କୋଲକାତା: ଅନ୍ତର୍ଜାତୀୟ କୋଲକାତା ପୁସ୍ତକ ମେଳାରେ ପର୍ସ ଚୋରି କରିଥିବା ଅଭିଯୋଗରେ ବଙ୍ଗାଳି ଅଭିନେତ୍ରୀ ରୂପା ଦତ୍ତାଙ୍କୁ ଗିରଫ କରିଛି ପୁଲିସ୍। ତାଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ ଆଜି ଏ ନେଇ ସୂଚନା ଦେଇଛି ପୁଲିସ୍।
ବିଧାନ ନଗର ନର୍ଥ ଥାନାର ଜଣେ ଅଫିସର କହିଛନ୍ତି, ରୂପା ଦତ୍ତା ପୁସ୍ତକ ମେଳାରେ ଡଷ୍ଟବିନ୍ରେ ପର୍ସ ଫିଙ୍ଗୁ ଥିବା ବେଳେ ଜଣେ ପୁଲିସ୍ କର୍ମଚାରୀ ଦେଖିଥିଲେ। ଏହା ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ହେଲେ ତାଙ୍କ ଉତ୍ତରରେ ତାଳମେଳ ରହି ନଥିଲା। ଏହା ପରେ ସେ ଧରିଥିବା ବ୍ୟାଗ୍କୁ ଯାଞ୍ଚ କରାଯାଇଥିଲା। ବ୍ୟାଗ୍ ଭିତରୁ ଅନେକ ପର୍ସ ସହିତ ନଗଦ ୭୫ ହଜାର ଟଙ୍କା ମିଳିଥିଲା। ସେ ପୁସ୍ତକ ମେଳାରେ ପକେଟ୍ ମାର୍ କରିଥିଲେ ବୋଲି ସ୍ପଷ୍ଟ ହୋଇଥିଲା।
ପୁଲିସ୍ ପକ୍ଷରୁ ଆହୁରି କୁହାଯାଇଛି, କେବଳ ରୂପା ଦତ୍ତା ଏହି ସବୁ ପକେଟ୍ ମାର୍ କରିଥିଲେ ନା ତାଙ୍କ ସହିତ ଆଉ କେହି ଅଛନ୍ତି, ତା’ର ତଦନ୍ତ କରାଯାଉଛି।
ସୂଚନାଯୋଗ୍ୟ, ରୁପା ଦତ୍ତା ଟେଲିଭିଜନ ସିରିଏଲ୍ରେ କାମ କରନ୍ତି। ପୂର୍ବରୁ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ତେବେ ତାଙ୍କ ଅଭିଯୋଗ ମିଛ ଥିଲା ବୋଲି ପରେ ଜଣାପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।