ଜାଣି ନ ଥିଲେ। ତେଣୁ ଚାଞ୍ଚାଇ ନିଜ ପଡ଼ୋଶୀ ଚାଓଙ୍କ ସହ ନିଜକୁ ତୁଳନା କରୁଥିଲେ ଓ ଦୁଃଖୀ ହେଉଥିଲେ।

ସେ ମନେ ମନେ ଭାବୁଥିଲେ ଶୀଘ୍ର ଶୀଘ୍ର ରୋଜଗାର କରିବା ପାଇଁ। ଯାହା ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା।

ସେ ଜଣେ ସାଧୁଙ୍କ ପାଖକୁ ଗଲେ। ସାଧୁ ଜଣଙ୍କ ତାଙ୍କ କଥା ଶୁଣି ସାରିବା ପରେ କହିଲେ, 'ମୋ ପାଖରେ କିଛି ଯାଦୁବାଡ଼ି ନାହିଁ ଯେ ମୁଁ ତୁମକୁ ଦେବି ଆଉ ତୁମ ସମସ୍ୟାର ସମାଧାନ ହୋଇଯିବ। ତୁମ ସମସ୍ୟାର ସମାଧାନ ତୁମ ପାଖରେ ଅଛି।’

ବ୍ୟବସାୟୀ କହିଲେ, ମୁଁ ବୁଝିପାରୁନି। ମୋ ସମସ୍ୟାର ସମାଧାନ କ’ଣ ମୋ ପାଖରେ ଅଛି ?
ସାଧୁ କହିଲେ, ‘ଆପଣ ଆପଣଙ୍କ ସମସ୍ୟାର ସମାଧାନ ପାଇଁ କ’ଣ ଉଦ୍ୟମ କରିଛନ୍ତି’।
ବ୍ୟବସାୟୀ କହିଲେ, ‘ବହୁ ଉଦ୍ୟମ କରିଛି, କିନ୍ତୁ ଥଳକୂଳ ପାଉ ନାହିଁ।'

ସାଧୁ କହିଲେ, 'ଯାହା ଜଣାପଡୁଛି ଆପଣ କେବଳ ଚିନ୍ତା କରିଛନ୍ତି କିନ୍ତୁ ଉଦ୍ୟମ କରି ନାହାନ୍ତି।'
ବ୍ୟବସାୟୀ କହିଲେ ‘ସମ୍ଭବତଃ ସେୟା ହିଁ ହୋଇଛି’।

ଏଥର ସାଧୁ ଜଣଙ୍କ ତାଙ୍କୁ ଏକ ମନ୍ତ୍ର କହିଲେ। କହିଲେ, ଏହି ‘ମନ୍ତ୍ରକୁ ପ୍ରତିଦିନ ଜପ କଲେ ଆପଣଙ୍କର ସମସ୍ତ ସମସ୍ୟା ସମାଧାନ ହୋଇପାରେ। କିନ୍ତୁ ଆପଣଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିବ। ଆପଣ ମନ୍ତ୍ର ଜପ କରନ୍ତୁ। ତା’ ପରେ ଦୁଇ ସପ୍ତାହ ପରେ ଦେଖିବା।’

publive-image

ବ୍ୟବସାୟୀ ଘରକୁ ଫେରିଗଲେ। କିନ୍ତୁ ମନ୍ତ୍ର ଠିକ୍ ଭାବେ ଜପ କଲେ ନାହିଁ।
କାରଣ,ମନ୍ତ୍ରକୁ ସେ ଠିକ୍ ଭାବେ ବୁଝିପାରିଲେ ନାହିଁ କି କେଉଁ ସ୍ଥାନରେ ଜପ କରିବେ, ତାହା ଜାଣି ନ ଥିଲେ। ଦୁଇ ସପ୍ତାହ ପରେ ସେ ପୁଣି ସାଧୁଙ୍କୁ ଯାଇ କହିଲେ, ‘ଆଜ୍ଞା କିଛି ଲାଭ ହେଲା ନାହିଁ।'
ସାଧୁ କହିଲେ ଯାହା ଜଣାପଡୁଛି ଆପଣ ମନ୍ତ୍ର ଜପ କରିନାହାନ୍ତି।’
ବ୍ୟବସାୟୀ କହିଲେ,'ହଁ ଜପ କରୁଛି। କିନ୍ତୁ ବୁଝିପାରୁ ନ ଥିବାରୁ ଇଛା ହେଉ ନାହିଁ।'

