ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହ ଜଡ଼ିତ ସୂତ୍ରରୁ ଜାଣିବାକୁ ମିଳିଛି ବିଭିନ୍ନ ରାଜ୍ୟଏବଂ ବିଶେଷଜ୍ଞଙ୍କ ଅନୁରୋଧ କ୍ରମେ ବର୍ତ୍ତମାନ ଲକ୍ଡାଉନ୍ର ଅବଧି ବୃଦ୍ଧି କରିବାକୁ ବିଚାର କରାଯାଉଛି। ଯଦିଓ ଏନେଇ ବିଚାର କରାଯାଉଛି ଏଯାଏ କୌଣସି ନିଷ୍ପତ୍ତି ନିଆଯାଇନଥିବା କୁହାଯାଇଛି।
ଗତକାଲି ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଲୋକେ ଲମ୍ବା ସମୟ ପାଇଁ ପ୍ରସ୍ତୁତ ରହିବା ଦରକାର। ଏକ କ୍ୟାବିନେଟ୍ ବୈଠକରେ ସେ ମନ୍ତ୍ରୀମାନଙ୍କୁ ଏକ ‘ଗ୍ରେଡେଡ୍’ ପ୍ଲାନ୍ ସହ ଆସିବାକୁ କହିଥିଲେ। ଏହା ଏକ ଗ୍ରାଜୁଆଲ୍ ରୋଲ୍ବ୍ୟାକ୍ ନେଇ ପ୍ରାକ୍ ସୂଚନା ବୋଲି କୁହାଯାଉଛି।
ଏହାପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ, ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ଜାତୀୟ ସ୍ୱାର୍ଥ ଉଦ୍ଦେଶ୍ୟରେ ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ। ସେ କହିଥିଲେ ଆମେ ପ୍ରତି ମିନିଟ୍ରେ ବିଶ୍ୱର ସ୍ଥିତିମନିଟର କରୁଛୁ। ଠିକ୍ ସମୟରେ ଏନେଇ ନିଷ୍ପତ୍ତି ହେବ।
ସୂଚନାଯୋଗ୍ୟ ଯେ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରୁ ୨୧ ଦିନ ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଆସନ୍ତା ୧୪ ତାରିଖ ରାତି ୧୨ଟାରେ ଏହାର ଅବଧି ଶେଷ ହେଉଛି। ତେବେ ଲକ୍ଡାଉନ୍ ପ୍ରତ୍ୟାହାର କରାଯିବା ଆଶା ଧୀରେଧୀରେ ମଉଳିବାରେ ଲାଗିଛି। ଗୋଟିଏ ପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ରାଜ୍ୟ ଲକ୍ଡାଉନ୍ ବୃଦ୍ଧି କରିବା ସପକ୍ଷରେ ମତ ଦେବା ଆରମ୍ଭ କରିଛନ୍ତି। ପ୍ରଥମେ ତେଲେଙ୍ଗାନା ସରକାର ଲକ୍ଡାଉନ୍କୁ ଆଉ କିଛି ଦିନ ବୃଦ୍ଧି କରିବାକୁ ନିବେଦନ କରିଥିଲେ। ଏବେ କର୍ଣ୍ଣାକଟା ସରକାର ମଧ୍ୟ ଲକ୍ଡାଉନ୍ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିବା ସପକ୍ଷରେ ମତ ଦେଇଛନ୍ତି।
ଏହି ରାଜ୍ୟର ଡାକ୍ତରୀ ଶିକ୍ଷା ମନ୍ତ୍ରୀ କହିଛନ୍ତି, “ଲକ୍ଡାଉନ୍ ଉଠିବ କି ନାହିଁ, ସେ ବିଷୟରେ ଏବେଠାରୁ କହିବା ଭୁଲ ହେବ। ଆମକୁ ଆଉ କିଛି ଦିନ ସ୍ଥିତି ଉପରେ ନଜର ରଖିବାକୁ ପଡ଼ିବ। ଲକ୍ଡାଉନ୍ ପ୍ରତ୍ୟାହାର ନିଷ୍ପତ୍ତି କୋଭିଡ୍-୧୯ ସ୍ଥିତି ଉପରେ ନିର୍ଭର କରୁଛି। ସେହିପରି ଲକ୍ଡାଉନ୍ ଉଠିଲେ ବି ଏକାକାଳୀନ ଏହା କାର୍ଯ୍ୟକାରୀ ହେବନି। ବରଂ ପର୍ଯ୍ୟାୟକ୍ରମେ ସ୍ଥିତିକୁ ଦେଖି କେଉଁଠୁ କେତେବେଳେ କଟକଣା ହଟାଯିବ, ତା’ର ବିଚାର କରାଯିବ। ତଥାପି ଯେଉଁ ଅଞ୍ଚଳଗୁଡ଼ିକ ରେର୍ଡ ଆଲର୍ଟରେ ଅଛି ବା ଯେଉଁ ସବୁ ଅଞ୍ଚଳକୁ କରୋନାର ହଟସ୍ପଟ କୁହାଯାଉଛି, ସେଠାରେ ଏବେ ଲକ୍ଡାଉନ୍ ପ୍ରତ୍ୟାହାର କରାଯିବା ଠିକ ହେବ ନାହିଁ। ଏସବୁ ସ୍ଥାନରେ ଆଉ ୨ ସପ୍ତାହ ଲକ୍ଡାଉନ୍କୁ କାର୍ଯ୍ୟ କରାଯିବା ଦରକାର। ଏ ସମ୍ପର୍କରେ ମୁଁ କେନ୍ଦ୍ରକୁ ଅନୁରୋଧ କରିବି। ଅତିକମରେ ଚଳିତ ମାସ ଶେଷ ଯାଏ ଲକ୍ଡାଉନ୍ କାର୍ଯ୍ୟକାରୀ ହେବା ଉଚିତ।”
ଏହା ପୂର୍ବରୁ ଟିଆରଏସ ମୁଖ୍ୟ କେସିଆର କହିଥିଲେ, “ଏପ୍ରିଲ ୧୪ରେ ଶେଷ ହେଉଥିବା ଲକ୍ଡାଉନ୍କୁ ବୃଦ୍ଧି କରାଯିବା ଦରକାର। କାରଣ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିବା ଜରୁରୀ। ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାହା, ଯଦି ଏପରି ସ୍ଥିତିରେ କରୋନେ ମହାମାରୀ ବ୍ୟାପିବ ତା’ହେଲେ ଏହାକୁ ରୋକିବା କଷ୍ଟକର ହୋଇଯିବ।”
କେସିଆର କହିଥିଲେ, ସେଥିପାଇଁ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରନ୍ତୁ। ଆମେ ପରବର୍ତ୍ତୀ ସମୟରେ ଅର୍ଥନୀତିକ ସମସ୍ୟାରୁ ମୁକୁଳି ପାରିବା। କିନ୍ତୁ ଆମେ କେବେ ହେଲେ କାହାକୁ ପରବର୍ତ୍ତୀ ସମୟରେ ଜୀବନ ଦେଇପାରିବା ନାହିଁ। କରୋନା ବିରୋଧରେ ଏକମାତ୍ର ଅସ୍ତ୍ର ହେଲା ଲକ୍ଡାଉନ୍। ତେଣୁ ମୁଁ ସମ୍ମାନୀୟ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ତୁରନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରିବାକୁ ନିବେଦନ କରୁଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।