ମୁମ୍ବାଇ: ଜମ୍ମୁ ଓ କଶ୍ମୀର ଏବେ ଅଶାନ୍ତ ଅଛି। ଏଠାରେ ଏବେ ଚାଲିଛି ଟାର୍ଗେଟ କିଲିଂ। ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ। କଶ୍ମୀର ପଣ୍ଡିତ ହୁଅନ୍ତୁ ବା ଦେଶର ଅନ୍ୟ ଭାଗରୁ ଯାଇ ସେଠାରେ କାର୍ଯ୍ୟ କରୁଥିବା ହିନ୍ଦୁମାନଙ୍କୁ ସେମାନେ କରୁଛନ୍ତି ଟାର୍ଗେଟ୍। ଆଉ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟିକେ ଭିନ୍ନ ଶୈଳୀରେ ସମାଲୋଚନା କରିଛନ୍ତି ଶିବ ସେନା ସାଂସଦ ସଞ୍ଜୟ ରାଉତ। କଶ୍ମୀରର ବର୍ତ୍ତମାନର ସ୍ଥିତିକୁ ନେଇ ଏକ ଫିଲ୍ମ ନିର୍ମାଣ ହେବ ନା ନାହିଁ ବୋଲି ସେ ପଚାରିଛନ୍ତି।
ସଞ୍ଜୟ ରାଉତ ଟ୍ୱିଟ୍ କରି କହିଛନ୍ତି, କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରାଯାଉଛି। ସେମାନଙ୍କୁ କଶ୍ମୀର ଛାଡ଼ିବାକୁ ବାଧ୍ୟ କରାଯାଉଛି। ଯେଉଁମାନେ କଶ୍ମୀର ଫାଇଲ୍ସର ପ୍ରମୋସନ କରୁଥିଲେ, ସେମାନେ ଏବେ ମଉନ। ସେମାନେ କ’ଣ ବର୍ତ୍ତମାନର ସ୍ଥିତିକୁ ନେଇ କଶ୍ମୀର ଫାଇଲ୍ସ-୨ ନିର୍ମାଣ କରିବେ? ପ୍ରଧାନମନ୍ତ୍ରୀ କ’ଣ ଏହି ସିକ୍ୱେଲର ପ୍ରମୋସନ କରିବେ? ଯଦି ଇତିହାସ ଲୁଚି ରହିବା ଉଚିତ୍ ନୁହେଁ, ତା’ହେଲେ ବର୍ତ୍ତମାନକୁ ଗ୍ରହଣ କରିବା ବି ଉଚିତ୍ ନୁହେଁ?
୧୯୯୦ର ପ୍ରାରମ୍ଭିକ ଭାଗରେ ଲକ୍ଷାଧିକ କଶ୍ମୀରୀ ପଣ୍ଡିତ ଜମ୍ମୁ-କଶ୍ମୀର ଛାଡ଼ିବାକୁ ବାଧ୍ୟ ହୋଇଥିଲା। ସେତେବେଳେ କଶ୍ମୀରୀ ପଣ୍ଡିତ ମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ। ଏହି ଘଟଣାକୁ ନେଇ ବିବେକ ଅଗ୍ନିହୋତ୍ରୀ ନିର୍ମାଣ କରିଥିଲେ ଏକ ଚଳଚ୍ଚିତ୍ର, ଯାହାର ନାଁ ସେ ରଖିଥିଲେ ‘ଦି କଶ୍ମୀର ଫାଇଲ୍ସ’। ଚଳିତ ବର୍ଷ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ବେଶ୍ ଚର୍ଚ୍ଚିତ ହୋଇଥିଲା ଓ ହିଟ୍ ବି ହୋଇଥିଲା। ସେତେବେଳର କଶ୍ମୀର ପଣ୍ଡିତଙ୍କ ଦୁର୍ଦ୍ଦଶାକୁ ଏହି ଫିଲ୍ମରେ ଦେଖାଯାଇଛି। ବିଜେପି ଶାସିତ ରାଜ୍ୟରେ ଏହି ଫିଲ୍ମକୁ ଟିକସ ମୁକ୍ତ କରାଯାଇଥିଲା। ଏହି ଫିଲ୍ମ ମାଧ୍ୟମରେ ତତ୍କାଳୀନ ସରକାରକୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା କୁହାଯାଏ, ଯାହାକୁ ନେଇ କିଛି ରାଜନୀତିକ ଦଳ ପ୍ରତିକ୍ରିୟାଶୀଳ ମଧ୍ୟ ହୋଇଥିଲେ। ତେଣୁ ସଞ୍ଜୟ ରାଉତ ଏବେ କେନ୍ଦ୍ରକୁ ଟାର୍ଗେଟ୍ କରି କଶ୍ମୀର ଫାଇଲ୍ସ-୨ ତିଆରି କରାଯିବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି। କାରଣ ଏବେ କଶ୍ମୀରରେ ସମାନ ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି।
ଶୁକ୍ରବାର ଶିବ ସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଯେ କଶ୍ମୀର ପଣ୍ଡିତମାନେ ନିଜ ଜନ୍ମମାଟିକୁ ଫେରିବା ପାଇଁ ଚାହୁଁଥିବା ବେଳେ ଏବେ ସେଠାରେ ସେମାନଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଉଛି। ଆମେ ସେମାନଙ୍କୁ ଏକୁଟିଆ ଛାଡ଼ି ପାରିବା ନାହିଁ। ମହାରାଷ୍ଟ୍ର ସର୍ବଦା କଶ୍ମୀରୀ ପଣ୍ଡିତଙ୍କୁ ସମର୍ଥନ କରେ। ଆମେ ଯଥାସମ୍ଭବ ସାହାଯ୍ୟ କରିବାକୁ ପ୍ରସ୍ତୁତ।
ସୂଚନାଯୋଗ୍ୟ, ମେ ୧ ତାରିଖରୁ ବର୍ତ୍ତମାନ ସୁଦ୍ଧା ଜମ୍ମୁ ଓ କଶ୍ମୀରରେ ୮ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ମୁଖ୍ୟତଃ ହିନ୍ଦୁ ଲୋକଙ୍କୁ ଟାର୍ଗେଟ୍ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।