ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କୀ ବିରୋଧରେ ଚାଲିଥିବା ଅପରେଶନରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା ମିଳିଛି। ଶୋପିଆନର ସୁଗୁ ହେନ୍ଧାମା ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟରେ ଭାରତୀୟ ସୁରକ୍ଷାକର୍ମୀ ୪ ଆତଙ୍କୀକୁ ନିପାତ କରିଥିବା ଖବର ମିଳିଛି। ତେବେ ସେଥିମଧ୍ୟରୁ ତିନିଜଣଙ୍କର ମୃତ ଦେହ ମିଳିଥିବା ବେଳେ ଚତୁର୍ଥର ମୃତଦେହ ମିଳିନାହିଁ। ଚଳିତ ସପ୍ତାହରେ ଶୋପିଆନ୍ ଏନକାଉଣ୍ଟରରେ ଏହା ତୃତୀୟ ଘଟଣା। ଏହା ପୂର୍ବରୁ ରବିବାର ୫ ଏବଂ ସୋମବାର ୪ ଆତଙ୍କୀଙ୍କୁ ଭାରତୀୟ ସୁରକ୍ଷାବଳ ମାରିଥିଲେ।
ମିଳିଥିବା ଖବର ଅନୁଯାୟୀ, ଜମ୍ମୁ ଓ କଶ୍ମୀର ପୁଲିସର ଏକ ମିଳିତ ଟିମ୍, ଆର୍ମିର ୪୪ଆରଆର୍ ଏବଂ ସିଆରପିଏଫ୍ ବୁଧବାର ସକାଳେ ସୁଗୁ ହେନ୍ଧାମାରେ ସର୍ଚ୍ଚ ଅପରେଶନ୍ ଆରମ୍ଭ କରିଥିଲେ। କିନ୍ତୁ ଏହା ମଧ୍ୟରେ ଆତଙ୍କୀମାନେ ସୁରକ୍ଷାକର୍ମୀ ଉପରକୁ ଗୁଳି ବର୍ଷା କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଏକକାଉଣ୍ଟର ଆରମ୍ଭ ହୋଇଥିଲା। ତେବେ ଏହି ଏନକାଉଣ୍ଟରରେ କୌଣସି ଭାରତୀୟ ଯବାନଙ୍କୁ କ୍ଷତି ହୋଇନଥିବା ସୂଚନା ମିଳିଛି।
ଏହି ଘଟଣାକୁ ନେଇ ଜଣେ ପୁଲିସ୍ ଅଫିସର୍ କହିଛନ୍ତି, ଶୋପିଆନ୍ ଜିଲ୍ଲାର ସୁଗୁ ଅଞ୍ଚଳରେ ୩ ଆତଙ୍କୀ ଲୁଚିଥିବାର ଖବର ଆମେ ପାଇଥିଲୁ। ଯାହା ପରେ ଆମେ ବିଳମ୍ବିତ ରାତି ଅର୍ଥାତ୍ ରାତି ୧.୪୫ ସମୟରେ ମିଳିତ ସର୍ଚ୍ଚ ଅପରେଶନ୍ ହୋଇଥିଲା। ଏଥିରେ ଆମେ ୩ ଆତଙ୍କୀକୁ ନିପାତ କରିଥିଲୁ। ଏପରିକି ଚତୁର୍ଥ ଆତଙ୍କୀ ମଧ୍ୟ ନିପାତ ହୋଇଛି। କିନ୍ତୁ ତା'ର ମୃତଶରୀର ଏପର୍ଯ୍ୟନ୍ତ ଆମକୁ ମିଳିନାହିଁ। ଏବେବି ଏନକାଉଣ୍ଟର ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।