ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଗୁଇନ୍ଦା ରିପୋର୍ଟ ଅନୁସାରେ ଦେଶର ୭ଟି ରାଜ୍ୟକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଜଣାପଡ଼ିଛି। ନିକଟରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ କହିଥିଲେ ଭାରତରେ ପୁଲଓ୍ୱାମା ଶୈଳୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ।
ଗୁଇନ୍ଦା ରିପୋର୍ଟ ଅନୁଯାୟୀ ହାଇ ଆଲର୍ଟରେ ଥିବା ରାଜ୍ୟ ଗୁଡ଼ିକ ହେଲା ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ୍, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ନାଟକା ଏବଂ ଆନ୍ଧ୍ରପ୍ରଦେଶ। ଏହି ରାଜ୍ୟ ଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ସୂଚନା ମିଳିଛି। ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାର ଗୁଡ଼ିକୁ ସତର୍କ ରହିବା ପାଇଁ କହିସାରିଛନ୍ତି।
ଅଗଷ୍ଟ ୧୫କୁ ନଜରରେ ରଖି ଦେଶର ସମସ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ଭିଜିଟର୍ସ ଏଣ୍ଚ୍ରି ପଏଣ୍ଟ ୧୦ରୁ ୨୦ ଅଗଷ୍ଟ ବନ୍ଦ ରଖାଯାଇଛି।
ଅନ୍ୟପଟେ ଘାଟିରେ ଥିବା ବିଭିନ୍ନ ପ୍ରବେଶ ପଥ ଉପରେ ନଜର ରଖିଛି ଭାରତୀୟ ସେନା। ଅଧିକାଂଶ ପ୍ରବେଶ ପଥ ଗୁଡ଼ିକରେ ଅଧିକ ଯବାନ ନିୟୋଜିତ କରାଯାଇଛି। ଆର୍ମି ମୁଖ୍ୟ ବିପୀନ ରାଓ୍ୱତ୍ ନିଜେ ପ୍ରବେଶ ସ୍ଥଳ ଗୁଡ଼ିକୁ ଯାଇ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା କରୁଥିବା ଜଣାପଡ଼ିଛି। ପାକିସ୍ତାନ ପଟୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରଖି ଘାଟିରେ ପାଖାପାଖି ୪୫ ହଜାର ଯବାନ ନିୟୋଜିତ ଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।