ମୋଦିଙ୍କ ସହ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ଉପରେ ହୋଇଥିବା ଆଇଡି ବିସ୍ଫୋରଣକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଘଟଣା ପରେ ଇସ୍ରାଏଲ ପ୍ରତିନିଧିଙ୍କର ସୁରକ୍ଷାକୁ ନେଇ ନେତାନ୍ୟାହୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପିଏମ୍ ମୋଦି କହିଛନ୍ତି, ଆତଙ୍କବାଦୀ ବିରୋଧରେ ଚାଲିଥିବା ଲଢ଼େଇରେ ଭାରତ ସର୍ବଦା ଇସ୍ରାଏଲର ସହାୟତା କରିବା ଜାରି ରଖିବ।
Prime Minister Benjamin Netanyahu spoke today by telephone with Indian Prime Minister @narendramodi and thanked him for his government's efforts to safeguard Israeli representatives in the aftermath of the terrorist event near the Israeli Embassy in India.
— PM of Israel (@IsraeliPM) February 1, 2021
ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ଏହାସହ ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ଇସ୍ରାଏଲର କୂଟନୀତିଜ୍ଞ ଓ ପରିସରକୁ ଅଧିକ ଗୁରୁତ୍ୱ ଦେବ। ପ୍ରଧାନମନ୍ତ୍ରୀ ମୋଦି ନେତାନ୍ୟାହୁଙ୍କୁ କହିଛନ୍ତି ଯେ ଦିଲ୍ଲୀରେ ହୋଇଥିବା ଆତଙ୍କୀ ଆକ୍ରମଣର ଦୋଷୀଙ୍କୁ ଖୋଜିବା ଏବଂ ଦଣ୍ଡିତ କରିବା ପାଇଁ ସବୁ ଶକ୍ତିର ଉପଯୋଗ କରିବ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପିଏମ୍ ମୋଦିଙ୍କୁ ଭାରତରେ ଭ୍ୟାକସିନର ଉତ୍ପାଦନ ଓ ସେଠାରେ ଭ୍ୟାକସିନର ପ୍ରଚାର ପ୍ରସାର ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଇସ୍ରାଏଲରେ କରୋନା ଭ୍ୟାକସିନର ସଫଳ ଅପରେସନ୍ ପାଇଁ ମଧ୍ୟ ନେତାନ୍ୟାହୁଙ୍କୁ ବଧେଇ ଜଣାଇଛନ୍ତି। ଉଭୟ ନେତା ଭ୍ୟାକସିନର ଉତ୍ପାଦନ ଏବଂ ସମ୍ଭାବ୍ୟ ସହଯୋଗ ଉପରେ ଚର୍ଚ୍ଚା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।