ଇସ୍ଲାମବାଦ: ଆତଙ୍କବାଦୀ ତାଲିକାରୁ ନିଜ ନାଁ ହଟାଇବା ପାଇଁ ସଂଯୁକ୍ତ ରାଷ୍ଟ୍ରରେ ଆବେଦନ କରିଛି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦ୍। ଜମାତ-ଉଦ-ଦାବାର ମୁଖ୍ୟ ହାଫିଜ୍ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ରରେ ଏନେଇ ଆବେଦନ କରାଯାଇଛି। ଲାହୋରର ଏକ ଆଇନ ଫର୍ମ ଜରିଆରେ ହାଫିଜ୍ ଏହି ଆବେଦନ କରିଛି। ଆବେଦନ ‘ମିର୍ଜା ଆଣ୍ଡ ମିର୍ଜା’ ନାମକ ଏକ ଫର୍ମରେ ପୂରଣ କରାଯାଇଛି। ଏହି ଆବେଦନ କରିବା ସମୟରେ ହାଫିଜ୍ ନଜର ବନ୍ଦୀ ଥିଲେ। ହାଫିଜ୍ଙ୍କ ପାଇଁ ଆବେଦନ କରିଥିବା ବ୍ୟକ୍ତି ପାକିସ୍ତାନର ନ୍ୟାସନାଲ୍ ଆକାଉଣ୍ଟବ୍ୟୁଲିଟି ବ୍ୟୁରୋ ଓକିଲ ରହି ଆସିଛନ୍ତି। ଏହାସହିତ ସେ ପଞ୍ଚାବ ସରକାର ଆଡଭୋକେଟ୍ ଜେନେରାଲ୍ ମଧ୍ୟ ଥିଲେ।
ଜୁଡିସିଆଲ୍ ରିଭ୍ୟୁ ବୋର୍ଡ (ନ୍ୟାୟିକ ସମୀକ୍ଷା ବୋର୍ଡ) ନିର୍ଦ୍ଦେଶ ପରେ ହାଫିଜ୍ ସୟିଦଙ୍କୁ ନଜର ବନ୍ଦୀରୁ ମୁକ୍ତ କରାଯାଇଛି। ଗତ ସପ୍ତାହରେ ଏହି ମାମଲାର ଶୁଣାଣି ସମୟରେ ପ୍ରାଦେଶିକ ସରକାର ହାଫିଜଙ୍କ ନଜରବନ୍ଦୀ ୩ ମାସ ବଢ଼ାଇବାକୁ ଦାବି କରିଥିଲେ। ହେଲେ ବୋର୍ଡ ଏହା ଖାରଜ କରି ଦେଇଥିଲେ।
ସୂଚନାଯୋଗ୍ୟ, ଆମେରିକା ହାଫିଜଙ୍କ ମୁଣ୍ଡ ପାଇଁ ୧ କୋଟି ଡଲାର ପୁରସ୍କାର ରଖିଛି। ୧୦ ମାସ ପର୍ଯ୍ୟନ୍ତ ନଜରବନ୍ଦୀ ଥିବା ହାଫିଜଙ୍କୁ ଗତ ଗୁରୁବାର ମଧ୍ୟରାତିରେ ମୁକ୍ତ କରାଯାଇଥିଲା। ପାକିସ୍ତାନ ସରକାର ହାଫିଜଙ୍କୁ କୌଣସି ବି ମାମଲାରେ ଜେଲ୍ରେ ନ ରଖିବାକୁ ନିଷ୍ପତ୍ତି ନେଇଛି। ଯାହାଦ୍ୱାରା ୨୦୦୮ ମସିହାରେ ମୁମ୍ୱାଇ ଆକ୍ରମଣର ଅଭିଯୁକ୍ତଙ୍କୁ ଦଣ୍ଡ ଦେବାରେ ଭାରତକୁ ସମସ୍ୟା ଦେଖାଦେଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।