ନିଜ ଦଳକୁ ବାଣ ମାରିଲେ ବିଜେପିର ପଙ୍କଜା ମୁଣ୍ଡେ

ମୁମ୍ବାଇ: ମହାରାଷ୍ଟ୍ର ବିଜେପିରେ ଅସନ୍ତୋଷର ନିଆଁ କୁହୁଳିବା ଆରମ୍ଭ ହୋଇଛି। ପରକ୍ଷୋରେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛନ୍ତି ଜଣଙ୍କ ଜଣେ ବିଜେପି ନେତା। ବିଶେଷ କରି ନୂଆ କରି ମହାରାଷ୍ଟ୍ରରେ ଗଠନ ହୋଇଥିବା ମନ୍ତ୍ରିମଣ୍ଡଳକୁ ନେଇ ଦଳୀୟ ଅସନ୍ତୋଷ ପ୍ରକାଶ ପାଇଛି। ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଧେ ୧୮ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ମଧ୍ୟ ଏଥିରେ କୌଣସି ମହିଳା ସଦସ୍ୟ ନାହାନ୍ତି।

ସେହିପରି କିଛି ବିବାଦୀୟ ନେତାଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ଏହାକୁ ବିଜେପିର କିଛି ନେତା ସହ୍ୟ କରି ପାରୁ ନାହାନ୍ତି। ତେଣୁ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହିକ୍ରମରେ ଦଳକୁ ପରୋକ୍ଷରେ ବାଣ ମାରିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ପଙ୍କଜା ମୁଣ୍ଡେ।

ସେ ମନ୍ତ୍ରୀ ପଦ ପାଇବାକୁ ଆଶା କରିଥିବା ବେଳେ ତାଙ୍କୁ କୌଣସି ସୁଯୋଗ ଦିଆଯାଇ ନାହିଁ। ଏଥିପାଇଁ ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସମ୍ଭବତଃ ନୂଆ କରି ଗଠନ ହୋଇଥିବା କ୍ୟାବିନେଟରେ ସାମିଲ ହେବାକୁ ମୋ ପା‌ଖରେ ଆବଶ୍ୟକ ଯୋଗ୍ୟତା ନାହିଁ। ସେମାନଙ୍କ ଅନୁସାରେ ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏ ପ୍ରସଙ୍ଗରେ ମୋର କୌଣସି ମତାମତ ଦେବାର ନାହିଁ। ମୋ ଗର୍ବ ଓ ଗୌରବକୁ ରକ୍ଷା କରି ମୁଁ ରାଜନୀତି କରୁଛି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ରୋକଠୋକ କହିଛନ୍ତି ପଙ୍କଜା ମୁଣ୍ଡେ।

ସୂଚନାଯୋଗ୍ୟ, ସିନ୍ଧେଙ୍କ କ୍ୟାବିନେଟରେ ବିଜେପିର ୯ ଜଣ ଓ ବିଦ୍ରୋହୀ ଶିବସେନାର ୯ ଜଣ ସଦସ୍ୟ ରହିଛନ୍ତି। ଚଳିତ ସପ୍ତାହରେ ହିଁ ସିନ୍ଧେ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।