କାନପୁର: ଗତ ଶୁକ୍ରବାର କାନପୁରର ପରେଡ୍ ଚୌକ ଅଞ୍ଚଳରେ ଘଟିଥିବା ହିଂସା ଘଟଣାରେ ଅଦ୍ୟାବଧି ୨୯ ଜଣଙ୍କୁ କାନପୁର ପୁଲିସ ଗିରଫ କରିଛି। ଏହି ହିଂସାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାୟତ ଜାଫର ହାସମିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ହାୟତ ଜାଫର ହାସମି ହେଉଛନ୍ତି ମୌଲାନା ମହମ୍ମଦ ଜୁହାର ଅଲ୍ଲୀ ଫ୍ୟାନ୍ ସଂଘର ସଭାପତି। ଟେଲିଭିଜନ୍ ନ୍ୟୁଜ୍ ଡିବେଟ୍ରେ ‘ପ୍ରଫେଟ ମହମ୍ମଦ’ଙ୍କ ବିରୋଧରେ ବିଜେପି ମୁଖପାତ୍ର ନୁପୁର ଶର୍ମା ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣି ହାୟତ ଜାଫର ହାସମି ବଜାର ବନ୍ଦ କରିବାକୁ ଚେତାବନୀ ଦେବା ସହ ହିଂସାକାଣ୍ଡ ଘଟାଇବାକୁ ଉସକାଇ ଥିଲେ।
ହାସମି ଲୋକଙ୍କୁ ଉତ୍ତେଜିତ କରିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଢେଲା ପଥର ମାଡ଼ ହୋଇଥିଲା। ଫଳରେ ଏହି ସଂଘର୍ଷରେ ଏକାଧିକ ପୁଲିସ କର୍ମଚାରୀଙ୍କ ସହ ୩୯ରୁ ଅଧିକ ଆହତ ହୋଇଥିଲେ। ଏହି ଘଟଣାରେ ହାସମିଙ୍କୁ ଜେରା କରାଯାଇଛି। ଦଙ୍ଗା ଏବଂ ହିଂସା ପାଇଁ ୧୦୦୦ ରୁ ଅଧିକ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ଲୋକଙ୍କୁ ଏହି ମାମଲାରେ ଚିହ୍ନଟ କରାଯାଇଛି ବୋଲି ପୁଲିସ କମିସନର ବିଜୟ ସିଂହ ମୀନା କହିଛନ୍ତି। ସ୍ଥାନୀୟ ମୁସଲିମ ନେତା ହାୟତ ଜାଫର ହାଶ୍ମି ଏହି ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କାନପୁର ପୁଲିସ କହିଛି।
ସେ ପୂର୍ବରୁ ମଧ୍ୟ ସିଏଏ ଏବଂ ଏନ୍ଆର୍ସି ବିରୋଧୀ ହିଂସାରେ ସାମିଲ ଥିବା ପୁଲିସ କହିଛି। ଜାଫରଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଗ୍ୟାଙ୍ଗଷ୍ଟର ଆଇନ ଅଧୀନରେ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଏବଂ ସେମାନଙ୍କ ସମ୍ପତ୍ତି ଜବତ ହେବ ବୋଲି ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି। ଉପଦ୍ରବକାରୀଙ୍କ ସମ୍ପତ୍ତିରେ ବୁଲ୍ଡୋଜର ଚଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବାପାଇଁ ଏବଂ କୌଣସି ଅପ୍ରୀତିକର ସ୍ଥିତି ଏଡ଼ାଇବା ପାଇଁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।