ଭୁବନେଶ୍ୱର (ମଧୁପ୍ରିୟା ମିସ୍ତ୍ରୀ): କୋଭିଡ ମହାମାରୀ ଭିତରେ କେନ୍ଦ୍ରର ମୋଦି ସରକାର ପୁଣିଥରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଯୁବ ବର୍ଗ, ମହିଳା, ଚାଷୀଙ୍କ ପାଖରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକଙ୍କ ପାଇଁ ମୋଦୀ ସରକାର ଏହି ବଜେଟ୍ ଆଣିଛନ୍ତି ବୋଲି କହିଛନ୍ତି। ଏହି ବଜେଟ ଦ୍ୱାରା ଦେଶର ବେରୋଜଗାରୀ ଦୂର ହେବ, ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେଣୁ ଏହାକୁ ଲୋକାଭିମୁଖୀ ଏବଂ ବିକାଶଶୀଳ ବଜେଟ୍ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରି ଦେଶର ଅର୍ଥନୀତି ଉପରମୁହାଁ ହେଉଥିଲା। କିନ୍ତୁ ଏଥିରେ ପୁଣିଥରେ ଦାଉ ସାଧିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ। ତେଣୁ ଅର୍ଥବ୍ୟବସ୍ଥା ଧିମେଇ ଯାଇଛି। କିନ୍ତୁ ଏହି ବଜେଟ ବୁଷ୍ଟର ଡୋଜ ଭଳି କାମ ଦେବ ବୋଲି ସରକାରଙ୍କ ସପକ୍ଷବାଦୀ ଅର୍ଥବିଶାରଦ ଯୁକ୍ତି ବାଢିଛନ୍ତି। ଆସନ୍ତା ୨୦୨୨-୨୩ ବଜେଟ୍ ଆଗତ ହେବା ବେଳେ ଏପ୍ରିଲରୁ ସରକାର କେଉଁଥିରେ କେତେ ଖର୍ଚ୍ଚ କରିବେ ବୋଲି କହିଛନ୍ତି। କ'ଣ ଶସ୍ତା ଓ ମହଙ୍ଗା ହେବ ସେ ନେଇ ବିସ୍ତୃତ ଭାବେରେ ବଜେଟ ଆଗତ ବେଳେ କହିଛନ୍ତି। ଯେଉଁଥିରୁ ଜଣାପଡିଛି ସରକାର ଡିଜିଟାଲ ଇଣ୍ଡିଆରେ ଡିଭାଇସକୁ ଅଧିକ ଗୁରୁତ୍ୱ ଦେଇଛନ୍ତି।
ଏପ୍ରିଲରୁ ଯେଉଁ ସବୁ ଜିନିଷ ଶସ୍ତା ହେବ ସେଥିରେ ରହିଛି ମୋବାଇଲ, ମୋବାଇଲ ଚାର୍ଜର, ମୋବାଇଲରେ ବ୍ୟବହାର ହେଉଥିବା କ୍ୟାମେରା ଲେନ୍ସ। କୋଭିଡର ଅନ୍ତ କେବେ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ । ତେଣୁ ଆମମାନଙ୍କୁ କରୋନା ସହିତ ରହି ମୁକାବିଲା କରିବାକୁ ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ସାମାଜିକ ଦୂରତା, ମାସ୍କ ସହିତ ଅନ୍ ଲାଇନରେ ଘରୁ କାମ କରିବା ପ୍ରକ୍ରିୟା ଜାରି ରହିବ। ସେହିପରି ପିଲାଙ୍କୁ ପାଠ ପଢିବା ପାଇଁ ଘରେ ଇଣ୍ଟରନେଟ୍ ଡାଟା ସହିତ ଇଲେକ୍ଟ୍ରୋନିକ୍ସ ଡିଭାଇସ ଉପଲବ୍ଧ ରହିବା ଜରୁରୀ। କୋଭିଡ ମହାମାରୀ ବେଳେ ସରକାର ଅନ ଲାଇନରେ ପାଠ ପଢାଇବାକୁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଆର୍ଥିକ ସମସ୍ୟା ପାଇଁ ଅନେକ ବିଦ୍ୟାର୍ଥୀଙ୍କର ନିଜର ମୋବାଇଲ ନଥିବାରୁ ପାଠ ପଢିପାରୁନଥିବା ଅଭିଯୋଗ ରହିଛି।