ସାଧୁ କହିଲେ, ‘ଠିକ୍‌ ଅଛି। ଏଥର ଶୁଣନ୍ତୁ ....‘
ଶିଶୁଟି ଯେତେବେଳେ ମା ଗର୍ଭରୁ ଜନ୍ମ ହୁଏ ସେତେବେଳେ ସେ କେବଳ ମା କ୍ଷୀର ହିଁ ଖୋଜେ। କିନ୍ତୁ ସେ ଚିନ୍ତା କରେ ନାହିଁ ଯେ କ୍ଷୀରରେ କ’ଣ ସବୁ ଉପାଦାନ ରହିଛି। ତାହା ଖାଇବା ଠିକ୍‌ ହେବ କି ନାହିଁ। ତା’ ପାଇଁ ମା କ୍ଷୀରର ବିକଳ୍ପ ନ ଥାଏ। ତେଣୁ ସେ ମା କ୍ଷୀରରେ ହିଁ ବିଶ୍ୱାସ କରେ। ଠିକ୍‌ ସେମିତି ଆପଣ ଏହି ମନ୍ତ୍ର ଉପରେ ବିଶ୍ୱାସ କରନ୍ତୁ।'

ବ୍ୟବସାୟୀ କହିଲେ, ‘ମୋର କ’ଣ ଅସୁବିଧା ଅଛି ମୁଁ ଈଶ୍ୱରଙ୍କୁ କେମିତି ଜଣାଇବି।’
ସାଧୁ କହିଲେ, ‘ଶିଶୁକୁ ଯେତେବେଳେ ଭୋକ କରେ ସେ କ’ଣ କରେ?’
ବ୍ୟବସାୟୀ କହିଲେ, 'ଶିଶୁଟି ଗୋଡ଼ ହାତ ବାଡ଼େଇ କାନ୍ଦେ।'

ସାଧୁ କହିଲେ, ‘ଠିକ୍ କହିଛନ୍ତି, ଆପଣଙ୍କୁ ଈଶ୍ୱରଙ୍କ ପାଖରେ କାନ୍ଦିବାକୁ ପଡ଼ିବ। ଯେମିତି ଶିଶୁଟି କାନ୍ଦିବା ମାତ୍ରେ ମା’ ତା ଛୁଆକୁ କ୍ଷୀର ଦିଏ। ଆପଣ ସେମିତି ଈଶ୍ୱରଙ୍କ ପାଖରେ ନ କାନ୍ଦିଲେ ଆପଣଙ୍କୁ ମନ୍ତ୍ର ଜପରୁ କିଛି ମିଳିବ ନାହିଁ । ଆପଣଙ୍କର ମନ୍ତ୍ର ଉପରେ ବିଶ୍ୱାସ ନ ଆସିବା ପର୍ଯ୍ୟନ୍ତ ମନ୍ତ୍ର କାମ ଦେବ ନାହିଁ।

