ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ୩ କୃଷି ଆଇନ୍ ଉଚ୍ଛେଦ ବିଲ୍। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ଉଚ୍ଛେଦ ବିଲ୍କୁ ପାରିତ କରାଯାଇଛି। ବାଚନିକ ଭୋଟରେ ବିଲ୍ ପାରିତ ନେଇ ବାଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି। ଏଥିସହ ଗୃହକୁ ମଧ୍ୟାହ୍ଣ ୨ଟା ଯାଏଁ ସ୍ଥଗିତ ରଖାଯାଇଛି।
ପ୍ରବଳ ହଙ୍ଗମା ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ଏହି ବିଲ୍ ପାସ୍ କରିଥିଲେ। ତେବେ କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ ଏହି କୃଷି ଆଇନ୍ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ। ସେମାନଙ୍କ ଚର୍ଚ୍ଚା ଆବେଦନ ଆଗ୍ରାହ୍ୟ ହେବାରୁ ବିରୋଧୀ ଗୃହରେ ହୋ-ହଲ୍ଲା କରିଥିଲେ। ଫଳରେ ଗୃହ ଅଚଳ ହୋଇଯାଇଥିଲା। ଏପରିକି ଗାନ୍ଧିମୂର୍ତ୍ତି ତଳେ ସମସ୍ତ ବିରୋଧୀ ଏକଜୁଟ୍ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ପର୍ବ ଦିନ ତିନି କୃଷି ଆଇନ୍ ପ୍ରତ୍ୟାହର ନେଇ ଘୋଷଣା କରିଥିଲେ। ଏଥିସହ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଥିଲେ। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ଆସନ୍ତା ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି କହିଥିଲେ। ପରେ ଏହି କୃଷି ଆଇନ୍ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ର ମୋହର ଲାଗିଛି । ଏହାପରେ ଲୋକସଭା ଆଜି ଏହି ବିଲ୍ ପାରିତ ହୋଇଛି।
କେନ୍ଦ୍ର ସରକାର କୃଷି ଆଇନ ଆଣିଥିଲେ ମଧ୍ୟ ଦୀର୍ଘ ଗୋଟିଏ ବର୍ଷ ହେଲାଣି ଶତାଧିକ ଚାଷୀ ଏହାକୁ ବିରୋଧ କରି ବିକ୍ଷୋଭ ଜାରି ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।