ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଆସାମ ନ୍ୟାଶନାଲ୍ ରେଜିଷ୍ଟର ଅଫ୍ ସିଟିଜେନ୍ସ(ଏନ୍ଆର୍ସି)ର ଚୂଡ଼ାନ୍ତ ଡ୍ରାଫ୍ଟ ଲିଷ୍ଟ ଆଜି ପ୍ରକାଶ ପାଇଛି। ୩.୨୯ କୋଟି ଲୋକ ନାଗରିକତ୍ୱ ପାଇଁ ଆବେଦନ କରିଥିବା ବେଳେ ୨.୮୯ କୋଟି ଲୋକଙ୍କୁ ଅନୁମତି ମିଳିଛି।
ନାଗରିକତ୍ୱ ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍ ପଡ଼ିଛନ୍ତି। ଅର୍ଥାତ ଏହି ୪୦ ଲକ୍ଷ ଆସାମବାସୀ ଭାରତୀୟ ହେବାର ମାନ୍ୟତା ହରାଇଛନ୍ତି।
ଆସାମରେ ନାଗରିକତ୍ୱ ପାଉଥିବା ଲୋକଙ୍କୁ ଏକ ପରିଚୟପତ୍ର ଦିଆଯାଏ, ଯେଉଁଥିରେ ସେମାନଙ୍କ ନାଁ, ଠିକଣା ଓ ଫଟୋ ରହିଥାଏ। ଯାହା ପାଖରେ ଏଭଳି ପରିଚୟପତ୍ର ନଥିବ, ସେ ବେଆଇନ୍ ଭାବେ ଏଠାରେ ରହୁଛି ବୋଲି ଧରାଯିବ। ୧୯୮୫ରୁ ଏହି ନିୟମ ଲାଗୁ ହୋଇଛି।
ଏନ୍ଆର୍ସିର ସଂଯୋଜକ ଶୈଲେଶ କହିଛନ୍ତି, ଏହା କେବଳ ଚୂଡ଼ାନ୍ତ ଡ୍ରାଫ୍ଟ ଲିଷ୍ଟ। ଏହା ଚୂଡ଼ାନ୍ତ ନାଗରିକତ୍ୱ ଲିଷ୍ଟ ନୁହେଁ। ଯେଉଁ ଲୋକଙ୍କ ନାଁ ଏହି ଡ୍ରାଫ୍ଟ ଲିଷ୍ଟ୍ରେ ନାହିଁ ବା ଯାହାର କିଛି ଅଭିଯୋଗ ରହିଛି, ସେମାନେ ଏନ୍ଆର୍ସି ସେବା କେନ୍ଦ୍ରରେ ଆବେଦନ କରିପାରିବେ।
ଅଭିଯୋଗ ଦାଖଲ ପ୍ରକ୍ରିୟା ଅଗଷ୍ଟ ୩୦ରୁ ଆରମ୍ଭ ହୋଇ ସେପ୍ଟେମ୍ୱର ୨୮ ଯାଏ ଚାଲିବ। ଯେଉଁମାନେ ଭାରତର ପ୍ରକୃତ ନାଗରିକ, ସେମାନେ ଭୟ କରିବା ଦରକାର ନାହିଁ। ତେବେ ଏହି ୪୦ ଲକ୍ଷ ଲୋକ ଭୋଟ୍ ଦେଇ ପାରିବେ କି ନାହିଁ, ସେ କଥା ନିର୍ବାଚନ କମିଶନ୍ ନିଷ୍ପତ୍ତି ନେବେ ବୋଲି ବୋଲି ସେ କହିଛନ୍ତି।
୪୦ ଲକ୍ଷ ଲୋକ ତାଲିକାରୁ ବାଦ୍ ପଡ଼ିଥିବାରୁ ବିରୋଧୀ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟସଭାରେ ଏହାକୁ ନେଇ ବିରୋଧୀ ହୋ-ହାଲ୍ଲା କରିବାରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି, କିଛି ଲୋକ ଏହି ତାଲିକାକୁ ନେଇ ଭୁଲ ଭାବେ ମତବ୍ୟକ୍ତ କରୁଛନ୍ତି। ସେମାନେ ଲୋକଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହା କେବଳ ଏକ ଡ୍ରାଫ୍ଟ। ଏହା ଆଗକୁ ବଦଳି ପାରିବ ବୋଲି ସେ କହିଛନ୍ତି।