ବ୍ୟବସାୟୀ କହିଲେ,‘ ଈଶ୍ୱରଙ୍କୁ କୋଉଠୁ ପାଇବି?
ସାଧୁ କହିଲେ, ‘ଈଶ୍ୱର ସର୍ବବ୍ୟାପୀ, ସେ ଆପଣଙ୍କ ଭିତରେ ଅଛନ୍ତି, ଆକାଶରେ ଅଛନ୍ତି ଆଉ ଆପଣଙ୍କ ଘରକାନ୍ଥରେ ବି ଅଛନ୍ତି’
ବ୍ୟବସାୟୀ ଆଶ୍ଚର୍ଯ୍ୟ ହୋଇ କହିଲେ, ‘ଘରକାନ୍ଥରେ ଈଶ୍ୱର ଅଛନ୍ତି?
ସାଧୁ କହିଲେ, ହଁ, ଆପଣ ତାଙ୍କୁ ଜପ କରି ସନ୍ତୁଷ୍ଟ କରିପାରିଲେ ସମସ୍ୟାର ସମାଧାନ ବାଟ ଫିଟିବ।

ବ୍ୟବସାୟୀ ଏଥର ବୁଝିଗଲେ ଓ ଘରକୁ ଯାଇ ଜପ କରିବାକୁ ଲାଗିଲେ। ହେଲେ କିଛି ଫଳ ମିଳିଲା ନାହିଁ। ସେ ପୁଣି ସାଧୁଙ୍କ ପାଖକୁ ଗଲେ ଓ ନିରାଶ ହୋଇ କହିଲେ, ‘ମହାଶୟ, କିଛି ଲାଭ ହେଉ ନାହିଁ।'

ସାଧୁ କହିଲେ, ‘ମୁଁ ଜାଣିଥିଲି ଆପଣ ପୁଣି ଫେରିବେ ଓ ଏଇ କଥା କହିବେ। ଆପଣ ଉକ୍ତ ମନ୍ତ୍ର ଜପ କରି ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ଯେ ହେ ଈଶ୍ୱର ମୋର କିଛି ଲୋଡ଼ା ନାହିଁ ଆପଣଙ୍କ ଉପରେ ବିଶ୍ୱାସ ଲୋଡ଼ା। ତେଣୁ ଆପଣ ମୋତେ ଆପଣଙ୍କ ଉପରେ ବିଶ୍ୱାସ ଦିଅନ୍ତୁ। ଧୀରେ ଧୀରେ ସବୁ ଠିକ୍‌ ହୋଇଯିବ।'

ଚାଞ୍ଚାଇ ଏଥର ବୁଝିଗଲେ ଯେ ବିନା ବିଶ୍ୱାସରେ କିଛି ହେବ ନାହିଁ । ସେ ଘରକୁ ଯାଇ ସାଧୁଙ୍କ ମନ୍ତ୍ର ଜପ କରୁ କରୁ ତାଙ୍କର ଈଶ୍ୱରଙ୍କ ଉପରେ ବିଶ୍ୱାସ ବଢ଼ିବା ସହ ଆତ୍ମ ବିଶ୍ୱାସ ମଧ୍ୟ ବଢ଼ିଗଲା। ସତେ ଯେମିତି ନିଜ ଭିତରେ ସିଂହର ବଳ ଆସିଲା। କିନ୍ତୁ ତାଙ୍କର ଅନୁଭବ ଆସିଲା ଯେ, ଅଭିଜ୍ଞତା ଅଭାବରୁ ସେ ଏକାକୀ ନିଜ କପଡ଼ା ବ୍ୟବସାୟ ଚଳାଇପାରିବେ ନାହିଁ। ଜଣେ କର୍ମଚାରୀ ବା ଅଭିଜ୍ଞ ସହଯୋଗୀଙ୍କ ଦ୍ୱାରା ହିଁ ତାହା ସମ୍ଭବ ହୋଇପାରିବ।

ତା’ ଛଡ଼ା ତାଙ୍କ ପାଖରେ ଈଶ୍ୱରଦତ୍ତ ପ୍ରତିଭା ‘ବିଦ୍ୟା’ ରହିଛି। କିନ୍ତୁ ସେ ତା'ର ଉପଯୋଗ ଏଯାଏ କରିପାରି ନାହାନ୍ତି । ତେଣୁ ସେ ଏକ ପାଠଶାଳା ଖୋଲିବାକୁ ନିଷ୍ପତ୍ତି ନେଲେ ଓ ତାଙ୍କ ଭିତରେ ଥିବା ବିଦ୍ୟା ବିତରଣ କରି ଆୟ କରିବାକୁ ଚାହିଁଲେ।

