ଲକ୍ଷ୍ନୌ: ପୁଣି ଭୋଜପୁରୀ ଷ୍ଟାର୍ଙ୍କ ଉପରେ ବିଜେପିର ଭରସା। ଲୋକସଭା ଉପ-ନିର୍ବାଚନ ପାଇଁ ଆଜମଗଡରୁ ଭୋଜପୁରୀ ସୁପରଷ୍ଟାରଙ୍କୁ ପ୍ରାର୍ଥୀ କଲା ବିଜେପି। ଭୋଜପୁରୀ ଷ୍ଟାର ଦିନେଶ ଲାଲା ଯାଦବ ଓରଫ 'ନିରହୁଆ'ଙ୍କୁ ବିଜେପି ଏହି ଆସନରୁ ପୁଣିଥରେ ଲଢ଼ିବା ପାଇଁ ଟିକେଟ୍ ଦେଇଛି।
୨୦୧୯ ଲୋକସଭା ନିର୍ବାଚନରେ ଦିନେଶ ଲାଲ ଯାଦବ ବିଜେପି ଟିକେଟରେ ଆଜମଗଡ ଆସନରୁ ଲଢ଼ିଥିଲେ। କିନ୍ତୁ ସେ ନିର୍ବାଚନ ହାରିଯାଇଥିଲେ। ଏହାବ୍ୟତୀତ ବିଜେପି ରାମପୁର ଆସନ ପାଇଁ ମଧ୍ୟ ପ୍ରାର୍ଥୀ କିଏ ହେବ ତାହା ନିଷ୍ପତ୍ତି ନେଇସାରିଛି। ରାମପୁର ଆସନ ପାଇଁ ବିଜେପି ଘନଶ୍ୟାମ ଲୋଧିଙ୍କୁ ମଇଦାନକୁ ଓହ୍ଲାଇବ। ପୂର୍ବରୁ ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭୀଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା।
ସୂଚନା ଥାଉ କି, ଆଜମଗଡ ଆସନ ଅଖିଲେଶ ଯାଦବ ଏବଂ ରାମପୁର ଆସନ ଆଜମ ଖାନ୍ଙ୍କ ଲୋକସଭା ସଦସ୍ୟରୁ ଇସ୍ତଫା ଦେବା ପରେ ଖାଲି ପଡିଥିଲା। ସେପଟେ ଶୁକ୍ରବାର ଦିନ ନିରହୁଆ ମଧ୍ୟ ତାଙ୍କ ଦାବିବାର ପାଇଁ ଏକ ଟ୍ୱିଟର ପୋଷ୍ଟ କରିଥିଲେ। ଏହି ପୋଷ୍ଟର ମାଧ୍ୟମରେ ଦୀନେଶ ଲାଲ ଯାଦବ ଓରଫ ନିରହୁଆ ଭୋଜପୁରୀ ଭାଷାରେ ଏକ ସ୍ଲୋଗାନ ଦେଇ ପଦ୍ମ ଚିହ୍ନରେ ଭୋଟ ଦେବା ପାଇଁ କହିଥିଲେ। ଏଭଳି ସ୍ଲୋଗାନ ଦେଇ ଉପ-ନିର୍ବାଚନରେ ବିଜେପିକୁ ଜିତାଇବା ପାଇଁ ନିରହୁଆ ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ।
https://twitter.com/nirahua1/status/1532609807126892544?s=20&t=P8TomMBNEwHBgj1W9Sa2yw
ଉଲ୍ଲେଖ ଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ଆଜମଗଡ ଆସନରୁ ଦିନେଶ ଲାଲ ଯାଦବଙ୍କୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ହରାଇଥିଲେ। ଏହାପୂର୍ବରୁ ୨୦୧୪ରେ ବିଜେପି ପ୍ରାର୍ଥୀ ରମାକାନ୍ତ ଯାଦବ ମଧ୍ୟ ଏହି ଆସନରୁ ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଠାରୁ ପରାସ୍ତ ହୋଇଥିଲେ।
ସେପଟେ ସମାଜବାଦୀ ପାର୍ଟି ଏଯାଏଁ ରାମପୁର ସିଟ୍ରୁ କାହାକୁ କରିବ ପ୍ରାର୍ଥୀ ଘୋଷଣା କରିନାହିଁ। ଆଜମଗଡ ଲୋକସଭା ଉପନିର୍ବାଚନରେ ସପା ଦଳିତ ଚେହେରାଙ୍କୁ ଗୁରୁତ୍ୱ ଦେଇଛି। ସୁଶିଲ ଆନନ୍ଦଙ୍କୁ ଆଜମଗଡ ଆସନରୁ ଟିକେଟ ଦେଇଛି ସମାଜବାଦୀ ପାର୍ଟି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।