ମୋବାଇଲ ଦାମ ଅଧିକ ରହିବାରୁ ଅଭିଭାବକ ପିଲାଙ୍କ ପାଇଁ ନୂଆ ମୋବାଇଲ କିଣିବାରେ ପଛଘୁଞ୍ଚା ଦେଉଥିବା ଜଣାପଡିଛି। ସେହିପରି ଅନେକ ସ୍ଥାନରେ ମୋବାଇଲ ସେବା ଥିଲେ ମଧ୍ୟ ନେଟୱର୍କ ସମସ୍ୟା ପାଇଁ ମୋବାଇଲରେ ପିଲାମାନେ ପାଠ ପଢିପାରୁନଥିବା ଜଣାପଡିଛି। ତେଣୁ ଏହାର ସମାଧାନ ଦିଗରେ ସରକାର ଏବେ ଗୁରୁତ୍ୱ ଦେଇଛନ୍ତି।
ତେଣୁ ନିର୍ମଳା ସୀତାରମଣ ଗୁରୁତ୍ୱ ପ୍ରଦାନ କରି କହିଛନ୍ତି ଯେ ଟେଲିକମ୍ ସାଧାରଣ ଭାବରେ ୫ଜି ପ୍ରଯୁକ୍ତି ବିଶେଷ ଭାବରେ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ରୋଜଗାର ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହୋଇପାରେ। ୨୦୨୨-୨୩ ମଧ୍ୟରେ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀଙ୍କ ଦ୍ୱାରା ୫ଜି ମୋବାଇଲ୍ ସେବା ଆରମ୍ଭ କରିବା ପାଇଁ ୨୦୨୨ରେ ଆବଶ୍ୟକ ସ୍ପେକ୍ଟ୍ରମର ନିଲାମ କରାଯିବ।
ଏହା ବ୍ୟତୀତ, ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳରେ ଶସ୍ତା ବ୍ରଡବ୍ୟାଣ୍ଡ ଏବଂ ମୋବାଇଲ୍ ସେବା ପ୍ରସାରକୁ ସକ୍ଷମ କରବା ପାଇଁ ବଜେଟରେ ୟୁନିଭର୍ସାଲ୍ ସର୍ଭିସ୍ ଓବଲିଗେସନ ଫଣ୍ଡ (ୟୁଏସଓଏଫ୍) ଅନ୍ତର୍ଗତ ବାର୍ଷିକ ସଂଗ୍ରହର ୫ ପ୍ରତିଶତ ପରିମାଣ ଆବଣ୍ଟିତ କରାଯିବ। ଏହାଦ୍ୱାରା ପ୍ରଯୁକ୍ତି ଓ ସମାଧାନ କ୍ଷେତ୍ରରେ ଗବେଷଣା ଓ ବିକାଶ ଏବଂ ବାଣିଜ୍ୟକରଣକୁ ପ୍ରୋତ୍ସାହନ ମିଳିବ।
ସହରାଞ୍ଚଳର ଅଧିବାସୀମାନଙ୍କ ପରି ସମସ୍ତ ଗ୍ରାମରେ ଇ-ସର୍ଭିସକୁ ପହଞ୍ଚାଇବା, ଟେଲିକମ୍ ସୁବିଧା ଓ ଡିଜିଟାଲ୍ ସମ୍ବଳ ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଛି ଯେ ଦୁର୍ଗମ ଅଞ୍ଚଳ ସହିତ ସମସ୍ତ ଗ୍ରାମରେ ଅପ୍ଟିକାଲ୍ ଫାଇବର ବିଛାଇବା ପାଇଁ କଣ୍ଟ୍ରାକ୍ଟ ବର୍ଷ ୨୦୨୨-୨୩ ରେ ପିପିପି ମାଧ୍ୟମରେ ଭାରତନେଟ୍ ଯୋଜନା ଅନ୍ତର୍ଗତ ପ୍ରଦାନ କରାଯିବ। ଅପ୍ଟିକାଲ୍ ଫାଇବର ବିଛାଇବାର କାମ ୨୦୨୫ ସୁଦ୍ଧା ସମାପ୍ତ ହେବାର ଆଶା କରାଯାଉଛି। ଅପ୍ଟିକାଲ୍ ଫାଇବରକୁ ଉନ୍ନତ ତଥା ଅଧିକ ପ୍ରଭାବଶାଳୀ ଭାବରେ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯିବ।