ଇତି ମଧ୍ୟରେ ତାଙ୍କ ପଡ଼ିଶା ଚାଓ ସବୁ ଆଡ଼େ ଚୋରିରେ ବିଫଳ ହୋଇ ଚାଞ୍ଚାଇଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ପଶିଲା। ରାତିରେ ଉଜାଗର ରହିଥିବା ଚାଞ୍ଚାଇଙ୍କ ହାବୁଡ଼ରେ ପଡ଼ିଗଲା ଚାଓ। ସେ ଚାଞ୍ଚାଇଙ୍କୁ ଦେଖି ଲଜ୍ଜିତ ହେଲା ଓ କହିଲା ’ମୁଁ ପ୍ରତିଦିନ ଚୋରି କରି ହିଁ ବଞ୍ଚୁଛି’।

ଚାଞ୍ଚାଇ ଏ ପର୍ଯ୍ୟନ୍ତ ଏକ ଚୋର ସହ ନିଜକୁ ତୁଳନା କରୁଥିବାରୁ ମନେ ମନେ ହସିଲେ ଓ ତାଙ୍କ ପଡ଼ିଶାଙ୍କୁ କହିଲେ ମୁଁ ଆପଣଙ୍କୁ କ୍ଷମା କରିଦେବି ଏକ ସର୍ତ୍ତରେ। ଆପଣ ଆଜିଠାରୁ ଚୋରି ଧନ୍ଦା ଛାଡ଼ନ୍ତୁ। ଚାଓ ରାଜି ହେଲେ ଓ କହିଲେ ତେବେ ମୁଁ ପରିବାର ପୋଷିବି କେମିତି? ଚାଞ୍ଚାଇ କହିଲେ ଆପଣ ଯେଉଁ ବିଦ୍ୟାକୁ ଅନ୍ୟର କ୍ଷତିରେ ବିନିଯୋଗ କରୁଥିଲେ ସେହି ବିଦ୍ୟାକୁ ଏହି ବ୍ୟବସାୟରେ ବିନିଯୋଗ କରନ୍ତୁ। ଆଜିଠାରୁ ଆପଣ ମୋ ବ୍ୟବସାୟର ପୂରା ଦାୟିତ୍ୱ ନିଅନ୍ତୁ। ମୁଁ ଆଜିଠାରୁ ଆପଣଙ୍କୁ ସହଯୋଗ କରିବି। ମୁଁ ଏକ ପାଠଶାଳା ଖୋଲିବାକୁ ଚାହୁଁଛି।

ଚୋର କହିଲା, ଠିକ୍ ଅଛି, ଏହା ଅତ୍ୟନ୍ତ ଉତ୍ତମ କଥା। ଆପଣ ମୋ ସମ୍ମାନ ରଖିଥିବାରୁ ମୁଁ ମଧ୍ୟ ଆପଣଙ୍କୁ ସହଯୋଗ କରିବି । ଆପଣ ମୋ ଘରକୁ ପାଠଶାଳା ଗୃହ ଭାବେ ବ୍ୟବହାର କରିପାରିବେ। ଚାଞ୍ଚାଇ ଖୁସି ହେଲେ। କିଛି ଦିନ ଭିତରେ ଚାଞ୍ଚାଇଙ୍କ ପାଠଶାଳା ବହୁତ ନାଁ କମାଇଲା । ଚାଞ୍ଚାଇ ସଫଳତାର ଶିଖରରେ ପହଞ୍ଚିଲେ।

