୮ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ହଠାତ୍‌ ୮ ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି। ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ ରାଜ୍ୟ ପାଇଁ ୮ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ନୂଆ ବିଜ୍ଞପ୍ତି ଅନୁସାରେ, କର୍ଣ୍ଣାଟକାର ରାଜ୍ୟପାଳ ଭାବେ ଥାୱରଚାନ୍ଦ ଗେହଲଟଙ୍କୁ ନିଯୁକ୍ତି ମିଳିଛି। ଗେହଲଟ ଏବେ ମୋଦି ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତେଣୁ କ୍ୟାବିନେଟ ଅଦଳବଦଳ ପୂର୍ବରୁ ତାଙ୍କୁ ରାଜ୍ୟପାଳ କରି ପଠାଯାଇଛି।

ସେହିପରି ମିଜୋରାମର ରାଜ୍ୟପାଳ ଭାବେ ହରିଭାଇ କମ୍ଭଂପତି, ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ଛଗନ ଭାଇ ପଟେଲ, ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ହରିଆଣାର ରାଜ୍ୟପାଳ ଭାବେ ବନ୍ଦାରୁ ଦତ୍ତାତ୍ରେୟା, ଗୋଆର ରାଜ୍ୟପାଳ ଭାବେ ପିଏସ ଶ୍ରୀଧରନ ପିଲାଇ, ଝାରଖଣ୍ଡର ରାଜ୍ୟପାଳ ଭାବେ ରମେଶ ବୈଶ ଓ ତ୍ରିପୁରାର ରାଜ୍ୟପାଳ ଭାବେ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ନିଯୁକ୍ତି।

ବନ୍ଦାରୁ ଦତ୍ତାତ୍ରେୟା ପୂର୍ବରୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ଦାୟିତ୍ୱରେ ରହିଥିଲେ। କିନ୍ତୁ ତାଙ୍କୁ ଏବେ ହରିଆଣାର ରାଜ୍ୟପାଳ ଦାୟିତ୍ୱ ମିଳିଛି। ହରିଆଣା ରାଜ୍ୟପାଳ ଭାବେ କାମ କରୁଥିବା ସତ୍ୟଦେବଙ୍କୁ ତ୍ରିପୁରା ରାଜ୍ୟପାଳ କରାଯାଇଥିବା ବେଳେ ତ୍ରିପୁରା ରାଜ୍ୟପାଳ ଭାବେ କାମ କରୁଥିବା ରମେଶ ବୈଶଙ୍କୁ ଝାରଖଣ୍ଡ ରାଜ୍ୟପାଳ କରାଯାଇଛି।

ମିଜୋରାମ ରାଜ୍ୟପାଳ ଭାବେ କାମ କରୁଥିବା ପିଏସ୍‌ ଶ୍ରୀଧରନ ପିଲାଇଙ୍କୁ ଗୋଆ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଗୋଆ ରାଜ୍ୟପାଳ ସହ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଭଗତ ସିଂହ କୋଶିୟାରୀ କାମ କରୁଥିଲେ। ଏବେ ସେ କେବଳ ମହାରାଷ୍ଟ୍ର ଦାୟିତ୍ୱରେ ରହିବେ। ଆନନ୍ଦିବେନ ପଟେଲ ଉଭୟ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ରାଜ୍ୟପାଳ ଦାୟିତ୍ୱରେ ଥିଲେ। ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ମଙ୍ଗୁଭାଇ ଛଗନ ଭାଇ ପଟେଲଙ୍କୁ ଦାୟିତ୍ୱ ଦେଇଛନ୍ତି। ତେଣୁ ଆନନ୍ଦିବେନ ପଟେଲ କେବଳ ଉତ୍ତର ପ୍ରଦେଶ ଦାୟିତ୍ୱରେ ରହିବେ। କର୍ଣ୍ଣାଟକା ରାଜ୍ୟପାଳ ଭାବେ ବଜୁଭାଇ ଭାଲା ୨୦୧୪ରୁ କାର୍ଯ୍ୟ କରୁଥିଲେ। ଏବେ ତାଙ୍କ ସ୍ଥାନରେ ଥୱରଚାନ୍ଦ ଗେହଲଟ ଦାୟିତ୍ୱ ନେବେ।

ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।