ପତ୍ନୀଙ୍କୁ ମଦ ପିଆଇଲା, ପରେ ପୁଅ ଆଗରେ ୪ ସାଙ୍ଗଙ୍କ ସହ ମିଶି ଗଣଦୁଷ୍କର୍ମ କଲା ସ୍ୱାମୀ

ଥିରୁବନନ୍ତପୁରମ୍: ୫ ବର୍ଷର କୁନି ପୁଅ ଆଗରେ ସବୁ ସୀମା ଟପି ମା’କୁ ଗଣଦୁଷ୍କର୍ମ କଲା ବାପା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେରଳର ରାଜଧାନୀ ଥିରୁବନନ୍ତପୁରମ। ସ୍ୱାମୀ ତା’ର ପତ୍ନୀଙ୍କୁ ଜୋର୍ ଜଦରଜସ୍ତି ମଦ୍ୟପାନ କରାଇବା ପରେ ତା’ର ଚାରିଜଣ ସାଙ୍ଗଙ୍କ ସହ ମିଶି ଗଣଦୁଷ୍କର୍ମ କରିଛି।

ତେବେ ଏସବୁକୁ ନିଜ ଆଖି ଆଗରେ ଦେଖିକି ବି କିଛି କରିପାରୁନଥିଲା କୁନି ପୁଅ। ଏହି ବୟସରେ ସେ ଜାଣିପାରୁନଥିଲା ଯେ ତା ମା’ ସହ କ’ଣ ହେଉଛି। ଏହି ଘଟଣାରେ ପୀଡ଼ିତାଙ୍କ ସ୍ୱାମୀ ସମେତ ତା’ର ଚାରିଜଣ ବନ୍ଧୁଙ୍କୁ ପୁଲିସ୍ ଗିରଫ କରିଛି। ଏପରିକି ଅଭିଯୁକ୍ତମାନେ କୁନି ପିଲାଟିକୁ ମଧ୍ୟ ମାରପିଟ୍ କରିଥିବା ସନ୍ଦେହ କରାଯାଉଛି।

ଏ ଗଣଦୁଷ୍କର୍ମକୁ ନେଇ କେରଳ ରାଜ୍ୟ ମହିଳା କମିଶନ୍ ଏକ ମୋକଦ୍ଦମା ଦାୟର କରିଛି। ଦାୟର ହୋଇଥିବା ଅଭିଯୋଗରେ କୁହାଯାଇଛି ଯେ ଗୁରୁବାର ନିଜ ପୀଡ଼ିତା ପତ୍ନୀଙ୍କୁ ମଦ ପିଆଇବା ପରେ ସ୍ୱାମୀ ଓ ତା’ର ଚାରିଜଣ ବନ୍ଧୁ ଏକ ଶୂନଶାନ୍ ସ୍ଥାନକୁ ନେଇଥିଲେ, ଯେଉଁଠାରେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ।

ତେବେ ପୀଡ଼ିତା ବହୁ କଷ୍ଟରେ ସେଠାରୁ ଖସି ପଳାଇ ଆସି ମୁଖ୍ୟ ରାସ୍ତାରେ ପହଞ୍ଚିଥିଲା, ଯେଉଁଠାରେ ସେ ଏକ ଅଜଣା କାର ସହ ଧକ୍କା ହୋଇଥିଲା। ଏହା ପରେ ପୀଡ଼ିତା ପୁଲିସ୍ ଷ୍ଟେସନରେ ପହଞ୍ଚି ନିଜ ସ୍ୱାମୀ ଓ ତା’ର ଚାରିଜଣ ସାଙ୍ଗଙ୍କ ବିରୋଧରେ ଏତଲା ଦାୟର କରିଥିଲା। ପୁଲିସ୍ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୨୩, ୩୨୪, ୩୫୪, ୩୫୪ଡି, ୩୭୬ଡି ଆଧାରରେ ମାମଲା ଦାୟର କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।