ନୂଆଦିଲ୍ଲୀ: ନିକଟ ଦିନମାନଙ୍କରେ ପ୍ରଚଣ୍ଡ ତାତିରୁ ନିସ୍ତାର ମିଳିବାର କୌଣସି ସମ୍ଭାବନା ନାହିଁ। ଆକାଶରୁ ବର୍ଷୁଥିବା ନିଆଁ ବର୍ଷା ଆହୁରି ଆଗାମୀ କିଛି ଦିନ ପର୍ଯ୍ୟନ୍ତ କଲବଲ କରିବ। ସାରା ଦେଶରେ ଅତ୍ୟଧିକ ରୌଦ୍ରତାପର ପ୍ରକୋପ ଜାରି ରହିଥିବା ବେଳେ ଏବେ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭାରୀତୀୟ ପାଣିପାଗ ବିଭାଗ ଆକଳନ କରିଛି। ଦେଶର ରାଜଧାନୀ ଦିଲ୍ଲୀ ଏନସିଆରରେ ସର୍ବାଧିକ ତାପମାତ୍ରା ଜାରି ରହିଥିବା ବେଳେ ଉତ୍ତର-ପଶ୍ଚିମାଞ୍ଚଳ ମଧ୍ୟ ଏଥିରୁ ବାଦ ପଡ଼ିନି। ଜୁନ୍ ୧୫ ପୂର୍ବରୁ ତାତିରୁ ସେମିତି କୌଣସି ମୁକ୍ତି ନାହିଁ ବୋଲି ଗୁରୁବାର ଭାରତୀୟ ପାଣିପାଗ ବିଭାଗ ଆଳନ କରିଛି। ଜୁନ୍ ୧୬ ପରେ ଆଦ୍ର ବାୟୁ ପ୍ରବାହିତ ହେଲେ ଅସହ୍ୟ ଗରମରୁ ମୁକ୍ତି ମିଳିବ ବୋଲି ପାଣିପାଗ ବିଭାଗ କହିଛି।
ଭାରତର କେନ୍ଦ୍ରୀୟ ଅଞ୍ଚଳ ସମେତ ଉତ୍ତର-ପଶ୍ଚିମାଞ୍ଚଳରେ ହିଟ୍ୱେଭ ଜାରି ରହିଛି। ତଥାପି ତାପମାତ୍ରା ଏତେ ଟପିଯିବ ବୋଲି କଳ୍ପନା କରାଯାଇନଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ଅନ୍ୟପଟେ ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶାରେ ପ୍ରାକ ମୌସୁମୀ ପ୍ରଭାବ ଆରମ୍ଭ ହୋଇଯିବ । କିନ୍ତୁ ଜୁନ୍ ୧୫ ପର୍ଯ୍ୟନ୍ତ ଉତ୍ତର ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପୂର୍ବ ମଧ୍ୟପ୍ରଦେଶରେ ସ୍ୱଭାବିକ୍ ତାପମାତ୍ରାଠାରୁ ଅଧିକ ରହିବ ବୋଲି ବୋଲି ପାଣିପାଗ ବିଭାଗ କହିଛି। ତେବେ ଜୁନ୍ ୧୧ ଏବଂ ୧୨ରେ ଦିଲ୍ଲୀ ଏନସିଆର ଅଞ୍ଚଳରେ ସାମୟିକ ଆଶ୍ୱସ୍ତି ମିଳିପାରେ।
କାରଣ ଏହି ସମୟରେ ଆକାଶ ମେଘାଛନ୍ନ ରହିବ ହେଲେ ବର୍ଷା ହେବା ସମ୍ଭାବନା କମ ରହିଛି। କିନ୍ତୁ ଜୁନ ୧୫ ସୁଦ୍ଧା ଦେଶର ଅଧିକାଂଶ ଭାଗରେ ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ରହିବ। ତେବେ ସ୍ୱଭାବିକ୍ ସମୟରେ ମୌସୁମୀ ଆଗମନ ନେଇ ଏବେଠାରୁ କିଛି କହିହେବନି ବୋଲି ପାଣିପାଗ ବିଭାଗ କହିଛି। ଗତ ବର୍ଷ ସ୍ୱଭାବିକ୍ ସମୟର ଦୁଇ ସପ୍ତାହ ପୂର୍ବରୁ ଦିଲ୍ଲୀରେ ମୌସୁମୀ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା। ଯାହା ଜୁନ ୨୭ରେ ପହଞ୍ଚିବାର ଥିଲା ତାହା ବହୁ ବିଳମ୍ବ ଜୁଲାଇ ୧୩ରେ ପହଞ୍ଚି ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।