ମୋଦିଙ୍କୁ ଚିଠି ଲେଖି ଅନୁରୋଧ କଲେ ସୋନିଆ ଗାନ୍ଧି
ନୂଆଦିଲ୍ଲୀ: ତୈଳଦର ଲଗାତର ବୃଦ୍ଧି ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସୋନିଆ ପିଏମଙ୍କୁ ଚିଠି ଲେଖି ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସୋନିଆ ଲେଖିଛନ୍ତି, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧିକୁ ପ୍ରତ୍ୟାହାର କରନ୍ତୁ ଏବଂ ଏହାର ଫାଇଦା ମଧ୍ୟବର୍ଗ, ଦରମା ପାଉଥିବା ବ୍ୟକ୍ତି, ଦେଶର ସବୁ ଚାଷୀ, ଗରିବ ଏବଂ ସାଧାରଣ ନାଗରିକଙ୍କୁ ମିଳିବା ଦରକାର।
ସୋନିଆ ଲେଖିଛନ୍ତି, ଭାରତରେ ରୋଜଗାର ଧୀରେ ଧୀରେ ଶେଷ ହେବାରେ ଲାଗିଛି, କର୍ମଚାରୀଙ୍କ ବେତନ କମୁଛି ଏବଂ ଘରୋଇ ଆୟ ନିରନ୍ତର ଭାବେ କମିବାରେ ଲାଗିଛି। ଯଦ୍ଦ୍ୱାରା ମଧ୍ୟବର୍ଗ ଲୋକ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ତେବେ ଏହି ସବୁ ସମସ୍ୟା ମହଙ୍ଗା ମାଡ଼ ଏବଂ ଘରୋଇ ଆବଶ୍ୟକ ସାମଗ୍ରୀରେ ହେଉଥିବା ଅହେତୁକ ବୃଦ୍ଧି ଯୋଗୁ ହେଉଛି। ଏଭଳି ଏକ ସଙ୍କଟ ସମୟରେ ସରକାର ଲୋକଙ୍କ ସମସ୍ୟା ତ ଦୂର କରିପାରୁ ନାହାନ୍ତି ବରଂ ନିଜର ଲାଭାଂଶକୁ ଖୋଜୁଛନ୍ତି। ଦେଶରେ ତୈଳ ଦରରେ ଐତିହାସିକ ବୃଦ୍ଧି ହୋଇଛି। ଏପରିକି ଦେଶର କିଛି ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଛୁଇଁସାରିଲାଣି। ସରକାର ଏକ୍ସଇଜ୍ ଡ୍ୟୁଟି କମ୍ କରି ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ଦରକାର।
Congress Chief Sonia Gandhi writes to PM Narendra Modi over rising fuel prices. "I urge you to roll back these increases and pass on the benefit to our middle & salaried class, our farmers & poor and our fellow citizens," she writes. pic.twitter.com/Mtbtg5sHwZ
— ANI (@ANI) February 21, 2021
ସୋନିଆ ପିଏମ୍ ମୋଦିଙ୍କୁ ଲେଖିଥିବା ଚିଠିରେ ପୂର୍ବ ସରକାର ଉପରେ ଆରୋପ ନଲଗାଇବାକୁ ପରାମର୍ଶ ଦେଇଛନ୍ତି। ମୋଦି ସରକାରର ପାଖାପାଖି ୭ ବର୍ଷ ପୂରଣ ହୋଇସାରିଛି। କିନ୍ତୁ ଏପର୍ଯ୍ୟନ୍ତ ଏନଡିଏ ସରକାର ନିଜର ଆର୍ଥିକ କୁପ୍ରବନ୍ଧନ ପାଇଁ ପୂର୍ବ ସରକାର ଉପରେ ଦୋଷ ଲଦୁଛି। ସରକାର ଲୋକଙ୍କ ବୋଝ କମ୍ କରିବା ପାଇଁ ଯୋଜନା କରିବା ଦରକାର। କିନ୍ତୁ ଆପଣଙ୍କ ସରକାର ଲୋକଙ୍କ ଉପରେ ଦିନକୁ ଦିନ ମହଙ୍ଗା ମାଡ଼ କରୁଛନ୍ତି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ତୈଳ ଦର କମ୍ କରି ଅଶୋଧିତ ତୈଳ ଦରର ଲାଭ ମଧ୍ୟବର୍ଗ, ଚାଷୀ, ଗରିବ ଓ ସାଧାରଣ ଲୋକଙ୍କୁ ଦିଆଯାଉ। ଏସବୁ ଲୋକ ଦୀର୍ଘ ଦିନ ଧରି ଅଭୁତପୂର୍ବ ଆର୍ଥିକ ସଙ୍କଟ, ବେରୋଜଗାର, ଦରମା ହ୍ରାସ ଏବଂ ଚାକିରି ହରାଇବା କାରଣରୁ ଅନେକ କଠିନ ସମୟ ଦେଇ ଗତି କରୁଛନ୍ତି।
ଏଲପିଜି ସିଲିଣ୍ଡର ବୃଦ୍ଧି ନେଇ ସୋନିଆ ଆହୁରି ଲେଖିଛନ୍ତି, ଏଲପିଜିର ବିନା ସବସିଡି ଘରୋଇ ଗ୍ୟାସର ଦର ଦିଲ୍ଲୀରେ ୭୬୯ ଟଙ୍କା ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ୮୦୦ ଟଙ୍କା ପ୍ରତି ସିଲିଣ୍ଡର ଅତିକ୍ରମ କରିଛି। ତେଣୁ ସରକାର ଏହା ଉପରେ ମଧ୍ୟ ଧ୍ୟାନ ଦେବା ଦରକାର ବୋଲି ସୋନିଆ ଚିଠି ଲେଖି ମୋଦିଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୨ ଦିନ ଧରି ପେଟ୍ରୋଲ ଓ ଡିଜେଲ୍ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।