ସେପଟେ ଚାଞ୍ଚାଇଙ୍କ ବ୍ୟବସାୟ ମଧ୍ୟ ଭଲ ଚାଲିଲା। ଚାଓ ବ୍ୟବସାୟର ଦାୟିତ୍ୱ ନେବା ପରେ ଅନୁଭବ କଲେ ଯେ ତାଙ୍କ ଉତ୍ପାଦ ଉଚ୍ଚକୋଟୀର ହୋଇ ନଥିବାରୁ ଆକର୍ଷଣୀୟ ହେଉ ନାହିଁ। ତେଣୁ ସେ ଭଲ ଭଲ ଜିନିଷ ଆଣିଲେ ଓ ତାକୁ ସ୍ୱଳ୍ପ ଲାଭରେ ବିକ୍ରି କଲେ। ଧୀରେ ଧୀରେ ବ୍ୟବସାୟରେ ଉନ୍ନତି ହେଲା। ଉଭୟଙ୍କ ସହଯୋଗରେ ସବୁ ସୁରୁଖୁରୁରେ ଚାଲିଲା।

ଚାଞ୍ଚାଇ ଥରେ ସାଧୁଙ୍କ ପାଖକୁ ଯାଇ ସବୁ କଥା କହିଲେ ।

ସାଧୁ କହିଲେ, ଆପଣ ଯାହା ଭାବି ନ ଥିଲେ ତାହା ହେଲା, ଯାହା ଖୋଜୁ ନ ଥିଲେ ଈଶ୍ୱର ତାହା ଦେଲେ।

ଆପଣଙ୍କ ପ୍ରାର୍ଥନାରେ ଶକ୍ତି ଥିଲା ବୋଲି ଈଶ୍ୱର ଆପଣଙ୍କୁ ଠିକ୍ ରାସ୍ତା ଦେଖାଇଲେ। ଆପଣ ଈଶ୍ୱରଙ୍କୁ ସମସ୍ୟାର ସମାଧାନ ପାଇଁ ପ୍ରାର୍ଥନା କରୁଥିଲେ। ଈଶ୍ୱର ଆପଣଙ୍କୁ ଦୁଇ ଦୁଇଟି ଜିନିଷ ଦେଲେ। ଏକାଗ୍ରତାର ସହ ଜପ ବା Focused chanting ଦ୍ୱାରା ଆପଣଙ୍କର ତ ଲାଭ ହେଲା। ଆପଣଙ୍କ ପଡ଼ୋଶୀ ବି ଆପଣଙ୍କ ହାବୁଡ଼ରେ ପଡ଼ି ଏକ ଖରାପ ରାସ୍ତାରୁ ବାହାରି ଆସିଲେ। ତେଣୁ ଆପଣ ତାଙ୍କର ଉନ୍ନତି କରି ଓ ତାଙ୍କୁ ସାହାଯ୍ୟ କରି ନିଜ ପାଇଁ good fortune ବା ସୌଭାଗ୍ୟ ଆଣିଲେ।

ଏହି ଗଳ୍ପର ସାରମର୍ମ ହେଉଛି .....
ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ସେ ଏମିତି ପରିବେଶ ଓ ପରିସ୍ଥିତି ସୃଷ୍ଟି କରନ୍ତି ଯେ ଅସଜଡ଼ା ଜିନିଷ ମଧ୍ୟ ସଜାଡ଼ି ହୋଇଯାଏ। ଆପଣଙ୍କର ଯଦି ଈଶ୍ୱରଙ୍କ ଉପରେ ବିଶ୍ୱାସ ରହିଥିବ ତେବେ ସବୁ ଜିନିଷ ଆପେ ଆପେ ଠିକ୍ ହୋଇଯିବ। ତେବେ ଆପଣ ଯଦି କାହାର କ୍ଷତି କରିବା ପାଇଁ ଚାହିଁବେ ଆଉ ଈଶ୍ୱରଙ୍କୁ ଡାକିବେ ଆପଣଙ୍କର ଶହେ ଗୁଣା କ୍ଷତି ହେବ ଯାହା ଭରଣା କରିହେବ ନାହିଁ।