ଆସାମକୁ ପଡ଼ୋଶୀ ବାଂଲାଦେଶ ଓ ଅନ୍ୟ ଦେଶରୁ ଲୋକମାନେ ବେଆଇନ୍ ଭାବେ ଚାଲିଆସି ଏଠାରେ ରହୁଛନ୍ତି। ଫଳରେ ଏଠାରେ ବେଆଇନ୍ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାଦ୍ୱାର ରାଜନୀତିକ ସମସ୍ୟା ସୃଷ୍ଟି ହେବା ସହ ଧର୍ମ ଦୃଷ୍ଟିରୁ ବିଦ୍ୱେଷ ଭାବ ମଧ୍ୟ ସୃଷ୍ଟି ହେଉଛି।
ଆସାମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ନାଗରିକତ୍ୱ ପାଇଁ ପଞ୍ଜୀକରଣ ନିୟମ ରହିଛି। ଏଠାରେ ରହୁଥିବା ନାଗରିକମାନେ ବେଆଇନ୍ ଭାବେ ଭୋଟ୍ ଦେବା ସହ ଆସାମର ଭୌଗଳିକ ସ୍ଥିତିକୁ ମଧ୍ୟ ବଦଳାଇ ଦେଉଛନ୍ତି।
ନିଜ ନାଁକୁ ପଞ୍ଜୀକରଣ କରିବାକୁ ହେଲେ ଜଣେ ବ୍ୟକ୍ତି ୧୯୭୧ ମସିହା ମାର୍ଚ୍ଚ ୨୪ ପୂର୍ବରୁ ତାଙ୍କ ପରିବାର ବର୍ଗ ଆସାମରେ ରହୁଥିଲେ ବୋଲି ଉପଯୁକ୍ତ ଦସ୍ତାବିଜ୍ ଦେବାକୁ ପଡ଼ିବ। କାରଣ ୧୯୭୧ ମସିହା ମାର୍ଚ୍ଚ ୨୫ରେ ବାଲାଂଦେଶ ଲିବରେସନ୍ ୱାର୍ ଆରମ୍ଭ ହୋଇଥିଲା। ଏହି ଯୁଦ୍ଧ ଡିସେମ୍ୱର ୧୬ ଯାଏ ଚାଲିଥିଲା ଏବଂ ବିଧିବଦ୍ଧ ଭାବେ ବାଂଲାଦେଶ ଗଠିତ ହୋଇଥିଲା।
କିନ୍ତୁ ମାର୍ଚ୍ଚ ୨୬ରୁ ହିଁ ଶେଖ୍ ମୁଜିବୁର୍ ରେହମାନ୍ ବାଂଲାଦେଶ ଗଠନ ହେଲା ବୋଲି ଘୋଷଣା କରିଥିଲେ। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନ୍ଆର୍ସି ପକ୍ଷରୁ ଆସାମରେ ନାଗରିକତ୍ୱ ପାଇଁ ନିୟମ ପ୍ରଣୟନ କରାଯାଇଥିଲା।
ପ୍ରଥମ ଏନ୍ଆର୍ସି ଡ୍ରାଫ୍ଟ ୧୯୫୧ରେ ରିଲିଜ୍ କରାଯାଇଥିଲା। ସେତେବେଳେ ଆସାମର ଜନସଂଖ୍ୟା ୮୦ ଲକ୍ଷ ରହିଥିଲା। ତେବେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଏଏଏସ୍ୟୁ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ୨୦୦୫ରେ ଏନ୍ଆର୍ସି ଡ୍ରାଫ୍ଟକୁ ଅପଡେଟ୍ କରାଯିବାକୁ ନିଷ୍ପତ୍ତି ହୋଇଥିଲା।
କିନ୍ତୁ ଅପଡେଟ୍ ସମୟରେ ବିଭିନ୍ନ ସ୍ଥାନରେ ହିଂସା ଘଟିବାରୁ ଏହାକୁ ବନ୍ଦ ରଖାଯାଇଥିଲା। ୨୦୦୯ରେ ଆସାମ ପବ୍ଲିକ୍ ୱାର୍କସ୍(ଏପିଡବ୍ଲ୍ୟୁ) ନାମକ ଏକ ଏନ୍ଜିଓ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଅପଡେଟ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ପାଖାପାଖି ୩.୨୯ କୋଟି ଲୋକ ନାଗରିକତ୍ୱ ପାଇଁ ଆବେଦନ କରିଥିଲେ। ଏନ୍ଆର୍ସିର ପ୍ରଥମ ଡ୍ରାଫ୍ଟ୍ ଡିସେମ୍ୱରରେ ପ୍ରକାଶ ପାଇଥିଲା। ଏହି ତାଲିକାରେ ୧.୯୦ କୋଟି ଲୋକ ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।