ଖେଚୁଡ଼ିରେ ପଡ଼ିଥିଲା ଅଧିକ ଲୁଣ, ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ମୁମ୍ବାଇ: ଲୁଣି ହୋଇଯାଇଥିଲା ଖେଚୁଡି। ବାସ୍ ଏତିକିରେ ରାଗିଗଲେ ସ୍ୱାମୀ। ରାଗରେ ଭୁଲିଗଲେ ହିତାହିତ ଜ୍ଞାନ। ହାତ ଧରି ବାହା ହୋଇଥିବା ସ୍ତ୍ରୀକୁ ଗଳା ଚିପି କଲେ ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଥାନେ ଜିଲ୍ଲାରେ।

ଥାନେ ଜିଲ୍ଲାର ଭାୟନ୍ଦର ବସ୍ତିରେ ଘଟିଛି ଅଘଟଣ। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରସା ଯାଇଥିବା ଖେଚୁଡିରେ ଲୁଣର ମାତ୍ରା ଅଧିକ ଥିବାରୁ ସ୍ୱାମୀ ନିଜ ସ୍ତ୍ରୀକୁ ଗଳା ଚିପି ହତ୍ୟା କରିଛି। ପୁଲିସ ସୂଚନା ଅନୁସାରେ ଶୁକ୍ରବାର ସକାଳେ ଭାୟନ୍ଦର ଫାଟକ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାରୀ ସ୍ୱାମୀକୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ ହତ୍ୟାକାରୀ ବ୍ୟକ୍ତି ଜଣଙ୍କ ୪୬ ବର୍ଷ ବୟସ୍କ ନୀଲେଶ ଘାଘ। ଅଭିଯୁକ୍ତ ନୀଲେଶ ଖେଚୁଡି ଖାଇବା ପରେ ସକାଳ ପ୍ରାୟ ୯ଟା ୩୦ମିନିଟ୍‌ରେ ସ୍ତ୍ରୀ ନିର୍ମଳାଙ୍କ ଗଳାଚିପି ହତ୍ୟା କରିଛି। ନିର୍ମଳା ସ୍ୱାମୀଙ୍କୁ ଖାଇବାକୁ ଦେଇଥିବା ଖେଚୁଡିରେ ଅଧିକ ଲୁଣ ପଡିଯାଇଥିବାରୁ ନୀଲେଶ ଉତ୍ୟକ୍ତ ହୋଇଯାଇଥିଲେ। ଏହାପରେ ହତ୍ୟାକାରୀ ନୀଲେଶ କପଡା ସାହାଯ୍ୟରେ ସ୍ତ୍ରୀଙ୍କ ଗଳା ଚିପି ହତ୍ୟା କରିଥିବା ପୁଲିସ କହିଛି।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଭାୟନ୍ଦର ନବଘର ପୁଲିସ ଥାନାରେ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୦୨(ହତ୍ୟା)ରେ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ଗୁରୁବାର ଦିନ ମଧ୍ୟ ଠିକ୍‌ ଏଭଳି କିଛି ଘଟଣା ଘଟିଥିଲା। ଚା’ ସହ ଜଳଖିଆ ନ ପରସିବାରୁ ରାଗି ଯାଇ ଜଣେ ଶ୍ୱଶୂର ତାଙ୍କ ବୋହୂ ଉପରକୁ ଗୁଳିମାଡ କରିଥିଲେ। ରାବୋଡି ଅଞ୍ଚଳରେ ରହୁଥିବା ୪୨ ବର୍ଷୀୟ ମହିଳାଙ୍କ ପେଟରେ ଗୁଳି ବାଜିଥିବା। ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।