ହାଇଦ୍ରାବାଦ: ଅନ୍ଧବିଶ୍ୱାସର ପରିଣତି କେତେ ସଂଘାତିକ ହୋଇପାରେ ତାର ଏକ ଦୃଷ୍ଟାନ୍ତ ଆନ୍ଧ୍ରପ୍ରଦେଶରୁ ଆସିଛି। ବ୍ୟବସାୟରେ କ୍ଷତି ସହିବାରୁ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଜଣେ ବ୍ୟକ୍ତି ତାଙ୍କ ନିଜ ଝିଅକୁ ନିଜ ହାତରେ ଶେଷ କରିଦେଇଛନ୍ତି। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ପେରେଡ୍ଡପାଲ ଗାଁରେ। ଉକ୍ତ ଗାଁର ବେଣୁଗୋପାଲ ନାମକ ଜଣେ ବ୍ୟକ୍ତିଙ୍କର ଇଟା ବ୍ୟବସାୟରେ କ୍ଷତି ହେବାରୁ ସେ ଅନ୍ଧବିଶ୍ୱାସରେ ଶିକାର ହୋଇଥିଲେ। ତାଙ୍କ ଘରେ କିଛି ଅପଶକ୍ତି ଥିବା ଆଶଙ୍କା କରି ଏହାକୁ ବାହାର କରିବା ପାଇଁ ନିଜ ଝିଅ ଉପରେ ଗୁଣିଗାରେଡ଼ିର ଅଦ୍ଭୁତ ପ୍ରୟୋଗ କରିଥିଲେ। ଫଳରେ ତାଙ୍କ ଝିଅର ମୃତ୍ୟୁ ଘଟିଛି। ଝିଅର ବାପା ବେଣୁଗୋପାଲଙ୍କୁ ପୁଲିସ ଗିରଫ କରିଛି। ଭୂତ-ପ୍ରେତ ଶକ୍ତିକୁ ହଟାଇବାକୁ ଯାଇ ବେଣୁଗୋପାଲ ତାଙ୍କ ଝିଅକୁ ଅତ୍ୟଧିକ ହଳଦୀ ପାଣିରେ ଗାଧୋଇ ପୂଜାପାଠ କରିଥିଲେ।
ଖାଲି ସେତିକି ନୁହଁ ଝିଅର ମୁହଁରୁ କୁମକୁମ ବାହାରିଥିବା ପୁଲିସ କହିଛି। ଏମିତି ଝିଅର ଗଳାକୁ ସେ ଚିପି ଥିବା ପୁଲିସ କହିଛି। ତେବେ ଝିଅର ଅବସ୍ଥା ଗୁରୁତର ହେବାରୁ ତାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ତାଙ୍କୁ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଥଲା। କିନ୍ତୁ ଗୁରୁବାର ଛୋଟ ଝିଅଟିର ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଏହା ପଛରେ କେହି ପେସାଦାର ଗୁଣିଆ ନଥିବା ପୁଲିସ ଜାଣିବାକୁ ପାଇଛି।
ବେଣୁଗୋପାଳ ନିଜେ ଏଭଳି ଗୁଣିଗାରେଡ଼ି କରିଥିଲେ। ପରିବାର ଉପରେ ଶନି ଦଶା ଥିବା ଆଶଙ୍କା କରି ବେଣୁଗୋପାଲ ପୂଜା ପାଠ କରିଥିଲେ। ହେଲେ ନିଜ ଝିଅ ଉପରେ ପ୍ରୟୋଗ କରିଥିବା ଅଜବ କାରନାମା କାଳ ହୋଇଛି। ଛୋଟ ଝିଅଟିର ମୃତ୍ୟୁ ପରେ ପୁଲିସ ହତ୍ୟା ମାମଲା(୩୦୨) ରୁଜୁ କରିଛି। ସୂଚନା ଅନୁଯାୟୀ ବେଣୁଗୋପାଲ ଇଟା ବ୍ୟବସାୟ କରି ଚଳନ୍ତି। କିନ୍ତୁ ସେ ଦୀର୍ଘ ଦିନ ହେଲା ଏହି ବ୍ୟବସାୟରେ ବ୍ୟପକ କ୍ଷତି ସହୁଥିଲେ। ଏଥିପାଇଁ ସେ ଘରେ କିଛି ଅପଶକ୍ତି ଥିବା ସନ୍ଦେହ କରି ପୂଜାପାଠ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।