ଲକ୍ଷ୍ନୌ: ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି ପ୍ରୟାଗରାଜରେ ହୋଇଥିବା ହିଂସା ମାମଲାରେ ଜାରି ରହିଛି ଆକ୍ସନ। ଏହି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଏବେ ବୁଲିବ ବୁଲଡୋଜର। ଜାଭେଦ ପମ୍ପର ଘର ଉପରେ ବୁଲ୍ଡୋଜର ଚଢ଼ାଇବ ପ୍ରୟାଗରାଜ ଡେଭଲପମେଣ୍ଟ ଅଥରିଟି (ପିଡିଏ)। ଏଥିପାଇଁ ତା' ପରିବାରକୁ ଘର ଛାଡ଼ିବାକୁ ନୋଟିସ ଦିଆଯାଇଛି। ଅଟାଲା ଅଞ୍ଚଳରେ ଥିବା ତା' ଘର ବାହାରେ ପିଡିଏ ନୋଟିସ୍ ଲଗାଇଛି। ଆଜି ଦିନ ୧୧ଟା ସୁଦ୍ଧା ଘର ଖାଲି କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଜାଭେଦ ପମ୍ପର ଘର ବେଆଇନ ଭାବେ ତିଆରି କରାଯାଇଛି। ତେଣୁ ଘର ଭଙ୍ଗାଯିବ ବୋଲି ନୋଟିସ୍ରେ କୁହାଯାଇଛି। ନିୟମ ଉଲ୍ଲଂଘନ କରି ନିର୍ମାଣ ହୋଇଥିବା ଅନେକ ଘର ଭାଙ୍ଗିବାକୁ ଯୋଜନା କରିଛି ପିଡିଏ। ଜାଭେଦକୁ ୨୦୨୨ ମେ' ୫ ତାରିଖରେ ବେଆଇନ ନିର୍ମାଣ ପାଇଁ ନୋଟିସ୍ କରାଯାଇଥିଲା। ହେଲେ ସେ ନିର୍ଦ୍ଧାରିତ ସମୟରେ ଉତ୍ତର ଦେଇପାରିନଥିଲା କି ଘର ଛାଡ଼ି ନଥିଲା। ପୁଣି ଜୁନ୍ ୯ରେ ଆଉ ଏକ ନୋଟିସ କରାଯାଇଥିଲେ ବି ସେ କିଛି ଉତ୍ତର ଦେଇନଥିଲା ବୋଲି ପିଡିଏ କହିଛି।
ପ୍ରୟାଗରାଜର ଅଟାଲାରେ ବିରୋଧ ପ୍ରଦର୍ଶନ ବେଳେ ହୋଇଥିବା ହିଂସା ପରେ ଆକ୍ସନରେ ମୋଡରେ ରହିଛି ପ୍ରଶାସନ। ପୁଲିସ ପ୍ରଥମେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇବା ପରେ ଏବେ ତାଙ୍କ କ୍ରାଇମ ହିଷ୍ଟ୍ରି ଖୋଜିବା ଆରମ୍ଭ କରିଦେଇଛି। ଜାଭେଦ ପମ୍ପକୁ ପୁଲିସ ଅଟାଲାରେ ହୋଇଥିବା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି କହିଛି। ଜାଭେଦ ଉପରେ ଅନେକ ସଙ୍ଗୀନ ଅଭିଯୋଗ ମଧ୍ୟ ଲାଗିଛି। ତା’ର ରାଜନୀତିକ ସଂପର୍କ ମଧ୍ୟ ସାମ୍ନାକୁ ଆସିଛି। ସେ ୱେଲଫେୟାର ପାର୍ଟି ଅଫ୍ ଇଣ୍ଡିଆର ରାଜ୍ୟ ସାଧାରଣ ସମ୍ପାଦକ।
ପୁଲିସର ସୂଚନା ଅନୁସାରେ ପ୍ରୟାଗରାଜରେ ମହମ୍ମଦ ଜାଭେଦ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ୱାନ କରିଥିଲା। ପରେ ଏହା ହିଂସାରେ ପରିଣତ ହୋଇଥିଲା। ଏଥିପାଇଁ ଜାଭେଦ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଲଗାଯାଇଥିବା ପୁଲିସ ସୂଚନା ଦେଇଛି। ମହମ୍ମଦ ଜାଭେଦର ସହଯୋଗୀ ହେଉଛି ଜାଭେଦ ପମ୍ପ। ଏହି ମାମଲାରେ ପୁଲିସ ଏଯାଏଁ ୯୫ ଜଣ ପରିଚିତ ଓ ୫ ହଜାର ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭିଡିଓ ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରୁଛି ପୁଲିିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।