ସେହିପରି କେନ୍ଦ୍ର ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ ଖୋଲିବାକୁ ପ୍ରସ୍ତାବ ରଖିଛନ୍ତି। ଏଥିପାଇଁ ୨୦୦ଟି ସ୍ୱତନ୍ତ୍ର ଚ୍ୟାନେଲ ଖୋଲାଯିବ। ଆଞ୍ଚଳିକ ଭାଷାରେ ଟିଭିରେ ପିଲାଙ୍କୁ ପାଠ ପଢାଇବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହାବାଦ ଡିଜିଟାଲ ବିଶ୍ୱବିଦ୍ୟାଳୟ ଖୋଲିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଅର୍ଥାତ୍ ବିଦ୍ୟାର୍ଥୀ ଘରେ କିମ୍ବା ବିଦେଶରେ ରହି ଗ୍ୟାଜେଟ୍ ଜରିଆରେ ପାଠ ପଢିପାରିବେ। ତେଣୁ ଏହିସବୁ ଲକ୍ଷ୍ୟପୂରଣ କରିବାକୁ ଯାଇ କେନ୍ଦ୍ର ସରକାର ଇଣ୍ଟରନେଟ ସ୍ପିଡ ଉପରେ ଗୁରୁତ୍ୱ ଦେବାକୁ ଯାଇ ୫-ଜି, ଅପ୍ଟିକାଲ ଫାଇବର ସେବାକୁ ଦୁର୍ଗମ ଅଞ୍ଚଳରେ ପହଞ୍ଚାଇବାକୁ ଗୁରୁତ୍ୱ ଦେଇଛନ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଡିଭାଇସର ଦାମ ମଧ୍ୟ ଶସ୍ତା କରିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ସରକାର ଚଳିତ ବଜେଟରେ ଡିଜିଟାଲ କରେନ୍ସି ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଆରବିଆଇ ପକ୍ଷରୁ ଦେଶରେ ଡିଜିଟାଲ କରେନ୍ସିର ଆରମ୍ଭ କରାଯିବ। ଆରବିଆଇର ଡିଜିଟାଲ କରେନ୍ସି ବ୍ଲକଚେନ୍ ଟେକ୍ନୋଲଜି ଦ୍ୱାରା ପ୍ରଚଳନ କରାଯିବ। ଏହି ଟେକ୍ନୋଲଜି ବିଟକଏନ ଓ ଅନ୍ୟ କ୍ରିପ୍ଟୋ କରେନ୍ସିରେ ମଧ୍ୟ ବ୍ୟବହୃତ ହୋଇଥାଏ। ଆରବିଆଇ ଡିଜିଟାଲ କରେନ୍ସି ପ୍ରଚଳନ କରିବାକୁ ଯାଉଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଡିଜିଟାଲ କରେନ୍ସି ଦେଶର ଅର୍ଥନୀତିକୁ ଅଧିକ ବୁଷ୍ଟ ଦେବ। ଶସ୍ତା କରେନ୍ସ ମ୍ୟାନେଜମେଣ୍ଟ ବ୍ୟସ୍ଥାକୁ ଏହା ତ୍ୱରାନ୍ୱିତ କରିବାରେ ସହାୟତା କରିବ। ଦେଶର ଅର୍ଥନୀତି ଉପରେ ଏହାର ଭଲ ପ୍ରଭାବ ପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।