କନ୍ନୌଜ: ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଜଣେ ଡାକ୍ତରଙ୍କ ପ୍ରତି ବିରକ୍ତ ହେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଏକ ସରକାରୀ ହସ୍ପିଟାଲରେ ସେ ଏହି ଡାକ୍ତର ଜଣଙ୍କୁ କହୁଛନ୍ତି, “ତୁମେ ଆରଏସ୍ଏସ୍ର ହେଇଥିବ, ବିଜେପିର ହେଇଥିବ... ତୁମେ କ’ଣ କହୁଛ ମୋତେ ବୁଝାଇବା ଦରକାର ନାହିଁ।” ଗତ କିଛି ଦିନ ତଳେ ଏକ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ହେବାପରେ ଆହତମାନଙ୍କୁ ଭେଟିବାକୁ ଯାଇଥିବାବେଳେ ଅଖିଲେଶ ଏଭଳି କହିଛନ୍ତି।
ଅଖିଲେଶ ଯାଦବ ଆହତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ଏକ ଭିଡିଓ ଏଏନ୍ଆଇ ଶେୟାର କରିଛି। ଏହି ଲୋକମାନେ କ୍ଷତିପୂରଣ ମିଳିନଥିବା ଅଭିଯୋଗ କରିବା ପରେ ଡାକ୍ତର ପ୍ରକୃତ କଥା ବୁଝାଇବାକୁ ପ୍ରୟାସ କରୁଥିଲେ। ହେଲେ ଅଖିଲେଶ ଏଥିରେ ରାଗିଯାଇ ଡାକ୍ତରଙ୍କୁ ‘ବିଜେପି-ଆରଏସ୍ଏସ୍’ କହିବାକୁ ଆରମ୍ଭ କରିଥିଲେ।
ଅଖିଲେଶ ଡାକ୍ତରଙ୍କୁ କହିଥିଲେ, “ତମେ କିଛି କୁହନି, ତମେ ସରକାରଙ୍କ ଲୋକ ମୁଁ ଜାଣିଛି। ତୁମେ କିଛି କୁହନି, କାରଣ ତମେ ଜଣେ ସରକାରୀ କର୍ମଚାରୀ। ତମେ ଜଣେ ଜୁନିଅର ଅଫିସର ଜଣେ ଛୋଟ କର୍ମଚାରୀ, ତମେ ବିଜେପିରୁ ହେଇଥାଇପାର। ତୁମେ ମୋତେ କିଛି କହିପାରିବନି। ତୁମେ ସରକାରଙ୍କ ସପକ୍ଷରେ କହିପାରିବନି। ପଛକୁ ଯାଅ.. ପଛକୁ ଯାଅ। ଏଠାରୁ ଚାଲିଯାଅ।”
ଡାକ୍ତର ଡିଏସ୍ ମିଶ୍ର କହିଛନ୍ତି, ସେ ପ୍ରକୃତରେ ପରିବାର ଲୋକଙ୍କ କଥାରେ ଭୁଲ ରହିଥିବା ବୁଝାଇବାକୁ ପ୍ରୟାସ କରୁଥିଲେ। ସେ କହିଛନ୍ତି, “ମୁଁ ଆଟେଣ୍ଡିଂ ଅଫିସର ହୋଇଥିବାରୁ ପାଖରେ ଛିଡ଼ା ହୋଇଥିଲି। କ୍ଷତିପୂରଣ ପାଇନଥିବା ନେଇ ଆସିଥିବା ଅଭିଯୋଗ ବାବଦରେ ମୁଁ କହିବାକୁ ପ୍ରୟାସ କରୁଥିଲି। ସେମାନେ ଚେକ୍ ପାଇସାରିଛନ୍ତି ବୋଲି କହୁଥିଲି।” ସେ ଇମର୍ଜେନ୍ସି ଡ୍ୟୁଟିରେ ଥିଲେ ମଧ୍ୟ ଅଖିଲେଶ ତାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।