କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଢ଼ିଲା ଅଡୁଆ। ନିର୍ବାଚନୀ ହିଂସାକୁ ନେଇ ଆକ୍ସନ ମୋଡରେ ସିବିଆଇ। ସୋମବାର ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପହଞ୍ଚି ସିବିଆଇ ହିଂସା ମାମଲାର ଜୋରଦାର ଯାଞ୍ଚ କରିଛି। ଏଥିସହ ସିବିଆଇର ଏକ ଟିମ୍ କୋଲକାତା ସ୍ଥିତି ହାୱାଡା ପହଞ୍ଚି ପୀଡିତଙ୍କୁ ଭେଟିଛନ୍ତି। ଏହି ମାମଲାରେ ସିବିଆଇ ଟିମ୍ ୬ଜଣଙ୍କୁ ଅଟକ ରଖିଥିବା ନେଇ ସୂଚନା ମିଳିଛି। କେବଳ ସେତିକି ନୁହେଁ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ରାଷ୍ଟ୍ରୀୟ ମାନବାଧିକାର ଆୟାଗକୁ ଚିଠି ଲେଖି ନିର୍ବାଚନୀ ପରବର୍ତ୍ତୀ ହିଂସା ମାମଲାର ରେକର୍ଡ ମାଗିଛି।
ସୂଚନା ମୁତାବକ ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା ମାମଲାରେ ବର୍ତ୍ତମାନ ଯାଏଁ ସିବିଆଇ ତିନି ଡଜନ୍ରୁ ବି ଅଧିକ ଏଫ୍ଆଇଆର୍ ରୁଜୁ କରିସାରିଲାଣି। ଏଥିସହ ତିନୋଟି ପୃଥକ ପୃଥକ ମାମଲାରେ ଅଭିଯୋଗ ପତ୍ର ମଧ୍ୟ ଦାଖଲ କରିଛି। ସିବିଆଇ ଅଧିକାରୀଙ୍କ କହିବା ମୁତାବକ, ଏପରି କିଛି ମାମଲା ରହିଛି, ଯାହାର ରେକର୍ଡ ଏଯାଏଁ ବଙ୍ଗଳା ପୁଲିସ ଠାରୁ ମିଳୁନାହିଁ। ଅନେକ ହିଂସା ପୀଡିତ ସିଧାସଳଖ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହି ମାମଲାଗୁଡ଼ିକ ସମ୍ପର୍କରେ ସିବିଆଇ ରିପୋର୍ଟ ତଲବ କରିଛି। ସିବିଆଇ କହିଛି ଯେ, ରାଜନୈତିକ ଚାପ ହେତୁ ଅନେକ ମାମଲାର ପ୍ରାଥମିକ ପଞ୍ଜୀକୃତ ହୋଇନାହିଁ। ସେହି ମାମଲାଗୁଡ଼ିକର ତାଲିକା ମଗାଯାଇଛି।
ମିଳିଥିବା ସୂଚନା ମୁତାବକ, ସିବିଆଇ ରାଜ୍ୟର ତଦନ୍ତ ଅଧିକାରୀଙ୍କ ଠାରୁ ନିର୍ବାଚନ ପରେ ହୋଇଥିବା ହିଂସା ମାମଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିବାକୁ ଚାହୁଁଛି। କାହାକୁ ଗିରଫ କରାଯାଇଛି, କାହାକୁ ଗିରଫ କରାଯାଇନାହିଁ, ତାଙ୍କୁ କ'ଣ ପାଇଁ ଗିରଫ କରାଯାଇଛି, ରାଜ୍ୟ ପୁଲସ ଠାରୁ ରାଜ୍ୟର ତଦନ୍ତ ଅଧିକରୀ କ'ଣ ସବୁ ପ୍ରମାଣ ପାଇଛି, ଏସବୁ ବିଷୟରେ ଜାଣିବାକୁ ଚାହୁଁଛି ସିବିଆଇ।
ସେପଟେ ଏହାରି ଭିତରେ ପଶ୍ଚିମବଙ୍ଗ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ୧୦ଜଣ ଆଇପିଏସ୍ ଅଧିକାରୀଙ୍କୁ ନେଇ ଏସ୍ଆଇଟି(SIT) ଗଠନ କରିଛି। ଅନ୍ୟପଟେ ମମତା ସରକାର ହାଇକୋର୍ଟ ଦେଇଥିବା ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଅଗଷ୍ଟ ୧୯ ତାରିଖରେ କୋଲକାତା ହାଇକୋର୍ଟ ନିର୍ବାଚନୀ ହିଂସା ମାମଲାର ଯାଞ୍ଚ ଭାର ସିବିଆଇକୁ ଦେଇଥିଲେ। ଖାଲି ଏତିକି ନୁହେଁ ହିଂସାର କାରଣ ଜାଣିବାକୁ ହାଇକୋର୍ଟ ଏକ ଏସ୍ଆଇଟି ଟିମ୍ ମଧ୍ୟ ଗଠନ କରିବାକୁ କହିଥିଲେ। କୋର୍ଟ ଏହି ରାୟ ଦେବାବେଳେ ପଶ୍ଚିମବଙ୍ଗ ସରକାର ସିବିଆଇ ତଦନ୍ତକୁ ବିରୋଧ କରିଥିଲେ।
କୋର୍ଟ ତାଙ୍କ ନିଷ୍ପତ୍ତିରେ ରାଜ୍ୟ ମାନବ ଅଧିକାର ରିପୋର୍ଟକୁ ସ୍ୱୀକୃତି ଦେଇଥିଲେ। ହିଂସା ଘଟଣାର ଅନୁସନ୍ଧାନ ପାଇଁ ଗଠିତ ଏସଆଇଟି ଏହାର ରିପୋର୍ଟ ହାଇକୋର୍ଟର ଡିଭିଜନ୍ ବେଞ୍ଚରେ ଦାଖଲ କରିବ। ଯଦି ଅନ୍ୟ କୌଣସି ଅଭିଯୋଗ ଅଛି, ତେବେ ଏହାକୁ ଡିଭିଜନ୍ ବେଞ୍ଚ ଆଗରେ ଆଣିବାକୁ ପଡିବ। ଏହା ସହିତ ହିଂସା ପୀଡିତମାନଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପୂର୍ବରୁ ଏହି ମାମଲାର ତଦନ୍ତ ଏନ୍ଏଚ୍ଆର୍ସିକୁ ଦିଆଯାଇଥିଲା। ଏହି ମାମଲାରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏନଏଚଆରସି ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିସାରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।