ନୂଆଦିଲ୍ଲୀ: ପ୍ରଚଣ୍ଡ ଖରାରେ ହାତ ଗୋଡ଼ ବାନ୍ଧି ୫ ବର୍ଷର ଛୁଆକୁ ପକାଇ ଦିଆଯାଇଛି। ଘରର ଛାତ ଉପରେ ପାଖାପାଖି ୪୦ ଡିଗ୍ରୀରେ ଛୁଆଟି ସିଝୁଥିବା ବେଳେ ଏତେ ଖରାରେ କଅଁଳ ଝିଅଟିକୁ ଦିଆଯାଇଛି ଏମିତି ନିର୍ଦ୍ଦୟ ଦଣ୍ଡ। ତାର ଦେହ ଏତେ ତାତୁଛି ଯେ, ବିଚାରି ଚେଷ୍ଟା କରୁଛି କେମିତି ଚଟାଣ ସହିତ ଦେହ ନ ଲାଗିବ। ପ୍ରଚଣ୍ଡ ଖରାରେ, ପୁରା ଦିପହରରେ ଝିଅଟି ଅସହ୍ୟ ଯନ୍ତ୍ରଣାରେ କରୁଛି ଚିତ୍କାର। ଅସହାୟ ହୋଇ ରାହା ଧରି କାନ୍ଦୁଛି । ମା’–ମା’ ବୋଲି ଡାକୁଛି।କିନ୍ତୁ କେହି ଶୁଣିବାର ନାହିଁ କି ତାକୁ ଉଦ୍ଧାର କରିବାର ନାହିଁ।
ପିଲାର ଦୋଷ ହେଉଛି ସେ ହୋମ୍ଓ୍ୱାର୍କ କରିନି। ହୋମଓ୍ୱାର୍କ ନ କରିବାରୁ ପ୍ରଥମ ଶ୍ରେଣୀରେ ପଢୁଥିବା ୫ ବର୍ଷର ଝିଅକୁ ମିଳିଛି ଏମିତି ଅମାନବୀୟ ଦଣ୍ଡ । ଦଣ୍ଡ ଦେଇଥିବା ବ୍ୟକ୍ତି ବୋଧହୁଏ, ହିତାହିତ ଜ୍ଞାନ ଭୁଲି ଯାଇଛି । ମଣିଷ ପଣିଆ ମରି ଯାଇଛି। ଏହି ଘଟଣା ହେଉଛି ଦିଲ୍ଲୀ କରଓ୍ୱଲ ନଗର ତୁଖମିରପୁର ଅଞ୍ଚଳର। ହୋମଓ୍ୱାର୍କ ନ କରିବାରୁ ଝିଅଟିକୁ ଏମିତି ନିର୍ଦ୍ଦୟ ଅମାନବୀୟ ଭାବେ ହାତଗୋଡ଼ ବାନ୍ଧି ଖରାରେ ଛାଡ଼ି ଦିଆଯାଇଛି। ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ ଆରମ୍ଭ କରିଛି ଆଇନଗତ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା। ରାଇଟ୍ ଟୁ ଏଜୁକେସନ ଅନୁସାରେ ସ୍କୁଲଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି ।
ଛୋଟ ପିଲାଙ୍କୁ ମାଡ଼ ଗାଳି ଦେବା ଦ୍ୱାରା ସେମାନଙ୍କର ବିକାଶ ଠିକ୍ ହୋଇପାରେନି। ଏଥିରୁ ପିଲାଙ୍କୁ ରକ୍ଷା କରିବାକୁ ଅନେକ ଆଇନ କାନୁନ ଅଛି । ତଥାପି ସାମାନ୍ୟ ହୋମଓ୍ୱାର୍କ ନ କରିବାରୁ ପିଲାଟିକୁ ଏମିତି ଦଣ୍ଡ ପ୍ରଦାନକୁ ସୋଶାଲ ମିଡିଆରେ ବହୁତ ନିନ୍ଦା କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।